Unknown

 

 

 

 

 

 

 

 

 

 

 

ଗଳ୍ପ ଆଜି ଓ କାଲିର

ବଂଶୀଧର ଷଡ଼ଙ୍ଗୀ

 

ସୂଚିପତ୍ର

 

୧.

ଫକୀରମୋହନ ସେନାପତି

ବିରେଇ ବିଶ୍ଵାଳ

୨.

ଗୋଦାବରୀଶ ମହାପାତ୍ର

ମାଗୁଣୀର ଶଗଡ଼

୩.

କାଳନ୍ଦିଚରଣ ପାଣିଗ୍ରାହୀ

ମାଂସର ବିଳାପ

୪.

ସଚ୍ଚିଦାନନ୍ଦ ରାଉତରାୟ

ମଶାଣିର ଫୁଲ

୫.

ସୁରେନ୍ଦ୍ର ମହାନ୍ତି

ଶ୍ରୀକୃଷ୍ଣଙ୍କ ଶେଷ ହସ

୬.

ଗୋପୀନାଥ ମହାନ୍ତି

ପିଛା ପରୀକ୍ଷା

୭.

କିଶୋରୀଚରଣ ଦାସ

ପରିଚୟ

୮.

ଅଚ୍ୟୁତାନନ୍ଦ ପତି

ବରକନ୍ୟା

୯.

ଡକ୍ଟର ରାଧାନାଥ ରଥ

ମୁକ୍ତି

୧୦.

ମନୋଜ ଦାସ

ଶେଷ ବସନ୍ତର ଚିଠି

୧୧.

ଦୁର୍ଗାମାଧବ ମିଶ୍ର

ଉଜାଣି ସୁଅ

୧୨.

ଚନ୍ଦ୍ରଶେଖର ରଥ

ଅନ୍ଧାର

୧୩.

ଲେଖକ ପରିଚିତି

 

☆☆☆

 

ବୀରେଇ ବିଶାଳ

ଫକୀରମୋହନ ସେନାପତି

 

ମୁକୁନ୍ଦପୁରର ମକ୍ରୁ ବିଶାଳ ଆଉ ତା ଭାର୍ଯ୍ୟା ବୁଢ଼ୀ ସନ୍ନିପାତ ବେମାରିରେ ଆଗପଛ ମ।ସକ ଭିତରେ ଚାଲିଯିବାବେଳେ ଗୋଟିଏ ମାତ୍ର ପୁଅ ବୀରେଇର ବୟସ ହୋଇଥିଲା ପାଞ୍ଚବର୍ଷ-। ଲଙ୍ଗଳା ପିଲାଟା କିଛି ବୁଝେ ନାହିଁ । ବାପ ମ।ଆଙ୍କୁ କୋକେଇରେ ଘେନିଯିବାବେଳେ ଦାଣ୍ଡରେ ଭୂଇଁରେ ଗଡ଼ି ‘ବାପାଲୋ’ ‘ମା’ଲୋ’ ବୋଲି ଡକା ପାରୁଥାଏ । ଘରେ କେହି ନାହିଁ, କିଏ ବା ପିଲାଟାକୁ ସମ୍ଭାଳି ନେଉଛି ? ବାରମାସିଆ ମୂଲିଆ ତିନି ଜଣ ଥିଲେ ସତ, ହେଲେ ସେମାନେ କ’ଣ ଜାଣନ୍ତି, କ’ଣ କରିବେ ? ତେବେ କ’ଣ ବୀରେଇ ଅନାଥ ହୋଇଯିବ ? ନାହିଁ ନାହିଁ, ତିନିପୁରୁଷର ଭିନେ ହେଲା ଭାଇ, ଲେଖାରେ ବୀରେଇର ଖୁଡ଼ୁତା ଜେଡ଼ୁତା ଆଉ ମଉସା ପିଇସାମାନେ ଶୁଣି ଧାଇଁ ଆସିଲେ । ସେମାନଙ୍କର ଦୟାର ଶରୀର, ବୀରେଇର ବିକଳ କାନ୍ଦଣା ଶୁଣି ଧାଇଁ ଆସିଲେ । ସମସ୍ତେ ଏକାବେଳକେ ପିଲାକୁ ଝାଡ଼ିଝୁଡ଼ି ଦେଇ କାଖେଇ ନେବାଲାଗି ଟଣାଟଣି କଲେ । ଟଣାଓଟରାରେ ପିଲାକୁ ବାଧିଲାଣି, ଆହୁରି ଅଧିକ ବିକଳ ହୋଇ ଡକା ପକାଉଥାଏ । ସେ କଥା ଶୁଣୁଛି ବା କିଏ ? ଦାଦି ପିଉସା ମଧ୍ୟରେ ବୋଲାବୋଲି ହୋଇଗଲା-। ସମସ୍ତେ କହୁଛନ୍ତି, ‘‘ମୁଁ ଥାଉଁଥାଉଁ ପିଲାକୁ ପାଳିବାର ଆଉ କାହାର ଅଧିକାର ?” ଗୋଳମାଳ ଶୁଣି ଗାଁ ଲୋକେବି ରୁଣ୍ଡ ହୋଇଗଲେଣି । ଛୁଆଟା ସମସ୍ତଙ୍କ ମୁହଁକୁ ଚାହୁଁଛି–ସମସ୍ତେ ତ ଅଛନ୍ତି, ମା’ ବାପା କାହାନ୍ତି ? ଏତିକିବେଳେ ପହଞ୍ଚିଗଲେ ପିତେଇ ପାତ୍ରେ, ମାମୁ ଧଇଁସଇଁ ହୋଇ ଧାଇଁଛନ୍ତି-। ଦୂରରୁ ଡାକିଦେଲେ ‘‘ଛାଡ଼ ଛାଡ଼, ଅଲଗା ହୋଇଯାଅ, ଛେଉଣ୍ଡକୁ ପାଳେ କିଏ ? ପାଳେ ତ ବାପର ମା’ ନୋହିଲେ ପାଳେ ତ ମା’ର ମା’ । ତା’ର ମା’ର ମା’ ଆଈ ନାହିଁ ସତ, ମାଈଁ ତ ଅଛି-। ଯେଉଁ ପିଲାର କେହି ନାହିଁ, ତାକୁ ପାଳିବ ମାଈଁ । ତା’ ମାଈଁ ତିନି ଦିନ ହେଲା ଅନ୍ନଜଳ ଛୁଇଁ ନାହିଁ-। ପିଲାଟା ଲାଗି ଡକା ପକାଇଛି । ଦୂତୀ ଅପା ଘଟକିବାବେଳେ ବାରବାର କହିଯାଇଛି ବୀରେଇକୁ ତା’ ମାଈଁ ପାଳିବ । ଗୋଟାଏ କାମରେ ଆଉ ଗୋଟାଏ ଗାଁକୁ ବାହାରି ଯାଇଥିଲି, ଏଣେ ଏତେ କଥା ହୋଇଗଲାଣି, ମୋତେ ଜଣାନାହିଁ । ନୋହିଲେ ସମସ୍ତଙ୍କୁ ମୁକାବିଲା କରାଇ ଦେଇଥାନ୍ତି-।” ପଞ୍ଚୁଆତି ବସିଲା, ସମସ୍ତେ ରଫା କରିଦେଲେ । ପିଲାକୁ ପାଳିବାର ମାମୁର ଅଧିକାର । ଲୋକଙ୍କ ମୁହଁରୁ କଥା ବାହାରିଛି କି ନାହିଁ, ମାମୁ ତ ଚିଲ ପରି ଝାମ୍ପମାରି ପିଲାକୁ କାଖେଇ ଘରକୁ ଧାଇଁଲେ-। ବୀରେଇ ମାମୁକୁ କେଭେ ଦେଖିନାହିଁ । ନୂଆ ମଣିଷଟା, କାହିଁକି ଘେନିଯିବ ବୋଲି ‘ମା’ଲୋ, ମା’ଲୋ’ କରି ଆହୁରି ଡକା ପାରୁଥାଏ । ମାମୁ ବୀରେଇକୁ ଘେନି ଯାଇ ମାଈଁ ଗୁରୁବାରୀ ଜିମା କରିଦେଲେ, ତୁନି ତୁନି ଢେର୍‍ଗୁଡ଼ାଏ କି କଥା କହିଲେ । ମାଈଁ ମୁରୁକି ମୁରୁକି ହସି ହସି କହିଲେ, “ଆରେ ବୀରେଇ ଆ, ଚଣ୍ଡୀ ସଙ୍ଗରେ ଖେଳିବୁ ।” ଖଣ୍ଡିଏ ପୋଡ଼ପିଠା, ଚିମୁଟାଏ ଭଳି ଚିଟା ଗୁଡ଼ ହାତକୁ ବଢ଼ାଇ ଦେଲେ । ବୀରେଇ ଢେର୍‍ବେଳୁଁ ଖାଇ ନଥିଲା, ବଡ଼ ଭୋକିଲା ଥିଲା, ତେତିକି ଖାଇ ଦେଇ ଗୁଡ଼ାଏ ପାଣି ପିଇଦେଲା ।

 

ମାମୁ ପିତେଇ ପାତ୍ରଙ୍କ ଘର ମାକଲପୁର । ମୁକୁନ୍ଦପୁରଠାକୁ ଅଧକୋଶେ ଖଣ୍ଡେ ଛଡ଼ା । ଛେଉଣ୍ଡ ପିଲାଟି ଜାଣି ମାମୁଘରେ ପରମ ସୁଖରେ ରହିଲା । ତା’ ମାଲମତା ହେପାଜତ କରୁଛି କିଏ ? ପିତେଇ ପାତ୍ରେ ଘରକରଣା ଲୋକ । ତାଙ୍କ ନିଜ ବିଷ ତାଙ୍କୁ ଅସମ୍ଭାଳ । ଅଧକୋଶେ ଦୂରକୁ ଆସି ପିଲାର ମାଲମତା, ଘରକରଣା ଦେଖିଯିବାକୁ ବେଳ ନାହିଁ । ପାତ୍ରେ ନିହାତି ବ୍ୟାକୁଳ ହୋଇ ଗାଁ ଲୋକଙ୍କ ପାଖରେ ସବୁବେଳେ କହି ବୁଲନ୍ତି, ‘‘ଏହି ଦିନ କେତେଟା ଭିତରେ ପିଲାଟିର ମାଲ ଗାଁ ଲୋକେ ଚୋରାଇ ଘେନି ଗଲେଣି । ସବୁ ମାଲଗୁଡ଼ିକ ଆପଣା ଘରକୁ ଘେନି ଯାଇ ନଜରରେ ନ ରଖିଲେ ସବୁ ବରବାଦ ହୋଇଯିବ ।” ସମ୍ପତ୍ତି ମଧ୍ୟରେ କେତେ ପଉଟି ଧାନ, ହଡ଼ାହଡ଼ି ଦି’ପୁଞ୍ଜା ! ଏସବୁ ନଜରରେ ରଖିବାର କଥା । ବୋଇଲା, ‘ଜୋରୁ, ଗୋରୁ, ଧାନ–ଏ ତିନି ନଜର ଗୁଜରାଣ ।’

 

ପାତ୍ରଙ୍କୁ ଦିନବେଳେ ତର କାହିଁ ? ଅଧରାତିରେ ଗାଁ ଲୋକେ ଶୋଇଲା ବାଦେ ପାତ୍ରଙ୍କୁ ବେଳ ମିଳେ । ନିଜର ଥୋର ବଳଦରେ ଲଦି ପିଲାର ମାଲଗୁଡ଼ିକ ଆପଣା ଘରକୁ ଘେନି ଆସନ୍ତି । ଗାଁ ଦିଗବାର କହି ବୁଲେ, ‘‘ପାତ୍ରେ ଦଶଗୋଟା ବଳଦରେ କୋଡ଼ିଏ ଦିନ ପର୍ଯ୍ୟନ୍ତ ଧାନ ଚାଉଳ, ଲୁଗାପଟା, କଂସାବାସନ, ଚିଜବସ୍ତ ସବୁ ବୋହିଥିଲେ । ଗାଁ ଲୋକେ ସେ କଥାକୁ ସତ ମଣିଲେ । ବିଶାଳର ଘରପରି ଘରଟାଏ ଥିଲା । ତାହାର ଚାରିଟା ମରେଇରେ ଚାଳିଶ ଭରଣ ଧାନ ମହଜୁଦ୍‍ ଥିଲା, ଏ କଥାଟା ସମସ୍ତଙ୍କୁ ଜଣା । ଏ ବାଦ ମତ୍ରୁ ବିଶାଳ ଖାତକମାନଙ୍କୁ କୋଡ଼ିଏ ପଚାଶ ଭରଣ ସରିକି ଧାନ କରଜ ଦେଇଥିଲେ । ପାତ୍ରେ ମୂଳ କଳନ୍ତର ଅସୁଲ କରିନେଲେ, ବିଶାଏ ଧାନ କାହାରିକୁ ଛାଡ଼ି ଦେଇ ନାହାନ୍ତି । ସେ କହନ୍ତି, “ଛେଉଣ୍ଡ ମାଲ, କିମିତି ଛାଡ଼ିବେ ? ନିଜର ହେଲେ ଦଶ ଗୌଣୀ ଛାଡ଼ି ଦିଅନ୍ତେ ।”

 

ଆଉ ପାତ୍ରେ ଗାଁ ଲୋକଙ୍କ ଆଗରେ ସବୁବେଳେ କହି ବୁଲନ୍ତି, “ବିଶାଳଟା ବଡ଼ ସାହାଖର୍ଚ୍ଚି ଲୋକ ଥିଲା । ସବୁ ଖାଇ ପିଇ ଉଡ଼ାଇ ଦେଇ ଯାଇଛି, ଛେଉଣ୍ଡଟି ଲାଗି କିଛି ରଖିଯାଇ ନାହିଁ । ଘରକରଣା ଭିତରେ ଯାହା ଥିଲା ପଲାଣ ପାଣ୍ଠି ଦିଖଣ୍ଡ, ମୁଁ ତାକୁ ସଙ୍ଗରେ ଉଠାଇ ରଖିଛି । ପିଲାଟା ପାରିଲେ ତା’ ଜିମା କରିଦେବି । ମୁଁ କ’ଣ ସେ ପଲାଣରେ ବାହିବି ? ରାମ ରାମ ।” ମାଈଁ ପାଞ୍ଚ ମାଈକିନିଆଙ୍କ ଆଗରେ କହି ବୁଲନ୍ତି, ‘‘ମୋ ବୀରେଇ ଆଗ ତ, ଚଣ୍ଡୀ ପଛ । ତା’ ବାପର କିଛି ନଥିଲା ନାହିଁ, ମୋର କ’ଣ ଊଣା ଅଛି ? ବସି ବସି କୋଡ଼ିଏ ବରଷ ଖାଉ ।”

 

ଦିନ ପାଣିସୁଅ ପରି ବହିଯାଉଛି । ଦେଖୁଦେଖୁ ଚାରିବର୍ଷ ଚାଲିଗଲାଣି । ଆସନ୍ତା ତୁଳା ଛ’ ଦିନରେ ବୀରେଇର ଜନ୍ମଦିନ, ଆଠବର୍ଷ ପୂରି ଯାଇ ନ’ବର୍ଷ ପଶିବ । ବୀରେଇ ଆଉ ମାମୁପୁଅ ଚଣ୍ଡିଆ ଅବଧାନଙ୍କ ଚାଟଶାଳିରେ ବସିଛନ୍ତି । ବୀରେଇଟି ଧୀର, ପଢ଼ାରେବି ଖୁବ୍‌ ମନ । ଖଡ଼ିପାଠ, ମିଶାଣ, ଫେଡ଼ାଣ, ହରିଗୁଣ, ଛିଡ଼ାଇ ରାସ ପୋଥି ଧରିଛି । ଚଣ୍ଡିଆର ତେରବର୍ଷ ପୂରିଗଲାଣି, ହେଲେ କ’ଣ, ଆଜିଯାଏ ଖଡ଼ିପାଠ ଓଡ଼ାଙ୍କବି ଛିଡ଼ିଲା ନାହିଁ । ମାଈଁର ଗୋଟିଏ ବୋଲି ଆଖି, ବଡ଼ ଗେଲ କରନ୍ତି । ମା’ ମୁହଁ ପାଇ ବଡ଼ ଉତ୍ପାତିଆ ହୋଇଗଲାଣି, ଘରୁ ବାହାରିଲା ତ ପାଞ୍ଚ ଘରୁ ଦଶ ବୋଲଣା ଆଣିବ–ଚାଲିଲା ଶଗଡ଼ରେ ହାତ ଦିଏ । ତା’ ନାମରେ କେହି କିଛି ଆସି ଗୁହାରି କଲେ, ମା’ ପୁଅକୁ ବାଣ୍ଟିବା ଥାଉ, ଓଲଟା ଗାଁ ଲୋକଙ୍କ ସଙ୍ଗରେ କଳି କରିବେ । ମା’ଙ୍କର ବିଶ୍ଵାସ, ଚଣ୍ଡିଆଟି ଦେଖିବାକୁ ବଡ଼ ସୁନ୍ଦର ବୋଲି ଗାଁ ମାଈକିନିଆଏ ହିଂସାରେ ସହିପାରନ୍ତି ନାହିଁ । ଚଣ୍ଡୀ ଚାଟଶାଳିରେବି ବଡ଼ ଗୋଳମାଳ କରେ । ଆପେ ତ ପଢ଼େ ନାହିଁ, ପିଲାମାନଙ୍କ ସଙ୍ଗରେ ତୁଚ୍ଛାଟାରେ କଳି ଲଗାଏ, ମାରଧର କରେ । ଦିନେ ଅବଧାନେ ସହି ନ ପାରି ବେତରେ ଖୁବ୍ ପ୍ରସ୍ତେ ବାଡ଼େଇ ଗଲେ, ପିଠିରେ ଲମ୍ବ ଲମ୍ବ ନୋଳା ବସିଗଲା । ମା’ ତା’ ଦେଖି ଖୁବ୍ ଡକାପାରି କାନ୍ଦିଲେ । ଅବଧାନଙ୍କ ଚଉଦ ପୁରୁଷଙ୍କ ସକାଶେ ନିତାନ୍ତ କୁତ୍ସିତ ଦ୍ରବ୍ୟ ଖାଦ୍ୟବ୍ୟବସ୍ଥା, ଆଉ ନରକ ନାମକ ସ୍ଥାନକୁ ଯିବା ସକାଶେ ଆଦେଶ କଲେ । କହିଲେ, ‘‘ମୋର କ’ଣ ନାହିଁ ଯେ ପୁଅ ପାଠଟାଏ ପଢ଼ିବ । ଆରେ, ମୋର ଯେ ବିଷୟ ଅଛି, ତିନିପୁରୁଷ ବସି ଖାଉ-।” ଚଣ୍ଡୀର ପଢ଼ା ବନ୍ଦ । ସେ ତ ତାହାହିଁ ଖୋଜୁଥିଲା । ଚଣ୍ଡୀ ଗାଁର ବାଉରି, ଧୋବାମାନଙ୍କ ସଙ୍ଗରେ ଦିନରାତି ବୁଲେ । ବାପେ କିଛି କାମ ପାଇଟିରେ ଲଗାଇଲେ, ମା’ ବାଘୁଣୀ ପରି ଗର୍ଜନ କରି କହନ୍ତି, “ମୋର ଦୁଧଖିଆ ଛୁଆଟା କାମପାଇଟି କରିବ କ’ଣ ମ ? ନଅଟା ନା ଛଅଟା, ଗୋଟାଏ ବୋଲି ଆଖି, ସେ କ’ଣ ଭିଡ଼ କାମ କରିପାରିବ ? ବୁଲୁଥାଉ ।” ବୀରେଇରବି ପଢ଼ା ବନ୍ଦ-। ମାଈଁ ଖପାଟାଏ ହୋଇ କହିଲେ; ଏ ଅବଧାନଟା କିଛି ନୁହେଁ । କ’ଣ ବା ପଢ଼ାଏ, ମାସ ନ ପୂରୁଣୁ ଦୁଇ ଅଣା ପଇସା ଗଣ । ଫେର୍ କ’ଣ ନା, ଆଜି ପଣକିଆ ଲେଖିବ, ପୂଜା ଲୋଡ଼ା–ସେରେ ଚାଉଳ, ଗୁଆଟିଏ । ଦିନ ପନ୍ଦରଟା ଯାଇ ନାହିଁ ତ, ଓଡ଼ାଙ୍କ ଲେଖିବ, ଫେର୍ ପୂଜା ! ନା ନା, ତା’ ହେବ ନାହିଁ ।” ଦୁଇ ଚାରି ଦିନ ବାଦେ ମାଈଁ ଦିନେ ମାମୁଙ୍କୁ ଡାକି କହିଲେ, ‘‘ଦେଖ ତ, ଭେଣ୍ଡିଆଟା ଦିନକୁ ତିନିବେଳ ଠୁଙ୍କିବ, ତୁଚ୍ଛାଟାରେ ଗାଁରେ ବୁଲିବ କ୍ୟାଁ ? ଗାଈରଖା ଟୋକାଟାକୁ ବାହାର କରିଦିଅ, ବୀରିଆ ଗାଈ ଜଗୁ । ମାମୁ ଟିକିଏ ମୋଡ଼ ମୋଡ଼ ଦେଉଥିଲେ, ଡରରେ ପାଟି ଫିଟାଇ ପାରିଲେ ନାହିଁ । ବୀରେଇକୁ ଡାକି କଅଁଳେଇ କହିଲେ, “ଆରେ ବାପ ବୀରେଇ ! ଏହି ଯେ ଗୋରୁପଲ ଦେଖୁଛୁ ଏଗୁଡ଼ିକ ସବୁ ତୋର । ପର ଲୋକେ ଭଲ ଚରାଉ ନାହାନ୍ତି, ଗାଈ ବଳଦଗୁଡ଼ାକ ହଡ଼ା ହୋଇଗଲେଣି । ପରଲୋକର କ’ଣ ମାୟା ଥାଏ ? ତୁ ଯା, ଥଣ୍ଡେ ଥଣ୍ଡେ ଗଛ ମୂଳରେ ବସି ଗୋରୁ ଦି’ଟା ଦେଖିବୁ । କିଛି ମେହେନତ୍ ନାହିଁ, ଖାଲି ଅଡ଼ାଇ ଘେନିଯିବୁ, ସଞ୍ଜବେଳେ ଆଣି ଗୁହାଳରେ ପୂରାଇଦେବୁ ।” ବୀରେଇ ପାଞ୍ଚଣ ଖଣ୍ଡେ ଧରି ଗୋରୁ ଚରାଇ ବାହାରିଲା । ଗାଁ ଲୋକେ କିଛି କହିଲେ, ମାମୁ ଜବାବ ଦିଅନ୍ତି, “ଆଚ୍ଛା, ଛେଉଣ୍ଡର ଲାଞ୍ଜ ଦିଖଣ୍ଡ ପର ହାତରେ ପଡ଼ି ବୁଡ଼ିବାକୁ ବସିଲା । ତା’ ନିଜ ମାଲ ନିଜେ ଦେଖୁ ।’’ ସତକୁସତ ଗୋରୁପଲଟା ଏକା ବୀରେଇର । ତାହା ବାପ ମରିବାବେଳେ ମାଈ–ଅଣ୍ଡିରା–ଛଡ଼ା–ଦାମୁଡ଼ି ଦୁଇ ବୋଡ଼ି ଭଳି ଗୋରୁ ମାମୁ ଗାଁ ମଝି ଗୋହିରିରେ ଅଡ଼ାଇ ଆଣୁଥିବା ଗାଁ ଲୋକ ସମସ୍ତେ ଦେଖିଛନ୍ତି ।

 

ଆହୁରିବି ଆଠ ନ’ବର୍ଷ ଗଲାଣି, ବୀରେଇର ଉଛୁଣିକା ଅଠରବର୍ଷ ବୟସ । ପିଲାଟା ନା ଆଉ କ’ଣ ? ହେଲେ କାମ ପାଇଟି କି ବଡ଼ ପାରିଲା । ମାମୁର ବାଟି ସଂଖ୍ୟା ଚାଷ, ଯୋଡ଼ାଏ ବାରମାସିଆଙ୍କୁ ଧରି ସବୁ ସମ୍ଭାଳିଛି । ଏବେ ମାମୁ ଚାଷକାର୍ଯ୍ୟଟା ତୁଚ୍ଛା ଉପରେ ଉପରେ ଦେଖନ୍ତି-। ବୀରେଇ ଦେଖିବାକୁ ଯେମନ୍ତ ଡଉଲ, କଥାଗୁଡ଼ିକବି ଖୁବ୍ ମଧୁର । ଦେହରେ ବାଘ ପରି ବଳ-। ଦିନେ ପାଣ୍ଡେଇ ପାତ୍ର ସାନ ଝିଅ କମଳୀକୁ ଗୋଟାଏ ମାରଣା ବଳଦ ବିନ୍ଧିବାକୁ ଗୋଡ଼ାଇଥିଲା–ବୀରେଇ ବଳଦର ଲାଞ୍ଜ ଧରି ଭିଡ଼ି ରଖିଲା । ଗାଁର କି ପୁରୁଷ କି ସ୍ତ୍ରୀ ସମସ୍ତେ ବୀରେଇକୁ ଭଲ ପାଆନ୍ତି, ଖୁବ୍ ପ୍ରଶଂସା କରନ୍ତି । ହେଲେ ସେ ପ୍ରଶଂସାଟା ମାଈଁ ଶୁଣିଲେ ଖପା ହୋଇଯାନ୍ତି, ଲୋକଙ୍କ ସାଙ୍ଗରେ କଳି କରନ୍ତି । ଚଣ୍ଡୀର ପ୍ରଶଂସା କଲେ ମାଈଁ ମନ ବଡ଼ ଖୁସି ।

 

ଚଣ୍ଡୀ ସଞ୍ଜ ସକାଳ ଘରେ ପଶେ ନାହିଁ, ପାଞ୍ଚ ସାତଟା ବୁଲା ଟୋକା ସାଙ୍ଗରେ ଦିନରାତି ବୁଲୁଥାଏ । ସେମାନଙ୍କ କାମ ଗଛଚଢ଼ା, ବାଗୁଡ଼ି ଖେଳ, ଚୌପଟ ଖେଳ, ଗଞ୍ଜେଇ ଭିଡ଼ା-। ହାଲକୁ ଗୋଟାଏ ମଦତ ଖଟି ଜାରି କଲାଣି । ଅଳି କରି କାନ୍ଦି ଡରାଇ ହସାଇ ମା’ ପାଖରୁ ଟଙ୍କାପଇସା ନିଏ, ଆପଣା ଗୋଠରୁ କୋଡ଼ିଏ ପଚିଶ ଟଙ୍କାର ଦାମୁଡ଼ିଗୁଡ଼ାକ ଗୁଆଲାକୁ ଦୁଇ ଚାରି ଟଙ୍କାରେ ବିକିଦିଏ । ଚାକିରିଆମାନଙ୍କ ସଲାରେ ଆପଣା ଘର ମରେଇରୁ ଧାନ ଚୋରିକରି ବିକିଦିଏ । ମା’ ଜାଣିପାରିବି ପୁଅ ଦୋଷ ଲୁଚାଏ । ମା’ ଡରରେ ବାପା କିଛି କହିପାରେ ନାହିଁ-। ମା’ ଆଗେ ଲୁଚାଚୋରା କରି ଚଣ୍ଡୀକୁ କିଛି କିଛି ଟଙ୍କାପଇସା ଦେଉଥିଲେ । ଏବେ ହାତ ଖାଲି-। ଚଣ୍ଡୀ ଟଙ୍କାପଇସା ନ ପାଇ ମା’କୁ କେତେ ଥର ମାଡ଼ ଦେଲାଣି । ହେଲେ ମା’ ମାଡ଼ ଖାଇ ତୁନି ହୋଇ ରହେ, ବାପା ଆଗରେ କିଛି କହେ ନାହିଁ ।

 

ଗାଁ ଲୋକ ପାଞ୍ଚ ଜଣ ବୀରେଇକୁ କହିଲେ, “ଆରେ ବୀରେଇ ! ତୁ କ’ଣ ମାମୁଘରେ ସବୁଦିନେ ପେଟ ଭାତରେ ରହିଥିବୁ, ଆପଣାର ସଂସାର କରିବୁ ନାହିଁ ?’ କଥାଗୁଡ଼ାକ ବୀରେଇ ମନକୁ ଭଲ ପାଇଲା । ସେ ଏବେ ସବୁ କଥା ବୁଝିଲାଣି । ମାମୁ ମାଈଁ କାମର ପିଆର । ଖିଆପିଆ ସବୁ କଥାରେ ପୁଅ ଉପରେ ମାମୁ ମାଈଁଙ୍କର ଯେ ଶ୍ରଦ୍ଧା, ତା’ ଉପରେ ତା’ର କଣିକାଏବି ନାହିଁ । ଦେଢ଼ ହଜାର ଟଙ୍କା ଖରଚ କରି ପୁଅକୁ ବିଭା କଲେ, ତାହା ବିଭାର ନାମ ଚର୍ଚ୍ଚା ନାହିଁ । ଦିନରାତି ହାଡ଼ ଭାଙ୍ଗି ଅର୍ଜି ଯାହା ଆଣୁଛି, ଚଣ୍ଡୀ ଗଞ୍ଜେଇ ମଦ ଖାଇ ସବୁ ଉଡ଼ାଇ ଦେଉଛି । ମାମୁ ମାଈଁ କିଛି ବୋଲିବାକୁ ନାହାନ୍ତି । ନିଶ୍ଚେ ସେ ଘରକରଣା ଉଜାଡ଼ିଦେବ ।

 

ଦିନେ ସଞ୍ଜବେଳେ ମାମୁ ମାଈଁ ପିଣ୍ଡାରେ ବସିଛନ୍ତି, ବୀରେଇ କାମଧନ୍ଦା ସାରି ଯାଇ ପାଖରେ ବସିଲା । ମାମୁ ମାଈଁ ଦିନବେଳର କାମ ପାଇଟି କଥା ପଚାରିଲେ । କାମ ପାଇଟି କଥା ଛଡ଼ା ମାମୁ ମାଈଁ ସାଙ୍ଗରେ ବୀରେଇର ଆଉ କିଛି କଥାଭାଷା ହୁଏ ନାହିଁ । ବୀରେଇ ଜବାବ ଦେଇ ପାଖରେ ବସିଥାଏ । ମାମୁ ପଚାରିଲେ, “କିରେ ବୀରେଇ । ଆଉ କିଛି କଥା ଅଛି ?” ବୀରେଇ ଦଣ୍ଡେ ଗୁମ୍‌ମାରି ବସି ଦୁଇଟା ହାଇ ମାରି କହିଲା, “ମାମୁ ମୁଁ ଏବେ ଆପଣା ଘରକୁ ଯିବି ।” ମାମୁ ମାଈଁ ତ ଶୁଣି ଚମକି ପଡ଼ିଲେ, ତାଙ୍କ ମୁଣ୍ଡରେ ଯେମନ୍ତ ବଜ୍ରଟାଏ ଭାଙ୍ଗିପଡ଼ିଲା । ମାମୁ, ମାଈଁ ଦୁଇ ଜଣଙ୍କର ଦୁଇବର୍ଷ ହେଲା ଶ୍ଵାସ ବେମାରି । ସଞ୍ଜବେଳେ ଚାରି ଅଣାର ଟେଳାଏ ଟେଳାଏ ଆପୁ ଗିଳି ପକାଇଲେ ଟିକିଏ ଚାଲବୁଲ ହୋଇପାରନ୍ତି । ମାମୁ ତ ପିଣ୍ଡାରୁ ଓହ୍ଲାଇବାକୁ ନାହିଁ, ଚଣ୍ଡିଆର ତ ଏହି ଦଶା, ବୀରେଇ ବାହାରିଗଲେ ଆଉ କ’ଣ ଘରକରଣା ରହିବ ? ମାମୁ ଦୁଇ ଚାରିଟା ନିଃଶ୍ୱାସ ପକାଇ କଅଁଳେଇ କହିଲେ, “ହଁରେ ବାପ, ଘରକୁ ଯିବୁ ନାହିଁ କ’ଣ ? ରହ, ମୁଁ କନ୍ୟାଟିଏ ଖୋଜି ଖୋଜି କରୁଛି ବାହାଘର କରାଇଦେବି, ଦି’ ପ୍ରସ୍ତ ଘର ବନାଇଦେବି । ତୁ ଉଛୁଣିକା ପିଲାଟା, ଅଲଗା ଏକୁଟିଆ ହୋଇ କ’ଣ ରହିପାରିବୁ ? ଏ ଗାଁ ଲୋକଙ୍କ କଥା ବୁଝି ନାହୁଁ ? ମୁଁ ବୁଝି ବୁଝି ବୁଢ଼ା । ସବୁ ତୋ ପାଖରୁ ଛଡ଼ାଇ ନେବେ, ଭକୁଆ ହୋଇ ବସିଥିବୁ । କ’ଣ କହୁଛୁରେ ବାପ ?” ହେଉ ହେଉ, ଆଉ ଯୋଡ଼ାଏ ବର୍ଷ ରହିଯା । କ’ଣ କହୁଛୁରେ, ରେ ବାପ ?” ବୀରେଇ କହିଲା, “ନା, ମୁଁ ଘରକୁ ଯିବି ।” ମାଈଁ ଟିକିଏ ରାଗୀ; ଚଣ୍ଡୀ ହଜାର ଦୋଷ କରୁ କିଛି କହିବେ ନାହିଁ, ଆଉ କେହି ତାଙ୍କ କଥା ଟିକିଏ ଅମାନ୍ୟ କଲେ ଘଡ଼ିଏ ଯାଏଁ ଗର୍ଜୁଥିବେ । ଟିକିଏ ରାଗିଯାଇ କହିଲେ, “କିରେ ବୀରେଇ ! ମାମୁ ସେ ମୁରବି, ତାଙ୍କ କଥା ଅମାନ୍ୟ କରୁଛୁ ? ଗାଁ ଲୋକଙ୍କ ବୁଦ୍ଧିରେ ପଡ଼ିଲୁଣି କିରେ ? ଆରେ କହିବାକୁ ଢେର୍, ବହିବାକୁ କିଏରେ ? ଯୋଗଣିଖିଆ ଘରଭଙ୍ଗା ଲୋକଙ୍କ ବୁଦ୍ଧିରେ ପଡ଼ନା । ପାଞ୍ଚବର୍ଷର ଛେଉଣ୍ଡ ଲଙ୍ଗଳା ହୋଇ ଦାଣ୍ଡରେ ପଡ଼ିଥିଲୁ, ଏଇ ମାମୁ ଥିଲେ ବୋଲି ଅଣ୍ଡାଟିରୁ ଭେଣ୍ଡିଆ ହୋଇ ଆଜି କଥା କହୁଛୁ । ଏହି ଯୋଗଣିଖିଆଏ ସମସ୍ତେ ତ ଥିଲେ, ତୋ ତୁଣ୍ଡରେ ପେଜ ମନ୍ଦାଏ କେହି ଦେଲେ ନାହିଁ ? ନଣନ୍ଦେ ମରିବାବେଳେ ମୋ ହାତ ଧରି ବାରବାର କହି ଯାଇଛନ୍ତି, ଖବରଦାର ! ମୋ ବୀରେଇକୁ କାହିଁ ଛାଡ଼ିଦେବ ନାହିଁ, ବରାବର ଘରେ ରଖିବ । ଅଳପାଇଷିଆ ଗାଁ ଲୋକେ ତାକୁ ଫୁସୁଲାଇଲେ ଶୁଣିବାକୁ ଦେବ ନାହିଁ । ତୁ ମା’ କଥା, ବାପ ବଦଳରେ ମାମୁ କଥା ଯଦି ନ ଶୁଣିବୁ, ଆପେ ପୋଡ଼ି ଉଡ଼ିଯିବୁ, କାହାର କ’ଣ ଯିବ-?” ମାମୁ କହିଲେ, “ଥାଉଁଥାଉଁ, ସେ ସବୁ କଥା ପଛେ ହେବ, କଥା କ’ଣ ପଳାଉଛି ? ଦିଅ ଦିଅ ବୋହୂକୁ ଡାକିଦିଅ, ଛୁଆଟା କାମ ପାଇଟି କରି ଥକିଛି, ଆଗେ ତାକୁ ଭାତ ଦିଅ, ଚଣ୍ଡିଆ ନ ଆସିଲା ନାହିଁ ।” ବୀରେଇ ମନ ମଧ୍ୟରେ ବଡ଼ ହସିଲା, ‘ଓହୋ ! ଆଜି ଯେ ମାମୁଙ୍କର ବଡ଼ ଦୟା ।’ ରୋଜ୍ ତ ଚଣ୍ଡୀ ନ ଆସିଲେ ଖିଆପିଆ ହୁଏ ନାହିଁ ! ଚଣ୍ଡୀ ଗାଁ ବୁଲି ବାହୁଡ଼ିବାକୁ ରାତି ଛ’ ଘଡ଼ି-। ମାମୁ ମାଈଁଙ୍କର ଶ୍ଵାସରୋଗ, ତାହା ଉପରେ ଆପୁର ନିଶା; ରାତିସାରା ନିଦ ହୁଏ ନାହିଁ, ଖୁଁ ଖୁଁ ହୋଇ କାଶୁଥାନ୍ତି, ପାହାନ୍ତିଆ ପହର ଥଣ୍ଡା ପବନ ଲାଗିଲେ ଟିକିଏ ନିଦ ମାଡ଼େ । ଚିନ୍ତା ଭାବନାରେ ଆଜି ସେ ନିଦବି ନାହିଁ ।

 

ତହିଁ ଆରଦିନ ସକାଳେ ବୀରେଇ ଆଣ୍ଠୁ ଯୋଡ଼ିକି କୁଣ୍ଢେଇ ପିଣ୍ଡାରେ ତୁନି ହୋଇ ବସିଛି । ଖରା ପିଢ଼ା ଉପରୁ ମଝି ବାହାରକୁ ଗଡ଼ିପଡ଼ିଲାଣି, ମାମୁ ଉଠି ଆସି ବୀରେଇକୁ ଦେଖି କହିଲେ, “କିରେ ବାପ ! ତୁନି ହୋଇ ବସିଛୁ ? ଯା ଯା, ବେଙ୍ଗଳା ଖେଳାଇଦେ ଯା । ଭଙ୍ଗା ପୁଞ୍ଜିଟା ରଣବଣ ହୋଇପଡ଼ିଛି ।” ବୀରେଇର ଏକା ପଦେ କଥା, “ନା, ମୁଁ ଘରକୁ ଯିବି ।” ମାମୁ ଆଜିବି ଢେର୍ ବୁଝାଇଲେ । ଟେକାଟେକି କରି କଥା କହିଲେ । ବୀରେଇର ସେହି ଉତ୍ତର, “ଘରକୁ ଯିବି ।” ମାଈଁ ବିଛଣାରୁ ଉଠିଆସି ଆଖି ମଳି ମଳି ସବୁ କଥା ଶୁଣୁଥିଲେ, ଏକାବେଳେ ଖପାଟା ହୋଇ କହିଲେ; “ଯିବୁ ଚାଲିଯା । ଯିବି–ଯିବି ଭଜନମାଳ ଧରିଛୁ ଯେ !” ବୀରେଇ କହିଲା–“ମୋ ବାପର ଯାହା ସବୁ ଚିଜବସ୍ତ ଆଣିଥିଲ, ଫେରାଇଦିଅ ।” ମାଈଁ ସେହିପରି ତେଜରେ କହିଲେ, “ଚିଜବସ୍ତ କ’ଣରେ ! ପାଣ୍ଠିପଲାଣ ଦିଖଣ୍ଡ ଆଣିଥିଲେ, ଯା, ଯା, ଉଇ ଖାଇଯାଇ ପଡ଼ିଛି, ମୁଣ୍ଡାଇ ଘେନି ଯା । ବରଷେ ନୁହେଁ, ଦି’ ବରଷ ନୁହେଁ, କୋଡ଼ିଏ କୋଡ଼ିଏ ବର୍ଷକାଳ ଖୁଆଇ ପିଆଇ ଭେଣ୍ଡିଆଟିଏ କରିଦେଲୁ, ଏଣିକି ମୁଣ୍ଡକୁ ହାତ ପାଇଲା କି ନା ? ମୁଁ ତାଙ୍କୁ ବାରବାର ତେତିକିବେଳେ କହିଥିଲି–‘ପରପୁଅ ଗୁଞ୍ଜାରୁଅ’, ସେ ବାଲେଇରେ ପଶନା । ଶୁଣିଲେ ନାହିଁ; ଏବେ ଭୋଗ ।” ବୀରେଇ ତୁନି ହୋଇ ଏକକାନିଆ ପାଞ୍ଚଣ ଖଣ୍ଡ ଧରି ଉଠିଲା ।

 

ମତ୍ରୁ ବିଶାଳର ସରବରି ପନ୍ଦର ମାଣ ଚାଷ ଜମି ଥିଲା । ଜମିଟା ବଡ଼ ଭଲ, ମଟାଳିଆ, ଏକଚକିଆ, କଳିନ୍ଦ । ପିତେଇ ପାତ୍ରେ ସେ ଜମିଟା ଆପଣା ନାମରେ କରିନେବା ଲାଗି ଢେର୍ ଫନ୍ଦିଫିକର କରିଥିଲେ । ଜମିଦାର ଶ୍ୟାମ ସ୍ଵାଇଁଙ୍କୁ ଲାଞ୍ଚ ରିସ୍ପତ୍‌ ଯାଚିଥିଲେ, ମାତ୍ର ସ୍ଵାଇଁଏ ବଡ଼ ବବେକୀ ଲୋକ, ପୁଣି ଗାଁର ପାଞ୍ଚ ଜଣଙ୍କ ଡରରେ ସେହି ମତ୍ରୁ ବିଶାଳ ନାମରେ ରଖିଦେଇଛନ୍ତି । ବୀରେଇ ଗାଁରେ ମୂଲ ଲାଗେ । ଚାଷ ସଜ ନାହିଁ, ଜମିଗୁଡ଼ିକ ବଖରା ଲଗାଇଦେଲା ।

 

ବୀରେଇଟି ବଡ଼ କାମିକା, ପର ନ–ଛରେ ନଥାଏ, ଆପଣା ଦୁଃଖଧନ୍ଦାରେ ଲାଗିଥାଏ । ସଞ୍ଜବେଳେ ପାଇଟିରୁ ଆସି ମୁଢ଼ିମୁଢ଼ା ପୁଞ୍ଜାଏ ପାଟିରେ ପକାଏ । କୋଡ଼ିଟାଏ କାନ୍ଧରେ ପକାଇ ବାହାରିପଡ଼େ । ଆପଣା ଡିହରେ ବର୍ତ୍ତମାନ ରହିବା ଭଳି ଗୋଟିଏ ସାନ ଘର ବନାଇଲା । କାନ୍ଥ ଯିମିତି ଛିଡ଼ା କରିଛି, ମଉସା ପିଉସା ଗାଁର ଆଉ ଆଉ ପାଞ୍ଚଜଣ ଡକରା ନାହିଁ, ହକରା ନାହିଁ, ବୀରେଇ କାହାକୁ କିଛି କହି ନାହିଁ; ଧାଇଁ ଆସିଲେ, ଆପଣା ଆପଣା ଘରୁ କାଠିକୁଟା ବାଉଁଶ ଆଣି ଘରଟାଏ ଛିଡ଼ା କରାଇଦେଲେ । ବୀରେଇର ଅଉଲ ବିଲ–ଭାରି ଜଳିନ୍ଦ । ଧାନ ପାଚିବାରୁ ତିରିଶ ଭରଣ ସରିକି ଭାଗ ପାଇଲା । ବର୍ଷକ ଖାଇବା ଭଳି କିଛି ରଖି ସବୁ ଧାନଗୁଡ଼ିକ ବିକି ପକାଇଲା । ସେହି ଟଙ୍କାରେ ହଳିଆ ବଳଦ; ଚାଷ ସରଞ୍ଜାମ କିଣି ଆପଣା ଚାଷରେ ଲାଗିଗଲା । ବର୍ଷ ଚାରିଟା ଭିତରେ ବୀରେଇ ବାପଅମଳିକା ଘର ଛିଡ଼ା କରିଦେଲାଣି । ସେହିପରି ତିନି ପ୍ରସ୍ତ ଘର; ମାଈ ଅଣ୍ଡିରା ଦେଢ଼ ବୋଡ଼ି ଗୋରୁ: ପରା ଧାନ ପାଞ୍ଚ ଛ’ଟା ମରେଇ ଛିଡ଼ା ।

 

ବନ୍ଧୁବାନ୍ଧବ ହାମଦରଦୀ ପାଞ୍ଚ ଜଣ କେତେଥର କହିଲେଣି, ‘ଆରେ ବୀରେଇ ! ତୁ କି ସବୁ ଦିନେ ଡାଙ୍ଗୁଆ ମାଙ୍ଗୁଆ ହୋଇ ରହିଥିବୁ ? ଏଣିକି ପିତୃଲୋକ ପାଣି ମୁଠାଏ ପାଇବାର ବାଟ କର ।’ ବୀରେଇବି ବୁଝିଲାଣି, ବିଭାଟା ନହେଲେ ନୁହେଁ । କାମ ପାଇଟିରୁ ଆସି ରନ୍ଧାବଢ଼ା କରିବାଟା ଏଣିକି ଦିକ୍‌ ଲାଗିଲାଣି । ବାଧିକା ପଡ଼ିଲେ ପାଣି ମନ୍ଦାଏ ଦେବାକୁ, ଗୋଡ଼ ହାତରେ ହାତ ବୁଲାଇ ଦେବାକୁ କେହି ଭରସା ନାହିଁ । ବିଭା କରିବାକୁ ମନ କଲା ସତ, ହେଲେ ଏତେ ଟଙ୍କା କାହିଁ ? ଆଉ ପାଟକ ନୁହେଁ ଯେ, ମନ କଲା ତ ବିଭା ହୋଇପଡ଼ିଲା । କିପାଁଇ କେଜାଣି, ବଳରାମଗୋତ୍ରୀ ପନ୍ଥାରେ କନ୍ୟାର ବଡ଼ ଅଭାବ, ପୁଣି ଦର ଭାରି ଚଢ଼ା । ଗୋଟିଏ ଗୋଟିଏ କନ୍ୟା ପାଞ୍ଚଶଠାରୁ ହଜାର ଦୁଇ ହଜାର ଟଙ୍କାରେ ବିକ୍ରି ହେବାର ଏ ଲେଖକଙ୍କୁ ଜଣା । ଅଜଣା ପାଠକ ଆପଣେ ପଚାରିବେ, କନ୍ୟାର ଦାମ ଏତେ ଊଣା ଅଧିକ କ୍ୟାଁ ? କନ୍ୟାଗୁଡ଼ିକ ଫୁଟ୍ ଗଜରେ ମାପ ବା ଦଣ୍ଡି ତରାଜୁରେ ଓଜନ ହେଉଥିବେ, ମାପ ବା ଓଜନ ଊଣା ଅଧିକରେ ଦର ଊଣା ଅଧିକ ହୁଏ ।’ ନାହିଁ ନାହିଁ, ତାହା ନୁହେଁ, ଆମ୍ଭମାନଙ୍କୁ ଭିତିରିଆ କଥା ଭଲ ଜଣା । ସେଥିରେ ଅସଲ ହାଲ ଚୁମ୍ବକରେ ଦୁଇ ଚାରି କଥାରେ କହିବୁଁ । ବଳରାମ ଗୋତ୍ରୀ ପନ୍ଥାରେ ନଥିଲା ଲୋକ ନାହାନ୍ତି ବୋଲନ୍ତୁ, ସେମାନେ ଭାରୀ ପରିଶ୍ରମୀ ଏବଂ ଖରଚପତ୍ରରେ ଭାରୀ ଚିପା । ବଳେ ସମସ୍ତଙ୍କ ହାତରେ କିଛି କିଛି ଟଙ୍କା ଜମିଯାଏ । କନ୍ୟାର ବୟସ ବା ରୂପଗୁଣ ବିଷୟରେ କିଛି ଚିନ୍ତା ନାହିଁ–ବରର ବୟସକୁ ଧରି କନ୍ୟାର ଦରଦାମ୍ କଷାଯାଏ । ବରର ବିବାହର ବୟସ ହେଲା । ଏଣେ ଘରେ ତେତେ ଟଙ୍କା ନାହିଁ, ଆପେ ପରିଶ୍ରମ କରି ଟଙ୍କା ଜମାଏ । ଟଙ୍କାଟା ଠିକ୍‌ ହେଉଁ ହେଉଁ ବରର ବୟସ ହୋଇଗଲାଣି ପଚାଶ କିମ୍ବା ଧନବନ୍ତ ଲୋକ ଦୋଜବର ଓ ତେଜବର ବୟସ ଷାଠିଏ । ଏଣେ କନ୍ୟାଟିର ବୟସ ୧୦।୧୧ ଭିତରେ । ସେହି ସମସ୍ତ ଜାଗାରେ କନ୍ୟାର ଦର ଚଢ଼ିଯାଏ । ଦରର ଏହିପରି ହାଲ ଜାଣିବ । ବୀରେଇ ବିଭା ହେବା ଲାଗି ଟଙ୍କାଏ ମସାଏ ଯାହା ହାତରେ ପଡ଼େ ଥୋଇଦିଏ । ଘରକଣରେ ଅନ୍ଧାରିଆ ଗୋଟିଏ ଠେକି ପୋତିଛି, ସେଥିରେ ପକାଇଦିଏ ।

 

ଆହୁରି ପାଞ୍ଚବର୍ଷ ଗଲାଣି । ବୀରେଇର ଉଛୁଣିକା ବୟସ ତିରିଶ ଭିତରେ, ବିଭା ହେବା ଭଳି ଟଙ୍କା ଜମି ଗଲାଣି ମନରେ ଠିକ୍‌ କଲା । ବିଭାପାଇଁ ସଜ ହେଲା, ହେଲେ ସେ କ’ଣ ଆପେ କନ୍ୟା ଖୋଜିଯିବ ? ପୁରୋହିତ ଭୀମେଇ ମିଶ୍ରଙ୍କୁ ମଧ୍ୟସ୍ଥ କଲା । ମିଶ୍ରେ ଚାରିଆଡ଼େ ଢେର୍ ଆଖି ଫେରାଇଲେ । ବୀରେଇ ଦିନେ ମିଶ୍ରଙ୍କୁ କମଳୀ କଥା ଇଶାରାରେ କହିଲା । ରାଘବ ପାତ୍ରର ସାନ ଝିଅର ନାମ କମଳୀ, କନ୍ୟାଟି ବେଶ୍ ଡଉଲ, ଲାଜକୁଳୀ, ଦିନରାତି ଘର କାମରେ ଲାଗିଥାଏ, ବାପର ଢେର୍ ସେବା କରେ । ଗାଁ ମାଇକିନିଆମାନେ ତାହାର ଢେର୍ ପ୍ରଶଂସା କରନ୍ତି । ବୀରେଇ ପିଲାଦିନରୁ କମଳୀକୁ ବଡ଼ ଭଲପାଏ । ରୋଜ୍ ଦୁଇ ଓଳି ବିଲକୁ ଯିବାଆସିବାବେଳେ କନ୍ୟାଟିକୁ ଚାହିଁ ଚାହିଁ ଦେଖେ । ବୀରେଇ ବିଲ ବାହୁଡ଼ାବେଳେ କମଳୀ କଳସୀଟିଏ କାଖେଇ ପାଣି ଆଣି ଯାଉଥିବା ଦେଖେ । କମଳୀର ଠିକ୍‌ ସେଇଟା ପାଣିଅଣା ବେଳ । ଘରେ ମାଠିଆରେ ପାଣି ଥିଲେବି ସେ ପାଣିଗୁଡ଼ାକ ନାଳରେ ଢାଳିଦେଇ କଳସୀ କାଖେଇ ବାହାରିପଡ଼େ । ଚାରିଆଡ଼କୁ ଚାହେଁ, କେହି କୁଆଡ଼େ ନଥିଲେ କଣେଇ କଣେଇ ବୀରେଇକୁ ଦେଖୁଥାଏ ।

 

ପାଞ୍ଜିରୁ ଭଲ ଦିନଟିଏ ଦେଖି ମିଶ୍ର ରାଘବ ପାତ୍ରଙ୍କ ପାଖରେ ପହଞ୍ଚିଲେ । ପାତ୍ର ବୋଧକରୁଁ କିଛି ଗନ୍ଧ ପାଇଗଲେଣି । ଅଖାପାଲ ଖଣ୍ଡେ ପାରି ଦେଇ ମିଶ୍ରଙ୍କୁ ବହୁ ଆଦର ସମ୍ମାନରେ ବସାଇଲେ । ନାସ ଶୁଙ୍ଗାଶୁଙ୍ଗି ଦୁଃଖସୁଖ ଚାରିପଦ ହୋଇଗଲା ଉତ୍ତାରେ ମୂଳ କଥା ଆରମ୍ଭ ହେଲା ।

 

ମିଶ୍ରେ କହିଲେ, ‘ପାତ୍ରେ ! ତୁମ କମଳୀଟିକୁ ବୀରେଇକୁ ଦେଲେ ଭଲ ହୁଅନ୍ତା ନାହିଁ ।

 

ପାତ୍ରେ–ହେଉ ହେଉ, ମୋର ମନା ନାହିଁ ।

 

ମିଶ୍ରେ–ପାତ୍ରଟି ବଡ଼ ଭଲ, ଖୁବ୍ ଦୁଃଖସୁଖିଆ ।

 

ପାତ୍ରେ–ହେଉ ହେଉ, ମୋର ମନା ନାହିଁ ।

 

ମିଶ୍ରେ–ଝିଅଟି ଖୁବ୍ ସୁଖରେ ରହିବ ।

 

ପାତ୍ରେ–ହେଉ ହେଉ, ମୋର ମନା ନାହିଁ ।

 

ମିଶ୍ରେ–ତେବେ ଖର୍ଚ୍ଚପତ୍ର କଥା ।

 

ପାତ୍ରେ–“ହଁ ହଁ, ସେହି ଅସଲ କଥାଟା ଆଗେ ହେଉ । ମୁଁ ସଫା କହିଦେଉଛି, କନ୍ୟାସୁନା ନଗଦ ହଜାରେ ଟଙ୍କା; ଏଥିରୁ ପଇସାଏ, ମଶାଏ, କଡ଼ାଏ ଊଣା ଅଧିକ ନାହିଁ, ବୁଝିଲେ ମିଶ୍ରେ ! ମୁଁ ନ–ଛ ଜାଣେ ନାହିଁ, ଯାହା କହିବାର ସଫା କହିଦିଏ, ଏଁ, କ’ଣ କହୁଚନ୍ତି ମିଶ୍ରେ ?’

 

ମିଶ୍ରେ ଟିକିଏ ଗୁମ୍‌ ଖାଇ କହିଲେ, ‘ଟିକିଏ ବୁଝିସୁଝି ବୋଲନ୍ତୁ, ବୀରେଇ ବିଚରା ମତେ ଦେଇପାରିବ କ୍ୟାଁ ? ସେ ପାଞ୍ଚ ଶହତକ ଯାଇପାରେ ।’

 

ପାତ୍ରେ ଟିକିଏ ତେଜରେ କହିଲେ, ‘ମୋର ଆଉ ଦୁଇ କନ୍ୟା ସକାଶେ ରୋକ୍‍ଠୋକ୍ ଦୁଇ ହଜାର ପାଇଛି, ସେଇଟା ତ ତୁମ ଆଗର କଥା, ଫେର୍ ଏପରି ଅନ୍ୟାୟ କଥା କ୍ୟାଁ କହୁଛ ?’

 

ମିଶ୍ରେ କହିଲେ, ‘ସେ କଥା ଏ କଥା ଢେର୍ ତଫାତ୍‌ । ସେ ବର ଯୋଡ଼ାକର ବୟସ ଷାଠିଏ ଷାଠିଏ ହୋଇଥିଲା, ଦୁହେଁଯାକ ଥିଲେ ଦୋଜବର । କନ୍ୟା ଯେ ଡିକ ରାଣ୍ଡ ହୋଇ କିପରି ଦୁଃଖରେ ଅଛନ୍ତି, ଦେଖୁ ନାହାନ୍ତି ? ଏଣେ ଦେଖନ୍ତୁ, ବୀରେଇ କାଲିକା ପିଲା ।’

 

ପାତ୍ରେ ଖପାଟା ହୋଇ କହିଲେ, ହୋଇହେ ମିଶ୍ର ! ତୁମେ ପାଠୁଆ ଲୋକଟା ହୋଇ ଏପରି ଅନ୍ୟାୟ କଥା କିମିତି କହିଲହେ ? ଆରେ, ସେମାନଙ୍କ କପାଳରେ ଥିଲା, ରାଣ୍ଡ ହେଲେ । ମୁଁ କ’ଣ କହିଦେଇଥିଲି, ରାଣ୍ଡ ହୁଅ । ବାପ ଜନ୍ମ ଦେଇଛି ବୋଲି କ’ଣ କର୍ମ ଦେଇଛି ।’

 

ମିଶ୍ରେ–ଯାଉ ସେ କଥା, ଆପଣଙ୍କ ସାଙ୍ଗରେ ବୋଲାବୋଲି କରିବି କ’ଣ ? ଆପଣ ଛେଉଣ୍ଡଟିକୁ ଟିକିଏ ଦୟା କରନ୍ତୁ, ସେହି ପାଞ୍ଚଶରେ ମଙ୍ଗିଯାନ୍ତୁ ।

 

ପାତ୍ରେ–ହକ୍ ବେବହାରରେ ଦୟାମାୟା କ’ଣ ମିଶ୍ରେ ? ହଁ ଆଉ ଗୋଟାଏ କଥା ବୁଝ, ମୋର ଆର ଦି’ ଝିଅଙ୍କର ୯ ବର୍ଷ ଲେଖାଏଁ ହୋଇଥିଲା, ଏ ତ ଚଉଦବର୍ଷର ଝିଅ, ଯିମିତି ଯିବ, ଇଶାଣରେ ପଶିବ । ଆମ ପନ୍ଥାରେ ଏଡ଼େ ବଡ଼ କନ୍ୟା କାହିଁ ? ୟା ପିଛେ ଭାତଲୁଗାରେ କେତେ ଟଙ୍କା ସାରିଲିଣି ? ପାଞ୍ଚଶ କହୁଛ–ଶିବପୁରର ଦୀନୁ ପରିଡ଼ା ଓ ଗୋବିନ୍ଦପୁରର ଶ୍ୟାମ ମହାପାତ୍ର ଟଙ୍କା–ଥଳୀ ଧରି ମାସକୁ ତା’ ଦୁଆରେ ବସିଗଲେ, ତେତେବେଳେ ପାଞ୍ଚଶରେ ନ ଦେଇ ଏବେ ଦେବି କ୍ୟାଁ ? ଆଉଗୁଡ଼ାଏ ବଜର୍ ବଜର୍ କରନା ମିଶ୍ରେ । ହଜାରେ ହେଲା ତ ବସ, ନୋହିଲେ ସିଧା ଦାଣ୍ଡ ପଡ଼ିଛି ।

 

କମଳୀ କବାଟକଣରେ ବସି ସବୁ କଥା ଶୁଣୁଥିଲା । ସେ ଏତେବେଳେ ସବୁ କଥା ବୁଝିଲାଣି, ଭଉଣୀମାନଙ୍କ ଅବସ୍ଥା ଆଖିରେ ଦେଖୁଛି, ଆଉ ଜଣାଯାଏ, ବୀରେଇକୁ ସେ ବଡ଼ ଭଲ ପାଏ । ଟଙ୍କା ଦରଦାମ୍ ନ ପଟିବାରୁ ମିଶ୍ରେ ଉଠିଗଲେ । କମଳୀ ତୁନିତୁନି ଢେର୍ କାନ୍ଦିଲା । ଦୁଇ ତିନି ଦିନ ହେଲା ଖିଆପିଆ ଛାଡ଼ିଲାଣି, କେବଳ କାନ୍ଦୁଛି । ମା’ ନାହିଁ, ତା’ ମନକଥା ବା କିଏ ବୁଝୁଛି-। ଶେଷରେ ଖୁବ୍‌ ଗୋଟାଏ ହେମତ ବାନ୍ଧିଲା । ଗାଁର ଲେଖାଯୋଖା ଅପି ଆଈକୁ ଧରିଲା । ମନର କଥା ଫିଟାଇ କହିଲା, ‘ଆଈ ! ବାପା ଟଙ୍କା ଲୋଭରେ ଗୋଟାଏ ବୁଢ଼ା ମୋତେ ବିଭା ଦେଲେ ମୁଁ ପୋଖରୀକୁ ଡେଇଁପଡ଼ିବି ।’ ଅପି ଆଈ ଆସି ରାଘବ ପାତ୍ରଙ୍କୁ କମଳୀ କଥା କହିବାରୁ ପାତ୍ରେ ଖୁବ୍‌ ଗୋଟାଏ ଖପା ହୋଇ ଝିଅକୁ ଢେର୍ ଗାଳିଦେଲେ । ‘ମୁଁ ତୋତେ ଚଉଦ ବରଷ କାଳ ଖୁଆଇ ପିଆଇ ବଢ଼ାଇଲି–ଆଜି କ’ଣ ନା ପାଣିକି ଡେଇଁପଡ଼ିବୁ ? ମର, ଦେଖେଁ ଭଲା କିମିତି ମରିବୁ-? ଚଉଦ ବରଷକାଳ ଖାଇଛୁ ପିଇଛୁ, ଭାତଲୁଗା ଦାମ ପାଞ୍ଚଶ ଟଙ୍କା ଗଣି ଥୋ–ତା’ ବାଦେ ମରିବୁ ତ ମର ଯା, ମୋର ମନା ନାହିଁ ।’

 

ପାତ୍ରେ ରାଗ ମୁହଁରେ ଝିଅଟାକୁ ଗାଳିଗୁଲଜ କଲେ ସିନା, ହେଲେ ରାତିରେ ବସି ଢେର୍ ଚିନ୍ତା କଲେ । ଝିଅଟାର ଖିଆପିଆ ନାହିଁ, ମଲାଟା ପରି ପଡ଼ିଛି । ସତକୁସତ ମନଦୁଃଖରେ ଯେବେ ବୁଡ଼ିମରିବ, ତେବେ ମୂଳ ବୁଡ଼ିବ ସିନା । ଖୁବ୍‌ ଆଖି ଫେରାଇ ଦେଖିଲେ, ଜାତି ଭିତରେ ଦୋଜବର ବା ଅଭିଆଡ଼ା କେହି ନାହିଁ । ଏଣିକି ଝିଅଟାକୁ ପୋଷିବା ଖର୍ଚ୍ଚାନ୍ତ କଥା । ତହିଁ ଆରଦିନ ସକାଳେ ମିଶ୍ରଙ୍କୁ ଡାକି ପଠାଇଲେ । ଆଜି ପାତ୍ରଙ୍କ କଥା ଖୁବ୍‌ କଅଁଳ–ସାକୁଲା ଭଳି । ଦୁଇ ଜଣ ବସି ଦରଦାମ୍ ଠିକ୍ କରିନେଲେ । ସାତଶ ଟଙ୍କାରେ କଥା ଛିଡ଼ିଲା । ବର୍ତ୍ତମାନ ଗାଁର ପାଞ୍ଚ ଭଲଲୋକ ଆଗରେ ବୀରେଇ ଦେବ ଦୁଇଶ ଟଙ୍କା, ବାକି ପାଞ୍ଚଶ ବେଦୀ ମୁଣ୍ଡରେ ।

 

ବୀରେଇ ହିସାବ କରି ଦେଖିଲା, କନ୍ୟାସୁନା ପଡ଼ିବ ସାତଶ, ବିଭା ଖର୍ଚ୍ଚ ତିନିଶରୁ ଊଣା ନୁହେଁ, ଗାଏ ଦୁଇ ପଦକୁ ହଜାରେ । ଘର ଭିତରେ ପୋତାପୋତି କରି ଯାହା ରଖିଥିଲା, ଖୋଳାଖୋଳି କରି କାଢ଼ିଲା, ଟଙ୍କାପଇସା ମିଶାଇ ଟ. ୬୦୬୪/୬(୯) । ମଲା ଯା, ଆହୁରି ଯେ ଚାରିଶ ଲୋଡ଼ା । ଦୁଇଶ ଟଙ୍କା ଘରୁ କାଢ଼ି ଦେଲାଣି, ବିଭା ବନ୍ଦ କଲେ ସେ ଦୁଇଶର ଆଶା ଛାଡ଼ିବାକୁ ହେବ । ହେଉ, ପଛନ୍ତେ ବୁଝାବୁଝି । ଘରେ ବିହନ ଭାଗ ରଖି ଧାନ ସବୁ ବିକିଦେଲା । ତୁଚ୍ଛା ହଳିଆ ବଳଦ ହଳେ ରଖି ଗୋରୁଗୁଡ଼ାକ ବିକି ପକାଇଲା ।

 

ଆଜି ବିଭା ଦିନ । ବାଜା ପାଲିଙ୍କି କରି ବୀରେଇ ସଞ୍ଜବେଳେ ଶଶୁର ଦୁଆରେ ହାଜର-। ବର ପାଲିଙ୍କିରେ ବସିଛି, ପାତ୍ରେ ପିଣ୍ଡାରେ ବସି ନାଶ ଶୁଙ୍ଗୁଥିଲେ । ଘଡ଼ିଏ ବିତିଗଲା, ପୁରୋହିତ ତିନି ଚାରି ଥର ଡାକିଲେଣି, ‘‘ଆସ ପାତ୍ରେ ! ବରକୁ ବାଟବରଣ କରି ନିଅ ।” ପାତ୍ରଙ୍କ ମୁହଁରେ କଥା ନାହିଁ । ବୁଦ୍ଧିଆ ମିଶ୍ରେ କଥାଟା ବୁଝିଗଲେ, କହିଲେ, “ପାତ୍ରେ ! ବୀରେଇ ହାତରେ ଟଙ୍କା, ବାଟବରଣ କରି ଘରକୁ ଆଣ, ଟଙ୍କା ଗଣିଦେବ । ପାତ୍ରେ ଧଡ଼ପଡ଼ ହୋଇ ଉଠି ବରକୁ ବାଟବରଣ କରିନେଲେ । ଟଙ୍କା ଗଣାଗଣି ପରଖାପରଖିରେ ଘଡ଼ିଏ ବିତିଗଲା । ମଲା ଯା । ଛଅଟା ଟଙ୍କା ପଡ଼ିଲା ଭେଣ୍ଡି । ଗାଁ ଲୋକେ ଢେର୍ କୁହାବୋଲା କଲେ, ଜାମିନ୍ ହେଲେ–ବର୍ତ୍ତମାନ ଶୁଭକାର୍ଯ୍ୟଟା ସମାଧାନ ହୋଇଯାଉ, କାଲି ଟଙ୍କା ବଦଳାବଦଳି ହେବ । ପାତ୍ରେ ଠୁଳରେ ବସିଲେ ନାହିଁ-। ବୀରେଇର ଆଉ ବାଟ ନାହିଁ, ସେହିଠାରେ ବରବେଶରେ ବସି ଘରର ପଲାଣ ପାଣ୍ଠିହଳ ସରଞ୍ଜାମ ସବୁ ଗାଁର ମଧୁ ମହାନ୍ତିଙ୍କୁ ଛ’ ଟଙ୍କାରେ ବିକିଦେଲା । କୁଆ କା କରିବାକୁ ହାତ ଗଣ୍ଠି ଫିଟିଲା । ପାତ୍ରେ ବର ବିଦା କରିବାପାଇଁ ଦାଣ୍ଡଦୁଆରେ ଲହରପହର ହେଉଛନ୍ତି, ଘରେ ପଶିବାକୁ ନାହିଁ, ଯଦି ବେଳ ଉଛୁର ହୋଇଯାଏ, ବାଜାବାଲା ବେହେରା ଜଳଖିଆ ମାଗିବେ ।

 

ବୀରେଇ ତ ଘରକୁ ଡାଙ୍ଗୁଆ ମଣିଷ; ବର କନ୍ୟାକୁ ବନ୍ଦାଇ ନେଉଛି କିଏ ? ବିରେଇ ଖୁଡ଼ୀ, ମାଉସୀ, ଅପା ପାଞ୍ଚ ଜଣ ଅହିଅଙ୍କୁ କହି ଆସିଥିଲେ । ଅଡ଼କରାରେ ଗାଁ ମାଇକିନିଆମାନେବି ଧାଇଁଆସି ବୀରେଇ ଘରେ ଭର୍ତ୍ତି ହୋଇଯାଇଛନ୍ତି । କନ୍ୟାଟି ଦୋଳମୁକୁଟ ମୁଣ୍ଡରେ କଜଳପାତିଟି ଧରି ନଇଁ ନଇଁ ଆଗରେ ଚାଲିଛି । ଖିଲକାତିଟିଏ ନଡ଼ିଆଟିଏ ଧରି ବର ପଛରେ । ଭଣ୍ଡାରୁଣୀଟା ଆଗେ ଦେଖି ପକାଇଲା; କନ୍ୟାର ପେଟଟା ବାହାରି ପଡ଼ିଛି, ନସରପସର ହୋଇ ଚାଲିଛି; ଭଲ କରି ଚାଲିପାରୁ ନାହିଁ । ଭଣ୍ତାରୁଣୀ ଆଉ ପାଞ୍ଚ ମାଇକିନିଆଙ୍କ ବାହୁ ଟିପି ଦେଇ ଖାଇଲା ହାତ ଆଙ୍ଗୁଳି ବଢ଼ାଇଦେଇ କ’ଣ ଦେଖାଇଦେଲା । ସବୁ ଅହିଅଯାକ କନ୍ୟାକୁ ଛାଡ଼ି ଅଲଗା ହୋଇଗଲେ; ଟୋକୀଗୁଡ଼ାକ ହସି ହସି କେହି ହାୟ ହାୟ କରି ଆପଣା ଘରକୁ ପଳାଇଗଲେ । କେହି କହୁଥାଏ ପାଞ୍ଚ ମାସ; ଜାଣିବା ମାଇକିନିଆମାନେ ଠିକ୍ କରିନେଲେ, ସାତ ମାସରୁ ଊଣା ନୁହେଁ । ହାମଦରଦୀ ମାଉସୀ ପିଉସୀମାନେ ଘରକୁ ଯାଇ କାନ୍ଦିବାକୁ ବସିଗଲେ । ହାୟ ! ହାୟ ! ଛୁଆଟା ଅଭିଆଡ଼ା ଥିଲା ତ ଥିଲା, ସର୍ବସ୍ଵ ସାରି ସାତପୁରୁଷଙ୍କୁ ନରକକୁ ଦେଲା । ଘର ଶୂନଶାନ୍; ବୀରେଇ ଗାଲରେ ହାତ ଦେଇ କାନ୍ଥକୁ ଆଉଜି ବସିଛି । କମଳୀ କବାଟ ଉହାଡ଼ରୁ ଜିଭରେ ଚୁଁ ଚୁଁ କରି ବୀରେଇକୁ ହାତ ଠାରି ପାଖକୁ ଡାକିଲା । ପେଟ ଉପରେ ମୁଣିଏ ଟଙ୍କା; ତା’ ଉପରେ ଯୋଡ଼ାଏ ବେଢ଼ାଣ ଖଦି କଷି ଗୁଡ଼ିଆ ହୋଇଛି; ଫିଟାଇ ପକାଇ ଝଣ କରି ଥଳିଟା ତଳେ ପକାଇଦେଲା । ବୀରେଇ ଯେମନ୍ତେ ସ୍ଵପ୍ନ ଦେଖୁଛି, ସ୍ଵର୍ଗରୁ ଦେବୀଟିଏ ଓହ୍ଲାଇ ଆସିଲେ । ପଚାରିଲା; “ଏ କ’ଣ ?” କମଳୀ କହିଲା; “ଏ ତୁମ ଟଙ୍କା, ବଳଦ, ଗାଈ, ପାଣ୍ଠି, ପଲାଣ ଯାହା ବିକିଛ, ଟଙ୍କା ଦେଇ ଆଗ ଫେରାଇ ଆଣ, ତା’ ବାଦେ ଏ ଘରେ ପାଣି ଛୁଇଁବି ।” ବୀରେଇ ଗଣି ଦେଖିଲା, ପୂରା ହଜାରେ ଟଙ୍କା । ପଚାରିଲା; ଆଉ ତିନିଶ କ’ଣ ?” କମଳୀ କହିଲା, “ଦୁଇ ଅପାଙ୍କୁ ବିକି ଯେ ଟଙ୍କା ବାପା ପାଇଥିଲା, ଦଶ ମାଣ ବିଲ କିଣିଛୁ, ବାକି ତିନିଶ ଅଛି । ଅପାମାନେ ବଡ଼ ଦୁଃଖରେ ଅଛନ୍ତି, ଏତକ ଟଙ୍କା ଉଛୁଣିକା ସେମାନଙ୍କ ପାଖକୁ ପଠାଇଦିଅ ।”

 

ଉପରଓଳି ଗାଁ ଗୋହିରି ମଝିରେ ରାଘବ ପାତ୍ର ଡକା ପକାଇ ବାୟା ପରି ଧାଇଁଛନ୍ତି । ବୀରେଇ ଦୁଆରେ ଡକା ପକାଇ ପରସ୍ତେ ଗଡ଼ିଲେ, ଖାଲି କହୁଛନ୍ତି, “କମଳୀ ମୋ ବେକରେ ଛୁରି ମାରିଲୁ, ମୋ ଟଙ୍କା ଦେ ?” କମଳୀ କହିଲା, “ବାପା ! ତୋର କି ଟଙ୍କା ? ମୋ ଟଙ୍କା ମୁଁ ଆଣିଛି-।” ଗାଁ ଲୋକେ ଶୁଣି ଧାଇଁଲେ । ସେମାନେ ରାଘବ ପାତ୍ର ଉପରେ ଆଗରୁ ବଡ଼ ଖପା ହୋଇଥିଲେ । ତିନି ତିନିଟା ଝିଅ ତିନି ହଜାରରେ ବିକିଲା, ସେମାନଙ୍କ ମୁହଁରେ ମୁଢ଼ି ଗୁଣ୍ଡିଟାଏବି ବାଜି ନାହିଁ । ବିଭାବେଳେ ନାନ୍ଦୀମୁଖୀ ଆଉ ତିଳକାଞ୍ଚନ ଦକ୍ଷିଣା ବିଷୟରେ ପୁରୋହିତଙ୍କ ସାଙ୍ଗରେ କିଛି ବୋଲାବୋଲି ହୋଇଥିଲା । ସେ ତ ଆଗରୁ ନିଆଁ ହୋଇଥିଲେ । ପହଞ୍ଚିଯାଇ ହୁକୁମ ଦେଲେ, “ମାର ଚଣ୍ଡାଳ ମାଉଁସବିକାକୁ ।” ପାତ୍ରେ ଦେଖିଲେ ଗ୍ରାମ ଲୋକେ ସମସ୍ତେ ମାର ମାର କହି ଧାଇଁଛନ୍ତି, ତାଙ୍କ ପଟକୁ କେହି ନାହିଁ । ଯୋଡ଼ାଏ ତିନିଟା ଧକା ବିଧା ଚାପୁଡ଼ାବି ବାଜିଗଲାଣି-। ଟଙ୍କା ମାଗିବେ କ’ଣ, ଘରମୁହାଁ ଧାଇଁଛନ୍ତି । ପିଲାଗୁଡ଼ାକ ହାତତାଳି ଦେଇ ପଛରେ ଧାଇଁଛନ୍ତି, ପାତ୍ରଙ୍କ ଉପରେ ଢେଲା ଧୂଳି ବୃଷ୍ଟି ହେଉଛି, ତିନି ଜାଗା ହାମୁଡ଼ି ପଡ଼ି ଆଣ୍ଠୁଗଣ୍ଠି ଛିଡ଼ିଗଲାଣି-। ପାତ୍ରଙ୍କୁ ଦିନବେଳେ ଆଉ କେହି କେଭେ ଗାଁ ଦାଣ୍ଡରେ ଦେଖି ନାହିଁ । କମଳୀ ନାମରେ ଧନ୍ୟ ଧନ୍ୟ ପଡ଼ିଗଲା ।

 

ବୀରେଇ ବାହାରି ଆସିବା ଦିନଠାରୁ ମାମୁ ମାଈଁ ବଡ଼ ବେହାଲ୍‍ରେ ପଡ଼ିଲେଣି । ଆଗେ ବୀରେଇ ଡରରେ ଚଣ୍ଡୀ ଗୋଠରୁ ଗୋରୁ ବା ମରେଇରୁ ଧାନ ଲୁଚାଚୋରା କରି ବିକୁଥିଲା, ଏବେ ଡାକଫୁକାର ଦିନବେଳେ ବିକି ଦେଉଛି । ବାପା ମା’ କହିଲେ ବାଡ଼େଇବାକୁ ଧାଏଁ, ସେମାନେ ଡରରେ କିଛି କହିପାରନ୍ତି ନାହିଁ । ପୁଅଟା କଥା କାହାକୁ ବା କହିବେ, ତୁନି ହୋଇ ପଡ଼ିଥାନ୍ତି । ବର୍ଷ ଦୁଇଟା ଭିତରେ ଅଢ଼େଇ ବୋଡ଼ିଆ ପଲଟାରେ ଛଡ଼ା ଲାଞ୍ଜ ଖଣ୍ଡେବି ନାହିଁ । ଗଛ ପରି ତିନିଟା ମରେଇ ଝାଡ଼ଝୁଡ଼ । ଏଣେ ଚାଷଟାବି ସେହିପରି । ଶ୍ଵାସ ବେମାରିଟା ପାତ୍ରଙ୍କୁ ବଳିପଡ଼ିଗଲାଣି, ପିଣ୍ଡାରୁ ଓହ୍ଲାଇବାକୁ ନାହିଁ, ବିଲବାଡ଼ି ଯିବେ କ’ଣ ? ଚଣ୍ଡୀ ତ ମୌଜରେ ଲାଗୁଛି, ବିଲକୁ ଯିବ କ’ଣ ? ଚାଷଗୁଡ଼ିକ ମୂଲିଆଙ୍କ ଜିମା, ମୂଲିଆ ଦଶ ଗୌଣୀ ବୁଣିବାକୁ ଘେନିଗଲେ ତ ପାଞ୍ଚ ଗୌଣୀ ପଡ଼ିଲା ବିଲରେ ଆଉ ପାଞ୍ଚଗୌଣୀ ମୂଲିଆଣୀର ଢେଙ୍କିଶାଳରେ । ପାତ୍ରଙ୍କ ପାଖରୁ ମୂଲ ନେଇ ଆପଣାର ବିଲ ବାଛିଯାନ୍ତି । ଏଥିରୁ ଯାହା ଚାଷ ହେବ, ସମସ୍ତଙ୍କୁ ଜଣା ।

 

ବୋଇଲା–

 

“ଆପେ ଚଷିବୁ ପୂରା ଚାଷ

ଛତା ଜୋତା ଅଧା ଚାଷ,

ମୂଲିଆ ଚାଷ ଫସରଫାସ୍‌ ।’’

 

ଯେ କେତେ ପୁଞ୍ଜା କଳେଇ ଖଳାକୁ ଆସେ, ଖଜଣାକୁ ନିଅଣ୍ଟ ।

 

ଏତିକିବେଳେ କ’ଣ ହେଲା କି ଗାଁରୁ ଢେର୍ ବଳଦ ଗାଈ ଚୋରି ଗଲା । ଆଜି ଶୁଣାଗଲା ସାମଲଘର ବଳଦ ଚୋରୀ ତ କାଲି ପରିଡ଼ାଘର ଯୋଡ଼ାଏ ଗାଈ ମିଳୁ ନାହାନ୍ତି । ମାସ ଛଅଟା ମଧ୍ୟରେ ଦଶ ପାଞ୍ଚ ଗଣ୍ଡା ଗୋରୁ ଚୋରିଗଲାଣି । ଗାଁଯାକ ଡକା ପଡ଼ିଗଲା । ଚୋର ଧରିବା ଲାଗି ଗାଁଯାକ ତୁନି ତୁନି ବିଚାର କରି ଛକଛାକରେ ରହିଗଲେ ।

 

ଦିନେ ଅଧରାତିବେଳେ ପାଣ୍ଡିଆ ପାତ୍ର ପୁଅ ଚଣ୍ଡିଆ ଆଉ ଚାରି ଜଣ ବାଉରି ଟୋକା ଯୋଡ଼ାଏ ବଳଦ ବାନ୍ଧି ଘେନି ବିଲ ମଝିରେ ଯାଉଥିଲେ । ଗୋଟାଏ ଲୋକ କୁହାଟଟାଏ ମାରିଦେଲା । କୋଡ଼ିଏ ତିରିଶ ଜଣ ଚାରିପଟରୁ ବେଢ଼ିଗଲେ । ଆଉ ଚୋରେ କାହିଁ ଯିବେ ? ଲଙ୍ଗଳ ଦଉଡ଼ାରେ ବାହୁ ଛନ୍ଦି କାଠି ମୁଠିଆ କରି ବାନ୍ଧି ପକାଇଲେ । ମାଡ଼ ତ ମାଡ଼, ଚୋରଗୁଡ଼ାକଙ୍କ ଚେତା ବୁଡ଼ିଲାଣି । ଚୌକିଆ ଗୋରୁ ସହିତ ଚୋରମାନଙ୍କୁ ଥାନାକୁ ଘେନିଗଲା । ‘ଚୋର ମା’ ଲାଜରେ ନ କାନ୍ଦେ’, ପାତ୍ର ପାତ୍ରାଣୀ ବୁଢ଼ାବୁଢ଼ୀ ଯୋଡ଼ିକ କବାଟ ଦେଇ ଘର ଭିତରେ ଧକେଇ ଧକେଇ କାନ୍ଦୁଛନ୍ତି । ଗାଁ ଗୋଟାକ ବାଡ଼େ, ହେଲେ ବୀରେଇ ମାମୁ, ମାଈଁଙ୍କର ବିକଳ ସହିପାରିଲା ନାହିଁ । ସଦର କଚେରିକୁ ଧାଇଁଲା, ଟାଣୁଆ ଓକିଲ ମୁକ୍ତାର ଯୋଡ଼ାଏ ଦେଲା, ଖୁବ୍ ଲଢ଼ିଲା । ବମାଲ ଗ୍ରେପ୍ତାର ଆଉ କ’ଣ ରକ୍ଷା ଅଛି, ଚଣ୍ଡିଆର କଠିନ ପରିଶ୍ରମ ସହିତ ମିଆଦ ଦେଢ଼ବର୍ଷ ।

 

ବିପଦ ଯେ ସାଞ୍ଜୁଆ ଅନ୍ଧାରପରି ଚାରିଆଡ଼ୁ ମାଡ଼ିଆସେ । ଚଣ୍ଡୀ ବିଭାଘରକୁ ପାତ୍ରେ ମଧୁ ସାହୁ ମହାଜନକୁ ଗୁଜା ଲେଖିଦେଇ ପାଞ୍ଚଶ ଟଙ୍କା କରଜ ଆଣିଥିଲେ । ପାତ୍ରଙ୍କ ମରେଇରେ ଢେର୍ ଧାନ ଥିଲା, ପାତ୍ରେ ସେ ଧାନ ବିକିଦେଇ ଦେଣା ସୁଝିବାକୁ ବସିଥିଲେ, ପାତ୍ରାଣୀ କରିବାକୁ ଦେଲେ ନାହିଁ । କହିଲେ, ‘ବୀରେଇ ବିଲରୁ ଯେ ଧାନ ଆସିବ, ଅଲଗା ଖଳା ମୁଣ୍ଡରେ ବିକିଦେଇ ଦେଣା ଶୁଝଟ ହେବ ।’ ବୀରେଇ ତ ତାହାର ବିଲ ଘେନିଗଲା, ଚାଷରୁ ତ ଧାନ ମିଳିଲା ନାହିଁ, ଦେଣାଟା ବଢ଼ିଗଲା । କଳନ୍ତର ଆଗରେ ଘୋଡ଼ା ଦଉଡ଼ିପାରେ ନାହିଁ । ମହାଜନ ମୂଳ କଳନ୍ତର ମାମଲା ଖର୍ଚ୍ଚ ବାରଶ ଟଙ୍କାତକ ଡିଗ୍ରୀ କରି ରଖିଥିଲା । ଏତିକିବେଳେ ପାତ୍ରଙ୍କ ଘରଦୁଆର ସହିତ ବିଲବାଡ଼ି ନିଲାମ କରି ନେଇ ପାତ୍ରପାତ୍ରାଣୀଙ୍କୁ ଘରୁ କାଢ଼ିଦେଲା । ମଳିଆ ଚିରକୁଟ ଲୁଗା ଦେହରେ ଅଧଆଙ୍ଗୁଳିଏ ବହଳ ମଳି, ଖଡ଼ିଗାର କାଟିଯାଉଛି, ଗେଧ ଗେଧୁଣୀ ପରି ଯୋଡ଼ାଯାକ ଦାଣ୍ଡ ବରଗଛ ମୂଳରେ ପଡ଼ିଛନ୍ତି ।

 

ବୀରେଇ ଶୁଣି ଧାଇଁଲା । ଦେଖିଲା, ମାଈଁର ଚେତା ନାହିଁ, ମାମୁ ବେକ ଭାଙ୍ଗି ଆଣ୍ଠୁକୁଣ୍ଢେଇ ବସିଛନ୍ତି । ବୀରେଇ କାହାରିକୁ କିଛି ନ କହି ମାଈଁକୁ ଲାଉ କଲା, ମାମୁ ହାତ ଧରି ଧୀରେ ଧୀରେ ଆପଣା ଘରକୁ ଘେନି ଆସିଲା । ବୀରେଇ କମଳୀ ଦୁଇ ଜଣଙ୍କୁ ଗାଧୁଆପାଧୁଆ କରାଇଦେଇ ଦୁଇ ଖଣ୍ଡ ଧୋବ ଲୁଗା ପିନ୍ଧାଇ ଦେଲେ । ମାଈଁ ତଣ୍ଟିରେ ଭାତ ଗଳୁ ନାହିଁ । କମଳୀ ଅଧସେରେ ସରିକି ଦୁଧରେ ମୁଠାଏ ଭାତ ଚକଟି ପିଆଇଦେଲା ।

☆☆☆

 

ମାଗୁଣୀର ଶଗଡ଼

ଗୋଦାବରୀଶ ମହାପାତ୍ର

 

ଖଲିକୋଟରେ ଦୁଇ ଲକ୍ଷ ଲୋକଙ୍କ ଭିତରେ ପ୍ରତିଦିନ ଯିବା ଆସିବା ଚାଲିଛି । କେତେ ସଂସାରରୁ ଯାଉଛନ୍ତି, କେତେ ସଂସାରକୁ ଆସୁଛନ୍ତି । ଏ ଖବର ରଖିଛନ୍ତି ଗୃହ–ପରିବାର ବା ସାଇପଡ଼ିଶାର ଲୋକେ; କିନ୍ତୁ ଯେଉଁଦିନ ମାଗୁଣୀ ଏ ସଂସାର ଛାଡ଼ି ଚାଲିଗଲା, ସେଦିନ ଖବରଟା ଖଲିକୋର୍ଟର ପୁରପଲ୍ଲୀ ସବୁଆଡ଼େ ବ୍ୟାପିଗଲା । ଯେ ଶୁଣିଲା ସେ ମୁହୂର୍ତ୍ତେ ହେଲେ ନୀରବ ରହି ଦୁଃଖରେ କହିଲା, ‘ମାଗୁଣୀ ଚାଲିଗଲା ? ଆହା, ବିଚରା ଚାଲିଗଲା !’

 

ମାଗୁଣୀ କିଏ ? ଖଲିକୋଟର ସେ ରାଜା ନୁହେଁ, ଏ କଥା ନିଶ୍ଚୟ । ସେ ରାଜ୍ୟର ନେତା ନୁହେଁ, ଏ କଥା ସମସ୍ତେ କହିବେ । ସେ କର୍ମୀ ନୁହେଁ, ଏ କଥା ସମସ୍ତେ ଜାଣନ୍ତି । ସେ କେବେ ସତ୍ୟାଗ୍ରହରେ ଯୋଗ ଦେଇ ନାହିଁ, କି ରାଜାକୁ ଖଜଣା ଦେଇ ନାହିଁ । ତା’ ବେକରେ କିଏ ଫୁଲମାଳ ଲମ୍ବାଇ ନାହିଁ, କି ସେ କାହା ଗଳାରେ ମାଳ ଲମ୍ବାଇଦେବା ଦରକାର ପଡ଼ିନାହିଁ, ଜନସମୁଦ୍ର ଭିତରେ କରତାଳି ଗହଳରେ ବକ୍ତୃଭା ଦେଇ ନାହିଁ । ସେ କେବଳ କରିଛି ଗୋଟିଏ କାମ–ମୁଣ୍ଡର ଝାଳ ତୁଣ୍ଡରେ ମାରି ଜୀବନପଥରେ ଲଢ଼େଇ କରିଛି । ସେ ଲଢ଼େଇ ଦେଶପାଇଁ ନୁହେଁ, ଜାତିପାଇଁ ନୁହେଁ, ତାହା ନିଜର ପେଟ ଚାଖଣ୍ଡକ ପାଇଁ । ତଥାପି ମାଗୁଣୀର ମୃତ୍ୟୁ ଖବର ପାଇ ସମସ୍ତେ କହିଲେ, ‘ଆହା, ବିଚରା ଚାଲିଗଲା ।’

 

ଗଡ଼ରେ ପଚାରିଲେ ତ ସମସ୍ତେ କହିବେ ମାଗୁଣୀ କିଏ, ଦୂର ଜଙ୍ଗଲ ତଳ ପଲ୍ଲୀଗାଁରେ ମଧ୍ୟ ତା’ର ପରିଚୟ ମିଳିପାରିବ । ମାଗୁଣୀ ଖଲିକୋଟରେ କେହି ନୁହେଁ; ସେ ଜଣେ ଶଗଡ଼ିଆ । ଦୁଇଟା ବଳଦ ଓ ସେ; ଏ ତିନି ମିଶି ଗୋଟାଏ ସଂଘ ଗଢ଼ିଥିଲେ, ଯାହା ଦୁଇ ଲକ୍ଷ ଲୋକଙ୍କ ମନକୁ ଛୁଇଁଗଲା ।

 

ପ୍ରତିଦିନ ଖଲିକୋଟ ଗଡ଼ରେ ସୂର୍ଯ୍ୟ ଉଏଁ ଓ ସୂର୍ଯ୍ୟ ଅସ୍ତ ହୁଏ । ଘନଘୋର ବର୍ଷାଦିନେ ଲୋକେ ସୂର୍ଯ୍ୟ ନ ଦେଖି ମାଗୁଣୀକି ଦେଖି ବେଳ ଜାଣନ୍ତି । ମାଘ ମାସର ଜାଡ଼ରେ ପିଣ୍ଡାରେ ଘୋଡ଼ିଘାଡ଼ି ହୋଇ ଲୋକେ ବସିଥିଲାବେଳେ ମାଗୁଣୀ ନିଜ ପରିଚିତ ସାଙ୍ଗ ଦୁଇଟିକୁ ଶଗଡ଼ରେ ଯୋଚି ପାହାଡ଼ ତଳେ ଗୀତ ବୋଲି ଚାଲିଯାଏ । ଲୋକେ କହନ୍ତି ମାଗୁଣୀ ସେମାନଙ୍କର ଗୋଟାଏ ଘଣ୍ଟା । ବର୍ଷାଦିନେ ବର୍ଷା ଘୁଞ୍ଚି ଯାଇପାରେ, ଖରାଦିନେ ଖରାତାତି ଊଣା ହୋଇପାରେ; କିନ୍ତୁ ମାଗୁଣୀର ଶଗଡ଼ ଦିନେହେଲେ ବନ୍ଦ ହୁଏ ନାହିଁ । କହେ, ରଜାଘରେ ଯୋଡ଼ା ମୋଟରକାର୍ ଅଛି ସତ; କିନ୍ତୁ ତା’ ପରି ଇଞ୍ଜିନିୟର୍ ନାହାନ୍ତି । ତା’ ଶଗଡ଼ ରଜାଘର ମୋଟରଠୁଁ ବଳେ । ବାରବର୍ଷର ଅତି ପରିଚିତ ସାଥୀ କାଳିଆ ଓ କଷରା ବଳଦ ଉପରେ ସେ ହାତ ମାରି ଆଉଁଷି ଦେଲେ ତା’ ଗାଡ଼ିରେ ପକ୍ଷ ଦିଆହୁଏ । ଯେତେବେଳେ ସେ ଶଗଡ଼ ଉପରେ ହସି ଗୀତ ବୋଲିଦିଏ, ରାମ ଯେ ଲଇକ୍ଷଣ ଗଲେ ମୃଗ ମାରି’, ତା’ର ମୋଟର ଚାଲେ । ସେତେବେଳେ ଶ୍ୟାମଳ ତରୁ ପତ୍ର ତଳେ, ଗିରିକନ୍ଦର ଭିତରେ ପ୍ରତିଧ୍ୱନି ଉଠେ । ଅର୍ଦ୍ଧସୁପ୍ତ କୁକ୍କୁଟ କୁମ୍ଭାଟୁଆ ତାକୁ ଉତ୍ତର ଦିଅନ୍ତି । ପଲ୍ଲୀର ବୁଲା କୁକୁରଦଳ ଚମକି ଉଠି ଗାଁରେ ଚହଳ ପକାଇ ଦିଅନ୍ତି । ଘଡ଼ଘଡ଼ ଶବ୍ଦରେ ଶଗଡ଼ ଚାଲିଯାଏ ଷ୍ଟେସନ୍ ଅଭିମୁଖେ ।

 

ପଚାଶବର୍ଷର ମାଗୁଣୀ ବାରବର୍ଷର ସାଥୀ ବଳଦକୁ ଯେତେବେଳେ ଭଡ଼ା ବୋହି ଚାଲେ, ସତୁରୀ ଅଶୀବର୍ଷ ତଳର କାହାଣୀ ପରି ବହିଯାଏ । ସେ କହେ ଆଗ ତା’ ନିଜ କଥା–ତା’ର କେବେ ବାପ ମା’ ଥିଲେ, ସେ କେବେ ସୁଖରେ ବଢ଼ି ଖଟରେ ଶୋଉଥିଲା, ସେ କେବେ ଘରେ ବସି ଦୁଇ ଓଳି ପେଟପୂରାଇ ଖାଉଥିଲା; ଆଉ ଜଣକର ମଧୁର ବଚନ ଶୁଣି ଜୀବନର ସକଳ ଦୁଃଖ ଭୁଲିଯାଇଥିଲା । ସେ ଗଢ଼ିଥିଲା ଗୋଟେ ସ୍ଵପ୍ନରାଜ୍ୟ । ସେ ରାଜ୍ୟରେ ସିଏ ଥିଲା ରାଜା । ରାଣୀ କରି ଯାହାକୁ ଆଣିଥିଲା, ଜୀବନଟାକୁ ସେ ହସାଇ ନଚାଉଥିଲା । ତା’ର ଅଧର ତଳେ ସେ ଅମୃତ ପିଉଥିଲା; ତା’ର ଚାହାଣି ଭିତରେ ସେ ଜଗତ୍‌ ଦେଖୁଥିଲା; ତା’ର ନିଃଶ୍ୱାସରେ ସେ ସୁବାସ ବାସୁଥିଲା ଓ ତା’ର ପାଦ ତଳେ ସେ ଫୁଲ ଫୁଟିବାର ଦେଖୁଥିଲା । କିନ୍ତୁ ସେ ସ୍ଵପ୍ନ ତା’ର ବେଶି ଦିନ ରହିଲା ନାହିଁ । ସ୍ଵପ୍ନମୟୀ ହସି ହସି ଚାଲିଗଲା ଏ ସଂସାରର ସେପାଖକୁ । ଏପାଖେ ଏ ଦୁଇଟି ବଳଦ ଗାଁରୁ ଷ୍ଟେସନ୍‍କୁ ଓ ଷ୍ଟେସନ୍‍ରୁ ଗାଁକୁ ଦିନକେ ଦୁଇ ଥର ଯାଇ ତାକୁ ଆର ଜନ୍ମରେ ଭେଟିବାକୁ ଚେଷ୍ଟା କରୁଥିଲା ।

 

ଶଗଡ଼ ବୋହିଲାବେଳେ ଏ କଥା ସେ ସମସ୍ତଙ୍କୁ ଶୁଣାଇ କନ୍ଦାଇ ପକାଏ । ନିଜେ ଦୁଇ ଟୋପା ଲୁହ ନିଜର ଚିରା କାନିରେ ପୋଛିଦେଇ ବଳଦ ଉପରେ ହାତ ମାରି ପୁଣି କହେ ଆଉ ଗୋଟାଏ ଗଳ୍ପ । ଲୋକଙ୍କ ବାଟ ସରିଯାଏ, କିନ୍ତୁ ତା’ର ଗଳ୍ପ ସରେ ନାହିଁ । ସେ କହେ ତା’ ଶଗଡ଼ରେ ନ ବସିଚି କିଏ ? ବସି ନଥିଲେ ବସି ନଥିବେ ଖଲିକୋଟର ରାଜା । କିନ୍ତୁ ଦେବାନ କହ, ମ୍ୟାନେଜର ଓକିଲ କହ, ମହାଜନ କହ, ଏପରି କି ମହାତ୍ମାଙ୍କ ଭକ୍ତ ପର୍ଯ୍ୟନ୍ତ କହ, ସମସ୍ତେ ବସିଛନ୍ତି ତା’ ଶଗଡ଼ରେ । ଏସବୁ କଥା କହିଲାବେଳେ ସେ ଉତ୍ସାହରେ କହେ ବେଳେବେଳେ ବଳଦ ଦୁଇଟା ଠିଆହୋଇଥିଲେ ମଧ୍ୟ ସେମାନଙ୍କୁ ଅଡ଼ାଏ ନାଁ ଜାଣିପାରିଲେ କହେ, ଏ ପଶୁଗୁଡ଼ାକ ମଧ୍ୟ ଏ କଥା ଶୁଣିବାକୁ କାନଉଛନ୍ତି ।

 

ମାଗୁଣୀର ଶଗଡ଼ ଓ ବଳଦ ଖଲିକୋଟର ଗୋଟିଏ ବିରାଟ ଇତିହାସ ହେଲେ ମଧ୍ୟ ସେ ଇତିହାସର କେତେଟା ପୃଷ୍ଠା । ସେ ଇତିହାସ କହେ, ଏ ଶବ୍ଦ ରାଜ୍ୟର ସମସ୍ତିଙ୍କି ଚିହ୍ନିଛି । କେତେ ବାଳବିଧବା ଏହାରି ଉପରେ ବସି ଶାଶୁ ବାପଘରକୁ ଫେରିଛନ୍ତି । କେତେ ସୁହାସିନୀ କୁଳବଧୂ ବାପଘରୁ ଶାଶୁଘରକୁ ଯାଇଛନ୍ତି ! ଖଜଣା ଗଣ୍ଡାକ ଦେଇ ନ ପାରି ଯେଉଁଦିନ ମଣ୍ଡଳ ଗାଁର ଗଦା ରାଜା ଜେଲ ଗଲା, ସେଇଦିନ ତା’ ଘରର ଛାଞ୍ଚୁଣି ମୁଣ୍ଡା ଆଦି ଏଇ ଶଗଡ଼ରେ ବୁହାହେଲା ଆସି ରଜାଘର କଚିରି ଦୁଆରେ ଜମା ହୋଇଥିଲା । ଯେଉଁଦିନ ବେନ୍ଦାଳିଆ ଗାଁ ମଧୁ ରଥେ ନରହତ୍ୟା ଅପରାଧରେ ଧରାହେଲେ, ସେଦିନ ସେ ଏଇ ଗାଡ଼ିରେ ଯାଇଥିଲେ । ଏଇ ଗାଡ଼ିରେ ବଡ଼ ଓକିଲ ଆସି ରଜାଘର ପକ୍ଷ ନେଇଛନ୍ତି । ଗାଡ଼ିରେ ରଇତନେତାଏ ହାତକଡ଼ା ପଡ଼ି କଚିରିକି ଯାଇଛନ୍ତି । ଏଇ ଗାଡ଼ି ଦେଖିଛି, ଦୁଃଖ ଦେଖିଛି । ଲୁହ ବୋହି ଏଇ ଗାଡ଼ିର ଶୁଖିଲା ପାଳର ଗଦି ଓଦା ହୋଇଯାଇଛି; ହସରୋଳରେ ଏଇ ଗାଡ଼ି କେତେ କମ୍ପିଛି ।

 

ଏଇ ସବୁ କଥା କହି ମାଗୁଣୀ ଯେତେବେଳେ ଗାଡ଼ି ଚଳାଏ, ମନେହୁଏ ମାଗୁଣୀର ଗୋଟାଏ ଜୀବନ୍ତ ଇତିହାସ । ଏପରି ଦଶ ପାଞ୍ଚଟା ଇତିହାସକୁ ଏକ କଲେ ଓଡ଼ିଶାରେ ଗୋଟିଏ କୋଣାର୍କ ତିଆରି ହୁଅନ୍ତା ।

 

ଦିନେ ମାଗୁଣୀ ଶୁଣିଲା, ତା’ ଗାଡ଼ିରେ ଆଉ ଲୋକେ ବସିବେ ନାହିଁ କାରଣ ସିଂହଘର ଗୋଟାଏ ମୋଟର ବସ୍‌ ଆଣୁଛନ୍ତି । ଶୁଣିଲାମାତ୍ରେ ହସି ହସି ଆକାଶ ଫଟାଇଦେଲା । କହିଲା–“ମୋଟର ବସ୍ ! ତା’ କ’ଣ କାଳିଆ କଷରାକୁ ଟପିଯିବ ? ଭଲ କରି ଆହାର ଦେଇ ଯେତେବେଳେ ମାରିଦେବି, ଲୋକେ କ’ଣ ମୋ ଗାଡ଼ି ଛାଡ଼ି ସେ ଗାଡ଼ିକି ଯିବେ ?” ଏକଥା ଶୁଣି ସମସ୍ତେ ହସିଲେ ସତ; ମାତ୍ର ସେ ଖାତିର କଲା ନାହିଁ । ଦୁଇ ଚାରି ଦିନ ଗଲା ଦେଖୁଦେଖୁ ଗଡ଼ରେ ମୋଟର ବସ୍‌ ପହଞ୍ଚିଲା । ଲୋକେ କହିଲେ, ଏଥର ମାଗୁଣୀର ବ୍ୟବସାୟ ବୁଡ଼ିଲା । ଏକାବେଳକେ କୋଡ଼ିଏ ଜଣଙ୍କୁ ଧରି ଘଣ୍ଟାକରେ ଚାଳିଶ ମାଇଲ ଯିବ । ମାଗୁଣୀ କି ତାକୁ ବଳିଯିବ ?

 

କଥା ସତ । ଦୈତ୍ୟଦାନବ ପରି ଗଡ଼ରେ ମୋଟର ବସ୍‌ଟାକୁ ଦେଖି ମାଗୁଣୀର ମନରେ ଛନକା ପଶିଗଲା । ସେ କାନ୍ଦିପାରିଲା ନାହିଁ ସତ; କିନ୍ତୁ କାନ୍ଦକାନ୍ଦ ହୋଇ ଭାବିଲା, ସେଦିନ ଯାଇଥିଲି କୋଦଳା ସଭାକୁ । କିଏ କହୁଥିଲେ, କଳ ଜିନିଷଠୁଁ କ’ଣ ମୋ ଶଗଡ଼ ଭଲ ନୁହେଁ ? ଏତେ ଲୋକ ସଭାରେ ବସି ଶୁଣୁଥିଲେ, ସେମାନେ କ’ଣ ମୋର ଦୁଃଖ ବୁଝିବେ ନାହିଁ ? କର୍ମୀ ନ ବୁଝିଲେ ଯିବି ଗାନ୍ଧୀଙ୍କ ପାଖକୁ । ଦରିଦ୍ରର ସାଥୀ ସେ, ଗରିବଙ୍କ ବନ୍ଧୁ ସେ । ସେ କ’ଣ କହିବେ, ମାଗୁଣୀ ମରିଯାଉ ଆଉ ଏ ସିଂହେ ବଞ୍ଚନ୍ତୁ ?

 

ଷ୍ଟେସନ୍‍ରୁ ଗଡ଼କୁ ସିଂହଙ୍କ ବସ୍ ଚାଲିଲା । ମାଗୁଣୀର ଶଗଡ଼ ମଧ୍ୟ ଚାଲିଲା, କିନ୍ତୁ ବସ୍ ପୂର୍ଣ୍ଣ, ଶଗଡ଼ ଖାଲି । ମାଗୁଣୀ ଯେତେ ଆଗରୁ ରାତିଅଧରୁ ଉଠି ଷ୍ଟେସନ୍‍ରେ ଶଗଡ଼ ହାଜର କଲେ ମଧ୍ୟ ଲୋକେ ଗଲେ ବସ୍‍ରେ । ଯେତେ ନୂଆ ଅଖାର ଗଦି ପକାଇଲେ ମଧ୍ୟ ଲୋକେ ଧାଇଁଲେ ବସ୍ ମୁହଁକୁ । ଯେତେ ହାତ ଧରି ଡାକିଲେ ମଧ୍ୟ ଲୋକେ ଚାହିଁଲେ ବସ୍‌ ଆଡ଼କୁ । ଦିନେ ଗଲା, ଦୁଇ ଦିନ ଗଲା । ସେ ଦୁଇ ଓଳି ଖାଇକରି ଆସୁଥିଲା, ଓଳିଏ ଖାଇ ଆସିଲା । ସେ ଭାତ ଖାଇ ଆସୁଥିଲା, ତୋରାଣି ପିଇ ଆସିଲା । ସେ ଦୁଇ ଓଳିରେ ଥରେ ପିଇ ଆସୁଥିଲା, କ୍ରମେ ତିନି ଓଳି ଚୁଲି ଲାଗିଲା ନାହିଁ । କାଲିଆ କଷରାଙ୍କ ଛାତିହାଡ଼ ଦିଶିଲା । ସେମାନଙ୍କୁ ଧରି ସେ ଯେତେବେଳେ କାନ୍ଦିଲା–କିଏ କହିଲା ପାଗଳ, କିଏ କହିଲା ବାୟା ।

 

ତା’ପରେ ଯେଉଁଦିନ ମାଗୁଣୀର କୁଡ଼ିଆଦୁଆର ଭାଙ୍ଗି ଗାଁ ଲୋକେ ତା’ ଶବ କାଢ଼ିଲେ, ଦେଖିଲେ ଛିଣ୍ଡା କତରା ତଳେ ପାଞ୍ଚଣ ବାଡ଼ିଖଣ୍ଡିକ ଶୁଆଇଦେଇ ମାଗୁଣୀ ଆଖି ବୁଜି ଦେଇଛି । ମଶାଣିରେ ନିଆଁ ଜଳିଲା, ଆକାଶରେ ପକ୍ଷୀ ଉଡ଼ି ଧୂଆଁ ପାର ହେଲେ । ପୃଥିବୀରେ ଦୁଇ ଲକ୍ଷ ଲୋକ ସେ ଖବର ପାଇ ଦୁଃଖରେ କହିଲେ–“ଆହା, ମାଗୁଣୀ ଚାଲିଗଲା !”

☆☆☆

 

ମାଂସର ବିଳାପ

କାଳନ୍ଦୀଚରଣ ପାଣିଗ୍ରାହୀ

 

ଜଲି ଏବଂ ଡୋରା ଆବାଲ୍ୟ ପରମ ସାଥୀ । କ୍ଷଣେ ଏକ ଅପରକୁ ଛାଡ଼ି ରହିବାକୁ ସହଜରେ ରାଜି ହୁଅନ୍ତି ନାହିଁ । ଜଲି ଥରେ ଅସୁସ୍ଥ ହେଲା, ଡୋରା ତାକୁ ଅହର୍ନିଶ ଜଗି ବସିଥାଏ । ସକଳ ତାଡ଼ନା ତାହା ନିକଟରେ ବ୍ୟର୍ଥ । ଅବଶେଷରେ ସେହିଠାରେ ତା’ର ପାନାହାର ଯୋଗାଇବା ଲାଗି ହୁକୁମ ହେଲା । ଡୋରାର ପାଦ ଥରେ ଜଖମ ହେଲା । ଜଲି ଭଲ କରି ଜାଣେ ଡୋରାର ବଳ ଅପରିସୀମ; କିନ୍ତୁ ବୁଝିପାରିଲା ନାହିଁ, କାହିଁକି ତାକୁ ଏତେ ଦିନ ଏକ ସ୍ଥାନରେ ବନ୍ଦୀ ହୋଇ ରହିବାକୁ ହୋଇଛି । ତା’ର ପାଦ ମୁଖରେ ସ୍ପର୍ଶ କରି ତା’ର ବ୍ୟଥା କେଉଁଠାରେ ଜାଣିବାପାଇଁ ସଚେଷ୍ଟ ହେଲା ।

 

ଡୋରା ଗୋଟିଏ ଇଂଲିଶ୍ ଗ୍ରେ ହାଉଣ୍ଡ ଏବଂ ଜଲି ଗୋଟିଏ ଗଡ଼ଜାତ ଜଙ୍ଗଲର କୃଷ୍ଣସାର । ଡୋରା ଆସିଛି ବିଖ୍ୟାତ ଲଣ୍ଡନ ନଗରୀରୁ, ଜଲିର ଜନ୍ମସ୍ଥାନ ଓଡ଼ିଶାର ନିଭୃତ ଅରଣ୍ୟାନୀ । ଡୋରା ସମ୍ପୂର୍ଣ୍ଣ ମାଂସାଶୀ, ଜଲି ନିରାଟ ଶାକାକାରୀ, କିନ୍ତୁ ଅତି ଛୋଟଦିନୁଁ ଦୁହିଁଙ୍କ ମଧ୍ୟରେ ସଦ୍ଭାବ ଜନ୍ମି ଯାଇଥିଲା ।

 

ଡୋରାର ଅସୁସ୍ଥତା ନିବାରଣ ପାଇଁ ଜଲି ତାହାର ସର୍ବାଙ୍ଗ ଲେହନ କରି ଶୁଶ୍ରୂଷାରେ ଲାଗିଲା । ଅବଶେଷରେ ଡୋରା ଟିକିଏ ସୁସ୍ଥ ହୋଇ ପ୍ରଥମେ ଆସ୍ତେ ଆସ୍ତେ ଚାଲିବାକୁ ଆରମ୍ଭ କଲା । ତା’ପରେ ଯେତେବେଳେ ବସନ୍ତ ପୁଣି ଲେଉଟିଲା, ଫୁଲର ଗନ୍ଧ ଚହଟିଲା, ଦୁଇ ବନ୍ଧୁ, ଦକ୍ଷିଣାଭିମୁଖରେ ଇତସ୍ତତଃ ଧାଇଁ କ୍ରୀଡ଼ାକୌତୁକରେ ମଗ୍ନ ହେଲେ–ଯେପରି କି ଏହି ଆନନ୍ଦର ସ୍ରୋତ ଯେଉଁ ଦିଗରୁ ଭାସିଆସୁଛି, ସେହି ରହସ୍ୟମୟ ଦେଶଟାକୁ ଦୁହେଁ ମିଳି ଏକ ମୁହୂର୍ତ୍ତରେ ଆବିଷ୍କାର କରିନେବେ । ଦୁହିଁଙ୍କ ଦୌଡ଼ିବାର ଭଙ୍ଗୀରେ ବିଶେଷ ପାର୍ଥକ୍ୟ ଓ ସୌନ୍ଦର୍ଯ୍ୟ କଳା ନିହିତ ଅଛି । ଡୋରା ଯେତେବେଳେ ଦୌଡ଼େ, ସେତେବେଳେ ଗୋଟିଏ ଲମ୍ବମାନ କ୍ଷୀଣସୂତ୍ର ଭୂମିରେ ମିଶିଗଲା ପରି ମନେହୁଏ । ସେତେବେଳେ ତା’ର ଚକ୍ଷୁ, କର୍ଣ୍ଣ, ପାଦ, ମୁଖ ଇତ୍ୟାଦି ଚିହ୍ନିବାର ଉପାୟ ନାହିଁ; କିନ୍ତୁ ଜଲିର ଦୌଡ଼ରେ ଭଙ୍ଗିମା ଭିନ୍ନ ଧରଣର । ସେ ଯେପରି ପ୍ୟାରିସ୍‌ ଡାନ୍‌ସ୍ ! ଗୋଡ଼ ଯେପରି ତା’ର ତଳେ ଲାଗୁ ନାହିଁ, କେବଳ ଶୂନ୍ୟେ ଶୂନ୍ୟେ ନାଚି ନାଚି ଯାଉଛି ।

 

ପଶୁ ଦିଓଟି ଜମିଦାରବାବୁଙ୍କର ବଡ଼ ପ୍ରିୟ ଥିଲେ । ଡୋରା ତ ବିଲାତ ରପ୍ତାନି ବୋଲି ତା’ର ଇଂରାଜୀ ନାମ ରଖାଯାଇଥିଲା; ଜଲିକୁ ତା’ର ଅତ୍ୟନ୍ତ ପ୍ରିୟ ଦେଖି ତାକୁ ମଧ୍ୟ ସେହି ଭାଷାରେ ଅନ୍ୟ ଗୋଟିଏ ନାମରେ ଅଭିହିତ କରାଯାଇଥିଲା । କର୍ମକ୍ଳାନ୍ତ ଦିବସ ପରେ ଜମିଦାରବାବୁ ଯେତେବେଳେ କଚେରି ସମ୍ମୁଖସ୍ଥ ପ୍ରକାଣ୍ଡ ପଡ଼ିଆରେ ସାୟଂଭ୍ରମଣ ଉଦ୍ଦେଶ୍ୟରେ ବାହାରନ୍ତି, ସେତେବେଳେ ଏ ଦିଓଟି ପଶୁ ତାଙ୍କର ସହଚର ହୋଇ ଚାଲିବାରେ ଏବଂ ତାଙ୍କ ସମ୍ମୁଖରେ କ୍ରୀଡ଼ାକୌତୁକ କରିବାଦ୍ଵାରା, ତାଙ୍କ ଶ୍ରାନ୍ତ ଅନ୍ତରରେ ଯେ ଆନନ୍ଦ ସଞ୍ଚାର କରନ୍ତି, ତାହାର ମୂଲ୍ୟ ସାମାନ୍ୟ ନୁହେଁ । ତାହା ନହେଲେ ଶିକାରସ୍ଥଳୀରେ ଡୋରାର କିଛି ଆବଶ୍ୟକତା ଅଛି, ଜଲି ତ ସମ୍ପୂର୍ଣ୍ଣ ଅନାବଶ୍ୟକ । ତଥାପି ଜମିଦାରବାବୁଙ୍କର କର୍ମପ୍ରବାହ ମଧ୍ୟରେ ଜଲିର ଟିକିଏ ସ୍ଥାନ ଅଛି । ସେହି ଆନନ୍ଦଟିକକର କାରଣ ସେ ।

 

ଜମିଦାରବାବୁ ରାସ୍ତାରେ ଯେତେବେଳେ ବାହାରନ୍ତି, ଜଲି ତାଙ୍କ ହାତ ଚାଟି ଚାଟି ଗୋଡ଼ରେ ଘଷି ହୋଇ ଚାଲେ । ଡୋରା କେତେବେଳେ ପଛରେ ରହିଗଲେ ଛୁଟିଆସି ତାଙ୍କ ସମ୍ମୁଖରେ ନମସ୍କାର ଛଳରେ କର ଯୋଡ଼ି ହୋଇ ବସିପଡ଼ି ଲାଙ୍ଗୁଳ ହଲାଏ । କେତେବେଳେ ତାଙ୍କ ଦୁଇ ପାଦ ମଧ୍ୟରେ ପ୍ରବେଶ କରି ଗତି ଶିଥିଳ କରିଦିଏ । ଅନ୍ୟ କୌଣସି କୁକୁର ଯେବେ ଆସି ଜଲି ଉପରେ ଲୋଲୁପ ଦୃଷ୍ଟି ପକାଏ, ଜଲି ତ୍ରସ୍ତକାତର ହୋଇ ବାବୁଙ୍କ ଦୁଇ ପାଦ ମଧ୍ୟରେ ଠେଲି ଠେଲି ପ୍ରବେଶ କରେ । ଡୋରା ଜାଣିପାରି ସଙ୍ଗେ ସଙ୍ଗେ ଯୁଦ୍ଧପାଇଁ ପ୍ରସ୍ତୁତ ହୋଇ ଦେଖାଦେବାମାତ୍ରକେ ତା’ର ସ୍ଵଜାତିମାନେ ପୃଷ୍ଠପ୍ରଦର୍ଶନ କରି ବିନୀତ ଭାବରେ ଅପସାରିତ ହୁଅନ୍ତି-। କାରଣ ଡୋରାର ବଳବୀର୍ଯ୍ୟ ତା’ର ପଡ଼ୋଶୀମାନଙ୍କୁ ଅଜ୍ଞାତ ନଥିଲା ।

 

ଜମିଦାରବାବୁଙ୍କର ଶିକ୍ଷା ରାୟପୁରଠାରେହିଁ ସମାପ୍ତ ହୋଇଅଛି । ବେଶ୍ ଆଧୁନିକ ଧରଣର ଲୋକ; ମିଷ୍ଟାଳାପ, ଶିଷ୍ଟାଚାର ଇତ୍ୟାଦି ଗୁଣର ଅଭାବ ନଥିଲା । ଦେଶୀ ଲୋକଙ୍କ ପାଖରେ କୁର୍ତ୍ତା ଚାଦରପକା ଖାଣ୍ଟି ଦେଶୀ ଓ ବିଲାତୀଙ୍କ ପାଖରେ ପୂରା ସାହେବ । ଅବସର ସମୟରେ ବଡ଼ବଡ଼ ସାହେବସୁବା ଶିକାର ଉଦ୍ଦେଶ୍ୟରେ ଜମିଦାର ଭବନରେ ଆତିଥ୍ୟ ଗ୍ରହଣ କରିଥାନ୍ତି । ସେମାନଙ୍କ ଉଦ୍ଦେଶ୍ୟରେ ମଧ୍ୟ ବେଶ୍ ଆୟୋଜନରେ ଅତିଥିଶାଳା ନିର୍ମାଣ କରାଯାଇଅଛି । କେବଳ ଜଲି ଓ ଡୋରା ତାଙ୍କର ପୋଷା ନଥିଲେ । ଏହାଛଡ଼ା କେତେ ଜାତିର ପକ୍ଷୀ, ମର୍କଟ, ଭଲ୍ଲୁକ, ମତ୍ସ୍ୟ ଇତ୍ୟାଦି କେତେ ଜୀବ ଜମିଦାରବାବୁଙ୍କ ଅନ୍ନରେ ପ୍ରତିପୋଷିତ ହେଉଥିଲେ । କହିବାକୁ ଗଲେ ଜମିଦାର–ଭବନରେ ଗୋଟିଏ ଛୋଟ ଧରଣର ଚିଡ଼ିଆଖାନା ଥିଲା-

 

କିନ୍ତୁ ଡୋରା ଓ ଜଲି ତାଙ୍କର ପାର୍ଶ୍ଵଚର । ବିଶେଷତଃ ତାଙ୍କର ଅତି ସ୍ନେହର ଏକମାତ୍ର କନ୍ୟାଟି ଜଲି ଓ ଡୋରାର ଅନ୍ୟତମ ସଙ୍ଗୀ ଥିଲା । ତା’ର ଅଧିକାଂଶ ସମୟ ସେ ଦୁହିଁଙ୍କୁ ନେଇଥାଏ । ବଗିଚାରେ ଧାଈର ତତ୍ତ୍ଵାବଧାନରେ ସେ ଯେତେବେଳେ କଅଁଳ ଘାସ ଛିଣ୍ଡାଏ, ଜଲି ଜାଣିପାରି ତା’ ମୁହଁ ପାଖରେ ନିଜ ମୁହଁଟି ନେଇ ରଖେ । ଡୋରା ଦୌଡ଼ିଆସି ତା’ର ଏହି ଛୋଟ ଖାମିଦାଣୀ ପାଖରେ କେତେ ଗେଲ କୌତୁକର ଅଭିନୟ କରେ । ଖାମିଦାଣୀ ‘ତୁ କାଇବୁ’ ‘ତୁ କାଇବୁ’ କହି ତା’ ମୁହଁରେ ଘାସ ଗୁଞ୍ଜି ଦିଅନ୍ତି । ସେ ଅମାନ୍ୟ ନ କରି ମୁଖରେ ତାହା ଧରି ସ୍ଵୀୟ ବାଧ୍ୟତା ଜ୍ଞାପନ କରେ । ବାରନ୍ଦା–ଇଜି–ଚେୟାରରେ ବସି ଏସବୁ ନିରୀକ୍ଷଣ କରି ବାବୁଙ୍କ ଚିତ୍ତ ଉତ୍‌ଫୁଲ୍ଲ ହୋଇଉଠେ ।

 

ଜମିଦାରବାବୁ ସାହେବମାନଙ୍କ ସହିତ ଯେତେ ମିଳାମିଶା କରନ୍ତୁ, ଦେଶୀ ଲୋକମାନଙ୍କ ପ୍ରତି ଯେ ତାଙ୍କର ଅବଜ୍ଞ ଅଥବା ଘୃଣା ଥିଲା, ଏହା ବୋଲିଯାଇ ନ ପାରେ । ଦେଶର କୌଣସି ପଦସ୍ଥ ବ୍ୟକ୍ତି ତାଙ୍କର ଦ୍ଵାରସ୍ଥ ହେଲେ ତାଙ୍କ ସମ୍ମାନ ଅଭ୍ୟର୍ଥନାରେ କୌଣସି ତ୍ରୁଟି ହେଉ ନଥିଲା । ପ୍ରଜାମାନଙ୍କ ମଧ୍ୟରେ ମଧ୍ୟ ଶିକ୍ଷିତ ସମ୍ଭ୍ରାନ୍ତ ବ୍ୟକ୍ତିମାନଙ୍କ ପ୍ରତି ଯଥାଯୋଗ୍ୟ ସମ୍ମାନ ଦେଖାଯାଉଥିଲା । ତଥାପି ଲୋକମତ ତାଙ୍କ ରୀତିଗତିର ଅନୁକୂଳରେ ନଥିଲା । ବୁଢ଼ା ବୁଢ଼ା ଲୋକେ ତାଙ୍କୁ ଭ୍ରଷ୍ଟ, ବିଧର୍ମାଚାରୀ କହୁଥିଲେ । ଆଉ କେହି କେହି ବହୁ ବ୍ୟବସାୟୀ, ପ୍ରଜାପୀଡ଼କ କହୁଥିଲେ । ଦେଶଚକ୍ଷୁରେ ତାଙ୍କର ପ୍ରଧାନ ଦୋଷ, ସେ ବିଦେଶୀମାନଙ୍କ ସହିତ ମିଶିଲେ ଏବଂ ସେହିମାନଙ୍କ ଆଚାର ଗ୍ରହଣ କଲେ । ଯଥାର୍ଥରେ ତାଙ୍କର ଆହାର ପରିଚ୍ଛଦରେ ବିଜାତୀୟ ଭାବ ଅନେକ ପରିମାଣରେ ଲକ୍ଷିତ ହେଉଥିଲା । ସେ ସବୁରେ ଯେତିକି ସଂଯମ ଆବଶ୍ୟକ, ସେ ତା’ର ସମ୍ପୂର୍ଣ୍ଣ ଅବହେଳା କରୁଥିଲେ ।

 

ଏଥର ଶୀତ ଛୁଟିରେ ପୋଲିସ୍ ବିଭାଗର ଡି.ଆଇ.ଜି. ସାହେବ ଶିକାର ଉଦ୍ଦେଶ୍ୟରେ ଜମିଦାର ଭବନରେ ଆତିଥ୍ୟ ଗ୍ରହଣ କରିବେ ବୋଲି ଲେଖି ପଠାଇଛନ୍ତି । ତାଙ୍କ ସହିତ ତାଙ୍କର ସ୍ତ୍ରୀ ଓ କନ୍ୟା ଆସିବେ । ? ଡି.ଆଇ.ଜି. ସାହେବଙ୍କ ସହିତ ଜମିଦାରବାବୁଙ୍କର ବନ୍ଧୁତା ବହୁଦିନର । ଏଥର ପୁଣି ସଙ୍ଗରେ ସ୍ତ୍ରୀ କନ୍ୟା ଆସୁଛନ୍ତି । ଚାରି ଦିନ ଆଗରୁ ଅତିଥିଶାଳା ପରିଷ୍କୃତ ହୋଇ ସଜାସଜି ଲାଗିଛି ଏବଂ ଯେଉଁ ସ୍ଥାନରେ ହରିଣ ଓ ପକ୍ଷୀ ପ୍ରଭୃତି ଶିକାର କରିବାର କଥା, ସେ ସ୍ଥଳରେ ତମ୍ବୁ ପ୍ରଭୃତିର ଆୟୋଜନ ଚାଲିଛି । ଆବଶ୍ୟକ ଜିନିଷ କିଣିବା ଲାଗି କଟକକୁ ଲୋକ ପଠାଯାଉଅଛି । ଚାକର, ବେଠିଆ ଓ ଅମଲା ପ୍ରଭୃତି ବ୍ୟତିବ୍ୟସ୍ତ, ହୋଇ ଲାଗିପଡ଼ିଛନ୍ତି । ସବୁଥର ପରି ଏଥର କାହାରିକି ମରିବାକୁ ତର ନାହିଁ । ସବୁଥର ପରି ଏଥର ମଧ୍ୟ ଜମିଦାରବାବୁଙ୍କ ପଶ୍ଚାତ୍‌ରେ ଗାଳି ବର୍ଷଣ କରୁଛନ୍ତି ।

 

ସାହେବଙ୍କ ଆସିବା ସମୟକୁ ତାଙ୍କୁ ବାଟରୁ ସଙ୍ଖୋଳି ଆଣିବା ଲାଗି ଜମିଦାରବାବୁ ଖଣ୍ଡେଦୂର ମଟରରେ ଗଲେ । ନିର୍ଦ୍ଦିଷ୍ଟ ସମୟରେ ସାହେବ ପହଞ୍ଚିଗଲେ । ତାଙ୍କର ସ୍ତ୍ରୀ କନ୍ୟାମାନଙ୍କ ସହିତ ଯୋଗ ଦେଇ ଜମିଦାରବାବୁଙ୍କ ମନପ୍ରାଣ ଆପ୍ଳୁତ ହୋଇଉଠିଲା । ଜମିଦାର–ଭବନରେ ମହାଚାଞ୍ଚଲ୍ୟ; କାହାରି ଦଣ୍ଡେ ସ୍ଥିର ହୋଇ ରହିବାର ସମୟ ନାହିଁ । ସମସ୍ତେ ଦୌଡ଼–ଧାପଡ଼ କରୁଛନ୍ତି । ଅତିଥିମାନଙ୍କ ସହିତ ଠିକ୍ କରାଗଲା, ଆଜି ଅତିଥିଶାଳାରେ ରହି ପରଦିନ ପ୍ରାତଃଭୋଜନ ପରେ ଶିକାରସ୍ଥଳୀକୁ ଯାତ୍ରା କରିବାକୁ ପଡ଼ିବ ।

 

ଶିକାରସ୍ଥଳୀ ଜମିଦାର ଭବନରୁ ବାର ଚଉଦ ମାଇଲ ରାସ୍ତା, ନିପଟ ଜଙ୍ଗଲ ମଧ୍ୟରେ, ଘର ଗାଁ ପାଖରେ ନାହିଁ । ଚାକର, ଖାନ୍‌ସମା, ବେଠିଆ ପ୍ରଭୃତି ଆଗରୁ ସବୁ ଜିନିଷପତ୍ର ନେଇ ଚାଲିଲେ । ପଛରେ ସାହେବ ପରିବାର, ଜମିଦାରବାବୁ, ସାହେବଙ୍କ ଦୁଇଟି ଶିକାରୀ କୁକୁର ଏବଂ ଜମିଦାରବାବୁଙ୍କର ଡୋରା ଓ ଜଲି ମଟର ଆରୋହଣ କରି ଚାଲିଲେ । ଜଲିର ଯିବା ଅନାବଶ୍ୟକ ହେଲେହେଁ ଡୋରା ତାକୁ ଛାଡ଼ି କୌଣସି ସ୍ଥାନରେ ରହିବ ନାହିଁ । ଯେଉଁ ଦେଶକୁ ନିଆଯାଉ, ସୁଯୋଗ ପାଇଲେ ଆସି ତା’ ନିକଟରେ ହାଜର ହେବ । ସୁତୁରାଂ ଜଲିକୁ ମଧ୍ୟ ସଙ୍ଗରେ ନେବାକୁ ହେଲା । ସେଥିପାଇଁ ଅବଶ୍ୟ ଛୋଟ ଖାମିଦାଣୀଙ୍କର ଅନୁମତି ନିଆଯାଇଅଛି । ତାଙ୍କର ହୁକୁମ ହୋଇଛି, ଦୁଇ ଦିନରୁ ଅଧିକ କାଳ ଡୋରା ଓ ଜଲିକୁ ଯେପରି ଅଟକା ନ ଯାଏଁ ।

 

କିନ୍ତୁ ‘ମେରି କ୍ରିଷ୍ଟମସ୍’ର ଆନନ୍ଦ ଉତ୍ସାହରେ ଶିଳାରସ୍ଥଳୀରେ ରହିବାର ଆଜି ପାଞ୍ଚ ଦିନ ହୋଇଗଲା । ସେହି ଜଙ୍ଗଲ ଜାଗାଟାରେ ସାହେବଙ୍କର ମନୋମତ ସବୁ ଜିନିଷ ଯୋଗାଯାଉଛି । ତାଙ୍କର ଅସୁବିଧା ହେବା ଦୂରେ ଥାଉ, ସହରର କୋଳାହଳକ୍ଳାନ୍ତ ଜୀବନରେ ଏହି ନିର୍ଜନ ବନବାସଦ୍ଵାରା ସେମାନଙ୍କର ଆନନ୍ଦ ଜନ୍ମିଛି । ସୁତରାଂ ଦୁଇ ଦିନପାଇଁ ଆସି ପାଞ୍ଚ ଦିନ ହୋଇଗଲା, ସାହେବଙ୍କର ଫେରିବାପାଇଁ କୌଣସି ଉଦ୍‌ବେଗ ନାହିଁ । ଆଜି କିନ୍ତୁ ସବୁ ଜିନିଷପତ୍ର ଶେଷ ହୋଇଆସିଅଛି । କାଲି ପ୍ରାତଃରୁ ଫେରିବା କଥା ।

 

ମଧ୍ୟାହ୍ନ ଭୋଜନ କରି ସାହେବଙ୍କ ସହ ଜମିଦାରବାବୁ ଶିକାର ଉଦ୍ଦେଶ୍ୟରେ ବାହାରିଲେ । ଗତ ଚାରି ଦିନ ସାହେବଙ୍କର ସ୍ତ୍ରୀ କନ୍ୟାମାନେ ଖେଳକୌତୁକ, ନୃତ୍ୟଗୀତ ଆକଣ୍ଠ ଉପଭୋଗ କରିଯାଇଛନ୍ତି । ଆଜି ଆଉ ସେମାନେ ଶିକାରର ସହଯାତ୍ରୀ ହୋଇପାରିଲେ ନାହିଁ । ନିରୀହ ଚାକର ବେଠିଆଗୁଡ଼ିକ ଗୋଟିଏ ବିରାଡ଼ିପିଲା ନ ମାରି ମଧ୍ୟ କେବଳ ଟିକିଏ ଶିକାରରେ ସ।ହାଯ୍ୟ କରିବାରେ ଧକେଇ ପଡ଼ିଛନ୍ତି । ତଥାପି ସେମାନଙ୍କ ମଧ୍ୟରୁ ଦୁଇ ତିନି ଜଣଙ୍କୁ ଯିବାକୁ ହେଲା । ପକ୍ଷୀ ମାରିବାରେ ଥରେ ଦୁଇ ଥର ଲକ୍ଷ୍ୟଭ୍ରଷ୍ଟ ହେବାରୁ ଆଉ ମାରିବା ଅସମ୍ଭବ ହୋଇପଡ଼ିଲା । ପକ୍ଷୀମାନଙ୍କୁ ପୁନଶ୍ଚ ଆସି ବସିବାକୁ ଅବସର ଦେବା ଉଦ୍ଦେଶ୍ୟରେ ଏବଂ ସେ ସମୟଟା ହରିଣ ପ୍ରଭୃତି ଅନୁସନ୍ଧାନ କରିବା ଲାଗି ଶିକାରଦ୍ୱୟ ନିକଟବର୍ତ୍ତୀ ଜଙ୍ଗଲ ମଧ୍ୟକୁ ବାହାରିଲେ । ନାନା ଦିଗରେ ଭ୍ରମି କୌଣସିଠାରେ କିଛି ସନ୍ଧାନ କରିପାରିଲେ ନାହିଁ । ଚାକର ତିନିଟାଙ୍କୁ ହରିଣ ଦେଖିବାକୁ ଜଙ୍ଗଲକୁ ପଠାଗଲା । ସେମାନେ କେଉଁଠାରେ ବସି ପିକା ଟାଣିଲେ କି ଗୁଣ୍ଡିପତ୍ର ମକଚି ଖୁସିଗପ କଲେ, ତାହା ଦେଖିବାର ତ ଉପାୟ ନାହିଁ । ଶିକାରୀ ଦୁଇ ଜଣ ନିଃଶବ୍ଦ ପଦକ୍ଷେପରେ ଏ ଜଙ୍ଗଲ, ସେ ଜଙ୍ଗଲ ଖୋଜିବାକୁ ଲାଗିଲେ । ତମ୍ବୁ ନିକଟରୁ ତିନି ଚାରି ମାଇଲ ଯାଇ ପଡ଼ିଛନ୍ତି ବୋଲି କାହାର ଭ୍ରୂକ୍ଷେପ ନାହିଁ ।

 

ସେତେବେଳକୁ ବେଳ ରତରତ ହୋଇ ଆସୁଛି । ନିକଟବର୍ତ୍ତୀ ପାହାଡ଼ ଉଢ଼ାଳରେ ସୂର୍ଯ୍ୟ ଲୁଚିଯାଇଛି; କିନ୍ତୁ ତା’ର ରକ୍ତିମ ଆଭା ପଶ୍ଚିମାକାଶରେ ଖେଳେଇ ପଡ଼ିଛି । ଶିକାରୀଦ୍ୱୟ ଜୀବଦେହର ଲାଲ ରକ୍ତ ଦେଖିବାର ଅଭିଳାଷୀ, ଏ ଦିଗରେ ନଜର ନାହିଁ । ତେଣେ କିନ୍ତୁ ପୂର୍ବଦିଗ ମେଘାଚ୍ଛନ୍ନ କରି ଅନ୍ଧାର ଘୋଟି ଆସିଲାଣି । ପୃଥିବୀ ଉପରେ ଏମାନଙ୍କର ଦୃଷ୍ଟି, ଆକାଶ ସହିତ ସମ୍ପର୍କ କ’ଣ ? ଭାବୀ ବୃଷ୍ଟିର ଶୀତ ପବନ ଯେତେବେଳେ ଦେହରେ ଲାଗିଲା, ଶିକାରୀଦ୍ୱୟ ଫେରି ଚାହିଁଲେ ଅକସ୍ମାତ୍‌ ବୃଷ୍ଟିର ଆୟୋଜନ । ତମ୍ବୁ ନିକଟରୁ ସେମାନେ ତିନି ଚାରି ମାଇଲ ଦୂରବର୍ତ୍ତୀ ହୋଇପଡ଼ିଛନ୍ତି । ସୁତରାଂ ବର୍ଷା ପୂର୍ବରୁ ତମ୍ବୁ ଧରିବା ଅସମ୍ଭବ ।

 

ଅଗତ୍ୟା ବନ୍ଧୁକ–ସ୍କନ୍ଧ ହୋଇ ଦୁଇ ବନ୍ଧୁ ମିଲିଟାରୀ ଡବଲ ମାର୍ଚ୍ଚ ଆରମ୍ଭ କରିଦେଲେ । କିନ୍ତୁ ଠିକ୍ ସେହି ସମୟରେ ହୁ–ହୁ ଆନନ୍ଦଧ୍ୱନି କରି ମେଘ ସେମାନଙ୍କୁ ଆକ୍ରମଣ କଲା । କୌଣସି ଦିଗରେ ନିକଟରେ ଆଶ୍ରୟ ନାହିଁ । ଚତୁର୍ଦ୍ଦିଗ ଅନ୍ଧକାରାଚ୍ଛନ, ଘୂର୍ଣ୍ଣିବାୟୁ ସନ୍ନିକଟ ଅରଣ୍ୟାନୀ ମଧ୍ୟରେ ମହାକ୍ରନ୍ଦନରୋଳ ଉପୁଜାଇଦେଲା । ଅତି କଷ୍ଟରେ ସନ୍ତର୍ପଣରେ ଦୁଇ ଜଣ ବାଟ ଖୋଜି ଚାଲିଲେ । ପରିଚ୍ଛଦ ସବୁ ଓଦା ହୋଇ ଖୁବ୍‌ ଭାରି ହୋଇଗଲା । ଦୀର୍ଘନିଃଶ୍ଵାସ ଛାଡ଼ି ତମ୍ବୁରେ ପହଞ୍ଚିଲାବେଳକୁ ରାତି ଆଠଟା ।

 

ନୈଶ୍ୟଭୋଜନର କୌଣସି ବନ୍ଦୋବସ୍ତ ନାହିଁ, ତାହାହିଁ ବର୍ତ୍ତମାନ ବିଶେଷ ଭାବନାର ବିଷୟ ହୋଇପଡ଼ିଲା । ଶିକାର ତ କିଛି ହେଲା ନାହିଁ । ଆଉ ମଧ୍ୟ ପରଦିନ ପ୍ରାତଃରୁ ଏ ସ୍ଥାନ ଛାଡ଼ିବାର ବରାଦ ଥିବାରୁ ଏବଂ ଶିକାର ପାଇବା ବିଷୟରେ କୌଣସି ସନ୍ଦେହ ନଥିବାରୁ ପୂର୍ବରୁ ନୈଶ୍ୟଭୋଜନ ପାଇଁ କୌଣସି ଆୟୋଜନ କରାଯାଇ ନଥିଲା । ବର୍ତ୍ତମାନ ଆଉ ଉପାୟ ନାହିଁ । ଜମିଦାରଙ୍କ ଉଆସ ଏଠାକୁ ବାର ଚଉଦ ମାଇଲ ଦୂର । ଏ ବର୍ଷାରେ ପୁଣି ସେ ସ୍ଥାନକୁ ଯାଇ ରାତି ଭିତରେ ଖାଦ୍ୟଦ୍ରବ୍ୟ ଆଣିବା କି ସମ୍ଭବ ! ମଟର ରାସ୍ତା ତ ବର୍ଷାଜଳରେ ଅଗମ୍ୟ ହୋଇପଡ଼ିଥିବ । ନିକଟବର୍ତ୍ତୀ ସେପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ସାହେବ ଓ ଜମିଦାରବାବୁଙ୍କ ଆହାରୋପଯୋଗୀ କିଛି ହେଲେ ମିଳିବ । ମାଂସ ନହେଲେ ଯେ ଅନାହାର ! ଆଜି ପୁଣି ଏତେ ବିପଦ ସହ୍ୟ କରାଯାଇଛି । ସମସ୍ତଙ୍କର ଭାବନା ପଡ଼ିଗଲା । ଜମିଦାରବାବୁଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କଲେହେଁ ସାହେବଙ୍କର ମଧ୍ୟ ଭାବନା ପଡ଼ିଲା । କାରଣ ଶିକାର କରିବାକୁ ଯିବାବେଳେ ଜମିଦାରବାବୁ ଲୋକ ପଠାଇ ମାଂସର ଆୟୋଜନ କରିବାକୁ ଯାଉଥିଲେ । ସାହେବ କିନ୍ତୁ ଶିକାର ନିଶ୍ଚୟ ମିଳିବ କହି ତାଙ୍କୁ ସେସବୁ ଆୟୋଜନରୁ ନିବୃତ୍ତ କରାଇଥିଲେ । କରାଯାଏ କ’ଣ ? ଜମିଦାରବାବୁ ଅଯଥା ବେଠିଆ ଚାକରଗୁଡ଼ାଙ୍କ ଉପରେ କ୍ରୁଦ୍ଧ ହେଲେ ।

 

ଏସବୁ ଦେଖି ସାହେବ ଟିକିଏ ମୁରୁକିହସା ଦେଇ କହିଲେ, ‘Well, let me devise some means of the dinner', (ଆଚ୍ଛା ରାତ୍ରି ଭୋଜନର ଗୋଟାଏ ବ୍ୟବସ୍ଥା କରାଯାଉ ।)

 

ଜମିଦାରବାବୁ ସେହି ହାସ୍ୟର ଉତ୍ତର ହାସ୍ୟରେ ପ୍ରଦାନ କରି କହିଲେ, "Well'

 

ସାହେବ କହିଲେ, ‘Won't you mind spare your hart ? It will make a sumptuous feast and you can have a lot of them from the jungles. Don't you like the idea ?’ (ଆପଣଙ୍କର ହରିଣଟିକୁ ଦେବାକୁ କିଛି ଆପତ୍ତି ଅଛି କି ? ଏହା ବେଶ୍ ସୁନ୍ଦର ଆହାର ହେବ ଏବଂ ଜଙ୍ଗଲରୁ ଆପଣ ସେଥିରୁ ଅନେକ ପାଇପାରିବେ । କିପରି, କଥା ଭଲ ଲାଗୁ ନାହିଁ ?)

 

ଜମିଦାରବାବୁ କ’ଣ ଭାବୁଥିଲେ । ସାହେବଙ୍କ ବାକ୍ୟ ଶେଷ ହେବାର ଦେଖି ହଠାତ୍ ଚମକିପଡ଼ି ଉତ୍ତର କଲେ, ‘Oh yes, it’s a fine idea.’ (ଠିକ୍ କହିଛନ୍ତି ।) ଜମିଦାରବାବୁ ସମ୍ଭ୍ରାନ୍ତ ବନ୍ଧୁ ଓ ଅତିଥିଙ୍କ କଥାରେ ଅମତ ହୋଇପାରିଲେ ନାହିଁ; କିନ୍ତୁ ଜଲି କଥା ଶୁଣି ତାଙ୍କ ହୃଦୟଟା କିପରି ଦପ୍‌କରି ପଡ଼ିଗଲା । ଜଲି ପ୍ରତି ତାଙ୍କର ଟିକିଏ ବିଶେଷ ମମତା ଜନ୍ମିବାର କାରଣ ଅଛି । ଦିନେ ଅନ୍ୟ ଏକ ବିଦେଶୀୟ ବନ୍ଧୁଙ୍କ ସପକ୍ଷରେ ନିଜ ଶିକାରକୌଶଳର ତାରିଫ ଦେଖାଇବାକୁ ଯାଇ ସେ ଜଲିକୁ ପାଇଥିଲେ । ସେତେବେଳେ ତା’ର ମା’ ତାକୁ ସ୍ତନ୍ୟପାନ କରାଉଥିଲା । ଜମିଦାରବାବୁଙ୍କ ଗୁଳି ବସି ମାଆଟି ଢଳିପଡ଼ିଲା, କିନ୍ତୁ ନିର୍ବୋଧ ଶିଶୁ ନିର୍ଭୟରେ ଠିଆ ହୋଇ ରହିଲା । ଜମିଦାରବାବୁଙ୍କ ଲୋକ ଯେତେବେଳେ ତାକୁ ଧରିବାକୁ ଗଲା, ମା’ ନିକଟରେ ଅଛି ବୋଲି ସେ ନିଃଶଙ୍କ ଭାବରେ ଦଣ୍ଡାୟମାନ ରହିଲା । ବିଦେଶୀୟ ବନ୍ଧୁଙ୍କଠାରୁ ଏହି ଶିକାରକୌଶଳରେ ଯଥେଷ୍ଟ ବାହାବା ପାଇଲେହେଁ ଏହି କ୍ଷୁଦ୍ର ଶିଶୁର ନିର୍ବୋଧ ଆଖି ଦିଓଟିକି ଚାହିଁ ତା’ର ମାତୃହନ୍ତା ଜମିଦାରବାବୁଙ୍କର ତା’ ପ୍ରତି ସେହିଦିନୁ ଗୋଟିଏ କିପରି ବାତ୍ସଲ୍ୟ ଓ ଶ୍ରଦ୍ଧା ଜନ୍ମି ଯାଇଥିଲା ।

 

ଜଲିକୁ ହତ୍ୟା କରି ଦିନେ ତା’ର ମାଂସ ଭକ୍ଷଣ କରିବାକୁ ହେବ, ଏ କଥା ସେ କେବେ କଳ୍ପନା କରିପାରି ନଥିଲେ । ବର୍ତ୍ତମାନ ସେହି ପରାମର୍ଶ ଶୁଣି ଜମିଦାରବାବୁଙ୍କ ଶିକାରୀ ଅନ୍ତର ମଧ୍ୟ ଟିକିଏ ଦବିଗଲା । ତାହା ବୋଲି ଏତେ ବଡ଼ ସମ୍ଭ୍ରାନ୍ତ ଅତିଥିଙ୍କୁ କ’ଣ ନାହିଁ କରିଦିଆଯାଇପାରେ ? ଜମିଦାରବାବୁଙ୍କର ସମ୍ମତି ପାଇ ସାହେବ ମହାନନ୍ଦରେ ନିଜେ କାଟିବାକୁ ଉଦ୍ୟତ ହେଲେ । ନିଜ ହାତରେ କିଛିହେଲେ ଶିକାର ନ କଲେ ସେଦିନ ତାଙ୍କ ମନଟା ଭଲ ରହେ ନାହିଁ । ଯୁଦ୍ଧରେ ବହୁତ ଲୋକଙ୍କର ପ୍ରାଣ କ୍ଷୟ କରିଥିଲେ ବୋଲି ତାଙ୍କର ବଡ଼ ସୁଖ୍ୟାତି ଅଛି । ଶୁଣାଯାଏ, କୌଣସି ଦିନ ଶିକାର ନ ମିଳିଲେ ସେହି ଉଦ୍ଦେଶ୍ୟରେ ପାଳିତ କୁକ୍କୁଟ ପ୍ରଭୃତି ଗୋଟାଏ କିଛି ଜୀବ ବଧ କଲେ ତାଙ୍କ ମସ୍ତିସ୍କ ଥଣ୍ଡା ରହେ । ଏହି ଅଭ୍ୟାସକୁ ତାରିଫ କରି ସ୍ତ୍ରୀ କୁଆଡ଼େ ବହୁବାର କହିଥାନ୍ତି ଯେ, ଦିନେ କିଛି ଶିକାର କରିବାକୁ ନ ପାଇ ସାହେବ ନିଜର ବେକ କାଟିବାକୁ ଉଦ୍ୟତ ହେଉଥିଲେ ।

 

ଜଲି ଓ ଡୋରା ଏକ ଅପରର କୋଳରେ ମୁହଁ ଗୁଞ୍ଜିଦେଇ ମହାଆରାମରେ ନିଦ୍ରା ଯାଇଛନ୍ତି । ସେ ସମୟରେ ଅପରିଚିତ କୌଣସି ଲୋକ ଡୋରା ନିକଟକୁ ଯିବାକୁ ସାହସ କରିବା ବଡ଼ ଦୁରୂହ । ବିଶେଷତଃ ଡୋରା ଓ ଜଲି ଏକସଙ୍ଗରେ ଥିବାବେଳେ ଜମିଦାରବାବୁଙ୍କ ମାଧିଆ ଚାକର ବ୍ୟତୀତ ଅନ୍ୟ କାହାରି ସେମାନଙ୍କ ପାଖ ପଶିବାକୁ ଉପାୟ ନାହିଁ । ଜମିଦାରବାବୁଙ୍କ ଇଙ୍ଗିତରେ ଜଲିକୁ ଆଣିବା ଲାଗି ମାଧିଆକୁ ଯିବାକୁ ହେଲା । ତା’ର ପାଦଶବ୍ଦ ଶୁଣି ଡୋରା ଚେଇଁଉଠି ଭୁକିଲା । ମାଧିଆ ଚୁପ୍ କହିବାରୁ ସ୍ଵର ବାରିପାରି ସେ ସ୍ଥିର ହୋଇ ରହିଲା, କିନ୍ତୁ ମାଧିଆ ଯେତେବେଳେ ଜଲିକୁ ଉଠାଇ ତାକୁ ସଙ୍ଗରେ ଆଣିବାକୁ ଗଲା, ସେତେବେଳେ ଡୋରା ତା’ ସହିତ ଆସିବା ଲାଗି ଅସ୍ଥିର ହୋଇଉଠିଲା । ଅଗତ୍ୟା ମାଧିଆକୁ ଜଲି ସଙ୍ଗେ ସଙ୍ଗେ ଡୋରାର ଶିକୁଳି ଧରି ଆଣିବାକୁ ହେଲା ।

 

ଡୋରାର ବୁଦ୍ଧି ଅସମ୍ଭବରୂପେ ପ୍ରଖର ହେଲେହେଁ ସମୟରେ ଜଲିକୁ ତା’ ନିକଟରୁ ଧରିନେବାର କାରଣ ସେ ପ୍ରଥମେ ବୁଝିପାରିଲା ନାହିଁ । ମାଧିଆ ନିଜେ ଡୋରାକୁ ଧରି ଜଲିକୁ ଖାନ୍‌ସମାମାନଙ୍କୁ ଦେଲା । ଡୋରାର ବଡ଼ ସନ୍ଦେହ ହେଲା । ତଥାପି ସେ ତୁନିହୋଇ ଥାଏ । ସାହେବ ସ୍ଵୀୟ ଆତତାୟୀ ପ୍ରକୃତିର ତର୍ପଣ କରିବା ଲାଗି ଉଦ୍ୟତ ହେଲେ । ଛୁରିର ଫଳକ ଆଲୋକପାତରେ ଚକ୍‌ ଚକ୍ ହୋଇଉଠିଲା ।

 

ଖାନ୍‌ସମା ଦୁଇ ଜଣ ଜଲିର ଗୋଡ଼ ବାନ୍ଧି ତାକୁ ସ୍ଥିର କରି ଠିଆ କରାଇଲେ, ଯେପରି ଛୁରି ଚାଲିବା ସମୟରେ ସେ କୌଣସି ରକମ ହଲଚଲ ହୋଇ ସାହେବଙ୍କର ଅସୁବିଧା ନ ଘଟାଏ-। ଜଲିର ଭାବନା କ’ଣ ? ସେ ତା’ର ଜୀବନର ପ୍ରଭୁ ଜମିଦାରବାବୁ ଏବଂ ସକଳ ଦୁଃଖବିପଦରେ ଆବାଲ୍ୟ ପରମବନ୍ଧୁ, ଡୋରାକୁ ଦେଖି ନିର୍ଭୀକ ଭାବରେ ଠିଆ ହୋଇଥାଏ ଏବଂ ପାଦ ଦିଓଟି ବନ୍ଧା ହେବାରୁ ଥରେ ତା’ର ଦୁଃଖସୁଖର ସାଥୀ ଡୋରା ଏବଂ ଥରେ ତା’ର ଆଶୈଶବ ବିଶ୍ଵାସୀ ପ୍ରଭୁଙ୍କ ପ୍ରତି ଦୃଷ୍ଟି ପକାଉଥାଏ । ଜମିଦାରବାବୁ ବନ୍ଧୁଙ୍କ ପତ୍ନୀ ଓ କନ୍ୟାଙ୍କ ନିକଟରେ ଖୁସିଗଳ୍ପରେ ନିମଗ୍ନ ଥାଆନ୍ତି । ତଥାପି ତାଙ୍କ ଭିତରୁ କିଏ କହିଦେଉଥାଏ, ଜଲି ପ୍ରତି ଟିକିଏ ଦୃଷ୍ଟି ପକାଇବାକୁ-। ସେ ଚାହିଁ ନ–ଚାହିଁଲା ହୋଇ ହସଖୁସିରେ ନିମଗ୍ନ ଥାଆନ୍ତି । ତାକୁ ଚାହିଁଲେ ସେ ମନୁଷ୍ୟ ଭାଷାରେ ଯେପରି କିଛି ପ୍ରକାଶ କରିଦେବାକୁ ଯିବା ଏବଂ ସେଥିରେ ସେ ଦୋଷୀ ସାବ୍ୟସ୍ତ ହେବେ, ଆଉ ତାଙ୍କ ସୁନାମରେ ବାଧା ଘଟିବ । ସାହେବଙ୍କ ହାତରେ ଛୁରି ଦେଖି ଡୋରାର ସନ୍ଦେହ କ୍ରମେ ଦୃଢ଼ୀଭୂତ ହେବାକୁ ବସିଲାଣି । ସାହେବ ଛୁରି ପରିଷ୍କାର କରି ଯେତେବେଳେ ଆସନରୁ ଉଠିଲେ, ଜମିଦାରବାବୁଙ୍କ ଦୃଷ୍ଟି ହଠାତ୍ କାହିଁକି ଜଲି ଉପରେ ପଡ଼ିଲା ଏବଂ ତାଙ୍କର ମନେ ହେଲା, ଜଲି ଅନେକକ୍ଷଣ ହେଲା ତାଙ୍କୁ ଏହିପରି କାତର ଦୃଷ୍ଟିରେ ଚାହିଁ ଜୀବନ ଭିକ୍ଷା କରୁଛି । ଜମିଦାରବାବୁ କ’ଣ ଗୋଟାଏ ବାହାନାରେ ଆସନ ଛାଡ଼ି ତମ୍ବୁ ମଧ୍ୟକୁ ଚାଲିଗଲେ-। ଡୋରା କିନ୍ତୁ ଜଲିର ମିନତି ଶୁଣିଲା । ଆବାଲ୍ୟ ଆଶ୍ରୟଦାତା ପ୍ରଭୁଙ୍କଠାରୁ ହତାଶ ଦୃଷ୍ଟି ଫେରାଇ ଜଲି ଯେତେବେଳେ ତା’ର ପ୍ରିୟ ସହଚର ଡୋରାକୁ ଚାହିଁଲା, ଡୋରା ପ୍ରାଣରେ ତାହା ବାଜିଲା-। ସାହେବଙ୍କ ହାତରେ ନୃଶଂସ ଛୁରିକା ଦେଖି ଡୋରାର ଆଉ ବୁଝିବାକୁ ବାକି ରହିଲା ନାହିଁ-। ଏହି ସ୍ଥଳରେ ସେ କେତେ ଛେଳି, ହରିଣ କଟାଯାଇଥିବାର ନିଜେ ଦେଖିଛି । ତା’ର ପ୍ରାଣ–ପ୍ରିୟ ଜଲିର ଦଶା ତାହାହିଁ ହେବ, ଏଥିରେ ଆଉ ତା’ର ସନ୍ଦେହ ନାହିଁ ।

 

ସାହେବ ଯେତେବେଳେ ଛୁରି ଧରି ଓହ୍ଲାଇ ଆସିଲେ, ତତ୍‌କ୍ଷଣାତ୍‌ ଡୋରା ଗୋଟାଏ ଝିଙ୍କାରେ ମାଧିଆ ହାତରୁ ମୁକ୍ତି ପାଇ ସଙ୍ଗେ ସଙ୍ଗେ ଜଲିକୁ ଧରିଥିବା ଜଣେ ଖାନ୍‌ସମାକୁ ଆଘାତ କଲା । ସାହେବ, ଚାକର, ଖାନ୍‌ସମା ପ୍ରଭୃତି ଇତସ୍ତତଃ ହୋଇ ଦ୍ରୁତଗତିରେ ତମ୍ବୁ ମଧ୍ୟରେ ପ୍ରବେଶ କଲେ । ଜମିଦାରବାବୁ ତମ୍ବୁ ମଧ୍ୟରେ ଅନ୍ୟମନସ୍କ ଥିଲେ । ସାହେବଙ୍କର ଏ ଦୁର୍ଦ୍ଦଶା ଦେଖି ସଙ୍ଗେ ସଙ୍ଗେ ତାଙ୍କୁ କ୍ଷମା ମାଗିଲେ ଏବଂ ମାଧିଆ ଉପରେ କ୍ରୋଧରେ ଜଳି ଉଠିଲେ । ତଥାପି ଅନ୍ତରର କି ଗୋଟାଏ ଅବ୍ୟକ୍ତ ବ୍ୟଥା ତାଙ୍କ କଥାରୁ ସୁସ୍ପଷ୍ଟ ପ୍ରକାଶ ପାଉଥିଲା ।

 

ମାଧିଆ ଅତି କଷ୍ଟରେ ନିଜେ ଡୋରାଦ୍ଵାରା ଆଘାତପ୍ରାପ୍ତ ହୋଇ ଗୋଟାଏ ଗଛରେ ନେଇ ତାକୁ ଉତ୍ତମରୂପେ ବାନ୍ଧିଦେଲା । ସାହେବ ହସି ହସି ଛୁରି ହାତରେ ପୁନଶ୍ଚ ତମ୍ବୁ ମଧ୍ୟରୁ ବାହାରିଲେ । କୌତୁକ କରିବା ଛଳରେ ଆବଦ୍ଧ ଡୋରାକୁ ଛୁରି ଦେଖାଇ ଜଲି ଅଭିମୁଖରେ ଚାଲିଲେ । ଜମିଦାରବାବୁ ଦେଖିଲେ, ଜଲି ପୂର୍ବପରି ସେହି କାତର ଦୃଷ୍ଟିରେ ତାଙ୍କପ୍ରତି ଚାହିଁ ସାହାଯ୍ୟ ଭିକ୍ଷା କରୁଛି । ସେ ହଠାତ୍ ଉଠିପଡ଼ି ସାହେବ ବନ୍ଧୁଙ୍କୁ କ’ଣ କହିବାକୁ ଯାଉଥିଲେ, “ଇସ୍, ମୁଁ କ’ଣ ପାଗଳ” କହି ପୁଣି ଆସନ ଗ୍ରହଣ କଲେ । ସେ ସ୍ଥାନରୁ ଉଠି ଦୂରକୁ ଯିବାକୁ ତାଙ୍କର ଇଚ୍ଛା ହେଉଥିଲେହେଁ ସାହେବ କିଛି ମନେକରିପାରନ୍ତି, ଏହି ଆଶଙ୍କାରେ ସେ ଚେଷ୍ଟାରୁ କ୍ଷାନ୍ତ ହେଲେ । ସାହେବ ଜଲି ନିକଟକୁ ଆସିବାର ଦେଖି ଜମିଦାରବାବୁ ରୁମାଲ କାଢ଼ି ମୁହଁ ଘୋଡ଼ାଇଲେ । ଡୋରାର ଭୀତବ୍ୟାକୁଳ କ୍ରନ୍ଦନ ତାଙ୍କ କଣ୍ଠରେ ପ୍ରବେଶ କରୁଥାଏ । ତାହାରି ମଧ୍ୟରେ ଶୁଣିପାରିଲେ, ଗୋଟିଏ ରୁଦ୍ଧକଣ୍ଠର ବିଳାପ । ସେ କେବଳ କର୍ଣ୍ଣରେ ନୁହେଁ, ମର୍ମସ୍ଥଳୀରେ ପ୍ରବେଶ କଲା । ସେ ସ୍ଵର ଜଲିର । ରୁମାଲ କାଢ଼ି ଚାହିଁଲେ, ଶେଷ !

 

ଖାନାଟେବୁଲରେ ବସି ବସି ଜଲିର ମାଂସ ଭକ୍ଷଣ କଲାବେଳେ ଜମିଦାରବାବୁଙ୍କ ଅନ୍ତରାତ୍ମା ନାହିଁ ନାହିଁ କରି ଉଠିଲା । ସେ ପ୍ରାଣପଣେ ଚେଷ୍ଟା କରି ବନ୍ଧୁମାନଙ୍କ ସଙ୍ଗରେ ଯୋଗଦେଲେ । ବଡ଼ କଷ୍ଟରେ ଯତ୍‌ସାମାନ୍ୟ ଆହାର କଲେ । ଭିତରର କି ଗୋଟାଏ ଅବ୍ୟକ୍ତ ବ୍ୟଥାରେ ପ୍ରାଣ ଆକୁଳ ହୋଇଉଠିଲା । ରକ୍ଷା ଏତିକି, ଅତିଥିମାନଙ୍କ ମଧ୍ୟରୁ କେହି ତାହା ଲକ୍ଷ୍ୟ କରିପାରି ନଥିଲେ । ଶୋଇବାକୁ ଯିବାବେଳେ ମାଧିଆ ଆସି ଖବର ଦେଲା, ଡୋରାକୁ ମାଂସ ଆଦି ଯେତେ ଯାହା ଦିଆଗଲା, ସେ ତାହା ସ୍ପର୍ଶ କଲା ନାହିଁ ।

 

ଜମିଦାରବାବୁ ଅନ୍ୟମନସ୍କ ହୋଇ ଶୟନକକ୍ଷକୁ ଗଲେ । ନିଦ୍ରା ଆସୁ ନଥାଏ, ବିଛଣାରେ ପଡ଼ି କେତେକଅଣ ଭାବୁଥାନ୍ତି । ଏ ଜଙ୍ଗଲ ସେ ଜଙ୍ଗଲ ବୁଲୁଛନ୍ତି, ହଠାତ୍ ମେଘର ଆକ୍ରମଣ ଓ ଚତୁର୍ଦ୍ଦିଗ ଅନ୍ଧକାରାଚ୍ଛନ୍ନ–ପୁଣି ସେହି ମଧ୍ୟାହ୍ନ ସମୟ, ଗୁଳି ଖାଇ ମାଆଟି ତା’ର ଭୂତଳଶାୟୀ ହେଲା, ଆଉ ନିର୍ବୋଧ ଶିଶୁ ଅବାକ୍ ହୋଇ ଅନାଇଁ ରହିଲା, ଟିକିଏ ହଲଚଲ ନାହିଁ, ସ୍ୱେଚ୍ଛାରେ ଆତ୍ମସମର୍ପଣ କଲା । ପୁଣି ସେହି ଘନ ଅନ୍ଧକାର–ଦୁଇ ବନ୍ଧୁ ସ୍କନ୍ଧରେ ସଙ୍ଗିନ୍ ରଖି ତମ୍ବୁ ଅଭିମୁଖରେ–ଛୁରି ଧରି ସାହେବଙ୍କର ନୃଶଂସ ହାସ୍ୟ, ଆଉ ସେ ହରିଣ ଶିଶୁଟିର କରୁଣ ଦୃଷ୍ଟିରେ ଜୀବନ ଭିକ୍ଷା ଏବଂ ମନୁଷ୍ୟ ଭାଷାରେ ବାକ୍ୟ ଉଚ୍ଚାରଣ–‘ମୁଁ ପରା ମୋ ମା’କୁ ଛାଡ଼ି ତୁମକୁ ଆଶ୍ରୟ କରି ଧରିଥିଲି ?’ ଜମିଦାରବାବୁ ଚମକିଉଠି ଭାବିଲେ, ଏ ସ୍ଵପ୍ନ । ପୁଣି ନିଦ ଆସିଲା, ପୁଣି ସେହି କାକୁତିଭରା ଚାହାଣି, ପୁଣି ସେହି ମର୍ମବିଦାରକ ବିଳାପ । ଥରକୁଥର ନିଦ ଭାଙ୍ଗିଯାଏ, କିନ୍ତୁ ସେହି ଏକ ସ୍ଵପ୍ନ ।

 

ପ୍ରଭାତରୁ ଉଠି ଫେରିଯିବାର ବନ୍ଦୋବସ୍ତ କରାଗଲା । ମଟରରେ ବନ୍ଧୁ ଓ ବନ୍ଧୁ ପରିବାରଙ୍କ ସହିତ ଜମିଦାରବାବୁ ଆଗ ଚାଲିଗଲେ । ହସଖୁସିରେ ମନଟାକୁ ଭୁଲାଇବାର ଯେତେ ଚେଷ୍ଟା କଲେ ମଧ୍ୟ ଜମିଦାରବାବୁଙ୍କ ଅନ୍ତରରେ ହରିଣ ଶିଶୁର ସେହି ରୁଦ୍ଧ କ୍ରନ୍ଦନର ବିରାମ ନାହିଁ । ବନ୍ଧୁ ପରିବାର ସେହି ଦିନ ବିଦାୟ ଘେନି ଚାଲିଗଲେ ।

 

ମାଧିଆ ଡୋରାକୁ ଟାଣି ଟାଣି ବହୁ କଷ୍ଟରେ ଧଇଁସଇଁ ହୋଇ ଆସି ପହଞ୍ଚିଲା ଏବଂ ବାବୁଙ୍କୁ କହିଲା, ଡୋରା ସେ ସ୍ଥଳରୁ ଆସିବାକୁ ଏକାବେଳକେ ଅମଙ୍ଗ । ଜମିଦାରବାବୁ ସେତେବେଳେ ଏକାକୀ ବସି ମନେମନେ କ’ଣ ଭାବୁଥିଲେ । ମାଧିଆ ଆଉ କିଛି ନ କହି ଚୁପ୍‌ ହୋଇ ଚାଲିଗଲା । ସେତେବେଳକୁ ଜମିଦାରବାବୁଙ୍କର ପ୍ରବଳ ଆତ୍ମଗ୍ଳାନି ଉପସ୍ଥିତ । ବଡ଼ ସଂଯମରେ ସେ ନିଜକୁ ସ୍ଥିର କରି ରଖିଛନ୍ତି । ନହେଲେ ଲୋକମାନେ ତାଙ୍କୁ ପାଗଳ ବୋଲି ଭାବି ସାରନ୍ତେଣି । ଏହି ଜ୍ଞାନଶୂନ୍ୟ କୁକୁରଟାର ପାଦ ତଳେ ପଡ଼ି କ୍ଷମା ଭିକ୍ଷା କରିବାଲାଗି ତାଙ୍କ ପ୍ରାଣ ଭିତରୁ ଯେପରି କିଏ ବାଧ୍ୟ କରୁଛି । କାରଣ ସେ ନିଜକୁ ତା’ଠାରୁ ବହୁ ନିମ୍ନରେ ଦେଖୁଛନ୍ତି । “କାହିଁ ମାଂସାଶୀ କୁକୁରଟାଠାରୁ କ’ଣ ମୋ ଅନ୍ତର ଏତେଦୂର ନୃଶଂସ ! ଛିଃ, ଛିଃ, ସଂସାରଟାରେ କ’ଣ କେବଳ ସବଳ ଦୁର୍ବଳକୁ ଅଧୀନ ରଖି ଆତ୍ମସାତ୍‌ କରି, ଉଦରସାତ୍‌ କରି ଜୀବନଧାରଣ କରିବାକୁ ଜାତ ହୋଇଛି ? ଜଣେ ବଞ୍ଚିବ ବୋଲି ଆଉ ଜଣକର ମୃତ୍ୟୁ ଏକାନ୍ତ ଆବଶ୍ୟକ ! ମନୁଷ୍ୟ ଯେ ବିଶ୍ଵଗ୍ରାସ କରିବାକୁ ବସିଛି, ଏହାର ଯୁକ୍ତି କ’ଣ ନା, ସେ ସବୁ ଜୀବଠାରୁ ବୁଦ୍ଧିମାନ୍‌ ଓ ବିବେକବାନ୍‌-!’’ ସତ୍ୟ ସତ୍ୟ, ଜମିଦାରବାବୁଙ୍କର ଭୀଷଣ ବିରାଗ ଓ ବିକାର ଜାତ ହେଲା । ଯେଉଁ ଜିହ୍ଵା ଜଲିର ମାଂସସ୍ଵାଦ ପରୀକ୍ଷା କରିଥିଲା, ତାହା କିପରି ଅବଶ ହୋଇଆସିଥିଲା । ଜଲିର କଲିଜା ଯେଉଁ ଗଳା ମଧ୍ୟରେ ଯାଇଥିଲା, ତାହା ସଙ୍କୁଚିତ ହୋଇ କିପରି ରୁଦ୍ଧ ହୋଇଆସିଲା । ଜମିଦାରବାବୁ ମନେକଲେ, ସେ ଗଳା ଯଦି ଚିରଦିନ ପାଇଁ ରୁଦ୍ଧ ହୁଏ ଏବଂ ସେ ଜିହ୍ଵା ଯଦି ଅବଶ ହୋଇ ଛିନ୍ନ ହୋଇପଡ଼େ, ତେବେ ତାଙ୍କର ମର୍ମନ୍ତୁଦ ଯାତନାର ଟିକିଏ ଅବା ଉପଶମ ହୋଇପାରନ୍ତା ।

 

ଏହି ସମୟରେ ପଛରୁ କିଏ ଡାକିଲା, ‘‘ଜଲି କାଇଁ ?” ଜମିଦାରବାବୁ ଫେରି ଚାହିଁ ଦେଖିଲେ, ତାଙ୍କର ସେହି ଚାରିବର୍ଷର ଶିଶୁ କନ୍ୟାକୁ । ସେ ଉତ୍ତର କିଛି ନ ପାଇ ତତ୍‌କ୍ଷଣାତ୍‌ ଉଠିଯାଇ କନ୍ୟାକୁ ନିଜର ଉତ୍ତପ୍ତ ବକ୍ଷରେ ଚାପିଧରି କହିଲେ, ‘‘ଅଛି ମା’, ଅଛି ।” ସେ କଥାରେ କର୍ଣ୍ଣପାତ ନ କରି ମୁହଁ ଫୁଲାଇ, ଆଖି ଛଳଛଳ କରି କହିଲା, “ମିଛ କଥା, ମାଧିଆ କହିଲା, ସେ ସାହେବ ତାକୁ ମାଲିଚି, ମୁଁ ସେ ସାହେବକୁ ମାଲିବି ।” କନ୍ୟାର ରାଗ ଓ ଅଭିମାନ ଦେଖି ଜମିଦାରବାବୁଙ୍କ ଚକ୍ଷୁରୁ ଲୋତକ ବର୍ଷିବାକୁ ଲାଗିଲା । ସେ ତାହା କନ୍ୟା ନିକଟରୁ ଲୁଚାଇବାକୁ ଯାଇ ଧାଈହାତରେ କନ୍ୟାକୁ ଦେଇ ଚାଲିଗଲେ ଏବଂ ହୃଦୟର ଆବେଗ ଅସହ୍ୟ ହେବାରୁ ବିଛଣାରେ ପଡ଼ି ଭୋ–ଭୋ କାନ୍ଦିବାକୁ ଲାଗିଲେ; କିନ୍ତୁ କନ୍ୟାର ସେହି ପ୍ରଶ୍ନ “ଜଲି କାଇଁ” ତାଙ୍କର ବାରମ୍ବାର ମନେପଡ଼ିଲା । ସେ ନିଜକୁ ସେହି ପ୍ରଶ୍ନ କରି ସ୍ଵୀୟ ଅଙ୍ଗପ୍ରତ୍ୟଙ୍ଗକୁ ଚାହିଁଲେ । ହରିଣ ଶାବକର ପ୍ରତ୍ୟେକ ଖଣ୍ଡ ଭୁକ୍ତମାଂସର କ୍ରନ୍ଦନ ତାଙ୍କର ପ୍ରତ୍ୟେକ ଲୋମକୂପରୁ ଫୁଟି ବାହାରିବାର ସେ ଶୁଣିଲେ । ତାଙ୍କର ପ୍ରତ୍ୟେକ ଶିରାରେ ଏ କ୍ରନ୍ଦନ ବିଜୁଳି ଗତିରେ ଚମକିବାକୁ ଲାଗିଲା । ଜମିଦାରବାବୁ ରୁଗ୍‌ଣ ହୋଇପଡ଼ିଲେ–ଦୁଇ ସପ୍ତାହ ଜ୍ଵର ଓ ଅନାହାର । ସମସ୍ତେ ଭାବିଲେ, ଜମିଦାରବାବୁ ଏ ଘାଟି ପାର ପାଇବେ ନାହିଁ କିନ୍ତୁ ସେ ସୁସ୍ଥ ହେଲେ, ଅଥଚ ନୂଆ ଲୋକ ହୋଇ । ସାହେବଙ୍କ ଉପାସେ ଅତିଥିଶାଳା ଦରିଦ୍ରମାନଙ୍କ ପାଇଁ ପାନ୍ଥନିବାସରେ ପରିଣତ ହେଲା । ଉଆସରେ ଆମିଷ ପ୍ରବେଶ ନଷିଦ୍ଧ ହେଲା ଏବଂ ଜମିଦାରୀ ମଧ୍ୟରେ କେହି ଶିକାର କିମ୍ବା ବଧ କରିପାରିବେ ନାହିଁ ବୋଲି ହୁକୁମ ଜାରି ହୋଇଗଲା ।

 

ଡୋରା କୌଣସିମତେ ଆହାର କଲା ନାହିଁ । ଦିନମାନ ନିରାହାରରେ ପଡ଼ି ରହିଲା ଏବଂ ଜମିଦାରବାବୁଙ୍କ ପ୍ରଥମ ଅସୁସ୍ଥତା ଦିନ କୌଣସିମତେ ମୁକ୍ତି ପାଇ ଖସି ଚାଲିଗଲା । ମାଧିଆ ଖୋଜି ଖୋଜି ତାକୁ ସେହି ତମ୍ବୁ ପଡ଼ିଥିବା ଜାଗାରେ ଜଲିର ବଧଭୂମିକୁ ଆଘ୍ରାଣ କରୁଥିବାର ଦେଖିଲା । ଏହିଠାରେ ସେ ତା’ର ପ୍ରିୟ ସଖାକୁ ହରାଇଛି–କୌଣସିମତେ ଯେବେ ସନ୍ଧାନ ପାଏ ! ସେଥିଲାଗି କରୁଣ ବିଳାପ କରି ସେ ତାକୁ ଖୋଜି ବୁଲୁଛି । ମାଧିଆ ତାକୁ ଧରିଆଣିଲା । ଯେତେ ଯତ୍ନ କରାଗଲା, ସମସ୍ତ ବିଫଳ ହେଲା । ପୁଣି ଦିନେ କିପରି ସେ ଅଦୃଶ୍ୟ ହୋଇଗଲା । ଆଉ ଯେତେ ଯହିଁ ଖୋଜିଲେ ମିଳିଲା ନାହିଁ । କେହି କେହି କହନ୍ତି, ସେ ସେହି ତମ୍ବୁ ପଡ଼ିଥିବା ଦିଗରେ ଯାଇଛି । କାଠୁରିଆମାନେ କହନ୍ତି, ନିବିଡ଼ ଜଙ୍ଗଲ ମଧ୍ୟରେ କାଠ କାଟିଲାବେଳେ ସେମାନେ ବହୁବାର ରୁଦ୍ଧ ପଶୁକଣ୍ଠର ଗୋଟିଏ କରୁଣ ଆର୍ତ୍ତ ବିଳାପ ଶୁଣିପାରନ୍ତି । ସେ କିନ୍ତୁ ଜଲିର ନା ଡୋରାର ?

☆☆☆

 

ମଶାଣିର ଫୁଲ

ସଚ୍ଚିଦାନନ୍ଦ ରାଉତରାୟ

 

ପୋଡ଼ାବସନ୍ତ ଶାସନର ଜଗୁ ତିଆଡ଼ି କୀର୍ତ୍ତନ କରେ, ମୃଦଙ୍ଗ ବଜାଏ, ଗଞ୍ଜାଇ ଖାଏ, ଆଉ ମୁର୍ଦ୍ଦାର ପୋଡ଼େ । ଭଲ ମଡ଼ାଚଣ୍ଡିଆ ଭାବରେ ସେ ଖଣ୍ଡମଣ୍ଡଳରେ ଜଗୁର ବେଶ୍‌ ଗୋଟାଏ ନାଆଁବି ଅଛି ।

 

ମୁର୍ଦ୍ଦାରଟା ଯେବେ ଜୁଇ ନିଆଁ ଉପରେ ସେଁ ସେଁ କରେ କି ତା’ର ଗୋଡ଼ ନିଆଁ ସେକରେ ସେଡ଼େଙ୍ଗା ହୋଇ ଉପରକୁ ବାହାରି ପଡ଼େ କିମ୍ବା ପେଟ ଭିତର ଅନ୍ତବୁଜୁଳାଗୁଡ଼ାକରୁ ପାଣି ନିଗିଡ଼ି ନିଆଁ ଧରେ ନାଇଁ, ତେବେ ଅନ୍ୟ ମାଲଭାଇମାନେ ଜଗୁ ତିଆଡ଼ି ମୁହଁକୁ ଅନାନ୍ତି, ତା’ର ପରାମର୍ଶ ଲୋଡ଼ନ୍ତି ।

 

ଗଞ୍ଜେଇ ନିଶାରେ ଟିକିଏ ବେହୁସିଆର ହୋଇ ଜଗୁ ହୁଏତ ମଶାଣିପଦାରେ ଖଣ୍ଡେ ଦୂରରେ ବସି ଢୁଳାଉଥାଏ । ସେ ଧଡ଼ପଡ଼ ହୋଇ ଉଠିପଡ଼ି ଆ ହୁଏ, ତା’ପରେ କୋକେଇ ଭିତରୁ ଗୋଟାଏ ତିନିହାତିଆ ବାଉଁଶ ଓଟାରି ଆଣି ‘ମାର–ମାର’ କହି ମୁର୍ଦ୍ଦାର ଉପରେ ବସାଇଦିଏ ତିନି ଚାରିଟା ପାହାର ।

 

ମୁର୍ଦ୍ଦାର ମୁଣ୍ଡଟା ହୁଏତ ଚୂନା ଚୂନା ହୋଇଯାଏ.....ଦହି ବାହାରିପଡ଼ି ଖଣ୍ଡେ ଚଉଡ଼ାରେ ନିଆଁ ନିଭିଯାଏ । ଅମାନିଆ ଗୋଡ଼ଟା ଠେଙ୍ଗା ମାଡ଼ରେ ଆଣ୍ଠୁଠୁ ଭାଙ୍ଗିପଡ଼ି ଲୋଟେ ତଳେ କାଠ ସନ୍ଧିରେ । ପେଟଟା ଫାଟି ହୋଇଯାଏ ଦିଫାଳ, ଅନ୍ତନାଡ଼ି ଭିତରେ ନିଆଁର ଲହଲହ ଜିଭ ଚାଉଁ ଚାଉଁ ଖେଳିଯାଏ । ଆଖି ପିଛୁଳାକରେ ସବୁ ଜଳିପୋଡ଼ି ହୋଇଯାଏ ପାଉଁଶ ।

 

ଆଣ୍ଠୁଏ ପାଉଁଶ, କୁଲା, ଛାଞ୍ଚୁଣି, ହାଣ୍ଡି, ଖପରା, ଛିଣ୍ଡା କତରା–ସନ୍ତସନ୍ତିଆ ମଶାଣିପଦା-। ନଖ, ବାଳ, ଟିକି ଟିକି ହାଡ଼, ଅଲରା ବଲରା ଅସନା !!

 

ଜଗୁ ତିଆଡ଼ି ଖୁସି ହୋଇ ଫେରିଆସେ । ପୋଖରୀ ତୁଠରେ ତେଲ ଲଗାଉ ଲଗାଉ ଜଙ୍ଘ ଉପରେ ଚାପୁଡ଼ା ମାରି ଆରାମରେ କହେ, ‘‘ଦିଅଁଙ୍କ କୃପାରୁ କାମଟା ସୁରୁଖୁରୁରେ ବଢ଼ିଗଲା-।”

 

ଗାଁରେ ଯେତେବେଳେ ଝାଡ଼ାବାନ୍ତି ବ୍ୟାପେ.....ଠାକୁରାଣୀ ପଡ଼ନ୍ତି.....ମଢ଼ କୁଢ଼କୁଢ଼ ହୁଏ, ଜଗୁ ତିଆଡ଼ିର ଖାତିର ସେତେବେଳେ ଗାଁରେ ଭାରି ବଢ଼ିଯାଏ । ସମସ୍ତେ ଆସି ତାକୁ ଖୁସାମତ କରନ୍ତି । । କିଏ ଆଖିରୁ ଲୁହ ଗଡ଼ାଏ, କିଏ ଖୋସଣିରୁ ପଇସା ବାହାର କରେ, କିଏବା ହାତଓଠ ଧରି ‘ବାପଲୋ, ଧନଲୋ’ କରେ । ଜଗୁ ତିଆଡ଼ି ବଡ଼ ଗମ୍ଭୀର ହୋଇ ସଭିଙ୍କ ନେଉରା କଥା ଶୁଣେ, କିନ୍ତୁ ହଠାତ୍ କିଛି କହେ ନାଇଁ ।

 

“କାଲି ରାତିଠୁଁ ଘର ଭିତରେ ମଡ଼ା ପଡ଼ି ଗନ୍ଧେଇଗଲାଣି ।”

 

“ଭୁଆସୁଣୀ ବୋହୂଟା ଦୁଇ ଦିନ ହେଲା ଘରକଣରେ ମରି ସଢ଼ୁଚି...।”

 

ଏହିପରି ନାନା ଭଳିର ଅଳି ଅଜଟ ଜଗୁ ପାଖରେ ଆସି ପହଞ୍ଚେ ।

 

ଜଗୁ ତା’ର ପାଉଣାପତ୍ର ବିଷୟରେ ଜମା କାହାରି ଉପ୍ରୋଧ ରଖେ ନାଇଁ ଭରିଏ ଗଞ୍ଜେଇ, ଟେଳାଏ ଅଫିମ, ଚାରି ଅଣା ଅଣ୍ଟା ଖୋଷା ନହେଲେ ସେ କୁଆଡ଼କୁ ଚଙ୍କିବ ନାହିଁ । ଏହାଛଡ଼ା କଷାଭାତ, ତୁଠଲୁଗା, ଦଶଘର ନିମିତ ଉପୁରି ଲାଭ ରହିଚି ।

 

ସଧବା ସ୍ତିରିଲା ମଡ଼ା ହେଲେ ଜଗୁର ଟିକିଏ ଲାଭ ବେଶୀ । ଥିଲାଘରୁ ହୋଇଥିଲେ କାନର ନୋଳିଟା, ମଲକଡ଼ିଟା କିମ୍ବା ନାକର ଗୁଣାଟା ଆଉ ନଥିଲା ଘର ହୋଇଥିଲେ ଗୋଡ଼ ଆଙ୍ଗୁଠିର ରୁପାମୁଦିଟା ଜଗୁକୁ ଭାଇ–ଦକ୍ଷିଣା ମିଳେ । ମୁର୍ଦ୍ଦାରଟାକୁ ନିଆଁରେ ଚଢ଼ାଇବା ଆଗରୁ ସେ ତା’ ଦିହଟାକୁ ଖିନିଭିନି କରି ପରଖି ନେଇ କେଉଁଠି ଅଳଙ୍କାରପତ୍ର କିଛି ଅଛି କି ନାଇଁ ଦେଖେ, ଥିଲେ କାଢ଼ି ରଖେ । ବେଳେବେଳେ ମଡ଼ା ଦେହରୁ ନୋଳି, ମଲକଡ଼ି କି ଗୁଣା ବସଣି ସହଜରେ ନ ବାହାରିଲେ ଜଗୁତିଆଡ଼ି ବିରକ୍ତ ହୋଇ ଦାନ୍ତକାମୁଡ଼ି ବହୁତ ଝିଙ୍କା ଓଟରା କରି ଅଳଙ୍କାରଗୁଡ଼ାକ ମୁର୍ଦ୍ଦାରର ନାକରୁ, କାନରୁ ଛିଡ଼ାଇ ଆଣେ । ନାକଦଣ୍ଡି ଛିଣ୍ଡିଯାଏ, କାନଟା ଖଣ୍ଡିଆ ହୋଇଯାଏ; ନେଳିଆ ନେଳିଆ ରକ୍ତ ବୋହିଆସି ଶବଟା ମୁହଁଯାକ ସାଲୁବାଲୁ ହୋଇଯାଏ; କିନ୍ତୁ ଜଗୁ ତିଆଡ଼ିର ସେଥିପ୍ରତି ଖାତିର ନଥାଏ । ଏଇଟା ତା’ର ନିତିଦିନିଆ ଦେହଘଷିଆ କାମ, ଏକପ୍ରକାର ଉପରି ବୃତ୍ତି । ଇମିତି କରି କରି ସେ ପଥର ପାଲଟି ଯାଇଚି ।

 

ପୋଖତି ମୁର୍ଦ୍ଦାର ମିଳିଲେ ଜଗୁ ତିଆଡ଼ି ଧୋବଲ ଚକିଟିଏ ଅଣ୍ଟାରେ ନ ଖୋଷିଲେ କାନ୍ଧକୁ କୋକେଇ ଉଠାଇବ ନାଇଁ । ତା’ ପାଉଣାରୁ ଟିକିଏ ଏପାଖ ସେପାଖ ହେଲେ ସେ ବାସିମଡ଼ା କରିଦେବ ବୋଲି ଧମକ ଦିଏ.....ଅନ୍ୟ ମାଲଭାଇମାନଙ୍କୁ ଶିଖେଇ ମତେଇ ମେଳିବାନ୍ଧି ଅଡ଼ି ବସେ ।

 

ଟଙ୍କାଟାଏ ମିଳିଲେ ଅନ୍ୟ ଡେଙ୍ଗୁରାରୁ ତାଳେ ତାଳେ ପାଦ ପକାଇ “ରାମ ନାମ ସତ୍ୟହେ” ପାଟି କରି ଜଗୁ ତିଆଡ଼ି ବଡ଼ ପତିଆରାରେ ଦାଣ୍ଡ ମଝିରେ ପାହୁଲ ପକାଇ ଚାଲେ । ତା’ର ମୁଗୁନି ପଥର ପରି କଳା ଦିହରେ ଧଳା ପଇତା ଖିଅକ ଦୂରରୁ ଜକଜକ ଦିଶୁଥାଏ... ।

 

ତା’ର ବଡ଼ପାଟିରେ ଗାଁସାରା ଉଛୁଳି ପଡ଼େ । ସାହିଯାକର ମରଦ ମାଇପେ ଆସି ଦାଣ୍ଡରେ ଗଦା ହୋଇଯାନ୍ତି । ସାନ ସାନ ପିଲାଗୁଡ଼ାକ ଡର ଭୟରେ ଯାଇ ଲୁଚନ୍ତି ଘରେ ।

 

ମଶାଣିରେ ଧୋବାଏ ନହୁରୁଣୀରେ ଗର୍ଭିଣୀ ମାଇପିର ପେଟ ଫାଡ଼ି ପିଲାଟାକୁ ବାହାର କରିଦେଲେ ଜଗୁ ତିଆଡ଼ି ଦୁଇଟା ଚୁଲି ଖୋଳି ମା’ ପିଲା ଦିହିଁଙ୍କି ଚିତ୍‌ପଟାଙ୍ଗ୍‌ କରି ଶୁଆଇଦିଏ । କେବେକେବେ ପୁଣି ଗୋଟାଏ ଜୁଇରେ ଦୁହେଁ ଲଗାଲଗି କରି ଏକାଠି ଶୁଆଇଦେଇ ନିଆଁ ଲଗାଇ ଦିଏ । ଗୋଟାକରେ ଜାଗା ନହେଲେ କେଞ୍ଚଣାକାଠି ଖଣ୍ଡକରେ ସେ ପିଲାଟାକୁ ଲୋଚାକୋଚା କରି ମାଉଁସ ପିଣ୍ଡୁଳାଏ ପରି ଜଳନ୍ତା କାଠ ସନ୍ଧିରେ ଫୋପାଡ଼ିଦିଏ ।

 

ଏହିପରି ଭାବରେ ଜଗୁ ତିଆଡ଼ି ଅମଳ ହେଉଥିବା ଧାନ କେତେ ଭରଣ ବାଦ ବେଳେବେଳେ ଉପୁରି ଦିପଇସା ରୋଜଗାର କରି ନିଜେ ଚଳେ, ଘର ଚଳାଏ, ଦବାନବା, ବାହା ବେଭାର କରେ ।

 

କେହି ତାକୁ ମୁହଁ ଫିଟାଇ କିଛି କରିପାରନ୍ତି ନାଇଁ । ସେ ଗାଁରେ ଜଗୁ ଛଡ଼ା ଅନ୍ୟ ପୋଖତ ଜାଣିଲାବାଲା ବ୍ରାହ୍ମଣ ମାଲଭାଇ ଆଉ କେହି ନାହାନ୍ତି ।

 

କେହି ଜଗୁର ପାଉଣା କମାଇବାକୁ ବସିଲେ ଜଗୁ ନିଜର କୃତିତ୍ଵ ତୁଳନାରେ ସେ ଦାବି କରୁଥିବା ପାଉଣା କିଛି ନୁହେଁ ବୋଲି ନାନାପ୍ରକାର ଯୁକ୍ତି ଦେଖାଏ । ନିଜର ପତିଆରା ଦେଖାଇବାକୁ ଯାଇ ସେ ଅତୀତର ନାନା ଘଟଣାର ପୁନରାବୃତ୍ତି କରି ପ୍ରମାଣ କରେ ଯେ, ତା’ ଭଳି ମୁର୍ଦ୍ଦାରପୋଡ଼ିବା ଲୋକ ଏ ଜଗତରେ ଦୁଇ ଜଣ ନାହାନ୍ତି । ସେ ଭାରି ଗର୍ବ ଅନୁଭବ କରେ ।

 

ଗତସାଲେ ନରସିଂହ ମିଶ୍ରଙ୍କ ଭାରିଯାକୁ କିମିତି ଢୁ ଢୁ ଅଚାନକ ମେଘ ବର୍ଷାରେ ପୋଡ଼ି ଦେଇ ଅଇଲା, ଅଇଲାବେଳେ ସାତଗଛିଆ ତୋଟାମୁଣ୍ଡରେ କିମିତି ଗୋଟାଏ ବେକ କଟା ମାଦଳ ହାବୁଡ଼ରେ ପଡ଼ିଲା, ତା’ପରେ ପୁଷୁମାସିଆ ଶୀତଦିନ ରାତିରେ କିମିତି ଜଳଓଦରି ବେମାରିରେ ମରିଥିବା ନାଥ ବ୍ରହ୍ମାଙ୍କୁ ପୋଡ଼ିଲାବେଳେ ମୁର୍ଦ୍ଦାର ପେଟରୁ ଦୁଇମାଠିଆ ପାଣି ବାହାରି ଆସି ଜୁଇ ନିଆଁ ଲିଭାଇ ଦେଲା, ଜଗୁ ପୁଣି କିମିତି କୌଶଳ କରି ଏଡ଼େ ବଡ଼ ଅସାଧ୍ୟ ମଡ଼ାକୁ ପୋଡ଼ି ପାରିଲା, ଏହି ସବୁ ପୁରୁଣା କାହାଣୀଗୁଡ଼ାକ ବଡ଼ ଦକ୍ଷଭାବରେ ସେ ବର୍ଣ୍ଣନା କରିଯାଏ ।

 

ଜଗୁ ତିଆଡ଼ିର ଅଭିଜ୍ଞତା ଓ ମୁର୍ଦ୍ଦାର ଡାହା ବିଦ୍ୟାର ଅଗାଧତା ଯେ କେତେ ବେଶୀ ତାହା ଯେକୌଣସି ଗ୍ରାହକ ତା’ ସହିତ ଘଡ଼ିଏ କଥାଭାଷା ହେଲେ ବେଶ୍ ବୁଝିପାରିବ ।

 

ରୋଜ୍ ସଞ୍ଜବୁଡ଼େ ଜଗୁ ତିଆଡ଼ି ଭାଗବତ ଘରେ ବସି ନିଜ ଅନୁଭୋଗ କଥାଗୁଡ଼ିକ ସମସ୍ତିଙ୍କି ଥରେ ଲେଖାଏଁ କହି ଶୁଣାଏ । ଝିପି ଝିପି ମେଘୁଆ ପାଗରେ ଅନେକ ଶ୍ରୋତ ତାକୁ ଘେରି ବସନ୍ତି । ଗଞ୍ଜେଇ ଚିଲମରୁ ଦମେ ଟାଣି ଜଗୁ ପହିଲୁ ଗୋଟାଏ ଗଳାଖଙ୍କାର ମାରେ । ଶ୍ରୋତାମାନେ ବୁଝିପାରନ୍ତି ଯେ ଗପ ଆରମ୍ଭ ହେବ ।

 

ଥରେ ଗୋଟାଏ ପୋଖତି ମଡ଼ା ଡାହା କରି ଫେରିଲାବେଳେ ମୁକ୍ତାଝର ପାଖ ଦୋକାନିଆ ଆମ୍ବଗଛ ଡାହିରେ ବସି ଗୋଟାଏ ପିତାଶୁଣୀ କିମିତି ଏନ୍ତୁଡ଼ି ଜାଳି ତା’ ପିଲାକୁ ସେକୁଥିଲା–ତାହା ଏକ ନିପୁଣ ଚିତ୍ରକର ଭଳି ଜଗୁ ବର୍ଣ୍ଣନା କରିଯାଏ । ଶ୍ରୋତାମାନେ ଡରରେ ଟିକିଏ ଯାକିଯୁକି ହୋଇ କାନ୍ଥକୁ ଲାଗି ବସନ୍ତି ।

 

ଏହିପରି ଭାବରେ ସେଇ ଛୋଟ ବ୍ରାହ୍ମଣ ଶାସନଟିରେ ଜଗୁ ତିଆଡ଼ିର ଜୀବନ କଟେ ।

 

ଅଶିଣମାସ ରାତି । ସଞ୍ଜବେଳୁ କିମିତି ଟିକିଏ ମେଘୁଆ ହୋଇଛି । ତିଆଡ଼ିର ମୁଣ୍ଡଟା ଭାରି ବିନ୍ଧୁଥାଏ ନା କ’ଣ, ସେ ଦୁଇ କାନ ପାଖ କପାଳରେ ଟିପେ ଲେଖାଏଁ କଲିଚୂନ ବୋଳି ମୁଣ୍ଡରେ କମ୍ପୋଟର ଗୁଡ଼ାଇ ଦାଣ୍ଡପଟ ଚାନ୍ଦିନୀ ଉପରେ ହରିବଂଶ ଶୁଣୁଥିଲା ।

 

ଗାଁ ଭିତରେ କାନ୍ଦଣା ଶୁଣାଗଲା । ଆର ସାହି ଦୋକାନରୁ ପାନ, ଗୁଆଗୁଣ୍ଡି, ଧରି କିଏ ଜଣେ ବାହୁଡ଼ୁଥିଲା । ସେ ଖବର ଦେଲା ଯେ ଜଟିଆ ମା’ ବୁଢ଼ୀର ବୋହୂଟି ମରିଯାଇଚି ।

 

ଚାହୁଁଚାହୁଁ ଗାଁ ଗୋଟାକରେ ହୁରି ଶବ୍ଦ ପଡ଼ିଗଲା । ଜଗୁ ତିଆଡ଼ି ଦିପଇସା ରୋଜଗାର ହେବ ଭାବି ମନେମନେ ଖୁସିଟାଏ ହେଲା ।

 

କେତେ ଲୋକ ଆସି କେତେ କଥା କହିଗଲେ । ସାହି ମାଇପେ ବାରକଥା ଫୁସ୍‌ଫାସ୍ ହେଲେ । କିଏସେ କହିଲା, ‘ପାପଗର୍ଭ ହୋଇଥିଲା’, ଅନ୍ୟ କିଏ କହିଲା ‘ପେଟ ଭଙ୍ଗେଇବାପାଇଁ କ’ଣ ଓଷଧି ମଉଷଧି ଖାଇଥିଲା–ବିଷ ଚହଟି ଯାଇ ଦିହ ଭଳିଗଲା ।’

 

ଜଗୁ ତିଆଡ଼ି ଗୁମ୍‌ ହୋଇ ସବୁ ଶୁଣିଲା, ମୁହଁ ବଙ୍କେଇ ଦେଲା । ଜାତିରେ ଅଟକ ହେବା ଭୟରେ ସେ ଏଡ଼େ ବଡ଼ ରୋଜଗାରର ସବୁ ଆଶା ଛାଡ଼ିଦେଲା ।

 

ଜଟିଆମା ବୁଢ଼ୀର ସଂସାରରେ କେହି ନାଇଁ–ଶାଶୁ ବୋହୂ, ଦି’ଜଣ । ପୁଆଣି ହେବାର ମାସକ ପରେ ପୁଅ ଯାଇଥିଲା କଲିକତା–ଟଙ୍କା ରୋଜଗାର କରି ଦେଣା ଶୁଝିବ ବୋଲି ! ତିନିବର୍ଷ ହେଲାଣି କିଛି ଖୋଜ୍‍ଖବର ନାଇଁ । ପ୍ରଥମେ ଚିଠି ଖଣ୍ଡେ ଖଣ୍ଡେ ଦଉଥିଲା, କିନ୍ତୁ ବର୍ଷେ ହେଲା ସେତକବି ବନ୍ଦ । ସେ ଗାଁର କେତେକ କଲିକତା ଫେରନ୍ତା ବ୍ରାହ୍ମଣ ପୂଝାରି କହନ୍ତି ଯେ, ସେ କେଉଁଠି ଗୋଟାଏ ମାଇକିନିଆ ଧରି କଲିକତା ମାଟିଆ ବୁରୁଜରେ ରହିଚି । ଘରେ ଥିଲା ଖାଲି ବୋହୂଟି । ଆଜି ସେ ତ ଗଲା, ସଙ୍ଗେ ସଙ୍ଗେ ବୁଢ଼ୀ ମୁଣ୍ଡରେ ଲଦିଦେଇ ଗଲା କାଳକାଳକୁ ଅପବାଦର ବୋଝ । ବୁଢ଼ୀ ବ୍ରାହ୍ମଣୀର ମୁଣ୍ଡରୁ ହାତ ଛାଡ଼ୁନାହିଁ ।

 

ତା’ର ଅବସ୍ଥା ସେ ଦିନ ଗାଆଣି ଗାଇଲେ ସରି ନଥାନ୍ତା, କିନ୍ତୁ କେତେଜଣ ଗାଁର ମୁରବି ମଣିଷ ବାହାରି କଥାଟାକୁ ସମ୍ଭାଳି ନେଲେ । ବଡ଼ବଡ଼ ମୁରବିମାନେ ବୋହୂକୁ ଆଗରୁ ଯାବତା କରି ନଥିବା ଯୋଗୁଁ ଜଟିଆମା’କୁ ଗୁଡ଼ାଏ ଗାଳିମନ୍ଦ ଦେଲେ ମଧ୍ୟ ଶେଷକୁ ଫଇସଲା କରିଦେଇ କହିଲେ, ଜଲଦି ଲାସ୍ ଖତମ୍ କରିଦେବାକୁ ହେବ । ନୋହିଲେ ଛାଟିଆ ଥାନାରେ ଖବରଦେଲେ ଗୋଟାଶାସନ ନାଆଁରେ କଳଙ୍କ ରଟିବ, ସମସ୍ତେ ତ ପୁଣି ଝିଅବୋହୂ ଧରି ଘର କରିଛନ୍ତି ।

 

ଜଟିଆମା’ ବୁଢ଼ୀ ଦାନ୍ତରେ କୁଟା ଦେଇ ସମସ୍ତିଙ୍କି କୋଟି ପ୍ରଣାମ କଲା । ତାକୁ ଏ ଘୋର ବିପଦରୁ ରକ୍ଷା କରିଥିବା ଯୋଗୁଁ ସମସ୍ତଙ୍କ ପାଖରେ କେତେ କୃତଜ୍ଞତା ଜଣାଇଲା ।

 

ମଡ଼ା କାନ୍ଧେଇବା ପାଇଁ ଗାଁର ତିନି ଚାରିଜଣ ଭେଣ୍ଡିଆ ଆଗଭର ହୋଇ ବାହାରିପଡ଼ିଲେ । ପାଳଦଉଡ଼ି ବଳା ହେଲା, କୋକେଇ ସଜଡ଼ା ହେଲା, କୁଲା, ଖପରା, ଶିକା, ଛାଞ୍ଚୁଣି, କାଠବାଡ଼ି ସବୁ ଆସି ଦାଣ୍ଡରେ ଥୁଆହେଲା । ମୁର୍ଦ୍ଦାରର ଦିହ ମୁଣ୍ଡରେ ଲୁଗା ଗୁଡ଼ାଇ ସମସ୍ତେ ତାକୁ ଟେକି ଆଣି କୋକେଇରେ ବାନ୍ଧିଲେ । ମାତ୍ର ଜଣେ ପୁରୁଖା ମାଲଭାଇ ନହେଲେ ନ ଚଳେ । ଅଧଘଣ୍ଟାକ ଭିତରେ ଲାସ୍ ଖତମ୍ ନ କଲେ ବିପଦର ଆଶଙ୍କା; ଥାନାବାବୁ ଖବର ପାଇବେ ତ ଗାଁଯାକ ସମସ୍ତେ ବନ୍ଧା ହୋଇଯିବେ । ଗାଁରେ ତ ଖଚୁଆ ଲୋକର ଅଭାବ ନାଇଁ ।

 

ମୁରବିମାନେ କହିଲେ–‘ତିଆଡ଼ିଙ୍କି ଡାକ ।’ ତିଆଡ଼ି ନ ଗଲେ ଏଡ଼େ ବଡ଼ କାମ ସୁରୁଖୁରୁରେ ଛିଡ଼ିବ ନାଇଁ ।

 

ଜଗୁ ତିଆଡ଼ି ପାଖକୁ ଡକରା ଗଲା, ମାତ୍ର ଜଗୁତିଆଡ଼ି ଅମଙ୍ଗ । ସେ ଏକାଜିଦ୍‌ ଧରି ବସିଲା । କହିଲା–“ପାପଗର୍ଭ ହୋଇ ମରିଚି । ମୁଁ ସେଇଟାକୁ ଛୁଇଁବି ? ଅସତୀ ଦୋଚାରୁଣୀଟାକୁ ମୁଁ କାନ୍ଧରେ ବସେଇବି ?”

 

ସମସ୍ତେ ଫାଟିଫୁଟି ଗଲେ । ଜଗୁ ଅଚଳ, ଅଟଳ ।

 

ଶେଷରେ ଗାଁର ବୁଢ଼ା ବୁଢ଼ା ମୁରବିମାନେ ବହୁତ କୁହାବୋଲା କରିବାରୁ ଜଗୁ ତିଆଡ଼ି ମୁର୍ଦ୍ଦାର କାନ୍ଧେଇବାକୁ ରାଜି ହେଲା; ମାତ୍ର ପାଞ୍ଚଟଙ୍କା ନ ପାଇଲେ ସେ ଏତେବଡ଼ ପାପକର୍ମ କରିବ ନାଇଁ ବୋଲି ସଫା ଜଣାଇଦେଲା ଜଟିଆମା’ ବୁଢ଼ୀର ସରାଗାତ ଖୋଳା ହୋଇ ଯାହା ବାହାରିଲା ତାହା କାଠ କିରାସିନି, ଧୋବା ଭଣ୍ଡାରିକୁ ନିଅଣ୍ଟ । ଶେଷରେ କଥା ଛିଣ୍ଡିଲା ବୋହୂ ନାକଟିରେ ଯେଉଁ ସୁନା ଗୁଣାଟି ଅଛି, ସେଇଟାକୁ ଜଗୁ ତିଆଡ଼ି ପାଇବ ।

 

ଜଗୁ ତିଆଡ଼ି ଖୁସିହୋଇ ଡାକ ଛାଡ଼ିଲା–‘ରାମ ନାମ ସତ୍ୟହେ ।’

 

ମଣାଣିପଦା....ସନ୍ତସନ୍ତିଆ, ଅସ୍ନା । ହାଣ୍ଡି, କାଠ, ମଣିଷ ମୁଣ୍ଡ, କୁଲା ଆଟିକା; ପୋଡ଼ାଅଙ୍ଗାର ଭିତରେ ଗଦାଗଦା ପାଉଁଶ ! ଚାରିଆଡ଼ୁ ଭାସି ଆସୁଚି ଗୋଟାଏ ବିକଟ ଆଇଁଷିଣିଆ ଗନ୍ଧ !

 

‘ପଥଶ୍ରାଦ୍ଧ’ ସଇଲା । ଜଗୁତିଆଡ଼ି ଗୋଟାଏ ମସ୍ତବଡ଼ ଚୁଲି ଖୋଳିଲା । ତା’ପରେ ମୁର୍ଦ୍ଦାରଟାକୁ ନେଇ କାଠ ଗଦା ଉପରେ ଚିତ୍‌କରି ଶୁଆଇ ଦେଇ ତା’ ମୁହଁରୁ ଲୁଗା କାଢ଼ିଦେଲା ।

 

ସୁ’କା ଭରି ଓଜନର ସୁନା । ଲଣ୍ଠନ ଆଲୁଅରେ ଜଗୁତିଆଡ଼ି ଦେଖିଲା ଗୁଣାଟା ମୁର୍ଦ୍ଦାରର ନାକ ଉପରେ ଚିକ୍‌ ଚିକ୍‌ କରୁଚି ।

 

ମେଘ କଟିଯାଇ ଆସ୍ତେ ଆସ୍ତେ ଜହ୍ନ ପଡ଼ିଚି, ମୁର୍ଦ୍ଦାରର ଶେତା ଧଳା ମୁହଁ ଉପରେ ଜହ୍ନ ଆଲୁଅରେ ଝାପସା ଛାଇ ।

 

ସଙ୍ଗୀ ଭାଇମାନେ କହିଲେ, “ଜଲଦି ଜଲଦି କାମ ସାର । ପୁଲିସ ଆସିବ ତ ସବୁ ଭଣ୍ଡୁର ହୋଇଯିବ ।”

 

ଜଗୁ ଗୁଣାଟାକୁ ନାକରୁ ଛିଣ୍ଡାଇ ଆଣିବାକୁ ହାତ ବଢ଼ାଇଲା । ସେ ଦେଖିପାରିଲା ଛୋଟ ବୋହୂଟିର ଫିକା ମୁହଁଟି ଜହ୍ନ ଆଲୁଅରେ ଗୋଟିଏ ଦରମଉଳା କଇଁଫୁଲ ପରି ଦେଖାଯାଉଚି । ତା’ ମୁହଁ ଚାରିପଟେ ଘେରି ରହିଚି ଗୋଟାଏ କଳା କଳା କୁଞ୍ଚୁକୁଞ୍ଚିଆ ବାଳର ଜଙ୍ଗଲ । ଠିକ୍‌ ଯେମିତି ଆକାଶର ଚାନ୍ଦ ପଛଆଡ଼େ ଜମି ରହିଚି କଳା ମେଘର ବହଳିଆ ଛାଇ ।

 

ବୋହୂଟିର ମୁହଁ ଉପରେ ପହଁରି ପହଁରି ଖେଳୁଛି, ମଉଳା ଫୁଲର ଲାବଣ୍ୟ !! ତା’ର ଅଲରା ସଲରା ବାଳଗୁଡ଼ିକ ଉପରେ ଜହ୍ନ ଆଲୁଅ ଲହଡ଼ି ଭାଙ୍ଗି ଭାଙ୍ଗି ନୋଟିଯାଉଚି ।

 

ଜଗୁ ହାତ ଫେରାଇ ଆଣିଲା । ତା’ପରେ ସେ ଅନାଇଲା ଆକାଶର ଫିକା ଜହ୍ନଟା ଆଡ଼କୁ ।

 

ଜଗୁ ଇମିତି ଅନେକ ମୁର୍ଦ୍ଦାର ପୋଡ଼ିଚି । କିନ୍ତୁ କେବେହେଲେ ଦିନେ ସେ ମନ ଭିତରେ ଇମିତି ଝଡ଼ି ଅନୁଭୋଗ କରିନାଇଁ । ଏଇ ଛୋଟ ସୁନ୍ଦର ମୁହଁଟିକୁ ଅସୁନ୍ଦର କରି ସୁନାର ଗୁଣାଟାକୁ କାଢ଼ିଆଣିବାକୁ ତା’ର ହାତ ଚଳିଲା ନାଇଁ । ବୋହୂଟିର ନାକଟି ଉପରେ ସେ ଗୁଣାଟା ତା’ ଆଖିରେ ଭାରି ଚମତ୍କାର ଦେଖା ଯାଉଥିଲା । ସେ ଏହି ନାରୀଟି ସମ୍ବନ୍ଧରେ କେତେକଅଣ ମନ ଭିତରେ ଭାବିଯାଇଥିଲା ।

 

ଏହି ସମୟରେ ଜଗୁର ମନେପଡ଼ିଲା, ଆଉ କିଛିଦିନ ଯାଇଥିଲେ ବୋହୂଟି ହୁଏତ ହୋଇଥାନ୍ତା ଗୋଟିଏ ମାଆ । ଆଉ ହୁଏତ କେତେକଅଣ ସେ ହୋଇ ପାରିଥାନ୍ତା, କିନ୍ତୁ କିଛି ସେ ହୋଇପାରିଲା ନାହିଁ ।

 

କାହାର ଦୋଷ

 

ଛପିଛପିକା ଜହ୍ନ ଆଲୁଅର ଅସରନ୍ତି ସମୁଦ୍ର ମଝିରେ ନିଶୂନ ମଶାଣିପଦାର ଲଙ୍ଗଳା ବୁକୁ ଉପରେ ଶୋଇଥିଲା । ଗୋଟିଏ ଦରଫୁଟିଲା ନାରୀ, ଏକୁଟିଆ !!! ବାସ୍ତବିକ ବଡ଼ ଏକୁଟିଆ ସେ । ମଡ଼ାବୁହା ଜଗୁ ତିଆଡ଼ି ତାକୁଇ ନିରିଖି ନିରିଖି ଦେଖୁଥିଲା । ତା’ର ଅଶିକ୍ଷିତ ଗାଉଁଲି ମନ ନିଜ ଭାଷାରେ ଭାବୁଥିଲା....ବାସ୍ତବିକ ଭାରି ଏକୁଟିଆ ସେ, ଖାଲି ଆଜି ନୁହେଁ, ଜୀବନସାରା ଧରି ସେ ଇମିତି ଏକାକୀ । ଏଇ ନିଛାଟିଆ ଦିହଘଷିଆ, ଏକଘରିକିଆ ଜୀବନକୁ ବଦଳାଇ ଟିକିଏ ଅନ୍ୟପ୍ରକାର କରି ବଞ୍ଚିବାର ସ୍ଵାଦ ଅନୁଭବ କରିବାକୁ ଯାଇ ସେ ଆଜି ହୁଏତ ହୋଇଛି ମଶାଣିର ମଡ଼ା ! ବୋହୂଟିର ପାଉଁଶିଆ ମୁହଁ ଭିତରେ ସେ ଦେଖିପାରିଲା ଅନେକ ଦିନର ବଞ୍ଚିବାର କ୍ଷୁଧା ।

 

ଜଗୁକୁ ଡେରି କରୁଥିବାର ଦେଖି ସଙ୍ଗୀ ମାଲଭାଇମାନେ ବିରକ୍ତ ହେଲେ । ଧମକ ଦେଇ କହିଲେ–“ତୁ ଇମିତି ଡେରିକଲେ ଆମେ ମୁର୍ଦ୍ଦାର ଫୁର୍ଦ୍ଦାର ଛାଡ଼ି ପଳେଇଯିବୁ । ପୁଲିସ ଆସିବ ତ କିଏ ଦାୟୀ ହେବ ? ନେ.....ଗୁଣାଟା ବାହାର କରିନେ । ନୋହିଲେ ଆମେ ନିଆଁ ଲଗାଇଦେବୁ । ଗୁଣାଟା ନେବୁ ବୋଲି ତ ମରିଯାଉଥିଲୁ, ଇଲାଗେ ଇମିତି ହାତ ଚଳୁନାଇଁ କିଆଁ-?”

 

ଜଗୁ ତିଆଡ଼ିର ସ୍ଵପ୍ନ ଭାଙ୍ଗିଗଲା । ସେ ବଡ଼ ଲଜ୍ଜିତ ବୋଧକଲା । ତଥାପି ଭିତର ଦୁର୍ବଳତାକୁ ଚାପି ରଖିବାପାଇଁ ସେ ବାହାରେ ପ୍ରକାଶ କଲା–

 

“ଛି ! ଛି ! ଏ ମୁର୍ଦ୍ଦାର ଗୁଣାଟାକୁ ମୁଁ ଘରେ ଭର୍ତ୍ତି କରିବି ? ସେ ଯେ ପାପଗର୍ଭ ?”

 

ସଙ୍ଗୀମାନେ ପଚାରିଲେ, “ତୁ ତେବେ ନବୁ ନାହିଁ ? ଆମେ ନିଆଁ ଲଗାଉଛୁଁ ?”

 

ଜଗୁ ତିଆଡ଼ି ଅନ୍ୟମନସ୍କ ଭାବରେ ଜବାବ ଦେଲା–“ହଁ, ହଁ ନିଆଁ ଲଗାଇଦିଅ । ଭଲ କରି ନିଆଁ ଲଗାଅ । ସବୁ ଯିମିତି ଜଳିପୋଡ଼ି ପାଉଁଶ ହୋଇଯିବ ।”

 

ହୁତୁହୁତୁ ହୋଇ ନିଆଁ ଜଳି ଉଠିଲା । ନିଆଁର ଲକ୍‌ ଲକ୍‌ ଜିହ୍ୱା ନିମିଷକେ ସବୁ ଚାଟି ନେବାପାଇଁ ବସିଥିଲା । ବୋହୂଟିର ଗୋରା ମାଉଁସିଆ ଦିହଟି ନିଆଁରେ ସିଝି କଳାକାଠ ପଡ଼ିଗଲା, ତା’ପରେ ଫୋଟକା ହୋଇ ସେଥିରୁ ପରସ୍ତକୁ ପରସ୍ତ ଚୋପା ଛାଡ଼ିଗଲା ।

 

ଜଗୁ ତିଆଡ଼ି ନିସ୍ତବ୍ଧ ହୋଇ ସେଇ ପୋଡ଼ିଯାଉଥିବା ଦିହଟା ଆଡ଼କୁ ଚାହିଁଥିଲା ।

 

ଦୂର କୋଚିଲାବୁଦା ଉପରେ ପେଚା, ଶାଗୁଣା ଆଉ ଭୂଇଁକୁକୁଡ଼ାମାନଙ୍କର ହାଟ ବସିଥିଲା । ଅନେକ ଦୂରରୁ ଧାନବିଲ ଆରପାରିରୁ ଏଇ ସମୟରେ ଭାସିଆସିଲା ଗୋଟିଏ ଅଣ୍ଡିରା ବିଲୁଆର କାନଫଟା ଭୋକିଲା ରଡ଼ି ।

 

ଅସ୍ନା–ଅନ୍ଧାର–ହାଡ଼, ପାଉଁଶ, ଅଙ୍ଗାର । ଜୁଇ ଭିତରୁ କିମିତି ଗୋଟାଏ ପଚା ପୋଡ଼ା ଗନ୍ଧ ପବନରେ ଭାସି ଆସି ଚାରିଆଡ଼େ ବିଞ୍ଚି ହୋଇଗଲା ।

 

ସଙ୍ଗୀ ଭାଇମାନେ ଜଗୁକୁ ଉଦ୍ଦେଶ୍ୟ କରି କହିଲେ “ତୁ ସେଇ ଦୋଚାରୁଣୀଟାର ଅଳଙ୍କାରଗୁଡ଼ାକ ତୋର ପିଲାଛୁଆ ଘରେ ଭର୍ତ୍ତି ନ କରି ଭାରି ଭଲ କରିଚୁ ଭାଇ । ବଡ଼ ଅମଙ୍ଗଳ ହୋଇଥାନ୍ତା ତୋର । ଦେଖୁନୁ, କେମିତି କଲବଲ ହୋଇ ମଲା ? ନିଜ ପେଟରେ ପିଲାଟାକୁ ଯେ ମାରିବାକୁ ଯାଉଥିଲା, ନିଜେ ସେ ମରନ୍ତା ନାଇଁ ? ଧର୍ମ କ’ଣ ନାଇଁ ?”

 

ସେଇ ଜଳନ୍ତା ପାଉଁଶ ଭିତରେ ଆଖି ବୁଲାଉ ବୁଲାଉ ବିରକ୍ତ ହୋଇ ଜଗୁ କହିଲା–“ଥାଉ, ଥାଉ, ଅନ୍ୟକୁ ବିଚାର କର ନାଇଁ । ମଣିଷ କ’ଣ ମଣିଷକୁ ଠିକ୍ ବୁଝିପାରେ ?”

☆☆☆

 

ଶ୍ରୀକୃଷ୍ଣଙ୍କ ଶେଷ ହସ

ଶ୍ରୀ ସୁରେନ୍ଦ୍ର ମହାନ୍ତି

 

ସେଦିନ ଯେପରି ମହାଭାରତ ବିୟୋଗାନ୍ତ ନାଟକର ଶେଷ ଦୃଶ୍ୟ–ଦେଖିଯିବାପାଇଁ ଇନ୍ଦ୍ରପ୍ରସ୍ଥର ଗିରିମାଳା ନେପଥ୍ୟରେ, ଅସ୍ତାଚଳ ପଥରେ, ସର୍ବଦ୍ରଷ୍ଟା ଦିବାକର ଅରୁଣ–ବାହିତ–ରଥ ଦଣ୍ଡେ ଅଟକାଇ ଦେଇଥିଲେ ।

 

ମହାଭାରତ–ମହାସମର ପରେ କୁରୁକ୍ଷେତ୍ର ପରିତ୍ୟକ୍ତ । ଧ୍ଵଜ ଓ ନଳଶଶୋଭିତ, ମୁକ୍ତା ଓ ମଣିଝରା ବିମଣ୍ଡିତ, କୌରବପକ୍ଷର ଭଗ୍ନ ରଥ ପୁଣି ତୂଣ, ଧନୁ ଓ ନାରାଚଶୋଭିତ, ଏକାଦଶ ଅକ୍ଷୌହିଣୀ ଯୋଦ୍ଧୃବର୍ଗଙ୍କର ଶବରାଶି ଦ୍ଵାଦଶ ଯୋଜନ ବିସ୍ତାର କରି, ଶୋଣିତ–ପଙ୍କ ମଧ୍ୟରେ ବିକ୍ଷିପ୍ତ ହୋଇପଡ଼ିଅଛି । ସେହି ମହାଶ୍ମଶାନର ଶବସ୍ତୂପ–ମଧ୍ୟରେ ରୋରୁଦ୍ୟମାନା ଅସଂବୃତବସନା ଓ ଅବିନ୍ୟସ୍ତ କୁନ୍ତଳା, ଦୁର୍ଯୋଧନଙ୍କ ମହିଷୀ ଭାନୁମତୀ ଓ ଅନ୍ୟ କୌରବ କୁଳ–ନାରୀମାନେ ନିଜ ନିଜର ପ୍ରିୟ ଓ ସ୍ଵଜନବର୍ଗଙ୍କୁ ଅନ୍ଵେଷଣ କରୁଅଛନ୍ତି । ସେମାନଙ୍କ ମର୍ମାନ୍ତକ କ୍ରନ୍ଦନ, ଶ୍ଵାନ, ଶିବା ଓ ଶକୁନମାନଙ୍କର ନାରକୀୟ ରଡ଼ିକୁ ସୁଦ୍ଧା ବେଳେବେଳେ ନିମଜ୍ଜିତ କରିଦେଉଅଛି ।

 

ଶତ ଶତ ଚିରାଳର ଦୃପ୍ତ ଚପଲତା, ମୃତ୍ୟୁର ଅଚଞ୍ଚଳ ଗାମ୍ଭୀର୍ଯ୍ୟ ମଧ୍ୟରେ ପ୍ରଶମିତ ହୋଇଅଛି । ଅଶ୍ଵମାନଙ୍କର ହ୍ରେଷାରବ, କ୍ରୁଦ୍ଧ ଦନ୍ତାବଳମାନଙ୍କର ବୃଂହିତ, ଯୋଦ୍ଧୃବର୍ଗମାନଙ୍କର ପ୍ରମତ୍ତ ଆସ୍ଫାଳନ, ମୃତ୍ୟୁରେ ଗଦାଘାତରେ ସବୁ ନୀରବ ହୋଇଅଛି । ସେହି କ୍ରନ୍ଦନ ଓ ଶିବାରଡ଼ି–ମୁଖରିତ ମହାଶ୍ମଶାନ ଉପରେ ଚକ୍ରାକାରରେ ଉଡ଼ି ବୁଲୁଥିବା, ପର୍ଯ୍ୟୁଷିତ ମାଂସଲୋଭୀ ଅଗଣିତ ଶକୁନଙ୍କର ସଞ୍ଚାଳିତ ପକ୍ଷ କରାଳର ଛାୟା ପରି ବିସ୍ତାରିତ ହୋଇଅଛି ।

 

ଇନ୍ଦ୍ରପ୍ରସ୍ଥରେ ଧୃତରାଷ୍ଟ୍ରଙ୍କ ପ୍ରାସାଦ ନୀରବ ଓ ନିର୍ଜନ । ବେଳେବେଳେ ସଞ୍ଜୟ ଓ ବିଦୁରଙ୍କର ଶାନ୍ତ ଧୀର ପଦଶବ୍ଦ, ଧୃତରାଷ୍ଟ୍ରଙ୍କର ମର୍ମଭେଦୀ ଦୀର୍ଘଶ୍ଵାସ ଓ ଗାନ୍ଧାରୀଙ୍କର ଅସ୍ଫୁଟ କ୍ରନ୍ଦନର ଭାରାକ୍ରାନ୍ତ ନୀରବତାକୁ ଘନୀଭୂତ କରିଦେଉଅଛି ।

 

ଶାରଳା ମହାଭାରତ ‘ନାରୀପର୍ବ’ରେ ବର୍ଣ୍ଣିତ ଗୋଟିଏ ଉପାଖ୍ୟାନା ଅବଲମ୍ବନରେ ଏହି ଗଳ୍ପଟି ଲିଖିତ ହୋଇଅଛି । ଏହା ସଂସ୍କୃତ–ମହାଭାରତରେ ନାହିଁ ଓ ସଂସ୍କୃତ ମହାଭାରତଠାରୁ ଶାରଳା ମହାଭାରତର ଏହା ଏକ ବିଷୟଗତ ବୈଷମ୍ୟ । –ଲେଖକ

 

ଧୃତରାଷ୍ଟ୍ର ଜନ୍ମାନ୍ଧ । ତେଣୁ କୁରୁକ୍ଷେତ୍ରର ମହାଶ୍ମଶାନରେ, ମହାନିଦ୍ରାର ଧୂଳିଶଯ୍ୟାରେ, ମାନଗୋବିନ୍ଦ ଦୁର୍ଯୋଧନ ସମେତ ଶତପୁତ୍ର, କର୍ଣ୍ଣ, ଶଲ୍ୟ, ଦ୍ରୋଣ, ଭୂରିଶ୍ରବା–ପ୍ରମୁଖ ସଖା ଓ ସୋଦରମାନଙ୍କୁ ଶେଷବାର ଦେଖି ଆସିବାପାଇଁ ତାଙ୍କର ବ୍ୟାକୁଳତା, ଉତ୍କଣ୍ଠା, କ୍ରୁଦ୍ଧ ଓ ଦୀର୍ଘଶ୍ଵାସ କୌରବପ୍ରାସାଦର ଛାୟାଚ୍ଛିନ୍ନ ଭିତ୍ତିପ୍ରସ୍ତର ଦେହରେ ବାଧାପାଇ ବାରମ୍ବାର ନୀରବ ହେଉଅଛି ।

 

ମାତ୍ର ଗାନ୍ଧାରୀ ଦୁଇ ଆଖିରୁ ଅନ୍ଧ ପଟ୍ଟିକାର ଆବରଣ ଫିଙ୍ଗିଦେଇ, ମହାନିଦ୍ରାରେ ଶାୟିତ ଶତ ପୁତ୍ରଙ୍କୁ ପ୍ରଥମ ଶେଷବାର ଥରେ ଦେଖିବାପାଇଁ ଉତ୍କଣ୍ଠିତ ହୋଇପଡ଼ିଛନ୍ତି; କିନ୍ତୁ ଅନ୍ଧ ଧୃତରାଷ୍ଟ୍ରଙ୍କ ପାଣିଗ୍ରହଣବେଳେ ସତୀତ୍ଵର ପରମ ନିଷ୍ଠାରେ, ବ୍ରତଚାରିଣୀ ପରି ଗାନ୍ଧାରୀ ଦୁଇ ଆଖିରେ ଅନ୍ଧପଟ୍ଟିକାର ଯେଉଁ ଆବରଣ ବାନ୍ଧିଥିଲେ, ତାହାର ବନ୍ଧନ ଦୁଶ୍ଛେଦ୍ୟ ଓ ଗ୍ରନ୍ଥି ଦୁର୍ଭେଦ୍ୟ । ତା’ ନହେଲେ ସତ୍ୟ ଧର୍ମର ସବୁ ଅହଂକାର ଭୁଲି, ଆଜି ସେହି ଅନ୍ଧପଟ୍ଟିକାକୁ ଏକ ତୁଚ୍ଛ ପ୍ରତିବନ୍ଧକରୂପେ, ପଥର ଧୂଳିରେ ଫିଙ୍ଗି ଦେବାପାଇଁ ସେ ତିଳେହେଲେ କୁଣ୍ଠିତା ନୁହନ୍ତି ।

 

ଦୁର୍ଯୋଧନ, ଦୁଃଶାସନ, ଦୁର୍ଜୟ, ଦୁରନ୍ତ, ଦୁର୍ଗମ, ଦୁରମ, ଦୁର୍ତ୍ତର, ଦୁର୍ବଳକପ୍ରମୁଖ ଶତ ପୁତ୍ରର ଜନନୀ, ମାତୃତ୍ଵ–ଗରବିନୀ ସୋମବଂଶର ପୂଜନୀୟା । ଗାନ୍ଧାରୀ ! କର୍ପୂର–ରେଣୁ ସିଞ୍ଚିତ, ତୁଳି–ତଳ୍ପରେ ସୁଦ୍ଧା ଯେଉଁମାନଙ୍କୁ ନିଦ୍ରା ସ୍ପର୍ଶ କରୁ ନଥିଲା, ଆଜି ସେମାନେ କୁରୁକ୍ଷେତ୍ରର ଶୋଣିତ କର୍ଦ୍ଦମରେ ମହାନିଦ୍ରାରେ ଅଚେତନ ।

 

ସେମାନଙ୍କ ଶବରାଶି ଉପରେ ଶ୍ଵାନ, ଶିବା ଓ ଶକୁନମାନଙ୍କର ଅଶ୍ଳୀଳ ଚିତ୍କାର ଦ୍ଵିତୀୟ ରୌରବ ସୃଷ୍ଟି କରିଅଛି ।

 

ଗୋଟିଏ ଶକୁନପଲର ଏକ ବିକଟ ରଡ଼ିରେ ଗାନ୍ଧାରୀ ଆର୍ତ୍ତନାଦ କରି ଉଠିଲେ ।

 

ଅନ୍ଧ ପରି, ଆଶ୍ରୟପାଇଁ, ଶୂନ୍ୟରେ ଶୁଷ୍କ ଚର୍ମବୃତ ଦୁଇ ଶିରାଳ ବାହୁ ତୋଳି, ଗାନ୍ଧାରୀ ଅସହାୟ କଣ୍ଠରେ ଚିତ୍କାର କଲେ.... “ବିଦୁର, ସଞ୍ଜୟ !”

 

ପରିତ୍ୟକ୍ତ କୌରବ ପ୍ରାସାଦର ପୈଶାଚିକ ନୀରବତା ମଧ୍ୟରେ ଗାନ୍ଧାରୀଙ୍କ ଆକୁଳ ଆହ୍ଵାନ ପ୍ରତିଧ୍ୱନି ଉଠାଇ ପୁଣି ନୀରବ ହୋଇଗଲା ।

 

ନିଷ୍ଫଳ ଅହଂକାର ଓ ଅଭିମାନରେ ଦୁଇ କମ୍ପିତ ବାହୁ ସ୍ଫୀତ କରି, ଊର୍ଦ୍ଧ୍ଵକୁ ତୋଳି, ଅନ୍ଧ ଧୃତରାଷ୍ଟ୍ର ବିଦୁରଙ୍କ ସମ୍ମୁଖରେ ଆସ୍ଫାଳନ କରୁଥିଲେ....“ଭୁଲିଯାଅ ନାହିଁ ବିଦୁର, ଆଜି ସୁଦ୍ଧା ଏହି ଦୁଇ ବାହୁରେ କୁରୁକୁଳହନ୍ତା ଭୀମ ସମେତ ପାଣ୍ଡବ ପଞ୍ଚଭ୍ରାତାଙ୍କୁ ଚୂର୍ଣ୍ଣ ବିଚୂର୍ଣ୍ଣ କରିଦେବାର ଶକ୍ତି ରହିଅଛି !”

 

ଧୃତରାଷ୍ଟ୍ର କୌରବ–ସିଂହାସନ ଉପରେ ପ୍ରଚଣ୍ଡ ଜିଙ୍ଘାସାରେ ଶସ୍ତ୍ରାହତ ପଶୁପରି ଗର୍ଜନ କରିଉଠିଲେ । ତାଙ୍କ କୁଞ୍ଚିତ ଓ ରେଖାଙ୍କିତ ମୁଖମଣ୍ଡଳର ଶିଥିଳ ମାଂସପେଶୀମାନ ଏକ କାଠିନ୍ୟରେ ନିଷ୍ଠୁର ହୋଇଗଲା । ସୁପ୍ତ ଆଗ୍ନେୟଗିରିର ଅନ୍ଧକାର ବିବର ପରି ତାଙ୍କର ଦୁଇ ଦୃଷ୍ଟିହୀନ ଅନ୍ଧଚକ୍ଷୁରେ ଅଗ୍ନ୍ୟୁଦ୍‌ଗାର ଯେପରି ଉଲ୍ଲମ୍ଫନ କରିଉଠିଲା ।

 

ବିଦୁର ଶାନ୍ତ କଣ୍ଠରେ କହିଲେ–“ମହାରାଜ, ଧୃତରାଷ୍ଟ୍ରମାନେ ଚିରକାଳ ଅନ୍ଧ । ସିଂହାସନର ସ୍ଵର୍ଣ୍ଣଦୀପ୍ତିରେ କାଳେ କାଳେ ସେମାନେ ଅନ୍ଧ ହୋଇଛନ୍ତି । ଚକ୍ଷୁକ୍ଷ୍ମତ୍ତା ଏକମାତ୍ର ଦୃଷ୍ଟି ନୁହେଁ । ପାଣ୍ଡବ ପଞ୍ଚଭ୍ରାତାଙ୍କୁ ସମୂଳେ ବିନାଶ କରିବାପାଇଁ ଜତୁଗୃହଦାହର ଷଡ଼ଯନ୍ତ୍ରବେଳେ, ଭୀମସେନଙ୍କୁ ବିଷମୋଦକ ଦେଲାବେଳେ, ବ୍ୟାସ ସରୋବରରେ ଆତ୍ମଗୋପନ କରିଥିବା ଦ୍ରୌପଦୀଙ୍କ ପଞ୍ଚପୁତ୍ରଙ୍କୁ ମୃଗୟାବିଳାସରେ ହତ୍ୟା କଲାବେଳେ, କୁରୁସଭା ତଳେ କୁଳବଧୂ ଦ୍ରୌପଦୀଙ୍କୁ ବିବସନ କଲାବେଳେ, ପୁଣି ସାମାନ୍ୟ ପାଞ୍ଚ ଖଣ୍ଡ ଗ୍ରାମପାଇଁ ଶ୍ରୀକୃଷ୍ଣଙ୍କ ଦୌତ୍ୟର ଉତ୍ତରରେ “ସୂଚ୍ୟଗ୍ର ପରିମିତ ଭୂମି ଦେବୁ ନାହିଁ” ବୋଲି ଦୁର୍ଯୋଧନ ଆସ୍ଫାଳନ କଲାବେଳେ, ପୁରୋଦୃଷ୍ଟିରେ ଆପଣ ଯଦି ଏ ପରିଣତି କଳନା କରିଥାନ୍ତେ, ତାହାହେଲେ ଅନୁଶୋଚନାରେ ଆଜି ଆପଣ ଏପରି ତିଳେ ତିଳେ ଦଗ୍ଧୀଭୂତ ହେଉ ନଥାନ୍ତେ; କିନ୍ତୁ ଧୃତରାଷ୍ଟ୍ରମାନେ ଚିରକାଳହିଁ ଅନ୍ଧ ।”

 

ଧୃତରାଷ୍ଟ୍ର କହିଲେ....‘ମାତ୍ର ଭୀଷ୍ମ, କର୍ଣ୍ଣ, ଦ୍ରୋଣ ପରି ମହାବୀରମାନେ, ପାଣ୍ଡବମାନଙ୍କଦ୍ଵାରା ଏପରି ପରାଜିତ ହେବେ, ତାହା ତ ମୁଁ ଆଶଙ୍କା କରି ନଥିଲି ବିଦୁର !’

 

ବିଦୁର କହିଲେ....‘ସେଥିପାଇଁ ତ ମୁଁ କହେ, ଧୃତରାଷ୍ଟ୍ରମାନେ ଚିରକାଳ ଅନ୍ଧ ! ନିର୍ଯାତିତ, ନିପୀଡ଼ିତ, ଆର୍ତ୍ତ ଓ ବଞ୍ଚିତର ଦାବି, ଆପାତଦୃଷ୍ଟିରେ ଯେତେ ଦୁର୍ବଳ ହେଲେ ସୁଦ୍ଧା, ଅକ୍ଷୌହିଣୀ ସେନାର ରଣପ୍ରସ୍ତୁତି ଓ ତ୍ରିପୁରବିଜୟୀ ଯୋଦ୍ଧାମାନଙ୍କର ଧନୁଟଙ୍କାର ତାହାକୁ ବିଡ଼ମ୍ବିତ କରିପାରିବ ନାହିଁ । କେତେ ଦର୍ପିତ ଇନ୍ଦ୍ରପ୍ରସ୍ଥ, କେତେ ମଦମତ୍ତ ହସ୍ତିନା, କେତେ ଅହଂକାରୀ ବାରୁଣା ଇତିହାସରେ ଏହିପରି ବାରମ୍ବାର ଭୂଲୁଣ୍ଠିତ ହେବ !...ମହାରାଜ, ମହାଭାରତରେ ଐକ୍ୟ ଓ ସ୍ଥିତି କ୍ଷମତାର ରହିବ, ଦାମ୍ଭିକତାରେ ରହିବ ନାହିଁ; ରହିବ ଲାଞ୍ଛିତ ବଞ୍ଚିତ ଓ ଅପମାନିତାକୁ ତା’ର ଯଥାର୍ଥ ଦାବିରେ ପ୍ରତିଷ୍ଠିତ କରିବାରେ; ରହିବ ଔଦାର୍ଯ୍ୟରେ, କରୁଣାରେ, ଦାକ୍ଷିଣ୍ୟରେ ।’

 

ଇନ୍ଦ୍ରପ୍ରସ୍ଥର ଆକାଶରେ କାଳବୈଶାଖୀର ଘୂର୍ଣ୍ଣି ଯେପରି ଧୃତରାଷ୍ଟ୍ରଙ୍କ କଣ୍ଠରେ ଗର୍ଜନ କରିଉଠିଲା । ବିଦୁରଙ୍କ ପ୍ରତି ପ୍ରଚଣ୍ଡ କ୍ରୋଧରେ ଚିତ୍କାର କରି ଧୃତରାଷ୍ଟ୍ର କହିଲେ ‘ତୁମେ ନା ବିଦୁର, କୌରବର ଅନ୍ନଭୋଜି ! କୌରବର ଔଦାର୍ଯ୍ୟରେ, କରୁଣାରେ, ଦାକ୍ଷିଣ୍ୟରେ ତୁମେ ନା ଲାଳିତପାଳିତ ଓ ବର୍ଦ୍ଧିତ ! ଆଜି ସେହି କୌରବମାନଙ୍କର ଚରମ ଦୁର୍ଦ୍ଦିନରେ, ଏହି ତୁମର ପ୍ରତିଦାନ-? କୌରବର ଅନ୍ନର ପ୍ରତିଦାନରେ, ତୁମ କଣ୍ଠରେ ସମବେଦନାର ବାଣୀ ସୁଦ୍ଧା ନାହିଁ !’

 

ବିଦୁର ଅବିଚଳିତ କଣ୍ଠରେ କହିଲେ...‘କିନ୍ତୁ ସତ୍ୟ ଯେତେ କଠୋର ହେଲେ ସୁଦ୍ଧା ଦିନେ ତାହାର ସମ୍ମୁଖୀନ ହେବାପାଇଁ ପଡ଼ିବ !’

 

ଧୃତରାଷ୍ଟ୍ର ଚିତ୍କାର କରି ଉଠିଲେ....‘କିନ୍ତୁ ସାମାନ୍ୟ ରାଜ୍ୟପାଇଁ, ପାଣ୍ଡବମାନଙ୍କ ଦ୍ଵାରା ସଖା–ନାଶ, କୁଳ ନାଶ–ଏହି କ’ଣ ତୁମର ସତ୍ୟ ବିଦୁର ? ମୁଁ ବା କିପରି ଭୁଲିବି କହ, ବିଦୁର ! ଆଜି ସୋମବଂଶର ଦୀପଶିଖା ଗୋଟିକ ପରେ ଗୋଟିଏ ନିର୍ବାପିତ ହୋଇଅଛି । ଅନ୍ଧ ଧୃତରାଷ୍ଟ୍ରର ଅନ୍ଧ ତମିସ୍ରାପରି; ଏହାପରେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ; ସବୁ ନିରନ୍ଧ୍ର, ସୂଚିଭେଦ୍ୟ, ନିଷ୍ଠୁର ଅନ୍ଧକାର !’

 

ବିଦୁର ଶାନ୍ତ କଣ୍ଠରେ ଉତ୍ତର ଦେଲେ–‘କର୍ମଫଳର ଅଲଙ୍ଘନୀୟ ପରିଣତିରୂପେ ଏହାକୁ ଗ୍ରହଣ କରି ଶୋକସମ୍ବରଣ କରନ୍ତୁ ମହାରାଜ–ଶାନ୍ତି ଲାଭ କରିବେ । ଆପଣ କୁରୁକୁଳର ଅଗସ୍ତିରୂପେ, କୌରବ–ସମୁଦ୍ର ନିଃଶେଷ କରି ଅଛନ୍ତି; ପାଣ୍ଡବମାନେ ତ ଜୀର୍ଣ୍ଣ କୂପମାତ୍ର ! ଆଉ କ୍ରୋଧାନଳରେ ପ୍ରଜ୍ଜ୍ଵଳିତ ହୋଇ ସେ କୂପକୁ ନିଃଶେଷ କରନ୍ତୁ ନାହିଁ ।’

 

ଏହି ସମୟରେ ଅନ୍ଧପଟ୍ଟିକାବୃତା, ଶୋକାକୁଳା ଗାନ୍ଧାରୀ ଉନ୍ମାଦିନୀ ପରି ସେଠାକୁ ଧାଇଁଆସି କହିଲେ–‘ମହାରାଜ, ଦିନେ ଆପଣଙ୍କପାଇଁ ମୁଁ ଆଖିରେ ବାନ୍ଧିଥିଲି ଏହି ଅନ୍ଧପଟ୍ଟିକା । ସେହି ବନ୍ଧନର ଦୁଶ୍ଛେଦ୍ୟ ଗ୍ରନ୍ଥି ଆଜି ଛିନ୍ନ କରିଦିଅନ୍ତୁ ମହାରାଜ ! ଶତପୁତ୍ରର ଜନନୀ ମୁଁ । ଜୀବିତରେ ଯେଉଁମାନଙ୍କୁ ଦେଖି ନାହିଁ, ଆଜି ଅନ୍ତତଃ ମୃତ୍ୟୁର ଶେଷଶଯ୍ୟାରେ ସେମାନଙ୍କୁ ଦେଖି ନୟନର ଜ୍ଵାଳା ଶାନ୍ତିକରେ !’

 

ଅନ୍ଧପଟ୍ଟିକାର ଗ୍ରନ୍ଥି ଛିନ୍ନ କରିବାର ନିଷ୍ଫଳ ଉଦ୍ୟମରେ, ଶିରାଳ ଅଙ୍ଗୁଳିର ଶତ ନଖାଘାତରେ, ଗାନ୍ଧାରୀଙ୍କର ଶୁଷ୍କଚର୍ମାବୃତ ମୂଖ ରକ୍ତାକ୍ତ ହୋଇ ପଡ଼ିଥିଲା । ଲୋତକ ଓ ଶୋଣିତର ଧାରା ଗାନ୍ଧାରୀଙ୍କ ମୁଖମଣ୍ଡଳକୁ ଅତ୍ୟନ୍ତ ଭୟଙ୍କର କରି ଦେଇଥିଲା ।

 

ଗାନ୍ଧାରୀ ଶୋକାପ୍ଳୁତ କଣ୍ଠରେ ପୁଣି ଚିତ୍କାର କରି ଉଠିଲେ–ମହାରାଜ, ଆପଣଙ୍କ ପାଇଁ ଅନ୍ଧପଟ୍ଟିକାର ଆବରଣ ତଳେ ମୁଁ ଚିରଜୀବନ ଅନ୍ଧ ରହି ଆସିଅଛି । ଆଜି ମୋପାଇଁ ସେ ଆବରଣ ଉନ୍ମୋଚନ କରନ୍ତୁ, ମହାରାଜ !’

 

ଗାନ୍ଧାରୀଙ୍କର ଅନୁରୋଧରେ ଧୃତରାଷ୍ଟ୍ରଙ୍କ ମୁଖମଣ୍ଡଳ ଏକ କୃଷ୍ଣ ମେଘ ଖଣ୍ଡରେ ଯେପରି ଆଚ୍ଛନ୍ନ ହୋଇପଡ଼ିଲା । ଗାନ୍ଧାରୀ ଜାଣନ୍ତି ନାହିଁ, ମାତ୍ର ଧୃତରାଷ୍ଟ୍ର ଜାଣନ୍ତି, ଅନ୍ଧପଟ୍ଟିକାବୃତା ଗାନ୍ଧାରୀଙ୍କର ଦୁଇ ଚକ୍ଷୁରେ ପୁଞ୍ଜୀଭୂତ ହୋଇ ରହିଅଛି ବିଶ୍ଵର ଦାବାନଳ ! ଧୃତରାଷ୍ଟ୍ର ସୁଦ୍ଧା ସେଥିରେ ଭସ୍ମ ହୋଇଯିବେ ।

 

ଗାନ୍ଧୀରୀଙ୍କୁ ସାନ୍ତ୍ୱନା ଦେଇ ବିଦୁର କହିଲେ–ଶୋକସମ୍ବରଣ କରନ୍ତୁ ମହାଦେବୀ ! କିଏ କହେ ଆପଣ ପୁତ୍ରହୀନା ? ଅଗ୍ରପାଣ୍ଡବ ଯୁଧିଷ୍ଠିରଙ୍କ ଅଭୟ ଛାୟା ତଳେ ଦୁର୍ଦ୍ଦକ୍ଷ ଏବେ ସୁଦ୍ଧା ଜୀବିତ । ପୁଣି ପଞ୍ଚପାଣ୍ଡବ ତ ଆପଣଙ୍କୁ ଜନନୀ ତୁଲ୍ୟ ଭକ୍ତି କରନ୍ତି ।’

 

ଗାନ୍ଧାରୀ ଉନ୍ମାଦିନୀ ପରି ଚିତ୍କାର କରି ଉଠିଲେ–‘ମୁଁ ଜାଣେ ମହାରାଜ, ଆଉ ଏ ଅନ୍ଧପଟ୍ଟଳ ଉନ୍ମୋଚିତ ହେବ ନାହିଁ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଗାନ୍ଧାରୀର ଜୀବନ କେବଳ ଅମାବାସ୍ୟାର ନିରନ୍ଧ୍ର ନିଷ୍ଠୁର ଅନ୍ଧକାର ।’ ଗାନ୍ଧାରୀ ଯେପରି ବାତ୍ୟାବାହିତ ଗୋଟିଏ ଶୁଷ୍କପତ୍ର ପରି ଧୃତରାଷ୍ଟ୍ରଙ୍କ ସମ୍ମୁଖକୁ ଉଡ଼ି ଆସିଥିଲେ–ସେହିପରି ସେଠାରୁ ସ୍ଖଳିତ ପାଦରେ ଚାଲିଗଲେ ।

 

ରଥ ପ୍ରସ୍ତୁତ । ଯୁଧିଷ୍ଠିର ଏକାକୀ ରଥରେ ଉପବେଶନ କରିବା ପାଇଁ ଉଦ୍ୟତ ହୋଇଥିଲେ; ଏହି ସମୟରେ ଶ୍ରୀକୃଷ୍ଣ ଦୁର୍ଦ୍ଦକ୍ଷ ସହଜ ହଠାତ୍ ବିପରୀତ ଦିଗରୁ ଆସି ପଚାରିଲେ, ‘ହସ୍ତିନାର ସିଂହାସନରେ ଆସନ୍ନ ଅଭିଷେକର ଉତ୍ସବ ମଧ୍ୟରେ ଏକାକୀ କେଉଁଆଡ଼େ ବାହାରିଲେ ଧର୍ମରାଜ ?’

 

ଯୁଧିଷ୍ଠିର କହିଲେ–‘ମାତା ଗାନ୍ଧାରୀ ମୋତେ ସ୍ମରଣ କରିଅଛନ୍ତି । ତାଙ୍କର ଦର୍ଶନପାଇଁ ବାହାରିଅଛି ।’

 

ଶ୍ରୀକୃଷ୍ଣ କହିଲେ–‘ବହୁକାଳୁ ଗାନ୍ଧାରୀଙ୍କ ସହିତ ମୋହର ମଧ୍ୟ ସାକ୍ଷାତ ହୋଇ ନାହିଁ । ତାହାହେଲେ ଚାଲନ୍ତୁ ଯୁଧିଷ୍ଠିର, ମୁଁ ଆପଣଙ୍କ ରଥ ଚଳାଇ ନେବି ।’

 

ଯୁଧିଷ୍ଠିର ଏ ପ୍ରକାର ଆକସ୍ମିକତାରେ ବିସ୍ମିତ ହୋଇ ପଚାରିଲେ–‘ଏ ପୁଣି କି ନୂତନ ମାୟା, ମାୟାଧର ?’

 

ଶ୍ରୀକୃଷ୍ଣ ସାରଥିର ସ୍ଥାନରେ ବସି ଯୁଧିଷ୍ଠିରଙ୍କୁ କହିଲେ–‘ମହାଭାରତର ଜୈତ୍ରଯାତ୍ରା ପଥରେ ଯେ ପାଣ୍ଡବଙ୍କ ଜୟରଥ ବାହିଥିଲା, ତା’ର ଦିଗ୍‌ଦର୍ଶନରେ କ’ଣ ଆପଣଙ୍କର ସନ୍ଦେହ ହେଉଛି, ଅଗ୍ରପାଣ୍ଡବ ?’

 

ଯୁଧିଷ୍ଠିର ନୀରବ ରହିଲେ ।

 

ନାରାୟଣ ଚିରଦିନ ଏହିପରି ପ୍ରହେଳିକାମୟ !

 

କୁରୁକ୍ଷେତ୍ରର ମହାଶ୍ମଶାନ ମଧ୍ୟରେ ପ୍ରତି–ଶବସ୍ତୂପ ବୁଲି ସଞ୍ଜୟଙ୍କ ସହିତ ଗାନ୍ଧାରୀ ଶତପୁତ୍ରଙ୍କ ଶବ ସନ୍ଧାନ କରୁଥିଲେ । ଶିବା, ଶକୁନ ଓ ଶ୍ଵାନଦଳଙ୍କୁ ଠେଲି, ଗାନ୍ଧାରୀଙ୍କ ହସ୍ତ ଧରି, ସଞ୍ଜୟ ତାହାଙ୍କୁ ଆସନ୍ନ ସନ୍ଧ୍ୟାର ବିଷଣ୍ଣ ଗୋଧୂଳି ମଧ୍ୟରେ ପଥ କଢ଼ାଇ ନେଉଥିଲେ ।

 

ସଞ୍ଜୟ କହିଲେ–‘ମହାଦେବୀ ! ଭୂତଳଶାୟୀ ହୋଇ ମହାନିଦ୍ରାରେ ଅଚେତନ ହୋଇ ପଡ଼ିଛନ୍ତି ଏଇ ପିତାମହ ଭୀଷ୍ମ । ମୁଖମଣ୍ଡଳରେ ତାଙ୍କର ଅନନ୍ତ ପ୍ରଶାନ୍ତି ।’

 

ଗାନ୍ଧାରୀ କହିଲେ–‘ଜାଣେ ସଞ୍ଜୟ, ସ୍ଵଇଚ୍ଛାରେ ସେ ପ୍ରାଣତ୍ୟାଗ କରିଅଛନ୍ତି । ତା’ ନହେଲେ ତ୍ରିପୁରବିଜୟୀ ଭୀଷ୍ମଙ୍କ ସମ୍ମୁଖରେ ପାଣ୍ଡବମାନେ ତ ତୃଚ୍ଛଣାଦପି ତୁଚ୍ଛ ।’

 

ସଞ୍ଚୟ କହିଲେ.....“ଆଉ ରଥ–ଚକ୍ରତଳେ ନିଷ୍ପେଷିତ ହୋଇପଡ଼ିଛନ୍ତି ବାହ୍ଲୀକ ବୀର ସୋମଦତ୍ତ, ମତ୍ତଦସ୍ତୀର ଦନ୍ତାଘାତରେ ରକ୍ତାକ୍ତ ହୋଇପଡ଼ିଛନ୍ତି ଭୂରିଶ୍ରବା | ମହାଦେବୀ ! ଅର୍ଜ୍ଜୁନର ଶରାଘାତରେ ଏଇ ଉତ୍ତାନଶାୟୀ ହୋଇପଡ଼ିଛନ୍ତି ମହାବୀର କର୍ଣ୍ଣ । ବୈଦୁର୍ଯ୍ୟଖଚିତ ତାଙ୍କ କିରୀଟରେ ଅସ୍ତ ସୂର୍ଯ୍ୟଙ୍କର ଶେଷ କିରଣରେଖା, ପୁତ୍ରର ମସ୍ତକରେ ପିତାର ଆଶୀର୍ବାଦ–ସ୍ନିଗ୍ଧ ସ୍ପର୍ଶ ପରି ତଥାପି ଲାଗି ରହିଅଛି । ସେହି ଦ୍ୟୁତିରେ କର୍ଣ୍ଣଙ୍କ ମୁଖମଣ୍ଡଳ ଶତଦଳର ସଦ୍ୟତାରେ ତଥାପି ଉଦ୍ଭାସିତ ।”

 

ଗାନ୍ଧାରୀ ଶୋକାର୍ତ୍ତ କଣ୍ଠରେ କର୍ଣ୍ଣଙ୍କ ଶବକୁ ଆଲିଙ୍ଗନ କରି କହିଲେ... “ଆସ ବାବୁ, ଜନନୀର ବାତ୍ସଲ୍ୟ–ବଞ୍ଚିତ କୌନ୍ତେୟ ଅଗ୍ରପାଣ୍ଡବ ! ଦୁର୍ଯୋଧନର ମାନ ରକ୍ଷାପାଇଁ ଅପରାଜେୟ ବୀର ତୁମେ, ଆଜି ରଣଭୂମିରେ ଶୋଣିତ–ପଙ୍କରେ ଲୋଟୁଅଛ । କିନ୍ତୁ ହେ ସର୍ବଦ୍ରଷ୍ଟା ଦିବାକର, ସର୍ବଶକ୍ତିମାନ ସହସ୍ରଶୀର୍ଷ ହିରଣ୍ୟଗର୍ଭ ଅଂଶୁମାଳୀ, ଯେଉଁମାନେ କ୍ଷାତ୍ରଧର୍ମର ପ୍ରତିକୂଳାଚରଣ କରି ଅନ୍ୟାୟ ଯୁଦ୍ଧରେ କର୍ଣ୍ଣକୁ ହତ୍ୟା କରିଅଛନ୍ତି ସେମାନଙ୍କ ପାଇଁ କ’ଣ କୌଣସି ଶାସ୍ତି ନାହିଁ ?”

 

ଆଉ କିଛି ଦୂର ଅଗ୍ରସର ହେବାପରେ, ସଞ୍ଜୟ କହିଲେ ‘ଦେବୀ ! ଭୀମର ଗଦାଘାତରେ ଏଇ ଧରାଶାୟୀ ହୋଇଛନ୍ତି ଭଗ୍ନଜାନୁ ଦୁର୍ଯୋଧନ । ବିବସନ ଦ୍ରୌପଦୀର ଉଲ୍ଲଙ୍ଗ ଜାନୁ ପ୍ରତି ଅଶ୍ଳୀଳ କଟାକ୍ଷର ପ୍ରତିଶୋଧ ନେବାପାଇଁ ଏହା ଥିଲା ଭୀମର ପ୍ରତିଜ୍ଞା । ନୀଳ ମେଘରେ ବିଦ୍ୟୁତ୍‌ର ଚମକ ପରି ତାଙ୍କର ପ୍ରଶସ୍ତ ବକ୍ଷରେ ମଣିମୁକ୍ତାଖଚିତ ଗଳାହାର ତଥାପି ବିଲମ୍ବିତ ହୋଇଅଛି । ....ଚାଲନ୍ତୁ ଦେବୀ, ଜୀବନମୃତ୍ୟୁର ଏହା ଚିରନ୍ତନ ଲୀଳା, ସମସ୍ତେ କର୍ମଫଳର ଅଧୀନ ।”

ଗାନ୍ଧାରୀ ଉଚ୍ଛ୍ଵସିତ, କ୍ରନ୍ଦନର ରୁଦ୍ଧ ଆବେଗରେ କହିଲେ...... “ମୋର ଅନ୍ଧପଟ୍ଟିକା ଉନ୍ମୋଚନ କରିଦିଅ ସଞ୍ଜୟ ! ଜୀବନରେ ଯାହାକୁ ଦେଖି ନାହିଁ, ମୃତ୍ୟୁର ଧୂଳିଶଯ୍ୟାରେ ତାକୁ ଥରେ ଦେଖି ଚିରକ୍ଷୁଧିତ ନୟନର ଜ୍ଵାଳା ପ୍ରଶମିତ କରେ ।”

ଗାନ୍ଧାରୀଙ୍କଠାରୁ ଅଳ୍ପ ଦୂରରେ ଶ୍ରୀକୃଷ୍ଣ ରଥର ଗତି ସ୍ତିମିତ କରିଦେଲେ । ଯୁଧିଷ୍ଠିର ଉଦ୍‌ବିଗ୍ନ କଣ୍ଠରେ ପଚାରିଲେ...“ରଥର ଗତି କାହିଁକି ସ୍ତିମିତ କଲେ ନାରାୟଣ ?”

ଶ୍ରୀକୃଷ୍ଣ ସ୍ମିତ ହସି କହିଲେ.... “ଯେଉଁମାନେ ଶୋକାର୍ତ୍ତ, ବେଦନାର୍ତ୍ତ, ଦୁଃଖୀ, ସେମାନଙ୍କ ନିକଟକୁ କ୍ଷମତା ଓ ଦର୍ପର ଅଭିମାନରେ ରଥାରୂଢ଼ ହୋଇଯିବା ଶୋଭନୀୟ ନୁହେଁ । ସେଥିରେ ସେମାନଙ୍କର ଶୋକର ଗାମ୍ଭୀର୍ଯ୍ୟ ଓ ମର୍ଯ୍ୟାଦା ଲାଞ୍ଛିତ ହୁଏ । ଗାନ୍ଧାରୀ ପୁଣି ସହଜେ ତୁମର ମାତୃତୁଲ୍ୟା ।”

ଯୁଧିଷ୍ଠିର ଅପରାଧୀ ପରି ରଥରୁ ଅବତରଣ କରି କହିଲେ–“ଆପଣ ଯଥାର୍ଥ କହିଅଛନ୍ତି ନାରାୟଣ ! ଶୋକାର୍ତ୍ତ ଗାନ୍ଧାରୀଙ୍କ ନିକଟକୁ ପାଦରେ ଯିବାହିଁ ମୋ ପକ୍ଷରେ ସମୀଚୀନ-।”

ଦୁର୍ଯୋଧନଙ୍କ ଶବ ନିକଟରେ ବିହ୍ଵଳିତା ଗାନ୍ଧାରୀଙ୍କ ନିକଟକୁ ଯୁଧିଷ୍ଠିର ଅଗ୍ରସର ହେଉଥିଲେ । ଶ୍ରୀକୃଷ୍ଣ ତାହାଙ୍କର ଗୋଟିଏ ବାହୁ ଟାଣି ଧରି କହିଲେ–“ଗାନ୍ଧାରୀ ତୁମକୁ କାହିଁକି ସ୍ମରଣ କରିଅଛନ୍ତି, ଜାଣିଛ ଯୁଧିଷ୍ଠିର ?”

 

ଯୁଧିଷ୍ଠିର କହିଲେ...“ନା, ତାହା ଜାଣେନା ତ !”

 

ଶ୍ରୀକୃଷ୍ଣ ସ୍ମିତ ହସି କହିଲେ...“କୁରୁ ମହାଶ୍ମଶାନର ଶବସ୍ତୂପ ମଧ୍ୟରେ ଗାନ୍ଧାରୀ ନିଜ ପୁତ୍ରମାନଙ୍କୁ ଥରେ ଦେଖିବାପାଇଁ, ତାଙ୍କର ଅନ୍ଧପଟ୍ଟିକା ଉନ୍ମୋଚନ କରିବା ଉଦ୍ଦେଶ୍ୟରେ ତୁମକୁ ସ୍ମରଣ କରିଅଛନ୍ତି ।”

 

ଯୁଧିଷ୍ଠିର କହିଲେ...“ଏ ବା କି କଷ୍ଟ କାର୍ଯ୍ୟ ? ଏହି ମୁହୂର୍ତ୍ତରେ ମୁଁ ସେହି ଗ୍ରନ୍ଥି ଛିନ୍ନ କରିଦେବି ।”

 

ଶ୍ରୀକୃଷ୍ଣ ସ୍ମିତ ହସି ପୁଣି କହିଲେ...“କିନ୍ତୁ ଯୁଧିଷ୍ଠିର, ତୁମେ ବିସ୍ମିତ ହେଉଛ କିପରି, ଶତପୁତ୍ରର ଜନନୀ ଗାନ୍ଧାରୀ ଆଜି ତୁମରି ହେତୁ ପୁତ୍ରହୀନ ! ଗାନ୍ଧାରୀଙ୍କ ଭାବନାରେ, ତୁଚ୍ଛ ସିଂହାସନ ପାଇଁ ତୁମର ସର୍ବଗ୍ରାସୀ ଲୋଭ ଓ ଈର୍ଷା ଆଜି କୁରୁକୁଳକୁ ନିଷ୍ପ୍ରଦୀପ କରିଅଛି ।

 

ଯୁଧିଷ୍ଠିର ଅସହାୟ କଣ୍ଠରେ କହିଲେ...“ସେ ବୃତ୍ତାନ୍ତ ଗାନ୍ଧାରୀ ନ ଜାଣନ୍ତୁ ପଛେ, ଆପଣ ତ ଜାଣନ୍ତି ଅନ୍ତର୍ଯ୍ୟାମୀ !”

 

ଶ୍ରୀକୃଷ୍ଣ କହିଲେ...“ଏବେ ତୁମେ ଗାନ୍ଧାରୀଙ୍କ ଅନ୍ଧପଟ୍ଟିକା ଉନ୍ମୋଚନ କରିବା ପରେ ସେ ଯେତେବେଳେ ତୁମର ପାଦ ତଳେ କୁରୁଚୂଡ଼ାମଣି ମାନଗୋବିନ୍ଦ ଦୁର୍ଯୋଧନର ଭୂତଳଶାୟୀ ଶବ ଦେଖିବେ, ସେତେବେଳେ ଶାନ୍ତି ଓ ସାନ୍ତ୍ୱନା ପରିବର୍ତ୍ତେ ତାଙ୍କ ପ୍ରାଣରେ ଶୋକ ବହ୍ନି ଶତଗୁଣରେ ପ୍ରଜ୍ଜ୍ୱଳିତ ହେବ ନାହିଁକି ?”

 

ଯୁଧିଷ୍ଠିର କିଂକର୍ତ୍ତବ୍ୟବିମୂଢ଼ ପରି କହିଲେ...“ତାହା ଯଥାର୍ଥ । କିନ୍ତୁ ଗାନ୍ଧାରୀ ଯେତେବେଳେ ଅନ୍ଧପଟ୍ଟିକାର ଆବରଣ ଉନ୍ମୋଚନ କରିବାପାଇଁ ମୋତେ ସ୍ମରଣ କରିଅଛନ୍ତି, ମୁଁ କ’ଣ କରିବି କହନ୍ତୁ ନାରାୟଣ ?’’

 

ଶ୍ରୀକୃଷ୍ଣ କହିଲେ–“ଗାନ୍ଧାରୀଙ୍କ ଶତପୁତ୍ର ବିନଷ୍ଟ ହୋଇପାରିଥାନ୍ତି, ତଥାପି ଜୀବିତ ଅଛି ଦୁର୍ଦ୍ଦକ୍ଷ । କୁରୁବଂଶର ଶେଷ ପ୍ରଦୀପ ଦୁର୍ଦ୍ଦକ୍ଷକୁ ଦେଖି ଗାନ୍ଧାରୀଙ୍କ ଶୋକାର୍ତ୍ତ ପ୍ରାଣ ଶାନ୍ତି ଲାଭ କରିବ ।”

 

ଯୁଧିଷ୍ଠିରଙ୍କ କଣ୍ଠସ୍ଵର ଶୁଣି ଉତ୍କଣ୍ଠିତା ଗାନ୍ଧାରୀ ପଚାରିଲେ–“ସଞ୍ଜୟ, ଏ ତ ଯୁଧିଷ୍ଠିରଙ୍କ କଣ୍ଠସ୍ଵର ପରି ମନେହେଉଅଛି !”

 

ସଞ୍ଜୟ କହିଲେ–“ଶ୍ରୀକୃଷ୍ଣଙ୍କ ସହିତ ଅଗ୍ରପାଣ୍ଡବ ଯୁଧିଷ୍ଠିର ଆପଣଙ୍କ ପଦବନ୍ଦନା ପାଇଁ ଆସୁଛନ୍ତି ।”

 

ଉଦ୍‌ବେଳିତା ଗାନ୍ଧାରୀ ଯୁଧିଷ୍ଠିରଙ୍କୁ ଆଲିଙ୍ଗନ କରିବାପାଇଁ ଶୂନ୍ୟରେ ଦୁଇ କମ୍ପିତ ବାହୁ ତୋଳି କହିଲେ–“ଆସ, ଆସ ବାବୁ, ବିଗଳିତ କରୁଣାର ପ୍ରତିରୂପ, ଅଗ୍ରପାଣ୍ଡବ ଯୁଧିଷ୍ଠିର–ଆଜି ତୁମେ ଅଗ୍ରକୌରବ ମଧ୍ୟ । ମୁଁ ପାପୀୟସୀ ମୋର କ୍ରୂରକର୍ମର ଫଳ ଭୋଗ କରିଅଛି । ଏବେ ମୋର ଦୁଶ୍ଛେଦ୍ୟ ଅନ୍ଧପଟ୍ଟିକାର ଗ୍ରନ୍ଥି ଥରେ ଉନ୍ମୋଚନ କରିଦିଅ ପୁତ୍ର । ଯେଉଁ ଶତପୁତ୍ରଙ୍କୁ ଜନ୍ମ ଦେଇ ସୁଦ୍ଧା ସ୍ଵଚକ୍ଷୁରେ କେବେ ଦେଖି ନାହିଁ, ଏବେ ସେମାନଙ୍କୁ ପ୍ରଥମ ଓ ଶେଷ ଥରପାଇଁ ଦେଖି, ମୋର ଅତୃପ୍ତ ନୟନର ଜ୍ଵାଳା ପ୍ରଶମିତ ହେଉ ।”

 

ଗାନ୍ଧାରୀଙ୍କ ବ୍ୟାକୁଳ ନିବେଦନରେ ଯୁଧିଷ୍ଠିର ଅନ୍ଧପଟ୍ଟିକାର ଗ୍ରନ୍ଥି ଛେଦନ କରିବାପାଇଁ ଅଗ୍ରସର ହେଉଥିଲେ । ଶ୍ରୀକୃଷ୍ଣ ତାହାଙ୍କର ଗୋଟିଏ ବାହୁ ଧରି ଅସ୍ପଷ୍ଟ କଣ୍ଠରେ ଦୁର୍ଦ୍ଦକ୍ଷକୁ କହିଲେ–“ଦୁର୍ଦ୍ଦକ୍ଷ, ଜନନୀ ଗାନ୍ଧାରୀଙ୍କ ଅନ୍ଧପଟ୍ଟିକା ଉନ୍ମୋଚିତ କର । ପୂତ୍ରହୀନା, ଶତପୁତ୍ରର ଜନନୀ ଗାନ୍ଧାରୀ, ତୁମକୁ ସଶରୀରେ ଜୀବିତ ଦେଖିଲେ ପୁତ୍ରଶୋକ ବିସ୍ମୃତା ହେବେ ।”

 

ଶ୍ରୀକୃଷ୍ଣଙ୍କ ଦୁଇ ଗଙ୍ଗାଧାରରେ ରହସ୍ୟ–ବିଜଡ଼ିତ ହସ ।

 

ଯୁଧିଷ୍ଠିର କହିଲେ–“ତାହାହିଁ କର ଦୁର୍ଦ୍ଦକ୍ଷ ।’’

 

ଯୁଧିଷ୍ଠିରଙ୍କ ନିର୍ଦ୍ଦେଶରେ ତାଙ୍କର ଚିର ଅନୁଗତ ଦୁର୍ଦ୍ଦକ୍ଷ ମୁହୂର୍ତ୍ତକ ମଧ୍ୟରେ ଗାନ୍ଧାରୀଙ୍କର ଅନ୍ଧପଟ୍ଟିକାର ଗ୍ରନ୍ଥି ଛିନ୍ନ କରିଦେଲା । ଅନ୍ଧପଟ୍ଟିକାର କୃଷ୍ଣ ଆବରଣ ତଳୁ ଅଗ୍ନ୍ୟୁଦ୍‌ଗାର ସର୍ବନାଶୀ ଶିଖା ଯେପରି ଉଲ୍ଲମ୍ଫନ କରିଉଠିଲା । ସେହି କରାଳୀ ଦୃଷ୍ଟିର ପୁଞ୍ଜୀଭୂତ ତେଜରେ ଦୁର୍ଦ୍ଦକ୍ଷ ଦୁର୍ଯୋଧନଙ୍କ ଭୂଲୁଣ୍ଠିତ ଶବ ଉପରେ ଭସ୍ମରାଶି ପରି ଝରିପଡ଼ିଲା ।

 

ଯୁଧିଷ୍ଠିର ଆର୍ତ୍ତନାଦ କରିଉଠିଲେ–“ଏ ପୁଣି କି ଚକ୍ରଚାଳନା କଲେ ଚକ୍ରୀ ? ଦୁର୍ଦ୍ଦକ୍ଷ ଯେ ମୋର ଚିର ଅନୁଗତ !”

 

ଶ୍ରୀକୃଷ୍ଣ ଅନୁଚ୍ଚ କଣ୍ଠରେ କହିଲେ–“ନୀରବ ରହ ନିର୍ବୋଧ ! ଆଜି ଗାନ୍ଧାରୀର ନୟନାନଳରେ ଦଗ୍ଧ ହୋଇଥିଲେ, କାଲି ତୁମେ ହସ୍ତିନାର ସିଂହାସନରେ ଅଭିଷିକ୍ତ ହୋଇଥାନ୍ତ କିପରି ? ଏହା ରାଜନୀତି–ରାଜନୀତିର ଯଜ୍ଞକୁଣ୍ଡରେ ଏହିପରି ବଡ଼ ବିଶ୍ୱସ୍ତ ଓ ବଶମ୍ବଦ ଦୁର୍ଦ୍ଦକ୍ଷର ଆହୁତି ଏକ ଦୈନନ୍ଦିନ ଘଟଣା । ସେଥିରେ ତୁମପରି ଧୀମାନ୍ ବିଚଳିତ ହେବା ଉଚିତ ନୁହେଁ, ଯୁଧିଷ୍ଠିର !”

 

ସଞ୍ଜୟ ବଜ୍ରାହତପରି ଶ୍ଳୋକାପ୍ଳୁତ କଣ୍ଠରେ କହିଲେ–“ଏ କ’ଣ କଲେ ମହାଦେବୀ ! କୁରୁକୁଳର ଏକମାତ୍ର କ୍ଷୀଣ ପ୍ରଦୀପଶିଖା ଦୁର୍ଦ୍ଦକ୍ଷକୁ ସୁଦ୍ଧା ଏହିପରି ନିର୍ବାପିତ କରିଦେଲେ ?”

 

ଶ୍ରୀକୃଷ୍ଣ ସମବେଦନାର ଅଭିନୟ କରି କହିଲେ...“ଜନନୀ, କିଏ କହେ ଆପଣ ପୁତ୍ରହୀନା ? କୌରବ କିଏ, ପାଣ୍ଡବ କିଏ ? ସେମାନଙ୍କୁ ଏବେ ପୁତ୍ରରୂପେ ଗ୍ରହଣ କରନ୍ତୁ ।”

 

ଶ୍ରୀକୃଷ୍ଣଙ୍କ ଦୁଇ ରଙ୍ଗା ଓଠରେ ରହସ୍ୟବିଜଡ଼ିତ ହସ ।

 

ଗାନ୍ଧାରୀ ପାଦ ତଳେ ଦୁଗ୍ଧ ଆମ୍ରମୁକୁଳ ପରି ଝରିପଡ଼ିଥିବା ଦୁର୍ଦ୍ଦକ୍ଷର ଭସ୍ମରାଶି ଆଡ଼େ ଚାହିଁ, ଉନ୍ମାଦିନୀ ପରି ଅଟ୍ଟହାସ କରି କହିଲେ...“ବୁଝିଛି ବୁଝିଛି ତୁମର ଚକ୍ରାନ୍ତ । କିନ୍ତୁ ସୁଦର୍ଶନଚକ୍ରର ଚକ୍ରାନ୍ତ ଓ ଶକ୍ତିରେ କେବଳ କୌଣସି ସିଂହାସନ ରହି ନାହିଁ କିମ୍ବା ରହିବ ନାହିଁ । ପ୍ରତାରିତ ଓ ନିପୀଡ଼ିତ ଆତ୍ମାର ଅଭିଶାପରେ ସବୁ ଦଗ୍ଧ ହୋଇଯିବ, ସବୁ ଭସ୍ମ ହୋଇଯିବ । ତୁମର ମଧ୍ୟ ସେଥିରୁ ନିସ୍ତାର ନାହିଁ, ଶ୍ରୀକୃଷ୍ଣ ! ସ୍ଵଜନଦ୍ରୋହ ମଧ୍ୟରେ, ସୋମବଂଶ ପରି ବିରାଟ ଯଦୁବଂଶ ମଧ୍ୟ ନିଷ୍ପ୍ରଦୀପ ହୋଇଯିବ । ତୁମର ପ୍ରିୟପୁତ୍ର ପ୍ରଦ୍ୟୁମ୍ନ ସୁଦ୍ଧା ସେଥିରୁ ରକ୍ଷା ପାଇବ ନାହିଁ-।”

 

ଉଚ୍ଛ୍ଵସିତ କ୍ରନ୍ଦନର ରୁଦ୍ଧ ଆବେଗରେ ଗାନ୍ଧାରୀ ଦୁର୍ଦ୍ଦକ୍ଷର ଭସ୍ମରାଶି ଉପରେ ଲୋଟି ପଡ଼ିଲେ ।

 

ଶ୍ରୀକୃଷ୍ଣଙ୍କ ଦୁଇ ରଙ୍ଗାଧରରେ ଚିର ରହସ୍ୟବିଜଡ଼ିତ ସ୍ମିତରେଖା, ଦ୍ଵିତୀୟାର କ୍ଷୀଣ ଶଶୀରେଖା ପରି ବିକ୍ଷୁବ୍‌ଧ ଅନ୍ଧକାର ମଧ୍ୟରେ ନିର୍ବାପିତ ହୋଇଗଲା ।

 

ଅସ୍ତାଚଳରେ ଇନ୍ଦ୍ରପ୍ରସ୍ଥର ଗିରିମାଳା ନେପଥ୍ୟରେ ସର୍ବଦ୍ରଷ୍ଟା ଦିବାକର ମଧ୍ୟ ଅସ୍ତମିତ ହୋଇଗଲେ ।

☆☆☆

 

Unknown

ପିଛା ପରୀକ୍ଷା

ଶ୍ରୀ ଗୋପୀନାଥ ମହାନ୍ତି

 

ଗଳ୍ପଟି ଯାହାର ତା’ ନାଁ ନ କହି ମୁଁ ଗାଁ କହିବି । ଗାଁ ତ ବାଣପୁର ଆଡ଼ର, ପାହାଡ଼ ତଳ-। ଆକାରରେ ସେ ମଣିଷଟିବି ଖଣ୍ଡେ ଛୋଟିଆ ପାହାଡ଼, ଭାଲେରି ପର୍ବତରୁ ସାନ ଖଣ୍ଡେ ଛିଣ୍ଡିପଡ଼ି ଗଡ଼ି ଗଡ଼ି ତଳକୁ ଆସି ତଳେ ଗୋଡ଼ ଲଗେଇଦେଲା । ସେଉଠୁ ଚାଲିଲା । ସେଇଠୁ ହାଇସ୍କୁଲ ପାଠ ଶେଷ କରି କଟକରେ ଡାକ୍ତରୀ ସ୍କୁଲ୍‍ରୁ ପାସ୍ କରିସାରି ଗାଁରେ ବସି ଡାକ୍ତର ଛଡ଼ା ଅନ୍ୟ ହାନିଲାଭରେବି ମୁଣ୍ଡ ଖେଳେଇଲା । ଏହିପରି । ବରକୁଳ ପାଖ ପ୍ରକାଣ୍ଡ ଆକାର ମଙ୍ଗରାଜଙ୍କୁ ଯଦି ଆକାରରେ ରାବଣ କୁହାଯିବ ତେବେ ୟାଙ୍କୁ ଆକାରରେ ମେଘନାଦ କହିଲେ କିଛି ଆପତ୍ତି ନାହିଁ-। ତେବେ ଚିଲିକା ମାଛ, ଶାଳିଆ ନଈ ତଳ କାଦୁଆ ପଙ୍କୁଆ ଜମିର ଧାନ, ବାଣପୁରର ପ୍ରସିଦ୍ଧ ମୁଗଡ଼ାଲି, ସୋଲେରି ଭାଲେରି ତଳ ଔଷଧ–ପବନ, ମା’ ଭଗବତୀର ଆଶୀର୍ବାଦ, ସବୁ ମିଶି ବାଣପୁର ଲୋକଙ୍କ ଆକାରକୁ ଟିକିଏ ବଡ଼ କରିଦିଏ ବୋଲି ସେମାନଙ୍କ ବିଶ୍ଵାସ, ଆଉ ସେମାନେ ଗର୍ବ ଅନୁଭବ କରନ୍ତି ଯେ ପ୍ରସିଦ୍ଧ ବାଣାସୁରଙ୍କ ରାଜ୍ୟ ସେହି । ଡାକ୍ତର ମେଘନାଦ ବାଣାସୁରଙ୍କ କଥା କହୁ କହୁ ଆଖି ପୋଛନ୍ତି । ‘ଆଃ ଓଡ଼ିଶା, କାହିଁ ସେ ଶକ୍ତି । କାହିଁ ସେ ବୀରତ୍ଵ ! କାହିଁ ସେ ବୈଭବ ! କାହାନ୍ତି ସେ ବାଣାସୁର !” ସେ ନିଜେ ଖଣ୍ଡା ବୁଲାନ୍ତି, ନିଶ ମୋଡ଼ି କୁହାଟ କିଳିକିଳା ଛାଡ଼ି ପାଇକାଳି ଖେଳ ଦେଖାନ୍ତି । ଖଣ୍ଡାଏତ ଗାଁ ଦାଣ୍ଡରେ ଯେଉଁ ପ୍ରକାଣ୍ଡ ଗୋଲ ଗୋଲ ପଥର ପଡ଼ିଥାଏ ଯାହାକୁ ନଇଁପଡ଼ି ବାହାରେ କୁଣ୍ଢେଇ ଧରି ଛାତିରେ ଲଗାଇ ଧରି ଟେକିବାକୁ ହୁଏ, ତାକୁବି ଟେକନ୍ତି । ଏଣେ ପ୍ୟାଣ୍ଟ୍‌, କୋଟ୍‌, ଟାଇ, ଷ୍ଟେଥୋସ୍କୋପ୍ ପିନ୍ଧନ୍ତି । ରସରସିଆ କଥା କହନ୍ତି ବେତ ବେତା, ଆଉ ଲୋକେ କହନ୍ତି–

 

ବାଣପୁରିଆ ଭାଇ

ଶାଳିଆ ନଈ

ଶୋଲେରି ଶିଖ

ମୟୂର ବାଙ୍କ, ୟାଙ୍କୁ ହୁସିଆରି ।

 

ପାଇକ କିଳିକିଳା ରଡ଼ି ଦେଇ କୁହାଟ ମାରୁ ମାରୁ, ଝାଳନାଳ ହୋଇ ପଥରମାନ ଟେକି ପିଠିର ବାହାରେ କଚି ଦେହକୁ ବଜ୍ରାଙ୍ଗ କରୁ କରୁ, ଲମ୍ବା ପାଞ୍ଚହାତିଆ ଛ’ହାତିଆ ଖଣ୍ଡା ପକୋଉ ପକୋଉ, ଝିଟିପିଟି ଲାଙ୍ଗୁଡ଼, ଚେମେଣି ଚଢ଼େଇର କଳ ଦାନ୍ତ, ବେଙ୍ଗ ଘୁଅ, ମୂଷା ନିଶ, ଭଦଭଦଳିଆ ପର, ଧୋବ ଅଙ୍କରାନ୍ତି ଚେର, ବାରବର୍ଷିଆ ପତର ଏକାଠି ବାଟି ମାଈ ଦୁଧରେ ଫେଣ୍ଟି ଖଣ୍ଡା ଦାଢ଼ରେ ବୋଳି କେମିତି ପାଗ କଲେ ଏ ଖଣ୍ଡା ଜଗତଜିତା ହେବ ସେସବୁ ଉପାୟ କରୁ କରୁ ଇଂରେଜ ମାଡ଼ି ଆସିଲେ, ଦେଶ ଉଚ୍ଛନ୍ନ ହୋଇଗଲା ।

 

ତିନି ଘଣ୍ଟା ପରେ ଚତୁର୍ଥ ଘଣ୍ଟାକବି ବସିପଡ଼ି ପ୍ରକାଣ୍ଡ, ପାନବଟାରୁ ଦ୍ଵାବିଂଶ ଖଣ୍ଡ ପାନକୁ ପ୍ରକାଣ୍ଡ ହାଉଁ ଭିତରେ ଭର୍ତ୍ତି କରି ଦୁଇ ନାକପୁଡ଼ାରେ ଅଧ–ଚାମୁଚିଏ ମାପରେ ନାଶ ଠେସି ଅଣଚାଶ ପବନ ପ୍ରକୋପରେ ଛିଙ୍କି ଡାକ୍ତର ମେଘନାଦ କହିଲେ–

 

“ତା’ପରେ ଦଳେଇ ଅର୍ଥାତ୍‌ ଦଳପତିମାନଙ୍କୁ କୁହାଗଲା ତୁମେ ପାଳିକରି ପହରା ଦବ, ସାହେବ ବଙ୍ଗଳାକୁ ଆସିଲେ ତେମେ ବଙ୍ଗଳା ଓଳେଇବ, ପାଣି ଆଣି ଦବ, କମୋଡ଼ ମୁଣ୍ଡେଇ ଗସ୍ତରେ ଚାଲିବ, ପେଟ ବିକଳରେ ଗାଁ ଗୋଟାକର ଦଳପତି କମୋଡ଼ବି ବୋହିଲେ ଆଜ୍ଞା, ଖଣ୍ଡାଏତ ଭବିଲା କୌଣସିମତେ ଆଗ ମୁଁ ବଞ୍ଚିଯାଏ, ଜୀବନ ରଖେ, ପ୍ରାଣ ଉପରେ ପଡ଼ିଲେ ସବୁ ବୀରତ୍ଵ କୁଆଡ଼େ ଉଡ଼ିଯାଏ, ଦେଖୁନାହାନ୍ତି ଜାପାନୀ ଆକ୍ରମଣବେଳେ ସିଙ୍ଗାପୁରରେ ବ୍ରିଟିଶକେଶରୀ କ’ଣ କଲେ–”

 

ଚିଲିକା ଶୋଇ ଶୋଇ ସ୍ଵପ୍ନ ଦେଖୁଛି । ଗଇଁଠା ପାଉଁଶ ବର୍ଣ୍ଣ, କାଚପରି ଥିର ପାଣି, ଏକ ପ୍ରକାଣ୍ଡ ଅର୍ଦ୍ଧବୃତ୍ତ ଆକାରର, ପାଣି ସେପାରି ଛ’କୋଶ ଦୂରରେ ଭାସିଲାପରି ଦିଶୁଛି କେଇଟା ଗଛର ପ୍ରେତାତ୍ମା, ସେଠି ଗଡ଼ କୃଷ୍ଣପ୍ରାସାଦ । ବାଁ ପଟେ ଢେଉପରି ପାହାଡ଼ ଚିଲିକା ଭିତରକୁ ପଶି ଆସିଛି, ସେଠି ଦୀପଦାଣ୍ଡିଆ ପାହାଡ଼, ଯାହା ମୁଣ୍ଡରେ ପ୍ରକାଣ୍ଡ ଦୀପ ଜଳିଲେ ଚିଲିକାର ବୋଇତମାନଙ୍କୁ କୂଳକୁ ଆସିବାକୁ ବାଟ ଦିଶୁଥିଲା । ଡାହାଣେ ଜଟିଆନାସିର ପାହାଡ଼ ଖଣ୍ଡାଏତର ଖଣ୍ଡାପରି ବଙ୍କେଇ ହୋଇ ଚିଲିକା ଭିତରକୁ ଡେରିହୋଇ ରହିଛି, ଆକାଶରେ ଖଣ୍ଡଖଣ୍ଡ ଜିକି ଜିକି ରୁପେଲି ମେଘ ଭାସି ଭାସି ଚାଲିଛି । ଦୂରରେ ଦୂରରେ ଚିଲିକା ପାଣିରେ ଛାଡ଼ିଛାଡ଼ିକା ଗୋଟିଗୋଟିକିଆ ବହଳ କଳା ଛାଇପରି ଡଙ୍ଗା; ସେଥିରେ ସିଧା ଠିଆ ହୋଇଥିବା ଗୋଟିଗୋଟିକଆ ମଣିଷଙ୍କ ଛାଇ ମୂର୍ତ୍ତି । ଚିଲିକା ପାଣିରେ ଅସଂଖ୍ୟ ଟିକିଟିକି ଭଉଁରି ଭାସି ଚାଲି ଗଲାପରି ଦିଶୁଛି । କୂଳଠୁ ଅଳ୍ପ ଛାଡ଼ି ଧାଡ଼ି ଧାଡ଼ି ହୋଇ ମାଛଧରିବା ବଜା ଟଙ୍ଗା ହୋଇଛି । କୂଳରେ କୁଢ଼କୁଢ଼ ହୋଇ ଧଳା ପଥର ଗଦା ହୋଇଛି । କରେକେ ଘରଗୁଡ଼ିକ, ଡେଙ୍ଗା ଡେଙ୍ଗା ନଡ଼ିଆଗଛ (......)

 

ବଉଦମାନଙ୍କର ଅଦ୍ଭୁତ ମୂର୍ତ୍ତି, ଅସଂଖ୍ୟ ଛବି, ଆପଣାକୁ ବିଛେଇ ଦେଇ ହୁଏ, ମନଇଚ୍ଛା ବହୁତ ଦୂରକୁ ବୋଲି, ପୁଣି ଆପଣା ଖୋଳରେ ଥାଇ ପଦାରେ କଳ୍ପନାରେ ପ୍ରତିଫଳିତ ହୋଇଥିବା ଆପଣା ବ୍ୟକ୍ତିତ୍ଵକୁ ନିରେଖି ଦେଖି ହୁଏ, ଦେଖୁଦେଖୁ ହୁଗୁଳା ହୋଇଯାଇ ସବୁ କୁଆଡ଼େ ହଜିଯାଏ । ଆଉ ଦିଶେ ଚିଲିକାର ସେଇ ମାୟା ବିସ୍ତୃତି, ଅନ୍ଧାର ପଡ଼ିଲେବି ଯହିଁରେ ହାତ ଛୋଇଁଦେଲେ ଫସ୍‌–ଫରସ୍‌ ଆଲୁଅରେ ପାଣିରେ ଗାର କାଟିହୁଏ ।

 

ଇତିହାସ ଚାଲିଯାଇଛି । ଚିଲିକାରୁ ସମୁଦ୍ରକୁ ସିଧା ବାଟ ତୁଣ୍ଟି ହୋଇଛି । ଚିଲିକା ପୋତି ହୋଇ ପଡ଼ିଲାଣି । ଖାଲି ସଢ଼ା ଫଳ ସରସର, ତା’ର ସଢ଼ା ଜଳର ଦୁର୍ଗନ୍ଧ କୋଶ କୋଶ ଦୂରକୁ ପବନରେ ଉଡ଼ି ଉଡ଼ି ଯାଉଛି । ତଥାପି ସବୁ ସତେକି ସରି ନାହିଁ । ତାକୁ ଚାହିଁଲେ ଲାଗୁଛି କ’ଣ ଯେପରିକି ଘଟିବ ବୋଲି ସବୁ ସତେକି ଅପେକ୍ଷା କରିଛି । ଚିଲିକାବି ଅପେକ୍ଷା କରିଛି । ନିତି ସକାଳୁ ଚିଲିକାର ସ୍ଥିର ଦର୍ପଣଯାକ ସିନ୍ଦୂରଗୁଣ୍ଡା ଅଜାଡ଼ି ଅଜାଡ଼ି ସୂର୍ଯ୍ୟ ସେ ପାଣିରୁ ବାହାରେ, ଆକାଶରେ ଚଢ଼େ, ସୋଲେରି ପାହାଡ଼ ସେକରେ କେଉଁ ଯୋଡ଼ିଏ ପାହାଡ଼ ଶିଙ୍ଘ ମଝିରେ ଖାଲ ଭିତରକୁ ଗଡ଼ିପଡ଼େ, ଏମିତି ଦିନ ପରେ କେତେ ଦିନଯାଏ, ହଂସପଲ ଉଡ଼ି ଆସନ୍ତି, ପାଣିଯାକ ବସନ୍ତି, ଶୀତ ସରେ, ହଂସ ଚାଲିଯାଆନ୍ତି । କିନ୍ତୁ ଚିଲିକାର ସେ ଟାକିବସିବା ସରେ ନାହିଁ ।

 

ଘଟିବ, ଘଟିବ, ଅବଶ୍ୟ କିଛି ଘଟିବ ।

 

ପ୍ରକାଣ୍ଡ ଆକାର ଡାକ୍ତର ମେଘନାଦଙ୍କ ସ୍ଥିରଦୃଷ୍ଟିରେ ସେହି ଆଶ୍ୱାସନା, ସେ ଅବଶ୍ୟ କିଛି ଘଟିବ ।

 

କ’ଣ ଘଟିପାରେ ? କ’ଣ ବା ବାକି ଅଛି ଘଟିବାକୁ ? ଏଇ ଚିଲିକା କୂଳେ କୂଳେ ଭୂଇଁ କାଦୁଅ ହୋଇଛି ମଣିଷ ରକ୍ତରେ । ଦନ୍ତପୁର ଓ ଦନ୍ତପୁରୀ ବିଶ୍ୱବିଦ୍ୟାଳୟ, ଧର୍ମ, ସଂସ୍କୃତି, ଶାନ୍ତି, ଅହିଂସ, ହିଂସା, ଅତ୍ୟାଚାର, ବିଶ୍ୱାସଘାତକତା, ମିଥ୍ୟା, ପାପାଚାର କ’ଣ ନ ଘଟିଛି ଏଠି ! ଚିଲିକା ପାଣିରେ ମାଛଠୁ ବଳି ଏଠି କାହାଣୀ ସାଲୁ ସାଲୁ । ତଥାପି ଆହୁରି କ’ଣ ଘଟିବ ବୋଲି ସବୁ ସତେକି ଥମ୍ବି ଯାଇ ଅପେକ୍ଷା କରିଛି ।

 

ସଞ୍ଜ ଆହୁରି ପାଖକୁ ଲାଗି ଲାଗି ଆସିଲାଣି । ଚିଲିକା ଉପରର ଆକାଶ ଆଗଠୁ ଅନ୍ଧାର ପଡ଼ି ଆସିଲାଣି । ପ୍ରାଗ୍‍ଐତିହାସିକ ଜନ୍ତୁମାନଙ୍କ ପରି କଳା କଳା ହୋଇ ପ୍ରକାଣ୍ଡ ପ୍ରକାଣ୍ଡ ରୁକ୍ଷ ପଥର ନାକ ଦେଖାଇ ଥଣ୍ଟ ଦେଖାଇ ଚିଲିକା ପାଣିରେ ଶୋଇ ରହିଛନ୍ତି । ଲାଗୁଛି ଦୂରରୁ ଅତୀତର ବୋଇତ ମାଳମାଳ ଏଥର ଦିଗ୍‌ବଳୟ ଟପି କୂଳକୁ ମୋହିଁବାର ଦିଶିବେ । ଠିଆପାଲ ବୋଇତ ଲେଉଟି ଆସୁଥିବେ ଚୀନ ସାଗରରୁ ପରା । ଦୀପ–ଆଡ଼ିଆ ପାହାଡ଼ ଉପରେ ଦୀପଶିଖା ତାଙ୍କୁ ଆମନ୍ତ୍ରଣ କରିବ, କୂଳରେ ଥାଇ ସାଧବବୋହୂମାନେ ତାଙ୍କୁ ବନ୍ଦାପନା କରିବେ । କି ଅବା ଘଣ୍ଟଶିଳା ପାହାଡ଼ ଉପରେ ପ୍ରକାଣ୍ଡ ଘଣ୍ଟ ବାଜିଉଠିବ, ସଙ୍କେତ ଦେବ ‘‘ଏକାଠି ହୁଅ ପାଇକ ସେନା, ଏକାଠି ହୁଅ ।’’

 

ଗୋଟିକିଆ କାଉଟିଏ ପାଣିକୁ ଲାଗେ ନଲାଗେ ତଳେ ତଳେ ଉଡ଼ି ଉଡ଼ି ଫେରୁଛି । କଜଳପାତିଟିଏ ଖଣ୍ଡେ ଡାଙ୍ଗ ଉପରେ ବସି ରହି ଗୀତ ଗାଇବାକୁ ଆରମ୍ଭ କଲାଣି । ଛିଞ୍ଚାଡ଼ି ମାରିଲା ପରି ଟିକିଟିକି ଚଢ଼େଇ ମେଞ୍ଚାମେଞ୍ଚା ଆକାଶଯାକ ବିଛେଇ ହୋଇ ଯାଉଛନ୍ତି । ଆର ମୁହୂର୍ତ୍ତକୁ ଆଉ ଦିଶୁ ନାହାନ୍ତି । ଆକାଶରେ ମେଘ ମାଳମାଳ ଭାସି ଚାଲିଛନ୍ତି । ପ୍ରକାଣ୍ଡ ପ୍ରକାଣ୍ଡ ଜାହାଜ ଚାଲିଛି, ମଝିରେ ମଝିରେ ଆକାଶରେ ଏଠିସେଠି ସଳଖ ନାଲି ଗାର, ସତେକି ଆକାଶର ନାଲି ସଡ଼କ । ତା’ ତଳେ ଧାଡ଼ି ଧାଡ଼ି ତାଳଗଛମାନ ଠିଆ ହୋଇଛନ୍ତି । କଳା କଳା ସରଳ ରେଖାମାନ, ତା’ ଆଗରେ କଳା ବାହୁଙ୍ଗା, କେତେଟାର ବାହୁଙ୍ଗାବି ନାହିଁ । ଅନ୍ଧାର ନିବିଡ଼ ହୋଇ ମାଡ଼ି ଆସୁଛି । ଦିଗ୍‌ବଳୟ ପାଖେଇ ଆସୁଛି । ଏଥର ବିସ୍ତୃତି ଘୋଟିଯିବ ।

 

ବହୁତ ବେଳ ଗୁମ୍‌ ହୋଇ କଟିଲାଣି । ଗମ୍ଭୀର ଚେତନା, ସେହି ମାଡ଼ି ଆସୁଥିବା ଅନ୍ଧାର ପରି । ଏଥର ସେ ପୁଣି କଥା କହିଲେ ଡାକ୍ତର ମେଘନାଦ, ସମସ୍ତେ ବେକ ଉହୁଙ୍କେଇ ଅନାଇଁ ରହିଲେ, ଯେପରିକି ଯାହାକୁ ଅପେକ୍ଷା ଥିଲା ସେହି ଏଥର ଆତ୍ମପ୍ରକାଶ କରିବ, ହଜିଥିବା କେଉଁ ଏକ ସୁଭାଷ, କି ପାଟଶାଣି । କି ଅବା ଏଥର ମାଳିକା ଫଳିବ, ସତ ଉପୁଜିବ, ମିଛ ଭେଦ ଛନ୍ଦ କିଛି ରହିବ ନାହିଁ । କିନ୍ତୁ କଥା କହିଲେ ସେ–ଡାକ୍ତର ମେଘନାଦ, ଆଉ କହିଲେ ସେହି କଥା, ସେହି କଥା, ସେହି ଜାତି ଧ୍ଵଂସ ବେଳର କାହାଣୀ–

 

ଖଣ୍ଡାଏତ ଅଡ଼ି ବସିଲା, କହିଲା ହେବୁ ତ ଭୋବନା ହେବୁ, ଭୋବନିଶ୍ୱରରେ ସବୁ ଦିଅଁଙ୍କ ଭିତରେ ରାଜା ହୋଇ ପୂଜା ପାଇବୁ, ନହେଲେ ହବୁ ଖରାଖିଆ, ମଝିମଝିକିଆ କାହିଁକି ? ସେ ଇଂରେଜୀ ପାଠକୁ ଆପଣାଠୁଁ ଦୂରେଇ ରଖିଲା, କହିଲା ଫିରିଙ୍ଗି ପାଠର ଅକ୍ଷର ଗୋରୁ ମୂତିମୂତିକା ଗଲାପରି; କହିଲା ଯେ ମୋର ରାଜ୍ୟ ନେଲା, ଜାଗିରି ନେଲା, ମୋ ଭାତଥାଳି ଛଡ଼େଇ ନେଲା, ତା’ ଭାଷା ଫେର୍‌ ମୁଁ ଶିଖିବି । ତା’ କଚିରିକି ଫେର୍‌ ମୁଁ ଯିବି, ଚାକିରି କରି । ରଜା ହୋଇଥିଲି । ପରଜା ହୋଇ ହଳ ଧରିବି ସେ ଭଲ, ଇଂରେଜ ପାଖରେ ଚାକିରି କରିବାକୁ ଯାଇପାରିବି ନାହିଁ । ବିତିଗଲା ଏମିତି ତିନିପୁରୁଷ, ସେ ଇଂରେଜୀ ପାଠ ପଢ଼ିଲା ନାଇଁ କି ପୁରୁଣା ଓଡ଼ଶୀ ପାଠ ପଢ଼ିବାକୁ ପାଇଲା ନାହିଁ । ସେ ଆବିର୍ଭୂତ ହେଲା ଏକ ନୂଆ ରୂପରେ, ସେ ଚାଷୀ । ଯେଉଁ ଓଡ଼ ବୋଲନ୍ତେ ରଜା ବୋଲାଉଥିଲା, ସେ ଓଡ଼ ହେଲା ଖାଲି ଚାଷୀ । ତା’ର ବୁଦ୍ଧିବି ସେହି ଅନୁରୂପ ହୋଇଗଲା । ସେହି ବୁଦ୍ଧି କଥା କହୁଛି ବର୍ତ୍ତମାନ । ଦି’ ସମୁଦି ହାଟରୁ ପଟେ ଲେଖା ବଅଲ କିଣି ଯାଇଥିଲେ, ଆମ ଗାଁ ଦଳବେହେରା ହରି ୟୁଝାର ସିଂ ଆଉ ତାଙ୍କ ଗାଁ ଦଳବେହେରା ରାଘବ ଉଠାଣ ସିଂ । ଦଳବେହେରା ବୋଲନ୍ତେ ଗାଁର ମୁଖିଆ ଲୋକ, ପୁଣି ହଜାରେ ଲଢ଼ୁଆ ପାଇକଙ୍କ ଉପରେ ସର୍ଦ୍ଦାର । ସେତେବେଳକୁ ଦିହିଁକାଦିହେଁ ଇସ୍କୁଲ ଆଉ ଇଂରେଜୀ ପାଠକୁ ବଏକଟ୍‌ କରି ଆପେ ହୋଇଛନ୍ତି ଟିକା ଚିହ୍ନ ମହାନନ୍ଦ । ହେଲେ ଚେହେରାଟିମାନ ଥାଏ, କି ବରକୁଳର କେଳୁ ମଙ୍ଗରାଜ ତାଙ୍କ ଆଗରେ, ଏଡ଼େ ମୁହଁ, ଏଡ଼େ ଗାଲ, ଏଡ଼େ ନିଶ । ଇଂରେଜ ତାଙ୍କ ଜାଗିରି ଛଡ଼େଇ ନେଇଥାଏ ସିନା, ଚେହେରା ବାଗେଇବା ତ ଊଣା ନଥାଏ, କାମ ଭିତରେ ତ ଖାଲି ଚାଷ କରିବା ଆଉ ଗାଁରେ ଆସ ପଥର ଟେକିବା, ଖଣ୍ଡା ନଉଡ଼ି ଖେଳିବା, ଦଣ୍ଡ ସାଧନ ଭାଙ୍ଗିବ; ଦେହ ଠିକ୍ ଥାଏ । ମସ୍ତ ବଡ଼ବଡ଼ ବଳଦ ପଟେ ଲେଖା କିଣି ଫେରୁଥାନ୍ତି । ଇଞ୍ଜିନପୁର ପାଖ ନଈ ପୋଲ ହେଲା, ମୁଣ୍ଡ ଉପରେ ଖରା, ଭୋକରେ ହଂସା ଉଡ଼ିଲା । ଦିହିଁଙ୍କ କାନ୍ଧରେ ଗାମୁଛା, ଗାମୁଛାରେ ପାଖେକେ ଚୁଡ଼ା ତିନିପା ଲେଖା ବନ୍ଧା ହୋଇଛି ତ ଆର ମୁହଁରେ ଗଣ୍ଡିରା ହୋଇଛି ଲୁଣ, ଲଙ୍କା ଓ ଆମ୍ବୁଲ । ଠିଆଠିଆ ଚୁଡ଼ା ଗଣ୍ଡିରାମାନ ପାଣିରେ ତିନ୍ତେଇ ନେଲେ । ଖାଇବାକୁ ଗଲାବେଳେ ମନେ ପଡ଼ିଲା, ଆରେ ଏ ବଳଦ କୋଉଠି ରହିବେ ? ଯୁଝାର ସିଂ ବୁଦ୍ଧି ପାଞ୍ଚିଲେ, ବଳଦ ପଘାକୁ ନେଇ ଆପଣ ଗୋଡ଼ରେ କସିକରି ବାନ୍ଧିଲେ । ସମୁଦିଙ୍କ ଦେଖାଦେଖି ଉଠାଣ ସିଂ ବି ଅବିକଳ ସେଇଆ କଲେ । ଆପଣା ବୁଦ୍ଧି ବିଚକ୍ଷଣତା ଭାବି ଦି’ ସମୁଦି ପଟେ ହସାହସି ହେଲେ । ତା’ବି ବେଶୀ ସମସ୍ତ ନୁହେଁ, ପାଟିରେ ଚୁଡ଼ା ଗୁଣ୍ଡା, ହସିବାକୁ ଜାଗା ନାହିଁ । ଚାହୁଁଚାହୁଁ କଟକି ତିନିପା ଓଜନର ଚୁଡ଼ା କ’ଣ ଜଣକେ ଶେଷ କରିଦେଲେ । ପୁଣି ଯୁଝାର ସିଂ ମନେ ପକାଇଲେ, ଚୁଡ଼ା ତ ସଇଲା ଆରପାଖେ ଆମ୍ବୁଲ, ଲୁଣ, ଲଙ୍କା ରହିଗଲା ଯେ । ସେ ପାଖ ଗଣ୍ଡିରା ଖୋଲିଦେଇ ଆମ୍ବୁଲରେ ମନ ଲଗାଇଲେ । ଆମ୍ବୁଲ ସୁଆଦ ଲାଗିଲା, ଯୁଝାର ସିଂ ଆମ୍ବୁଲ ରେନ୍ତି ରେନ୍ତି ବସି ବସି ଟାକରା ଫୁଟାଇଲେ । ଏପର୍ଯ୍ୟନ୍ତ ତାଙ୍କ ବଳଦଟି ନିଶ୍ଚିନ୍ତ ଥିଲା । କିନ୍ତୁ ଯେମିତି ସେ ଟାକରା ଫୁଟେଇଛନ୍ତି ସେମିତି ସେ ବଳଦ ମାରିଲା ଡିଆଁ । ଯୁଝାର ସିଂ ଚିତ୍କାର କରୁଥାନ୍ତି–‘‘ସମୁଦି ରଖ ରଖ, ମରିଗଲି ମରିଗଲି ।’’ ସମୁଦିଙ୍କିବି ସେହି ଦଶା, ସେ ବି ଆମ୍ବୁଲ ଖାଇ ଟାକରା ଫୁଟାଇଥିଲେ । ବଳଦ ପଛେ ପଛେ ଦଉଡ଼ିରେ ବନ୍ଧା ହୋଇ ମାଟି ପଥର ଥୁଣ୍ଟା କଣ୍ଟା ଉପରେ ଘୋଷରା ହୋଇ ହୋଇ ଦିହିଁକାଦିହେଁ ଗଡ଼ଗଡ଼େଇ ଗଡ଼ଗଡ଼େଇ ଚାଲିଛନ୍ତି । ୟେ କହୁଚି ସମୁଦି ରଖ, ସେ କହୁଚି ସମୁଦି ରଖ, ବଳଦ ଦଉଡ଼ୁଛନ୍ତି ଏକାଥରେ ତାଙ୍କ ଖାମିଦଙ୍କ ଘରମୁହାଁ । ସେଠି ଏତେ ପଥର କୁଣ୍ଡ ଟେକିବା ସାଧନ ଭାଙ୍ଗିବା, ପାଇକାଳି କରିବା କିଛି କାମ ଦେଲା ନାହିଁ । ସେହି ଦି’ସମୁଦିଏ ପୁଣି ମାଲ ଘରେ ଜନମ ହୋଇଥିଲେ, ଉଠାଣ ସିଂଙ୍କ ବାପେ କଠୋଉ ମାଡ଼ି ହାତରେ ଦି’ଟା ଗୁଡ଼ ମାଠିଆ, ଦାନ୍ତରେ ଧରି ଆଉ ଗୋଟାଏ ଗୁଡ଼ ମାଠିଆ ଏକାଠି ଟେକୁଥିଲେ ତ ଯୁଝାର ସିଂଙ୍କ ବାପେ ଚକ ଲଗା ଶଗଡ଼ର ଅଖକୁ ଅଣ୍ଟାରେ ସମତୁଲ କରିଥିଲେ, ଶଗଡ଼ ଚକାକୁ ହାତରେ ଟେକୁଥିଲେ, ଦେହଯାକ ପଥରରେ ଛେଚି ହେଉଥିଲେ । ହଠାତ୍ ଅନ୍ଧାର ଘୋଟିଲା । ଚାହୁଁଚାହୁଁ ବରଷା ପଡ଼ିଲା । ଚାଲିଲା ତା’ପରେ ହାତୀ ଶୁଣ୍ଢ ପରି ଗଳ ଗଳ । ପବନର ବେଗ ବଢ଼ି ବଢ଼ି ଚାଲିଲା ।

 

ମେଘନାଦ ଉଠି ଠିଆହେଲେ, ସେତେବେଳକୁ ସେ ଅଧା ଜୁଡ଼ୁବୁଡ଼ୁ ହେଲାଣି । ଆଉ ପାଲ୍‌ଟା ସିଂ, ପାତ୍‌ଳା ସିଂ, ପାହାଡ଼ ସିଂ, ରଣ ସିଂ, କହଲ ସିଂ, ଛୁଆଳ ସିଂ, ଆଗାରା ସିଂ, ଜୟ ସିଂ, ସମ୍ବର ସିଂ, ବାଘ ସିଂ ସବୁ ସିଂହଯାକ ଦରଦର ଜୁଡ଼ୁବୁଡ଼ୁ ହୋଇ ଦେହ ଶୀତେଇ ଶୀତେଇ ଉଠି ଠିଆହେଲେ । ଚାଳ ଭାର ମାଟି ପିଣ୍ଡା, ଉପରୁ ଗଳୁଛି । ଛାତ ପଡ଼ୁଛି କି ଉଠୁଛି । ସାନ ଟ୍ରଙ୍କ୍‌ ପରି ପାନବଟାକୁ ଖୋଲିଖାଲି ଅଛି ଦେଖିସାରି ମେଘନାଦ କହିଲେ, ଚଞ୍ଚଳ ଆପଣା ଆପଣା ଘରକୁ ଫେରିବାକୁ ପଡ଼ିବ, ଏ ଜଣାଯାଉଛି ଚିଲିକା କୂଳିଆ ଝଡ଼ିପାଗ ଧରିଲା, ବେଳୁବେଳ ବଢ଼ିଯିବ, ତେଣେ ଘର ଚାଳବି ଉଡ଼ିଯିବ, ପାଣିକି ଭରସିକରି ନ ଓହ୍ଲେଇଲେ ଏମିତି ବସିଥିବା । ସେମାନେ ଅନ୍ଧାର ଓ ବରଷାରେ ମିଶିଗଲେ । ସେଥିରେ ବୀରତ୍ଵ ନଥିଲା । ଖାଲି ଆତଙ୍କହିଁ ଥିଲା ।

 

ବରଷା ଲାଗି ରହିଲା । ଏଇଥିପାଇଁ ଯେପରିକି ଚିଲିକା ସମେତ ସମଗ୍ର ପ୍ରକୃତି ଅପେକ୍ଷା କରି ରହିଥିଲା ।

☆☆☆

 

ପରିଚୟ

ଶ୍ରୀ କିଶୋରୀଚରଣ ଦାସ

 

ଶଶୀଶେଖରବାବୁ ବିଶ୍ରାମ ନେଉଛନ୍ତି । ଦିନ ଭିତରେ ଏଇ କେତୋଟି ମୁହୂର୍ତ୍ତ । ପିଲାପିଲିଙ୍କ ଜଞ୍ଜାଳ ନାହିଁ । ଗୃହିଣୀଙ୍କ ଅଭିଯୋଗ ନାହିଁ । ପାଣିପାଗ ‘ବି’ ଅନୁକୂଳ । ଆଉ ଟିକିଏ ଗଲେ ଥଣ୍ଡା ମାଡ଼ି ଆସିବ ଓ ତା’ପରେ ଆରମ୍ଭ ହୋଇଯିବ ପୁରୁଣା ଧଇଁକାଶ ।

 

କିନ୍ତୁ ଆଜି ମନଟା ଆରାମ ନେବାକୁ ଚାହୁଁନାହିଁ । ମନ୍ଥାଳି ଚାଲିଛି ଅତୀତ ଓ ଭବିଷ୍ୟତ-। ଭାବନା ଛିଣ୍ଡୁ ନାହିଁ । ଦୋହରାଇ ଦୋହରାଇ ପୁଣି ଖିଅ ଧରୁଛି ସେଇ ପୁରୁଣା କଥା ଓ ତା’କୁ ପୁଣି ନିଠେଇ ଦେଖୁଛି ନୂଆ ରୂପରେ ।

 

ଶଶୀବାବୁ । ପଚାଶବର୍ଷର କ୍ରମ ଦେହରେ ଛାପ ରଖି ଦେଇ ଯାଇଛି । ମୁଣ୍ଡର ବାଳ ଅଧେ ଧଳା । ପ୍ରଶସ୍ତ ଲଲାଟରେ କେତେଗୁଡ଼ିଏ କୁଞ୍ଚିତ ରେଖା । ଦୀର୍ଘ ହାତର ଆଙ୍ଗୁଳିରେ ଶୂନ୍ୟରେ ରେଖା କାଟିଲାବେଳେ ହାତର ଶିରାଗୁଡ଼ିକ ବେଶ୍‌ ପରିଷ୍କାର ଜଣାପଡ଼ିଯାଉଛି ଓ ଦିଶିଯାଉଛି ହାତର ଲମ୍ବା ଲମ୍ବା ଗୋଜିଆ ନଖ ପିଲାଦିନେ ହାତଦେଖାଳି ସାଙ୍ଗମାନେ କହୁଥିଲେ ‘ଆର୍ଟିଷ୍ଟିକ୍’ ।

 

ଶଶୀବାରୁ କାନ୍ଥ ଆଡ଼କୁ ଅନେଇଲେ । କେଉଁ କାଳର ପୁରୁଣା ଫଟୋ ଖଣ୍ଡେ ଟଙ୍ଗା ହୋଇଛି । ଭିତର ଛବିଟା ଉଇ ଲାଗି କଣରୁ ଧଳା ହୋଇ ଆସିଲାଣି । ଖାଲି ଦିଶୁଛି ଗୋଟିଏ ପୁରୁଣାକାଳିଆ କୋଟ୍‌ ଓ ତା’ ଉପରକୁ ମୁହଁଟିଏ । ସେଇ ମୁହଁରେ ଯୋଡ଼ିଏ ଉତ୍ସୁକ, ଜାଗ୍ରତ ଆଖି-। ଶଶୀବାବୁ ସେଇୟାକୁ ଅନେଇ ରହିଲେ କେତେବେଳଯାଏଁ ।

 

ଶଶୀବାବୁ ଅନେଇଁ ରହିଲେ ଓ ଆଶ୍ଚର୍ଯ୍ୟ ହେଲେ । କେତେଥର ତ ସେ ଏଇ ଘରେ, ଏଇ ଚଉକିରେ ବସିଛନ୍ତି । କାହିଁ, ସେ ଆଖି ଦୁଇଟି କେବେ ତ’ ତାଙ୍କ ଦୃଷ୍ଟିରେ ପଡ଼ିନାହିଁ । ଆଜି କାହିଁକି ହଠାତ୍‌ ସେଗୁଡ଼ିକ ଏତେ ସଜୀବ ହୋଇ ଉଠିଛନ୍ତି ଓ ତାଙ୍କର ମୁହୂର୍ତ୍ତଗୁଡ଼ିକ କାହିଁକି ସେଥିରେ ବାନ୍ଧି ହୋଇଯାଉଛି ଏମିତି ? ସତେ ଯେମିତି ସେହି ଚାହାଣି କ’ଣ ଉତ୍ତର ଚାହେଁ । ବହୁତ ଦିନର ଅକୁହା ଉତ୍ତର ।

 

ସେ ଥିଲା ଶଶୀବାବୁଙ୍କ ଟୋକାବେଳର ଫଟୋ । ସେଇ ଛବିର ଦୃଷ୍ଟି ଆଜି ତାଙ୍କର ଚିନ୍ତାକୁ ଆକ୍ରମଣ କରି ବୋଧହୁଏ ପଚାରିବାକୁ ଚାହୁଁଛି–‘ଏଇ କ’ଣ ସେଇ ଶଶୀ ? ଆଜିକାର ଶଶୀବାବୁ କ’ଣ ସେଇ ପୁରୁଣା ଶଶୀର ଯଥାର୍ଥ କ୍ରମବିକାଶ ?’

 

ଏମ୍‌.ଏ. ପାସ୍‌ କରିଥିଲେ ସେତେବେଳେ । ରାସ୍ତାର ଛକ ଉପରେ ମଣିଷ ଗହଳି ଭିତରେ ଛିଡ଼ା ହେଲେ ସେତେବେଳେ ଲାଗୁଥିଲା ଯେ ସେ ସେମାନଙ୍କଠାରୁ ଅଲଗା । ସେ ନିଜେ ତାଙ୍କୁ ବାଟ କଢ଼େଇବେ । ତାଙ୍କରି ଛାଇରେ ସେମାନେ ଗଢ଼ି ହୋଇଯିବେ । ଜୀବନଟା ବହୁତ ପଡ଼ିଛି । ସନ୍ଧାନୀ ଆଖି ଦୁଇଟା ବହୁତ ଦୂରକୁ ଦେଖିପାରୁଛି,–କେତେ ନୂଆ ରାଜ୍ୟ, ନୂଆ ସଂସାର, ନୂଆ ଅନୁଭୂତି । ସେ ସେସବୁକୁ ସାଉଣ୍ଟି ନେବେ ଓ ବାଣ୍ଟିଦେବେ ଅନ୍ୟମାନଙ୍କୁ ନିଜର କିଛି ମିଶାଇ-। ସମସ୍ତେ ଖୁସି ହେବେ ଓ ସେ ନିଜେ ହେବେ ବଡ଼ ।

 

ଗୋଟାଏ ପ୍ରେସ୍‌ ଗଢ଼ିବେ । ଖବରକାଗଜ ବାହାର କରିବେ । ତାଙ୍କର ବୁଦ୍ଧିର ତୀକ୍ଷ୍ଣତାରେ ନୂଆ ନୂଆ ଚମକପ୍ରଦ ଅଭିମତ ଦେଇ ଲୋକମାନଙ୍କୁ ମୁଗ୍ଧ କରିବେ । କିମ୍ବା ଖୁବ୍‌ ଜଣେ ନାମୀ ଓକିଲ । ଗୋଲ୍‌ଡ଼୍ ଫ୍ରେମ୍‌ର ଚଷମା ଆଖିରେ ସଜାଡ଼ୁ ସଜାଡ଼ୁ, ଶାଣଦିଆ କଥାରେ ଆଇନ ଗଢ଼ୁଥିବେ, ଭାଙ୍ଗୁଥିବେ । ଦେଖଣାହାରି ଆଁ କରି ଚାହିଁଥିବେ । ପାଖ ଓକିଲ ଈର୍ଷା କରୁଥିବେ ।

 

କିମ୍ବା ଏମିତି ବହୁତ କିଛି । ଯେଉଁଥିରେ ଲୋକେ ସମ୍ମାନ କରିବେ । ଶହେ ଲୋକ ଭିତରେ ଜଣେ ହୋଇ ଛିଡ଼ା ହୋଇ ହେବ ।

 

କିନ୍ତୁ ତା’ ହେଲା ନାହିଁ କାହିଁକି ? ଚାକିରିର ସୀମା ଭିତରେ ରହି ଖାଲି ଟଙ୍କା କିଛି ଜମେଇ ହେଲା । ନିର୍ଦ୍ଦିଷ୍ଟ ପରିସର ଭିତରେ ଟିକିଏ ହାକିମପଣିଆ କରିହେଲା ।

 

କିନ୍ତୁ ତା’ ଛଡ଼ା ? ଚନ୍ଦ୍ରକୁ ହାତ ବଢ଼େଇବାର ସେ ଆକାଂକ୍ଷା ଗଲା କୁଆଡ଼େ ? କିଛି ନଥିଲେ ମଧ୍ୟ ଆଗକୁ ମିଳବ–ଆଖି ଦୁଇଟା ସବୁବେଳେ ଚାହିଁଥିବ କେଉଁ ସୁବର୍ଣ୍ଣ ଦ୍ଵୀପ ଆଡ଼େ, ସେ ଭାବ ହଜିଲା କେଉଁଠି ?

 

ଆଜ ବେଶି ଦୂରକୁ ଚାହିଁ ହେଉନାହିଁ । ଆଉ ଏତୁଟି ବର୍ଷ ଅଛି । ଏତିକି ବଡ଼ ହେବି । ସେତିକିରେ ମୁଣ୍ଡି ମରିବ । ତା’ପରେ ପେନ୍‌ସନ୍‌, ସଂସାରରୁ ପେନ୍‌ସନ୍‌ ନେଲା ପୂର୍ବରୁ ପ୍ରସ୍ତୁତ ହେବାପାଇଁ କେତୁଟା ଦିନ । ବେଶ୍‌ ।

 

ଏଥିପାଇଁ କ’ଣ ସେ ଜନ୍ମ ହୋଇଥିଲେ । ଫଟୋ ଆଡ଼କୁ ଅନେଇ ରହିଲେ ଶଶୀବାବୁ । ସତରେ ଏ’ କ’ଣ ତାଙ୍କରି ଫଟୋ ?

 

ଏ କ’ଣ ସେଇ ଶଶୀ ?

 

ପାଖରେ ଥିବା ସବୁଜ କ୍ଷେତର ଛବି, ଜଳପ୍ରପାତର ଛବି, ବର୍ଦ୍ଧିଷ୍ଣୁ ବଂଶର ଫଟୋ–ଜହରଲାଲ୍‌ଙ୍କର ମୂର୍ତ୍ତି ସବୁ ଯେମିତି ସାଦା କାନ୍ଥରେ ମିଶିଗଲା । ସମସ୍ତଙ୍କର ବିଶିଷ୍ଟତା ନେଇ ପୁରୁଣା ଫଟୋରେ ଥିବା ଯୁବକର ଆଖି ଦୁଇଟା ଚାହିଁ ରହିଲା ତାଙ୍କରି ଆଡ଼େ ।

 

ବୁଢ଼ା ଶଶୀବାବୁଙ୍କର ଆଖି ଦି’ଟା ଛଳଛଳ ହୋଇ ଉଠିଲା । ଆଜିର ଏଇ ନିରୋଳା ଖରାବେଳରେ ତାଙ୍କର ଦୁର୍ବଳତା ବୋଧହୁଏ ଆଉ କାହା ଆଖିରେ ପଡ଼ିବ ନାହିଁ । ଆଜି ସେ ନିଜକୁ ନିଜେ ।

 

ଅତୀତ ଆଜି କାନ୍ଦି କରି କହୁଛି–ମୁଁ ହସିପାରିଥାନ୍ତି, ମୁଁ ଫୁଟିପାରିଥାନ୍ତି । କିନ୍ତୁ ଆଉ ସମୟ ନାହିଁ । ଆଉ କିଛି ହୋଇ ପାରିବ ନାହିଁ ।

 

ବର୍ତ୍ତମାନର ଏଇ ଜୀର୍ଣ୍ଣ ଖୋଳ ଭିତରୁ ମୋର ସୁନାର ଆତ୍ମାଟି ଆଉ ବାହାରି ପାରିବ ନାହିଁ । ସେ ସେଇଥିରେ କାନ୍ଦି, ବାହୁନି ସଢ଼ିଯିବ ।

 

ସେଇ ତୀକ୍ଷ୍ଣ ଆଖି ଦୁଇଟା ଚାହିଁ ରହିଛି ସେମିତି । ବୋଧହୁଏ ଆଜିର ଏଇ ଶେତା, ମଳିନ ଆଖିରୁ ଚାହୁଁଛି ଲୁହର ପ୍ରତିଦାନ ।

 

ଶଶୀବାବୁ ତଳକୁ ମୁହଁ ପୋତି ଟେବୁଲ୍‌ ଆଡ଼କୁ ଅନେଇଲେ ।

 

ଟେବୁଲ୍‌ ଉପରେ ପଡ଼ିଥିଲା ଫିଟା ହୋଇଥିବା ଖଣ୍ଡେ ଲଫାଫା ।

 

ସେଇ ଲଫାଫା ଉପରେ ଆଖି ପଡ଼ିବାକ୍ଷଣି ଶଶୀବାବୁଙ୍କର ବିରକ୍ତି ଆସିଲା । ସେ ହାତରେ ସେଇ ଲଫାଫାଟିକୁ ଧରି ମୋଡ଼ିମାଡ଼ି ଫିଙ୍ଗିଦେବାକୁ ବସିଲେ ।

 

ନା–ନା; ଅଯଥା ବିରକ୍ତ ହୋଇ ମୋର ଆଉ କେତୁଟା ବର୍ଷର ପରମାୟୁକୁ କମେଇବି କାହିଁକି ? ଶଶୀବାବୁ ପୁଣି ଚିଠିକୁ ଯଥାସ୍ଥାନରେ ରଖିଦେଲେ ।

 

କିନ୍ତୁ ବିରକ୍ତି କମିଲା ନାହିଁ । ବର୍ତ୍ତମାନର ଅନୁଶୋଚନା ସେ ବିରକ୍ତିକୁ ଇନ୍ଧନ ଯୋଗାଇଲା ।

 

ସେ ଥିଲା ଜୟନ୍ତର ଚିଠି । ଜୟନ୍ତ ଶଶୀବାବୁଙ୍କର ବଡ଼ ପୁଅ । ସେ ଜୀବନଯାକ ବାପାଙ୍କର ଅବାଧ୍ୟ ସନ୍ତାନ ହୋଇ ଆସିଛି ଓ ସେଇଥିରେ ଅନୁଭବ କରିଛି ଗର୍ବ ଓ ଆତ୍ମମର୍ଯ୍ୟାଦା । ଆଜି ଏଇ ଚିଠି ହେଉଛି ସେଇ ଅବାଧ୍ୟତାର ଅନ୍ୟତମ ନମୁନା । ପାଠଶାଠ ଅଧାରୁ ସାରି ଜୟନ୍ତ ବାହାହେବାକୁ ମନ କରିଛି । କିନ୍ତୁ ତା’ ଚିଠିରେ ସେ ଯେଉଁ ପ୍ରସ୍ତାବ ଦେଇଛି, ସେ ଜାଣେ ବାପା ସେଥିରେ କେବେହେଲେ ରାଜି ହେବେ ନାହିଁ । କାରଣ ଝିଅର ବାପ କେବଳ ସେ ଜାତି, କୁଳରେ ଛୋଟ, ତା’ ନୁହେଁ–ସେ ମଧ୍ୟ ତାଙ୍କ ଶୁଭାକାଂକ୍ଷୀଙ୍କ ମଧ୍ୟରୁ ଜଣେ ନୁହେଁ । ପୁଣି ଜୟନ୍ତ ଯେ ନିହିତ ଭଲପାଇ ବାହାହେବାରୁ ଯାଉଛି, ତା’ ମଧ୍ୟ ନୁହେଁ । ଏ ଖାଲି ଗୋଟାଏ ଜିଦ୍‌, ଖିଆଲ । ଏହି ଖିଆଲ ଅସ୍ଵାଭାବିକ ଆଗ୍ରହ ଜୟନ୍ତ ଜୀବନରେ ବଡ଼କଥା । ତା’ ମତରେ ସେଇ ହେଉଛି ଆଡ଼୍‍ଭେଞ୍ଚର୍‌–ଜୀବନର ପ୍ରକୃତ ରସ ।

 

ସେ ଚିଠିର ଶେଷରେ ଏଇ ଦୁଇ ଲାଇନ୍‌ ଲେଖାଥିଲା–‘ମୁଁ ଜାଣେ ଆପଣ ଏଥିରେ ରାଜି ହେବେ ନାହିଁ । କିନ୍ତୁ ତଥାପି ମୁଁ ସେଠି ବାହାହେବାକୁ ଚାହେଁ ଓ ମୋ ଜୀବନର ସୁଖସ୍ୱାଚ୍ଛନ୍ଦ୍ୟ ବିଷୟରେ ମୁଁ ବେଶୀ ସଚେତନ ବୋଲି ମୋର ବିଶ୍ୱାସ ।’’

 

ଶଶୀବାବୁ ଚିଠି ଖଣ୍ଡକ ଆଗରୁ ପଢ଼ିଥିଲେ । ମନେମନେ ରାଗିଥିଲେ ଖୁବ୍‌ । କିଛି ଉତ୍ତର ଦେବେ ନାହିଁ ବୋଲି ଠିକ୍ କରିଥିଲେ । ବର୍ତ୍ତମାନ ସେଇ ଚିଠି ଖଣ୍ଡିକ ପୁଣି ତାଙ୍କର ଆଖିରେ ପଡ଼ିବାରୁ ତାଙ୍କ ମନ ଆହୁରି ତାତି ଉଠିଲା ।

 

ଶଶୀବାବୁ ପଚାରିଲେ ନିଜକୁ–କିଏ ଏମାନେ ? କାହିଁକି ଏମାନେ ଆସିଲେ ତା’ଙ୍କ ଜୀବନରେ ? କିଏ ଏ ଜୟନ୍ତ, ରଜତ, ସତ୍ୟ ? ଏଇମାନଙ୍କ କଥା ଭାବି ଭାବି, ଏଇମାନଙ୍କର ସୁଖସ୍ୱାଚ୍ଛନ୍ଦ୍ୟର ଉପାୟ ଖୋଜୁ ଖୋଜୁ ତାଙ୍କର ସାରା ଜୀବନ ବିତିଗଲା । କିନ୍ତୁ ସେଥିରେ ଲାଭ ହେଲା କ’ଣ ? ତାଙ୍କ ଯୌବନର ସବୁ ଆଶା, ଆକାଂକ୍ଷା, ସ୍ଵପ୍ନ ଉଭେଇ ଯାଇ ତା’ ବଦଳରେ ଛିଡ଼ା ହେଲେ ଏଇମାନେ । ସେ ତାଙ୍କର ପାଇଁ ନିଜର ସବୁ କିଛି କ୍ଷୟ କଲେ । ସେଥିରେ ନା ନିଜର କିଛି ଉନ୍ନତି ହେଲା ନା ସଂସାରର ? ଆକର୍ଷଣ ? ହଁ,–କିନ୍ତୁ ସେଥିରେ ସୁଖ ନାହିଁ, ଅଛି ଅଶାନ୍ତି । ଖାଲି ନିଜର ବୋଲି ଆବୁରି ବସିବା, ନିଜର ନିଜର କହି ପ୍ରକୃତ ନିଜତ୍ଵକୁ ବଳି ଦେବା, ଏହାଠାରୁ ବଳି ମୂର୍ଖତା ଆଉ କ’ଣ ଥାଇପାରେ ? ଶଶୀବାବୁଙ୍କର ହସିବାକୁ ମନ ହେଲା । ପିଲାମାନେ ଅସୁନ୍ଦର ହୁଅନ୍ତୁ, ଅବାଧ୍ୟ ହୁଅନ୍ତୁ, ନିର୍ବୋଧ ହୁଅନ୍ତୁ, ତଥାପି ସେମାନଙ୍କର ରୋଗଶୋକରେ ଲୁହ ବୁହାଇବା, ସେମାନଙ୍କର କଳିକଜିଆ, କୋଳାହଳ, ଅବାଧ୍ୟତାରେ ବିରକ୍ତ ହୋଇ ମଧ୍ୟ ସେମାନଙ୍କୁ ଛାଡ଼ି ନିଃସଙ୍ଗ ମନେ କରିବା, ଏହାର ମାନେ କ’ଣ ? ହୁଏତ ତା’ର ମାନେ ଏଇ ଯେ, ତାଙ୍କର ନିଜକୁ ନେଇ ଖୁସି ହେବାର, ଭାବିବାର, ଗର୍ବ କରିବାର ଆଉ କିଛି ନାହିଁ । ଓଃ ! ଏଇମାନଙ୍କୁ ନେଇ ତାଙ୍କର ଜୀବନର ରଙ୍ଗିନ ସକାଳ ଧୂଳିଧୂସର ହୋଇ ହାରିଯାଇଛି । ଆଜି ପଛକୁ ଆଖି ଫେରାଇଲେ ନିଜପାଇଁ ଦୁଃଖ ଆସୁଛି–ତିକ୍ତତା ।

 

କାହିଁକି ଏମିତି ହେଲା ? ସେ କ’ଣ ବରି ଆଣିଥିଲେ ଏମାନଙ୍କୁ ? ସେ କ’ଣ ଚାହିଁଥିଲେ ଜୟନ୍ତ ବୋଲି ଜଣେ ଏମିତି ଗୋଟିଏ ରୂପ, ଗୁଣ ବିଶିଷ୍ଟ ଲୋକ ତା’ଙ୍କ ଜୀବନକୁ ଆସିବ ? ଅନ୍ୟମାନଙ୍କ ଆସିବାକୁ ସେ ତ ଲୋଡ଼ି ନଥିଲେ ମୋଟେ ! ଯେଉଁମାନଙ୍କର ଆଗମନ ଆକସ୍ମିକ, ଅଲୋଡ଼ା ଓ ଅନିର୍ଦ୍ଦିଷ୍ଟ ସେମାନଙ୍କ ‘ନଜର’ ‘ନଜର’ ବୋଲି ତାଙ୍କରିପାଇଁ ବିନିଦ୍ର ହେବା, ଏଭଳି ଅସଙ୍ଗତ ପ୍ରହସନରେ ସେ ଭାଗୀ ହେଲେ କାହିଁକି ? ଦୁନିଆର ନିୟମ, ସମସ୍ତେ

 

କହିବେ । କିନ୍ତୁ ତା’ର କ’ଣ ଅଧିକାର ଥିଲା ତାଙ୍କର ସ୍ଵତନ୍ତ୍ର ବ୍ୟକ୍ତିତ୍ଵକୁ ବାନ୍ଧିଦେବ ଏମିତି ?

 

ଶଶୀବାବୁ ଚଉକିରୁ ଉଠି ଦୁଇ ହାତ ପଛରେ ଛନ୍ଦି ଅସ୍ଥିର ଭାବରେ ବୁଲିବାକୁ ଲାଗିଲେ-। ତା’ପରେ ଛିଡ଼ା ହୋଇ ପୁଣି ଅନେଇଲେ ସେଇ ଫଟୋ ଆଡ଼କୁ ।

 

ଆଉ କ’ଣ କିଛି ଉପାୟ ନାହିଁ ? ଯାହା ହୋଇ ପାରିଲା ନାହିଁ ତା’ କ’ଣ ଆଉ କେବେ ହୋଇପାରିବ ନାହିଁ ? ଜୀବନଟା ଏତେ ଛୋଟ ହେଲା କାହିଁକି ? ମୋଟେ ଷାଠିଏ ସତୁରିଟା ବର୍ଷ-। ସେଥିରେ କ’ଣ ଭଲା ହୁଅନ୍ତା ?

 

ଫଟୋ ଆଡ଼କୁ ଅନେଇଲେ । ଲମ୍ବା କାମିଜ ଉପରେ କାଳିଆ କୋଟ୍‌ ଖଣ୍ଡେ ପିନ୍ଧା ହୋଇଛି । କୋଟ୍‌ରେ ବୋତାମ ଅଛି ଲମ୍ବା ଖୋଲା କଲର ତଳେ ପେଟ ଉପରକୁ । କୋଟ୍‌ର ତିଆରି କୋଣିଆ ନ ହୋଇ ଗୋଲ୍‌ । ସେତେବେଳେ ସେଇଟା ଥିଲା ଫେସନ । ବର୍ତ୍ତମାନ ଲୋକ ଦେଖିଲେ କହିବେ ମରହଟ୍ଟୀ–ଊନବିଂଶ ଶତାବ୍ଦୀର ! କୋଟ୍‍ର ପକେଟ୍‌ରୁ ରୁମାଲ ଉଙ୍କି ମାରୁଛି । ତା’ ଉପରେ ଗୋଟିଏ ବଡ଼ ଫୁଲ ଅଙ୍କା ହୋଇଛି । ସେତେବେଳର ରୁଚି ନମୁନା ।

 

‘ହାୟ’ ପଦରେ ମନର ସବୁ ପ୍ରତିକ୍ରିୟା ଶେଷ କରିଲାବେଳକୁ ଶଶୀବାବୁ ଭାବିଲେ–ହଁ, ଆଜି ରୁଚି ବଦଳିଛି, ଫେସନ ବଦଳିଛି । କିନ୍ତୁ ସେଇ ଆଖିର ତୀକ୍ଷ୍ଣତା, ସେଇ କଳ୍ପନାର ଉତ୍ତାପ କ’ଣ ପ୍ରତ୍ୟେକ ଯୁବକର ନାହିଁ । କିଛି ଗୋଟାଏ କରିବ–କିଛି ଗୋଟାଏ ଅଲଗା, କିଛି ଗୋଟିଏ ନୂଆ, ଏଇ ଭାବ କ’ଣ ଆକ୍ରମଣ କରୁ ନାହିଁ ଆଜିର ଯୁବକମାନଙ୍କୁ ?

 

ଯାହା କାଲି ଥିଲା, ତା’ ଆଜି ମଧ୍ୟ ରହିଛି–ଆସନ୍ତାକାଲିବି’ ରହିବ । ତାହାହେଲେ କାଲି ଯାହା ହୋଇପାରିନି, ତା’ପାଇଁ ଦୁଃଖ କାହିଁକି ?

 

ଶଶୀବାବୁଙ୍କର ଆଖିରେ ଲାଗିଲା ଯୁଗଯୁଗାନ୍ତରର ଶୋଭାଯାତ୍ରା–ପଟୁଆର–ଗୋଟାଏ ଅବିଚ୍ଛିନ୍ନ ସୂତ୍ର ମଣିଷକୁ ନେଇ । ଯିଏ ଚାଲିଯାଇଛି, ତା’ର ସବୁ କିଛି ସରି ଯାଇ ନାହିଁ । ସେ ତା’ର ହସ ଦେଇ ଦେଇଛି ତା’ର ପଛରେ ଆସୁଥିବା ଲୋକକୁ । ତା’ର ହାତରେ ଧରାଇ ଦେଇଛି ଦୀପ । ଏମିତି ଚାଲିଛି ସୃଷ୍ଟିର କ୍ରମଶଃ ।

 

ତେବେ ହଜିଯାଇଛି କିଏ ? ସରିଯାଇଛି କ’ଣ ? ବ୍ୟକ୍ତି, ନା ତା’ର ସ୍ଵପ୍ନ, ତା’ର ଆକାଂକ୍ଷା ?

 

ନା–ନା–ଜୀବନ ଛୋଟ ନୁହେଁ । ଜୀବନ ଗୋଟାଏ ଅସରନ୍ତି ମାଳା । ଆଜିକାର ମଣିଷ ଚାଲିଯାଉଛି । କିନ୍ତୁ ମାଳା ସରୁ ନାହିଁ । ସେଇ ରଙ୍ଗ, ସେଇ ବିଭବ ନେଇ ନୂଆ ନୂଆ ମୁକ୍ତା ଦେଖା ଦେଉଛି, ନୂଆ ନୂଆ ମଣିଷ । କିନ୍ତୁ ବାହାରର ରୂପ ଅଲଗା । ଆଜିକାର ମାପକାଠିରେ ଲୋକେ କହୁଛନ୍ତି–ଏଇଟା ନୂଆ, ଏଇଟା ପୁରୁଣା ।

 

ଫଟୋରେ ସେ ଯେଉଁ ଅଧା ହସଟା ଅଛି–ଶିଶୀବାବୁ ନିରେଖି ଦେଖିଲେ । ଜୟନ୍ତ ବେଳେବେଳେ ଏମିତି ହସେ ପରା ! ଭାବାବେଶରେ ନାକପୁଡ଼ା ଦୁଇଟି ଅଳ୍ପ ଫୁଲି ଉଠେ ଠିକ୍‌ ଏମିତିକା ।

 

କଳା କଳା ଘଞ୍ଚ ଭୂରୁ ଆଖିକି ଘୋଡ଼େଇ ଦେଇଛି–ଜୟନ୍ତର ଯେମିତି । ଜୟନ୍ତର ଆଖି ଦୁଇଟା ଯାହା ଖାଲି ତା’ ମାଆ ପରି । ମୁହଁର ଗଢ଼ଣବି’ ଟିକିଏ ଅଲଗା ।

 

କିନ୍ତୁ ଏଇ ଅବାଧ୍ୟ, ଅଶାନ୍ତ ଜୟନ୍ତଠି କ’ଣ ନାହିଁ ତା’ଙ୍କ ଜୀବନର କିଛି ? ତା’ର ସବୁ ପ୍ରତାରଣା, ଭଣ୍ଡାମି ଭିତରେ କ’ଣ ନାହିଁ ତା’ଙ୍କ ନିଜର ଦୁର୍ଦ୍ଦମ ଆଶା ଓ ଅଭିଳାଷର ଇଙ୍ଗିତ ?

 

ଶଶୀବାବୁ ଭାବିଲେ । ଜୟନ୍ତ ହୁଏତ ତା’ ନିଜ ଜୀବନରେ ଅକାମୀ, ଅବହେଳିତ ଭାବ ହୋଇ ରହିଯିବ । କିନ୍ତୁ ତା’ ପୁଅ ? କିମ୍ବା ତା’ ପୁଅ ??

 

ଜୟନ୍ତ କିଏ ? ଖାଲି ସେଇ ନିରବଚ୍ଛିନ୍ନ ମାଳାର ଗୋଟିଏ ମୁକ୍ତା ତ–ଆଉ କ’ଣ ? କିନ୍ତୁ ମୁକ୍ତାରେ ଫରକ ଥାଏ । ମଣିଷ ମଣିଷ ଭିତରେ ପ୍ରଭେଦ ଥାଏ । ସେଇ ସ୍ଵାତନ୍ତ୍ର୍ୟର ଗୌରବ ନେଇ କହନ୍ତି,–ଏ ମୋ’ ଦେଶ,–ମୋ’ ଜାତି, ମୋ’ ବଂଶ ।

 

ମୋ’ ବଂଶ–ମୋରି ବଂଶ ।

 

ଶଶୀବାବୁ ଥମକି ଠିଆ ହେଲେ । ଯେଉଁ ଅସାଧାରଣ ପ୍ରତିଭାଟି ବିକଶିତ ହୋଇପାରିଥାନ୍ତା ତା’ଙ୍କ ଜୀବନରେ–ତା’ର ମୂଲ୍ୟ ଦେବ ଭବିଷ୍ୟତ । କିନ୍ତୁ ତାହା ଅସୁମାରି ଜନଗହଳର ଭବିଷ୍ୟତ ନୁହେଁ–ସେ ତା’ଙ୍କରି ବଂଶର ଭବିଷ୍ୟତ ।

 

ଜୟନ୍ତ–ତା’ଙ୍କରି ପୁଅ । ଜୟନ୍ତର ପୁଅ । ତା’ପରେ–ତା’ପରେ ଏମିତି । ନହେଲେ ସତ୍ୟ, ରଜତ,–ତାଙ୍କରି ବଂଶ । ସେମାନେ ଯାହା କିଛି ହୁଅନ୍ତୁ ପଛେ ତାଙ୍କଠି ଅଛି ନିଜର ବିଶିଷ୍ଟ ସତ୍ତା । ସେ ନିଶ୍ଚୟ ଫୁଟିବ–କେବେହେଲେ ।

 

ଶଶୀବାବୁ ଫେରି ଆସିଲେ ଟେବୁଲ୍‌ ପାଖକୁ । ଛାତି ଭିତରୁ ଦୀର୍ଘନିଃଶ୍ଵାସ ବାହାରି ଆସିଲା,–ଅସ୍ୱସ୍ତିରେ । ସୁଦୂର ଭବିଷ୍ୟତ ଆଖି ଠାରୁଛି ହସି ହସି ।

 

ଚିଠିଟିକୁ ହାତରେ ଧରିଲେ ।

 

….ହଠାତ୍‌ ପଛରୁ ନାରୀ କଣ୍ଠ ଶୁଣା ହେଲା । ଶଶୀବାବୁ ପଛକୁ ଫେରି ଚାହିଁଲେ । ଜୟନ୍ତର ମାଆ । ତାଙ୍କର ଆବିର୍ଭାବ ନିଜ ଭାବନାରେ କିପରି ଗୋଟାଏ ବୈଷମ୍ୟ ସୃଷ୍ଟି କଲା । ସ୍ତ୍ରୀ ଜାତି–ସେମାନେ ଏଇ ବଂଶର ଗୌରବ ବୁଝନ୍ତି ନାହିଁ, ବୁଝିପାରିବେ ନାହିଁ । ସେମାନେ ଖାଲି ବଂଶ ଗଢ଼ିବାରେ ସାହାଯ୍ୟ କରନ୍ତି–ଉପକରଣ ମାତ୍ର । ବଂଶ–ପୁରୁଷ ସୃଷ୍ଟିର ପରମ୍ପରା । ପୌରୁଷର ଗର୍ବରେ ଶଶୀବାବୁ ନିଃଶ୍ଵାସ ମାରିଲେ ।

ଜୟି ବୋଉ ଥତମତ ହୋଇ କ’ଣ ପଚାରିବେ ବୋଲି ହେଲେ । ଶଙ୍କାକୁଳ ଜୀବଟିଏ । ଲୁହ ପୋଛି ପୋଛି ଆଖିର ଉଜ୍ଜ୍ଵଳତା ଲିଭିଯାଇଛି ଯେମିତି । କଣ୍ଠରେ ଆଶଙ୍କା ଓ ଉଦ୍‍ବେଗ ନେଇ କହିଲେ–‘ହଁ କ’ଣ କହୁଥିଲି କି, ଇୟେ ଜୟନ୍ତ ଚିଠି ଦେଇଥିଲା ତା’ ବାହାଘର ବିଷୟରେ ।’

ଜୟି ବୋଉଙ୍କ ପାଟିରୁ କଥା ନ ସରୁଣୁ ଶଶୀବାବୁ କହି ଉଠିଲେ–‘ହଁ, ହଁ, ମୁଁ ପଢ଼ିଛି । ତା’ ଇଚ୍ଛା ଅନୁସାରେ ତ ହେବ–ସେଥିରେ ଆପତ୍ତିର କଥା କ’ଣ ଅଛି ?’’

ଜୟି ବୋଉ ନିରେଖି ଚାହିଁଲେ ସ୍ଵାମୀଙ୍କୁ । ଏ’ କ’ଣ ପ୍ରକୃତ ସମ୍ମତି–ନା ବିରକ୍ତ–ଅବହେଳା ? କାହିଁ । ତାଙ୍କ ମୁହଁରେ ବିରକ୍ତିର ଚିହ୍ନ ତ ଫୁଟି ଉଠୁନାହିଁ ।

ଦୁଇବର୍ଷ ପରେ ।

ସେଇ ଘରେ । ଶଶୀବାବୁ କେତେଦିନ ହେଲା ଶଯ୍ୟାଗତ । କିନ୍ତୁ ଆଜି ତାଙ୍କ ମୁହଁରେ ଖୁସି ଉକୁଟି ଉଠୁଛି । ଝରକାଟା ଖୋଲି ଦେବାକୁ କହି ସେ ଅନେଇଲେ ବାହାରକୁ । ଚାକରକୁ ପଚାରିଲେ–‘ମାଆ କାହାନ୍ତି ? ଟିକିଏ ଡାକିଦେଲୁ ଏଠିକି ।’

ଜୟି ବୋଉ ଆସିଲେ ।

ବ୍ୟଗ୍ର ହୋଇ ଶଶୀବାବୁ ପଚାରିଲେ–‘ହଁ–କ’ଣ କରୁଥିଲ କି ?’ ତା’ପରେ ତାଙ୍କ ମୁହଁକୁ ଅନାଇ–‘ଏଁ–ଏମିତି ହାଣ୍ଡି ଭଳିଆ ମୁହଁଟାକୁ କାହିଁକି କରିଛ ? ଆଜି ପରା ଜୟି ପୁଅର ଏକୋଇଶା–’

ଜୟି ବୋଉ ମଳିନ ହସଟିଏ ହସିଦେଇ କହିଲେ–ହ–ମ ଏକୋଇଶା ହେଉଛି, ତମ ଦେହ ତ ଏମିତି–’

ଶଶୀବାବୁ ବିରକ୍ତ ହେଲା ପରି କହିଲେ–‘ଓ–ହୋ ଏଇ ମାଇପିକଥା ଗଲାନାହିଁ । ମୋ ଦେହ କ’ଣ ଆଉ ଖରାପ ହୁଅନ୍ତା ନାହିଁ, ନା ମୁଁ ସବୁଦିନେ ବଞ୍ଚି ରହିଥିବି । ଷାଠିଏ ଆସି ପୂରିବାକୁ କେଇଟା ଦିନ । ତା’ପରେ କାମଦାମ ସାରି ଘରକୁ ଫେରିବା କଥା । ଛାଡ଼......ବର୍ତ୍ତମାନ ଅନ୍ୟ କଥା ଭାବ । ହଁ–ମୁଁ କ’ଣ କହୁଥିଲି କି–ପୁଅ ନାଁ କ’ଣ ଦିଆହେଉଛି ?’

‘କେଜାଣି–ପିଲାମାନେ କ’ଣ ସୁନ୍ଦରିଆ ନାଁ ସବୁ ବାଛିଛନ୍ତି । ସ୍ଵପ୍ନକୁମାର, ଦେବଦତ୍ତ, ଚନ୍ଦନଶୁଭ୍ର–ଏମିତି ସବୁ କ’ଣ ।’

ମୁଣ୍ଡଟାକୁ ଝିଙ୍କି ନେଇ ଉଠିପଡ଼ିଲେ ଶଶୀବାବୁ । ସତେ ଯେମିତି କ’ଣ କିଛି ଭାଙ୍ଗି ଦଳି ଦେବେ । କହିଲେ–ଧ୍ୟାତ୍‌; କିଏ ଏ ସବୁ ନାଁ’ ଦେଲା ? ଯେତେକ ସବୁ ବିଜାତୀୟ ନା–ନା ଅଛି ଲାଲିତ୍ୟ ନା ଅର୍ଥମାଧୁରୀ ।’

ଏମିତିକା କଥାରେ ସ୍ଵାମୀ ଗଭୀର ଚିନ୍ତା କରି ଅନ୍ୟମାନଙ୍କୁ ବାଛିବେ, ଏହା ଜୟି ବୋଉ ଭାବି ନଥିଲେ ମୋଟେ । ସେ ମନେମନେ ଖୁସି ହେଲେ ଯେ, ଶଶୀବାବୁଙ୍କର ସଂସାର ପ୍ରତି ଆସକ୍ତି କମି ନାହିଁ ବିଶେଷ–ବାର୍ଦ୍ଧକ୍ୟ ଓ ରୋଗ ସତ୍ତ୍ୱେ । ସେ କୁତୂହଳୀ ହୋଇ କହିଲେ ପିଲା ଖେଳାଇଲା ଭଙ୍ଗୀରେ–‘ବେଶ୍‌–ତମେ ତାହାହେଲେ ଗୋଟାଏ ଭଲ ନାଁ ବାଛି ଦେଉନାହଁ ?

 

ଶଶୀବାବୁ ଗମ୍ଭୀର ହୋଇ କହିଲେ–‘ନା ନା, ମୁଁ କ’ଣ ବାଛିବି ? ସେଇ ପିଲାମାନେହିଁ ବାଛନ୍ତୁ । କିନ୍ତୁ ମୋର ଗୋଟିଏ କହିବାର କଥା–ଯେଉଁ ନାଁ ଦିଆହେଉ ପଛେ, ସେଥିରେ ‘ଶେଖର’ ନିଶ୍ଚୟ ଥିବ ।

 

ସାନ ପୁଅ ସତ୍ୟ ଓ ତା’ ଭଉଣୀ ଅରୁଣା ଘର ଭିତରକୁ ଆସି ଯାଇଥିଲେ । ସତ୍ୟ ବିଦ୍ରୂପଭରା କଣ୍ଠରେ କହିଲା–‘ମାନେ କ’ଣ ସ୍ଵପ୍ନଶେଖର, ଦେବଶେଖର ଏମିତି–’

 

‘ସେ ସବୁ ତୁମେ ଜାଣ । ମୋର ଖାଲି ଏତିକି କହିବାର କଥା ଯେ, ସେ ନାଁରେ ‘ଶେଖର’ ନିଶ୍ଚୟ ରହିବ । ଚନ୍ଦ୍ରଶେଖର–ଶଶୀଶେଖର–ଜୟନ୍ତଶେଖର–’

 

ଅରୁଣା ଆହତ ଭଙ୍ଗୀରେ ହାତ ଦୁଇଟାକୁ ହଲାଇ କହିଲା–‘ନାଇଁ ବାପା,–ତାହାହେଲେ ତା’ର କିଛି ମାନେ ରହିବ ନାହିଁ । ଏଇ ଭାଇଙ୍କ ନାଁ ଜୟନ୍ତଶେଖର ଦିଆହୋଇଛି । କ’ଣ ତା’ର ମନେ ଅଛି ଭଲା !

 

ଶଶୀବାବୁ ହସିଲେ ଅବହେଳାର ହସ । ଏ ପିଲାମାନେ କ’ଣ ବୁଝିବେ ବଂଶର ଗୌରବ । ତାଙ୍କ ଆଖି ଆଗରେ ଦିଶୁଥିଲା–ଏଇ ‘ଶେଖର’ ପଦବୀଟିକୁ ନେଇ ଲମ୍ବିଯାଇଛି ତାଙ୍କରି ବଂଶଧାରା ।

 

ଏଇ ସାଧାରଣ ଜିନିଷର ଛାପରେ ଅସାଧାରଣ ପରିଚୟ ଭବିଷ୍ୟତ ପାଇଁ ନିର୍ଦ୍ଦିଷ୍ଟ ହୋଇ ରହିଛି । ଏଥିରେ ହାସ୍ୟାସ୍ପଦ କ’ଣ ଅଛି ?

 

....କିନ୍ତୁ ଅରୁର ମନ ଫିକା ହୋଇ ଯାଇଥିଲା ଯେ ବାପାଙ୍କ ଯୋଗୁଁ ପୁଅପାଇଁ ରବୀନ୍ଦ୍ରନାଥ, ମାନସିଂହଙ୍କର କବିତା ବହିରୁ ବଛା ହୋଇଥିବା ଭଲ ଭଲ ନାଁ ଦେଇ ହେଲାନାହିଁ ।

 

ଆଉ ଜୟି ବୋଉ କାବାହୋଇ ଚାହିଁ ରହିଥିଲେ ସ୍ଵାମୀଙ୍କ ଆଡ଼େ ଓ ଭାବୁଥିଲେ, ବୁଢ଼ାହେଲେ ମିଣିପେ ସବୁ ଏମିତି ଅବାଗିଆ ହୁଅନ୍ତି କାହିଁକି ?

☆☆☆

 

ବର–କନ୍ୟା

ଶ୍ରୀ ଅଚ୍ୟୁତାନନ୍ଦ ପତି

 

ପଦ୍ମନାଭ ପାଟି କରି ଉଠିଲା–‘‘ଏ ଶଳା ମାଙ୍କଡ଼ ପଲ କଂସାସୁର ଭଳି ରାଜ୍ୟକୁ ନାଶ କରିବେ ଦେଖାଗଲାଣି । କେଡ଼େ ବଡ଼ ଡାହିଟା ଶଳା ଭାଙ୍ଗି ଖସେଇ ପକେଇଛନ୍ତି ।’’ ବଡ଼ ବର ଡାଳ ଖଣ୍ଡେ ତଳେ ପଡ଼ିଛି । ମୂଳ ପାଖରୁ କିଛି ଅଂଶ ଛେଲି ହେଇ ଯାଇଛି । ଛେଲି ହେଇ ଯାଇଥିବା ଜାଗାରେ ଚାରିଆଡ଼ରୁ ବୁନ୍ଦେ ବୁନ୍ଦେ ଧଳା ଧଳା କ୍ଷୀର ସରତି ସରତି ବେଶି ହୋଇଗଲେ । ବଡ଼ ଟୋପା ହେଇ ତଳକୁ ଥୋପି ପଡ଼ୁଛି । ପଦ୍ମନାଭ ବାଁ ହାତ ମଝି ଆଙ୍ଗୁଳିରେ ଡାଳରୁ କ୍ଷୀର ପୋଛି ମାଟିରେ ଅଙ୍ଗୁଳି ଘଷୁ ଘଷୁ ମାଙ୍କଡ଼ କଥା ଭାବି ରାଗରେ ଓଠ କାମୁଡ଼ିଲା । କେଉଁଠୁଁ ଡାଳଟା ଭାଙ୍ଗିଛି ଜାଣିବ ବୋଲି ଉପରକୁ ଅନିଷା କଲା । ଜାଣିପାରିଲାନି । ଖୁବ୍ ବଡ଼ ନହେଲେବି ଛୋଟ ଗଛ ନୁହେଁ । ପତ୍ର ଖେନ୍ଦି ହେଇ ଯାଇଛି । ବରଗଛଟି ଆସ୍ତେ ଆସ୍ତେ ଚକଡ଼ା ମାଡ଼ି ବଢ଼ି ବଢ଼ି ଯାଉଛି । ଓସ୍ତ ଗଛଟି ଡେଙ୍ଗାରେ ଖାଲି ବଢ଼ୁଛି । ବରଗଛର ଓହଳ ଭିତରେ ଓସ୍ତ ଗଛଟି ଛନ୍ଦି ହେଇ ରହିଛି । ବରଗଛ ଅଶ୍ଵସ୍ତକୁ ଜୋରରେ ଜାବୁଡ଼ି ଧରିଛି । ଦୁଇଟି ଗଛ ଗୋଟିଏ ଗଛର ଦୁଇଟି ଶାଖା ପରି ଆଗପଛ ହେଇ ବଢ଼ୁଛନ୍ତି । ଗଛ ମୂଳରେ ପଦ୍ମନାଭ ମାଟିର ଛୋଟିଆ ବେଦୀଟିଏ କରି ଗୋବରରେ ଲିପି ଦେଇଛି । କାମଦାମ ସାରି ଯେତେବେଳେ ପାରେ ସେତେବେଳେ ଆସି ସେଠି ଘଡ଼ିଏ ବସିଯାଏ । ଗାମୁଛା ପକାଇ ପଦ୍ମନାଭ ବେଦୀ ଉପରେ ଟିକିଏ ଗଡ଼େଇ ତଡ଼େଇ ହେଲା । ଗଛର ପେନ୍ଥା ପେନ୍ଥା ଫଳ ଲଦି ହେଇଛି । ପ୍ରତି ଛୋଟ ଛୋଟ ଡାଳର ଅଗରେ ପତରର ଆଗରେ ଓ ପଛରେ ନାଲ ନାଲ ଫଳ ଚକ୍‌ ଚକ୍‌ କରୁଛି । ଛୋଟ ଛୋଟ ଚଢ଼େଇ ଏ ପେନ୍ଥାରୁ ସେ ପେନ୍ଥାକୁ ଡେଇଁ ଡେଇଁ ପାଚିଲା ଫଳ ଦେଖି ଥଣ୍ଟରୁ ଫୁଟାଇ ଫୁଟାଇ ଚାଲିଛନ୍ତି । ଫଳରେ ନାଲ ଚୋପା ଫାଟି ମେଞ୍ଚାମେଞ୍ଚା ହଳଦିଆ ଶସ ଥଣ୍ଟରୁ ତଳକୁ ଛିଟିକି ଆସୁଛି-। କେତେବେଳେ କେମିତି ଡାମରାକାଉ ଦି’ଟା ଫଳ ଖସିବାବେଳେ ଲୋଟଣି ଭାଙ୍ଗି ତଳେ ପଡ଼ିବା ଆଗରୁ ରୋକି ନେଉଛନ୍ତି । ଓସ୍ତ ଗଛର ଉପର ଡାଳଟା ଯେଉଁଠି ଦୁଇକେନା ହେଇ ଯାଇଛି ତା’ରି ମଝିରେ କୁଟା ଆଉ କାଠିରେ ଗୋବରା ଚଢ଼େଇ ଛୋଟ ବସାଟିଏ କରିଛି । ପଦ୍ମନାଭ ଏଇମିତି ଏଇ ଗଛତଳେ ଶୋଇ ଶୋଇ ଦେଖିଛି ପ୍ରଥମେ ଯେଉଁଦିନ ମାଈ ଚଢ଼େଇଟା ଖଣ୍ଡେ କାଠି ଥଣ୍ଟରେ ଧରି ଆସି ସେଠି ବସିଲା । ବସା ପୂରା ହେଇଗଲା ପରେ ଦି’ଟା ଚଢ଼େଇ ବରାବର ସେଠି କୁଉଁକାଆଁ ହେଉଥାନ୍ତି । ତା’ପରେ ଦିନେ ଅଣ୍ଡା ଖୋଳ କେତେଟା ବେଦୀ ଉପରେ ଆସି ପଡ଼ିଲା-। ପଦ୍ମନାଭ ସେଦିନ କାହିଁକି ଆପଣା ଛାଏଁ ହସି ପକାଇଲା । ସେ ଗଛ ଲଗାଇଥିଲା-

 

ତା’ରି ଗଛ ଉପରେ ଆଶ୍ରା ନେଇ ଗୋବରା ଛୁଆ କରିଛି । ଛୁଆ ଦି’ଟା ବଡ଼ ହୋଇଗଲେଣି । ଖଣ୍ଡିଉଡ଼ା ଦେଉଛନ୍ତି । ମାଆକୁ ତଳ ଡାଳରେ ଦେଖି ଥଣ୍ଟ ଖୋଲି ଚେଁଚାଁ ହେଇ ଉଠିଲେ । ପଣାସଂକ୍ରାନ୍ତି ଦିନ ପଦ୍ମନାଭ ବରଗଛର ଗଣ୍ଡିରେ ହାଣ୍ଡିଟେ ବାନ୍ଧି ଦେଇଥିଲା । ହାଣ୍ଡିର ପଛରେ କଣାକରି କୁଟା ଖଣ୍ଡେ ଖୋସି ଦେଇଥିଲା । ହାଣ୍ଡିରେ ପ୍ରତିଦିନ ଗାଧୋଇ ସାରି ଆସି ପଦ୍ମନାଭ ପାଣି ଢାଳେ । କୁଟା ଦେଇ ଟୋପା ଟୋପା ପାଣି ଗଛର ଗଣ୍ଡିଦେଇ ମୂଳକୁ ଗଡ଼ି ଆସେ-। ଏଡ଼େ ବଡ଼ ଗଛ ଦୁଇଟା । ଚେର ଯାଇଁ ପାତାଳରେ ଫୁଟିବଣି । ତେବେବି ପଦ୍ମନାଭ ବୁନ୍ଦା ବୁନ୍ଦା ପାଣି ଗଛ ମୂଳରେ ପଡ଼ିବାର ଦେଖି ଖୁସି ହୁଏ । ହାଣ୍ଡିଟା ଭିତରେ ଗୁଣ୍ଡୁଚି ମୂଷାଟେ ମୁହଁ ଗଳାଇ ଖଡ଼ ଖଡ଼ କଲା । ଠିକ୍‌ ଉପର ଡାଳରୁ ଡାମରାକାଉଟା ଉଡ଼ି ଆସି ହାଣ୍ଡି ଦେହରେ ଘଷି ହୋଇ ଉଡ଼ିଗଲା । ଗୁଣ୍ଡୁଚି ମୂଷାଟା ବାରି ନପାରି ଲାଙ୍ଗୁଡ଼କୁ ଫୁଲାଇ ଦେଲା । ରୁମଗୁଡ଼ାକ ଠିଆ ହୋଇଗଲା । ହାଣ୍ଡି ଭିତରୁ ଚିଁ ଚିଁ ହେଇ ଉଠିଲା । ତା’ରି ସାଙ୍ଗରେ ତାଳ ପକାଇ ଗଛର ଯେତେ ଚଢ଼େଇ ସମସ୍ତେ ପାଟି କରି ଉଠିଲେ । ଗଛର ପତର ସନ୍ଧିରୁ ଚାରିଆଡ଼େ ପକ୍ଷୀର ବୋବାଳି ଉଛୁଳି ପଡ଼ିଲା । ଗଛର ଏ ଡାଳରୁ ସେ ଡାଳକୁ ଆଉ ଯେତେ ଗୁଣ୍ଡୁଚି ମୂଷା ଧାଁ ଧଉଡ଼ା ଲଗାଇଲେ ମୁଠା ମୁଠା ପାକଲା ଫଳମୂଳ ପିଣ୍ଡି ଉପରେ କୁଢ଼େଇ ହେଇ ଯାଉଥାଏ । ପଦ୍ମନାଭର ଓଠ କଡ଼ରୁ ହସ ପିଚିକି ପଡ଼ିଲା । କେଡ଼େ ବକଟେ ଗଛ ଆଣି ସେ ଲଗାଇଥିଲା, କେତେଟା ବର୍ଷ ଭିତରେ କେତେ ବଡ଼ ସତେ ହୋଇଗଲା ମ । ଆଏଁ–ସେ ଜିଭ କାମୁଡ଼ିଲା । ନିଜେ ଖୁଣି ପକାଉଛି । ସେ ଉଠିଯାଇଁ ପାଖ ଗଡ଼ିଆରୁ ଲୋଟାରେ ପାଣି ଆଣି ହାଣ୍ଡିରେ ଢାଳିଲା । କୁଟା ଦେଇ ପାଣି ଟପ୍‌ଟପ୍‌ କରି ଝରି ପଡ଼ିଲା । ବିଲ ପାଖକୁ ମୋଟା ଡାଳଟେ ଉପରୁ ବାଙ୍କି ଆସି ମାଟିରୁ ଟିକିଏ ଛାଡ଼ି ପୁଣି ବାଙ୍କି ଉପରକୁ ଉଠିଯାଇଛି । ଗାଈଆଳ ଟୋକାଟା ବାଙ୍କରେ ବସି ଡାଳଟାକୁ ଉଠାଉଛି ଓ ପକାଉଛି । ଦୋଳି ଖେଳୁଛି ଏଣେ ରାଗିଣୀ ଛାଡ଼ିଛି–‘ସର୍ଗେ ଡାଳ, ମଞ୍ଚେ ଡାଳ’’ । ଛୋଟ ମୁଣ୍ଡଚାନ୍ଦିଆ ବାଛୁରୀଟା ଡାଳର ଅଗ ପତର ଖାଇବାପାଇଁ ମୁହଁ ବଢ଼ାଉଛି । ଡାଳ ତା’ ମୁହଁରେ ବାଜୁଛି ପୁଣି ଉଠିଯାଉଛି । ଗାଈଆଳ ଟୋକାଟା ଜୋରରେ ଦୋଳି ଖେଳି ଖେଳି ସୁର ବେଶୀ ବେଶୀ ଟେକି ଦେଉଛି । ପଦ୍ମନାଭ ହସି ହସି ଆଖି ଫେରାଇଲା । ବରଗଛରୁ କେତେଟା ଓହଳ ନୂଆ ହେଇ ଲମ୍ବି ଆସିଛି । ଓହଳର ଅଗରେ କଞ୍ଚା ସୁନା ରଙ୍ଗର ସରୁ ସରୁ ଚେର ସବୁ ଚାରିଆଡ଼କୁ ଲମ୍ବି ଯାଇଛି । ଛୋଟ ଘରଚଟିଆ ଦୁଇଟା ଗୋଡ଼ାଗୋଡ଼ି ଲାଗିଛନ୍ତି । ଗୋଟାଏ ଓହଳରୁ ଆର ଓହଳକୁ ଆଗପଛ ହେଇ ଝାମ୍ପ ମାରୁଛନ୍ତି । ଆଃ, କି ଲୀଳାଖେଳା ଲାଗିଛି । ଗର୍ବରେ ପଦ୍ମନାଭର ମନ ଭାରୀ ହୋଇଉଠିଲା ।

 

ବେଦୀ ଉପରୁ ଗୋଟା ଗୋଟା ପଡ଼ି ଛେଚି ହୋଇ ଯାଇଥିବା ଫଳ ସବୁ ଗେଟାଇ ସେ ଗୋଟେ ଜାଗାରେ କୁଢ଼ାଇଲା । ପାକଲା ଫଳଟେ ନେଇ ସେ ପାଟିରେ ପୂରାଇଲା । ଦାନ୍ତରେ ଚାପି କାଢ଼ି ପକାଇଲା । ପୁଣି କ’ଣ ଭାବି ପାଟିରେ ଟିକିଏ ଶସ ପୂରାଇ ଚାଖିଲା । ମନ୍ଦତ ନୁହେଁ, ଫଳଗୁଡ଼ାକ ଆଞ୍ଜୁଳା ଆଞ୍ଜୁଳା କରି ଆଣି ଶୋଇ ଛାତି ଉପରେ ରଖିଲା । ଆଖି ବୁଜି ଛାତି ଉପରେ ଫଳଗୁଡ଼ାକ ଉପରେ ଆସ୍ତେ ଆସ୍ତେ ହାତ ବୁଲାଇଲା । ଛାତି ଭିତରେ ତା’ର ଥଣ୍ଡା ଶିରିଶିରି ପବନ ଖେଳି ଯାଉଥାଏ । ସେ ଆଖି ବୁଜି ଭାବିଲା । ବହୁତ ଦିନ ହେଲାଣି–ହଁ, ପାଖାପାଖି ୩୦ ବର୍ଷ ହେବ । ଏଇଭଳି ଗୋଟାଏ ନିର୍ଧୂମ୍ ଖରାବେଳେ ସେ ହାଟ ସୌଦା ସାରି ଫେରୁଥାଏ । ଗାଁ ମୁଣ୍ଡରେ ପହଞ୍ଚିଛି ତ କିଳିକିଳା ପାଟି ଶୁଭିଲା । ମାରଣା ଷଣ୍ଢଟା ଧାଉଁଛି । ଚନ୍ଦ୍ରଶେଖରବାବୁଙ୍କ ସାନ ପୁଅ ଟୁନୁବାବୁ ରାସ୍ତାରେ ଖେଳୁଛି । ଷଣ୍ଢଟା ଧାଇଁ ଆସିଲା । ଚାରିଆଡ଼ୁ ପାଟି କମ୍ପି ଉଠିଲା । ଶେଷକୁ ଚନ୍ଦ୍ରଶେଖରବାବୁ ଦୌଡ଼ି ଆସି ପୁଅକୁ ଟେକି ନେଲେ । ଛୁଆକୁ ନେଇ ଚୁମା ଦେଇ ସେ ବ୍ୟସ୍ତ ହୋଇ ଉଠିଲେ । ଆଖିରୁ ତାଙ୍କର ପାଣି ଗଡ଼ି ଆସିଲା । ଷଣ୍ଢଟା ରାସ୍ତାରେ ଅଛି ବୋଲି ପଦ୍ମନାଭ ପାଖ ବାରଣ୍ଡାକୁ ଉଠି ଯାଇଥାଏ । ରାଗରେ ଷଣ୍ଢଟା ନଇଁ–ଯୋଡ଼ିରେ ଯାଇ ଶିଙ୍ଗ ପୂରାଇ ମାଟି ଖୋଳିଲା । ଶୂଳା ଶୂଳା ମାଟି ଶିଙ୍ଘରେ ତାଡ଼ି ରାଗରେ ଛାଟି ଦେଉଥାଏ । ମୁଣ୍ଡାଏ ମାଟି ସାଙ୍ଗରେ ଛୋଟ ବରଗଛଟେ ଛାଟି ହୋଇ ପଡ଼ିଲା । ଷଣ୍ଢଟା ଦଉଡ଼ି ଆସି ପତର ଦି’ଟା ରାଗରେ ଚାକୁଳାଇ ଦେଇ ଗଛଟାକୁ ମାଡ଼ି ଦଉଡ଼ି ପଳାଇଲା । ପଦ୍ମନାଭ ଫେରିଲା । କୂଅରୁ ପାଣି ଲୋଟେ ଆଣି ଗୋଡ଼ ଧୋଇ ସେ ନିଃଶ୍ୱାସ ମାରିଲା । କି ଖରା–ଜଳନ୍ତା ନିଆଁ । ଦୁନିଆକୁ ପୋଡ଼ି ପକାଇବ । ଆଃ, ଆଜି କେଡ଼େ କାଣ୍ଡଟା ସତେ ଘଟି ନଥାନ୍ତା । ଚନ୍ଦ୍ରଶେଖରବାବୁଙ୍କ ପୁଅ ପାଖକୁ ଷଣ୍ଢଟା କି ରାଗରେ ସତେ ଧାଇଁ ଆସିଥିଲା । କେତେ ସୁନ୍ଦର ପୁଅଟା କ’ଣ ସତେ ହୋଇଥାନ୍ତା ? ଚନ୍ଦ୍ରଶେଖରବାବୁଙ୍କ ବଡ଼ପୁଅ କାଳେ ଦିପଟି ହୋଇଛି । ସାନକୁ ଚନ୍ଦ୍ରଶେଖରବାବୁ କେଡ଼େ ଯତ୍ନରେ ପାଳନ୍ତି । କେତେଥର ସେ ଶୁଣିଛି ଚନ୍ଦ୍ରଶେଖରବାବୁ କହନ୍ତି ସାନପୁଅ ତାଙ୍କର ଖୁବ୍‌ ଜଣେ ବଡ଼ମଣିଷ ହେବ । ବଡ଼ପୁଅ ୟା ପାସଙ୍ଗରେ ପଡ଼ିବନି । ପଦ୍ମନାଭର କେହି ନାହିଁ । ବିବାହ ଆଜି ପର୍ଯ୍ୟନ୍ତ ଯୁଟିଲା ନାହିଁ । ଯୁଟିବ ନାହିଁବି । ବାଁ ଗୋଡ଼ଟା କେମ୍ପା, କଳା କିଟିକିଟି ଦେହ–କିଏ ସତେ ତାକୁ ବାହା ହେବ ? ଛାଡ଼, ପଦ୍ମନାଭ ବଢ଼ିଲା ଦାଢ଼ି ଭିତରେ ଅଙ୍ଗୁଳି ଗଳାଇ କୁଣ୍ଢେଇଲା । ଦାଢ଼ିଗୁଡ଼ାକ ଝଣଝିଣ କରି ଉଠୁଛି । ମୁଣ୍ଡର ବାଳଗୁଡ଼ାକୁ ଜୋରରେ ଟାଣି ଦେଲା । ଦି’ଟା ବାଳ ଛିଡ଼ି ଆସିଲା । ଏକଦମ୍ ଧଳା । ହଁ, ସେ ଆଜି ଦର୍ପଣରେ ଗାଧୋଇ ସାରି ଚିତା ନାଇଲବେଳେ ଦେଖିଛି । ମୁଣ୍ଡରେ ଗୋଟିଏ ବୋଲି କଳା ବାଳ ନାହିଁ । ସେ ବୁଢ଼ା ହେଇଗଲାଣି । ହଁ, ଏକବାରକେ ବୁଢ଼ା ହେଇଗଲାଣି । ହବାର କଥା । ଏଇଗଛ ଲଗାଇଲାବେଳେ ତା’ର ତ ବାହା ହେବା ବୟସ ଢେର୍ ଗଡ଼ି ଯାଇଥିଲା । ସେ ତ କେତେଦିନ ତଳର କଥା । ହୁଁ ସେଇଦିନ ଖରାବେଳେ ଚନ୍ଦ୍ରଶେଖରବାବୁଙ୍କ ପୁଅକୁ ଯେଉଁଦିନ ଷଣ୍ଢ ମାରିବାକୁ ଯାଇଥିଲା ସେ ଘରକୁ ଆସି ଗୋଡ଼ ଧୋଇ ଦିହରୁ ଝାଳ ମାରୁଛି । ତା’ ମନ କ’ଣ ହୋଇଗଲା । ମୂରୁଖ ଲୋକ । ପାଠଶାଠ ଜାଣେନି । ଚନ୍ଦ୍ରଶେଖରବାବୁ ପୁଅକୁ ଷଣ୍ଢ ଆଗରୁ ଟେକି ନେଇଗଲେ; ତାଙ୍କ ଗେହ୍ଲାପୁଅ । ସେ କାନ୍ଦି ପକାଇଲେ । ପୁଅ ତାଙ୍କର ଖୁବ୍‌ ବଡ଼ମଣିଷ ହେବ । ଦିପଟିଠୁଁବି ଆହୁରି ବଡ଼ମଣିଷ । ଛୋଟ ବରଗଛଟାକୁ ଷଣ୍ଢ ମାଡ଼ି ଚକଟି ଦେଇଗଲା । କି ସୁନ୍ଦର କଅଁଳ ପତର ଦି’ଟା ତା’ର ଭୀମ ଭଳି ଥୋମଣିରେ ଛିଣ୍ଡେଇ ନେଇଗଲା ସତେ । କେଡ଼େ ବକଟେ ଗଛ......ହଁ, ସେତ ଠାକୁରାଣୀ ବରଗଛ ଦେଖିଛି କେତେ ବଡ଼–ଏକରେ ଜମି ମାଡ଼ିବସିଛି । ଏ ଛୋଟ ଗଛଟା ଥିଲେ କ’ଣ ବଡ଼ ହେଇ ନଥାନ୍ତା ? କେତେ ଜନ୍ତୁ ଆସି ଆଶ୍ରା ନିଅନ୍ତେ । ହଅ, ସେ ଯାଇଁ ପଖାଳ ଗଣ୍ଡେ ଖାଇ ଘରେ ସେଦିନ ଶୋଇଲା । ଝରାଟାରେ ଧାଇଁ ଧାଇଁ ଆସିଛି । ଛାଇନିଦ ମାଡ଼ି ଆସିଲା । ସେ ସପନ ଦେଖିଲା ସେ ବାହା ହେଇଛି । କେଡ଼େ ସୁନ୍ଦର ଗୋରା ତକତକ ବୋହୂଟିଏ । ଘରଦ୍ଵାର ପୂରି ଉଠୁଛି.....ହଁ, ଝିଅଟିଏ ହୋଇଛି–ଅବିକଳ ମା’ ଭଳି–କି ସୁନ୍ଦର । ସୂର୍ଯ୍ୟଙ୍କୁ ଚାହିଁ ହେବ, ତାକୁ ଚାହିଁ ହେବନି ।

 

....ଆରେରେ ଝିଅ ଦାଣ୍ଡରେ ଖେଳୁଛି–ମାରଣା ଷଣ୍ଢଟା ଧାଇଁ ଆସୁଛି । ସେ ଦୌଡ଼ିଗଲା । ଝିଅକୁ ଟେକି ଆଣିଲା । ତା’ ଆଖିରୁ ଲୁହ ଗଡ଼ି ଆସୁଛି । ସେ ଝିଅଠୁ ଚୁମା ଖାଇବ ବୋଲି ମୁହଁ ପାଖକୁ ଟେକି ଆଣିଲା । ଝିଅ ନୁହେଁ….ବରଗଛ–ସେହି ଷଣ୍ଢ ଉପୁଡ଼ା ଛୋଟ ବରଗଛ-। ତା’ ନିଦ ଚାଉଁକରି ଭାଙ୍ଗିଗଲା । ସେ ଦେଖିଲା ତା’ ଆଖିରୁ ସତେ ଲୁହ ବୋହି ଆସୁଛି-। ଉଠି ସେ ଚାଲିଗଲା । ରାସ୍ତାକଡ଼ରେ ବରଗଛଟି ପଡ଼ିଛି । ଅଗରେ ଗୋଟିଏ ବୋଲି ପତ୍ର ଅଛି-। ସେ ବି ଖରାଧାସରେ ଝାଉଁଳି ଗଲାଣି । ସେ ତାକୁ ନେଇ ଆସିଲା । ବାଡ଼ିରୁ ଫଟା ହାଣ୍ଡିଟେ ଖୋଜି ପାଇଲା ନାହିଁ । ଶେଷକୁ ଯେଉଁ ହାଣ୍ଡିରେ ମୁଗ ପୂରାଇ ରଖିଥିଲା । ତଳେ ମୁଗ ଢାଳି ସେ ହାଣ୍ଡିଟା ଆଣିଲା । ମାଟି ଗୁଣ୍ଡକରି ଯତ୍ନକରି ହାଣ୍ଡିରେ ପୂରାଇଲା । ଆରେ ପାଣି ଜମିଯିବ, ତା’ର ମନେ ନାହିଁତ । ସେ ମାଟି ପୁଣି ହାଣ୍ଡିରୁ କାଢ଼ିଲା । ହାଣ୍ଡିତଳେ କଣା କରି ପୁଣି ମାଟି ପୂରାଇ ଯତ୍ନରେ ଗଛଟି ଲଗାଇଲା । ଗଛ ମୂଳରେ ପହିଲୁ ଯେଉଁ ମାଟି ଟିକକ ଲାଗିଥିଲା ତାକୁ ସଜାଡ଼ି କରି ଚେର ଦେହରେ ଚାପିଦେଲା । ଜନମ ମାଟି ଖସିଗଲେ ଆଉ କି ଗଛ ବଞ୍ଚିବ ? ପାଣି ମନ୍ଦେ ଆଣି ହାଣ୍ଡିରେ ଦେଲା । ପିଣ୍ଡା ଉପରେ ଛାଇରେ ହାଣ୍ଡିଟା ରଖି ଗଛଟିକୁ ଭଲକରି ଦେଖିଲା । ଯାଉଥିଲା ପୁଣି ଫେରି ଆସିଲା । ଗଛ ପାଖରେ ପୁଣି ଦଣ୍ଡେ ବସିଗଲା । ସତେ କ’ଣ ଗଛଟା ବଞ୍ଚିବ-? ସେ ଆଗରୁ ନେଇ ଆସିଲାନି କାହିଁକି ? ହାଇପାଇଁ ହେଇ ସେ ଦାଣ୍ଡକୁ ଗଲା ।

 

ପଦ୍ମନାଭ ଗଛମୂଳ ପିଣ୍ଡ ଉପରେ ଶୋଇ ଶୋଇ ଭାବି ଚାଲିଲା । ପ୍ରତିଦିନ ସେ ହାଣ୍ଡିରେ ଗଛ ମୂଳରେ ପାଣି ଢାଳିଛି । ଗଛଟାକୁ ଧରି ସେଦିନ ତା’ ଆଡ଼କୁ ବଙ୍କେଇ ଦେଖୁଦେଖୁ ହଠାତ୍‌ ଛାଡ଼ି ହୋଇଗଲା । ଗଛଟା ଜୋରରେ ହଲିଗଲା । ଅଗର ଗୋଟିଏ ବୋଲି ପତର ଥିଲା । ସେବି ପାକଲିଆ ପଡ଼ି ଆସିଥିଲା । ଝଡ଼ି ପଡ଼ିଲା । ହଠାତ୍‌ ପବନ ଆସି ପତ୍ରଟାକୁ ଉଡ଼େଇ ନେଇଗଲା । ତା’ ହାତ ଥରି ଉଠିଲା । ସେ ଜାଣିଶୁଣି ଗଛଟାକୁ ମାରିଦେଲା ବୋଧହୁଏ । ମୂଳଟା ହଲିଗଲା, ଆଉ କ’ଣ ବଞ୍ଚିବ ? ସେ ଉଠିଯାଇ ଅଧଲୋଟେ ପାଣି ଆଣି ପୁଣି ମୂଳରେ ଢାଳିଦେଲା-। ତା’ ମନଟା କାହିଁକି କିମିତିକା କିମିତିକା ହେଇଗଲା । ଗଛଟା ରାସ୍ତା କଡ଼ରେ ପଡ଼ି ମରିଥିଲେ ମରିଥାନ୍ତା । ସେ କାହିଁକି ଆଣିଲା ? ଆଣି ବଞ୍ଚେଇବ କ’ଣ ନିଜ ହାତରେ ମାରିଦେଲା-। ତା’ପରେ ପ୍ରତିଦିନ ସେ ଘରକୁ ଆସିଲାତ ଖୁଣ୍ଟା ଛୋଟ ଗଛଟିକୁ ସେ ପ୍ରଥମେ ଦେଖେ । ଦ୍ଵିତୀୟ ଦିନ ଅଗ ଆଡ଼ଟା କାହିଁକି ଟିକିଏ ମାଟିଆ ଦିଶିଲା । ସେ ଆଙ୍ଗୁଳିରେ ଚିପି ପକାଇଲା । ଯାଃ, ବୋଧହୁଏ ଶୁଖି ଆସିଲାଣି । ଆଉ ବଞ୍ଚିବନି । ସେ ଘରୁ ସେଦିନ ଚାଲିଗଲା । ଗଲାବେଳେ ଠାକୁରାଣୀ ଗଛ ବାଟ ଦେଇଗଲା । କେଡ଼େ ବଡ଼ ଗଛ । ମୁଣ୍ଡ ଟେକି ଚାହିଁଲେ ମୁଣ୍ଡରୁ ଠେକା ଖସି ପଡ଼ିବ । ସେ ଛୋଟ ଗଛଟା ଆଣି ଲଗାଇଥିଲା । ସେ କ’ଣ ବଡ଼ ହେଇ ନଥାନ୍ତା ? ଏଇମିତି ଠାକୁରାଣୀ ଗଛ ଭଳି ଚକଡ଼ା ମାଡ଼ି ବଢ଼ିଥାନ୍ତା–ଗଛଯାକ ଚଢ଼େଇ ଖୁନ୍ଦି ହେଇଥାନ୍ତେ–ପେନ୍ଥା ପେନ୍ଥା ଫଳ ସବୁ ଡାଳରେ ଲେସି ହେଇ ଯାଇଥାନ୍ତା । ଛାଡ଼–ନ ହେଲା ନାହିଁ । ସେ ଆଗକୁ ଚାଲିଲା । ଚନ୍ଦ୍ରଶେଖରବାବୁଙ୍କ ପୁଅ ଦିପଟିଠୁଁ ବଡ଼ ହେବ–ବାପ ତା’ର ଷଣ୍ଢ ଆଗରୁ ଟେକି ନେଇଗଲେ । ସେ ଷଣ୍ଢ ଆଗରୁ ଗଛଟାକୁ ଆଣିଲା ଯେ ମାରିଦେଲା । ଛାତି ଭିତରଟା ତା’ର ଗିଣିଗିଣେଇ ଉଠିଲା । ସେ ଆଖି ବୁଜି ନାକପୁଡ଼ା ଫୁଲେଇ ମୁଣ୍ଡ ହଲେଇଲା–ମୁଣ୍ଡ ଭିତରେ କ’ଣ ଗୁଡ଼େ ଚରିଯାଉଛି । ସେ ଘରକୁ ଫେରିଲା । ତା’ପରେ ଗଛ ଗଜରି ଉଠିଲା । ଗୋଟିକ ପରେ ଗୋଟିଏ ପତର ତଳୁ ଉପରକୁ ଆସ୍ତେ ଆସ୍ତେ ଫୁଟି ଉଠିଲା । ପ୍ରତି ନୂଆ ପତରକୁ ସେ ହାତରେ ଆଉଁଷି ଦେଖେ କେଡ଼େ ପାଲିସ୍‌–ଛନ ଛନ ହେଉଥାଏ । ହାତ ମାଇଲେ ପଛ ଆଡ଼କୁ ବାଙ୍କିଯାଏ । ସେ ଦାଣ୍ଡ କବାଟ କିଳିଦେଇ ଆସି ନଇଁପଡ଼ି ଗାଲରେ ପତରକୁ ଟେକି ଆସ୍ତେ ଘଷିଦିଏ । କେଡ଼େ ଥଣ୍ଡା । ତା’ର ବହଳ ରୂଢ଼ ପାର ହୋଇଛି, ଗାଲ ଭିତରେ ସେ ଥଣ୍ଡା ଶିର ଶିର ହେଇ ଚରିଯାଏ । ଦେହ ତା’ର ଶୀତେଇ ଉଠେ । ସେ କନକନ ହେଇ ଏପାଖ ସେପାଖ ଚାହିଁ ପତର ଉପରେ ଚୁମା ଦେଇ ଛେପ ଲଗେଇ ଦିଏ ।

 

ସେଦିନ ରାମ ପୁରୋହିତ ଘରକୁ ଆସିଥିଲେ । ପଦ୍ମନାଭର ବାପଙ୍କ ପିଣ୍ଡ ପକାଇବା ଦିନ ପୁରୋହିତେ ବର୍ଷରେ ଥରେ ଆସନ୍ତି । ବର୍ଷକର ଗୋଟେ ଦିନ ପିତୃପୁରୁଷ ଟିକିଏ ପାଣି ପାଆନ୍ତି । ବଂଶରେ କେହି ଥିଲେ ବ୍ରାହ୍ମଣ ହାତରେ ଚାଉଳ ମୁଠେ ଟେକିଦିଏ । ପିଣ୍ଡ ପକାଇସାରି ସେ ପୁରୋହିତଙ୍କୁ ବାରଣ୍ଡାରେ ଖାଇବାକୁ ଦେଲା । ଆଜି ବାପା ତା’ର ସ୍ଵର୍ଗରେ ଶାନ୍ତିରେ ନିଃଶ୍ଵାସ ମାରିବେ । ମନ ଭିତରଟା ତା’ର ଉଦାସ ହେଇଉଠିଲା । ତା’ର ତ ଫେର୍ କାଳ ଆସିବ । ତା’ପାଇଁ ତ କେହି ନାହିଁ ଚାଉଳ ଗଣ୍ଡେ ଟେକି ଦେବ । ପୁରୋହିତ ଖାଉଁ ଖାଉଁ ଗଛଟିକୁ ଦେଖି କହିଲେ–‘‘ଆରେ ପଦ୍ମନାଭ ! ବରଗଛଟିତ ବେଶ୍‌ ବୃଷଳ ହେଇଛି । ଖାଲି ବରଗଛଟିଏ କାହିଁକି ରଖିଛୁ । ଅଶ୍ଵତ୍‍ଥ ବୃକ୍ଷଟିଏ ଆଣି ଲଗା । ବିବାହ କରିଦେବୁ । ଅପୁତ୍ରିକ ଦୋଷ କଟିଯିବରେ ।’’ ସେଦିନ ସେ ପ୍ରଥମେ ଏ କଥା ଶୁଣିଲା । ମନଟା ତା’ର ଉଶ୍ଵାସ ହେଇ ଆସିଲା । ସେ ଯେମିତି ବଡ଼ ଭରସାଟେ ପାଇଲା । ପଚାରିଲା–‘‘ଗୋସେଇଁ ଆପଣେ, ଇମିତି କ’ଣ ହୁଏ ?’’ ପୁରୋହିତେ ଅଣ୍ଟାରେ ଦକ୍ଷିଣା ଗୁଞ୍ଜି ଉଠୁ ଉଠୁ କହିଲେ–‘‘ତୁ ଆଗେ ଅଶ୍ଵତ୍‍ଥ ଗଛ ଆଣି ଲଗା । ବୃକ୍ଷ ସ୍ଥାପନା ହେଇଯାଉ–ଆମେ ସବୁ ବ୍ୟବସ୍ଥା କରିଦେବା’’ । ତା’ପରେ ସେ ଓସ୍ତଗଛ ପାଇଁ ବହୁତ ଆଡ଼େ ନଜର ପକାଇଛି । ଗାଁମୁଣ୍ଡ ପୋଲ ଛୁଞ୍ଚିଆ ଭିତରେ ଓସ୍ତ ଗଛଟେ ଥିଲା ଯେ ଖୁବ୍‌ ଉଚ୍ଚ ହୋଇ ଯାଇଥିଲା । ବରଗଛଠୁଁ ବଡ଼ । ସେଠୁ ସେ ମନମାରି ଫେରି ଆସିଲା । ଥାଉ, ଶେଷକୁ ନ ମିଳିଲାବେଳକୁ ଦେଖିବା । ଯିବା ଆସିବାବେଳେ ନଇଁଯୋଡ଼ି ଭିତରେ ନଜର ଦେଇ ଦେଇ ସେ ଯାଇଛି, ଗାଈଆଳ ଟୋକାଙ୍କୁ ଗାଈ ନେଲାବେଳେ, ଶାଗ ତୋଳି ଗଲାବେଳେ ପାଲୁଣୀକୁ କେତେଥର ପଛାରିଛି । ଶେଷକୁ ମହାଦେବ ମନ୍ଦିର ପଛପଟେ ଗାଧୁଆପାଣି ରହିବା କୁଣ୍ଡ କଡ଼ରେ ସେ ଛୋଟ ଓସ୍ତଗଛଟିଏ ଦେଖିଲା । ତାକୁ ଯତ୍ନରେ ଚାରିଆଡ଼ୁ ଖୋଳି ତା’ ମୂଳରେ ମାଟି ପୁଳେ ଲଗାଇ ଘରକୁ ଆଣିଲା । ଆଣିଲାବେଳେ ମନେମନେ ଭାବି ଠିକ୍‌ କରିଛି ଗଛଟା ଠିକ୍‌ ବରଗଛ ଉଞ୍ଚ ହେବ । ଘରେ ପହଞ୍ଚି ବରଗଛ ସହିତ ଆଗେ କଛି ନେଲା । ଓସ୍ତ ଟିକିଏ ଉଞ୍ଚ ହେଲା । ହଁ, ମାଟିରେ ପୋତିଦେଲେ ସମାନ ହେଇଯିବ । ବରଗଛକୁ ଲଗାଇ ଆଉ ଗୋଟିଏ ହାଣ୍ଡିରେ ସେ ଓସ୍ତଗଛକୁ ରଖିଲା । ତା’ପରେ ଏହି ଦୁଇଟି ଗଛନେଇ ତା’ ଜୀବନର ଅଧିକାଂଶ ସମୟ କଟାଇ ଆସିଛି, ତା’ର ଛୁଆପିଲା ନାହିଁ । ଏ ଦୁଇଟିଙ୍କୁ ବିବାହ କରିଦେଲେ ଅପୁତ୍ରିକ ଦୋଷ କଟିଯିବ । ଗଛ ଦୁଇଟିକୁ ନିଜର ଛୁଆଭଳି ପାଳି ଆସିଛି । ଆପଣାର ଦୁଃଖସୁଖ ତାଙ୍କରି ପାଖରେ ଗୁଣୁଗୁଣୁ କହିଛି, ତାଙ୍କଠୁଁ କିଛି ଉତ୍ତର ପାଇନି ସତ; କିନ୍ତୁ ତାଙ୍କ କତିରେ ନିଜର କଥା କହିଦେଲେ ମନ ତା’ର ଉଶ୍ୱାସ ହୋଇ ଯାଉଥିଲା । ଗଛ କାଳେ ଶୁଖିଯିବ ସେଥିଲାଗି ବ୍ରାହ୍ମଣ ଘରେ ଖୁସାମତ କରି ଠାକୁର ଗାଧୁଆପାଧୁଆ ପାଣି ଆଣି ମୂଳରେ ଢାଳିଛି । ବାବା ଆଖଣ୍ଡଳମଣିଙ୍କ ଧଣ୍ଡା ଆଣି ଗଛରେ ଗୁଡ଼େଇ ଦେଇଛି । କେତେବେଳେ କେଉଁ କଥା । ସେଦିନ ଆସି ଶରଧାବୋଉ କଥା କହୁଁ କହୁଁ ଗଛଟାରୁ ପତରଟେ ଛିଣ୍ଡେଇ ପକାଇଲା । ସେ ବୁଝିଲା ଯେ ସେଦିନ ତା’ର ମାସିଆରି ହୋଇଥିଲା-। ଆଉ ଶରଧାବୋଉ ଯାଏଁ କୁଆଡ଼େ । ଅଛୁଆଁ ମଣିଷ ହେଇ ଗଛ ଛୁଇଁଦେଲା । ଆଉ କ’ଣ ଗଛ ବଞ୍ଚିବ । ସେ ଶରଧା ବୋଉକୁ ମାରେ କି ନ ମାରେ । ପୁରୋହିତ ଗୋସାଇଁ ଘରୁ ମନ୍ତୁରା ପାଣି ଆଣି ଗଛ ଉପରେ ଛିଞ୍ଚିଲା । ମନଟା ତା’ର କେତେ ଗୁଡ଼ୁପୁଡ଼ୁ ହେଲା । ସେ କାମରୁ ଫେରି ଆଗେ ଗଛ ପାଖରେ ଦଣ୍ଡେ ବସିଯାଏ । ପବନରେ ଦୋହଲି ଛୋଟ ଗଛ ଦୁଇଟା ପିଟି ହୋଇ ଯାଆନ୍ତି-। ସେ ଚାହିଁ ଚାହିଁ ହସି ପକାଏ । ସେଥର ପୂନେଇଁ ବାସିଦିନ ବଡ଼ ଧୂମ ତୋଫାନଟେ ହେଲା ଯେ ବରଗଛଟା ବଙ୍କିଯାଇଁ ଓସ୍ତଗଛ ଉପରେ ଅଟକି ଯାଇଥାଏ । ସେ ଘରେ ନଥିଲା । ଆସି ଦେଖିଲା-। ଯାହାହେଉ, ଦୁଇଟାଯାକ ଧରାଧରି ହୋଇ ତୋଫାନର ତୋଡ଼ଟାକୁ ପାର କରି ଦେଲେ-। ନହେଲେ ବରଗଛଟା ତଳେପଡ଼ି ଭାଙ୍ଗିଯାଇଥାଆନ୍ତା । ସେ ବରଗଛକୁ ଠିଆ କରି ପାଖରେ ବାଉଁଶ ପୋତି ସିଧା କରିଦେଲା । ଓସ୍ତଗଛକୁ ଟିକିଏ ଆଉଁସି ଦେଇ ରାନ୍ଧିବାକୁ ଗଲା-। ଗଛମୂଳରେ ହାଣ୍ଡିରେ ଘାସ ଗଛଟେ ଉଠିଲାତ ସେ ତାକୁ ଓପାଡ଼ି ପକାଏ । ସଞ୍ଜବେଳେ ସେ ଗାଁରୁ ଫେରେ । ଦାଣ୍ଡରେ ଛୁଆଏ ଚକାଭଉଁରୀ ଖେଳୁଥାନ୍ତି । ପିଣ୍ଡା ଉପରେ ସଞ୍ଜ ଦେଉଁ ଦେଉଁ ମାଆମାନେ ଛୁଆଙ୍କ ଖେଳ ଦେଖି ଅଟକି ଯାଇଥାନ୍ତି । ସେ ଘରେ ଆସି ଦେଖେ ସଞ୍ଜବେଳିଆ ସୁଲ ସୁଲ ପବନରେ ଗଛ ଦୁଇଟି ଦୋହଲୁଛନ୍ତି, ତା’ ଛୁଆଙ୍କ ଖେଳ ଭଳି ତାକୁ ଲାଗେ । ସେ ଦଣ୍ଡେ ବସି ଗଛ ଦୁଇଟିକୁ ଅନାଇଁ ରହେ । ଏକାଦଶୀ ବାସିଠୁଁ ତାକୁ ସେଦିନ ଜର ହେଲା । ବାତଜ୍ୱର-। ତିନିଦିନ ତା’ର ଥାନଜ୍ଞାନ ରହେନି । ଗଛରେ ଲୋଟେ ପାଣି ନ ଦେଲେ ନ ଚଳେ । ତା’ ଦେହ ସୁଖନାହିଁ ବୋଲି ଛୁଆ ଦୁଇଟା ଓପାସ ଶୋଇବେ । ସେ ବସି ବସି ପାଣି ମାଠିଏ କୂଅରୁ କଷ୍ଟରେ କାଢ଼ିଲା । ଦୁଇଗଛ ମୂଳରେ ଢାଳିଦେଇ ଥକାମାରି ବସି ପଡ଼ିଲା । ଗୋଡ଼ ଏଣେ ବିନ୍ଧି ଫାଟି ପଡ଼ୁଛି-। ପାଣି ଗଛମୂଳରେ ଭୁଡ଼ୁଭୁଡ଼ୁ ହୋଇ ଭିତରକୁ ଚାଲିଗଲା । ସେ ନିଜ ଗୋଡ଼ ଚିପୁ ଚିପୁ ଗଛମୂଳକୁ ଚାହିଁ ବସି ରହିଲା । ନାହକ ପାଖରୁ ସମସ୍ତ ବୁଝି ଆସି ଅକ୍ଷିତୃତୀୟା ଦିନ ସେ ଗଛ ଲଗାଇବ ବୋଲି ଠିକ୍‌ କଲା । ଗଛ ଦୁଇଟା ବଡ଼ ହୋଇଗଲାଣି । ଆଉ ହାଣ୍ଡିରେ ଏଣିକି ରଖିହେବନି-। ଚେର ହାଣ୍ଡି ଫଟାଇ ଦେବ । କେଉଁଠି ଗଛ ଲଗାଇବ ବୋଲି ଗାଁରେ ଜଣ ଜଣ କରି ପଚାରିଲା-। ପୋଲମୁଣ୍ଡ ପାଖରୁ କିଛିବାଟ ଗଲେ ଦୋଛକି ରାସ୍ତା । କଡ଼ରେ ଗଡ଼ିଆଟିଏବି ଅଛି । ପାଖରେ ଗଛବୃକ୍ଷ ନାହିଁ । ହାଟକୁ ରାସ୍ତା–କାରବାରି ଜାଗା ! ଗଛଟା ସେଇଠି ଲଗେଇଲେ ଅବଶ୍ୟ ପାଞ୍ଚଜଣ ତା’ ମୂଳରେ ଆଶ୍ରା ନେବେ । ସେଇଠି ଗଛ ଲଗାଇବ ବୋଲି ଠିକ୍‌ କଲା । ୧୫ ଦିନ ଆଗରୁ ବଡ଼ବଡ଼ ଗାତ ଦୁଇଟା ଖୋଳି କୁଟା ପୂରାଇ ଭିତରଟା ପୋତି ଦେଲା । ଅକ୍ଷିତୃତୀୟା ଦିନ ଶୁଭବେଳା ଦେଖି ଗଛ ଲଗାଇଲା । ସେଦିନ ସେ ସକାଳୁ ଉପାସ ଥାଏ । ଗଛ ଲଗାଇ ସାରି ଜଣେ ବ୍ରାହ୍ମଣ ଡକାଇ ଖାଇବାକୁ ଦେଲା । ଦକ୍ଷିଣା ଦେଇସାରି ବ୍ରାହ୍ମଣ ଗୋଡ଼ରୁ ଟିକିଏ ଧୂଳି ଆଣିଲା । ଧୂଳି ଟିକକ ନେଇ ଗଛ ଉପରେ ଛିଞ୍ଚି ଦେଇ ଆସିଲା । ଏଣିକି ଦିନରେ ଥରେ ହେଉ ଦି’ଥର ହେଉ ସେ ସେଠିକି ଯାଏଁ । ଗଡ଼ିଆରୁ ପାଣି ଆଣି ଗଛ ମୂଳରେ ଢାଳେ । ଅନ୍ୟ ଗାଁରେ କାମ ପଡ଼ିଲେ ବୁଲାଣି ରାସ୍ତା ହେଲେ ସୁଦ୍ଧା ସେ ସେଇ ବାଟ ଦେଇଯାଏ । ବାଟଚଲା ଲୋକ ଗଛକୁ ଦେଖି କୁହାକୁହି ହୁଅନ୍ତି–‘‘ଯାହାହେଉ, ବାଟ ଜାଗାଟିରେ କିଏ ଗଛ ଦୁଇଟି ଲଗାଇଛି । ଭଲ ବାଗିଆ ଗଛ ଯୋଡ଼ାଏ ଏକା ।’’ ସେ ସେହି ଲୋକଙ୍କ ପଛେପଛେ ଚାଲେ । କିଛି କାମ ନଥାଏ-। କ’ଣ ଆଉ ଗଛ ବିଷୟରେ କହିବେ କି ? ଗର୍ବରେ ତା’ ଛାତି ଫୁଲିଉଠେ । ମିଛରେ ମିଛରେ ସେମାନଙ୍କ ସାଙ୍ଗରେ କଥାବାର୍ତ୍ତା ଆରମ୍ଭ କରି କଥା ଛଳରେ ତା’ରି ଗଛ ବୋଲି ସେ କହିପକାଏ-। ସେମାନେ ତାଙ୍କୁ ପ୍ରଶଂସା କରନ୍ତି । ଅଣ୍ଟାରୁ କରାଟ କାଢ଼ି ଗୁଣ୍ଡି ଟିପେ ଟିପେ ସେମାନଙ୍କୁ ଦେଇ ସେ ଗଛ ମୂଳକୁ ଫେରିଆସେ ।

 

ଦିନେ ବିଶ୍ୱାଳଘର ମାରଣାଷଣ୍ଢଟା ବାଡ଼ଭାଙ୍ଗି ବରଗଛଟାକୁ ଖାଇଗଲା । ସରୁ ସରୁ କେନାଗୁଡ଼ିକୁ ସବୁ ଭାଙ୍ଗିପକାଇଥାଏ । ଗାଈଆଳ ଟୋକାଟେ ଧାଇଁ ଆସି ଖବର ଦେଲା । ସେ ଖାଇ ବସିଥାଏ । ଭାତ ଗୁଣ୍ଡା ତା’ର ହାତରୁ ଖସି ପଡ଼ିଲା, ସେ ଧାଇଁଲା । ଷଣ୍ଢଟାକୁ ସେଦିନ ମାରି ପକାଇ ଥାଆନ୍ତା । ଷଣ୍ଢଟା ତାକୁ ଦେଖି ଧାଇଁଲା । ଠେଙ୍ଗାଟା ଧରି ସେ ଗୋଡ଼ାଇଲା । ତା’ର ବୁଦ୍ଧିବୃତ୍ତି ହଜି ଯାଇଥାଏ । ସାହାଡ଼ା ଗଛ ଥୁଣ୍ଟା ବାଜି ତା’ର ନଖ ଗୋଟେ ଉଠିଗଲା । ସେ ବସିପଡ଼ିଲା । ତା’ର ହୋସ ପଶିଲା । ସେ ଏଣେ ଧାଇଁଛି କ’ଣ ଗଛର ଅବସ୍ଥା ତେଣେ କ’ଣ ହେବଣି । ସେ ଗଛକୁ ଦେଖି ଆଉ ସମ୍ଭାଳି ପାରିଲାନି । ଆଖିରୁ ତା’ର ଲୁହ ଠପ୍‌ ଠପ୍‌ ବୋହି ପଡ଼ିଲା । ଅଖିଆ ଅପିଆ ସେ ସେହିଦିନ ନିବୁଜ କରି ବାଡ଼ ବୁଜିଲା । ଛୋଟିଆ ବାଟଟିଏ ରଖି ଧଡ଼ାଟିଏ ଲଗାଇଲା । ପ୍ରତିଦିନ ଯାଇଁ ଗଛକୁ ଦେଖେ । ଆସ୍ତେ ଆସ୍ତେ ସବୁ ପତ୍ର ଗଛରୁ ଖସି ପଡ଼ିଲା । ସତେ କ’ଣ ଆଉ ଗଛ ତା’ର ମୁଣ୍ଡ ଟେକିବ ? କେତେବଡ଼ କଳ୍ପନା ସେ କରିଥିଲା । ଠାକୁରାଣୀ ଗଛଠୁଁ ଆହୁରି ତା’ ଗଛ ବଡ଼ ହେବ । ସେ ବାହାଘର କରିବ । ତା’ର ପିଲାପିଲି ନାହାନ୍ତି-। ଅପୁତ୍ରିକ ଦୋଷ କଟି ଯାଇଥାନ୍ତା ବୋଲି ପୁରୋହିତେ କହିଥିଲେ । ଯେଉଁଠି ବସିଲାତ ସେ ଗଛ କଥା କହିଲା । ଦୋକାନ ଦୁଆରେ ସଞ୍ଜବେଳେ ବସି କହୁଁ କହୁଁ ଆଖି ତା’ର ସରତି ଆସିଲା, ସେ ଘରକୁ ଉଠି ଆସିଲା । କାଲି ସକାଳୁ ସେ ଷଣ୍ଢକୁ ପାଇଲେ

 

ଆଗେ ତା’ ଗୋଡ଼ ଛୋଟା କରିବ । ରାତିରେ ଶୋଇଲାବେଳେ ସେଦିନ ନିଦ ତା’ର ଘଡ଼ି ଘଡ଼ି ଭାଙ୍ଗିଯାଉଥାଏ । ମାଛି ଅନ୍ଧାରିଆବେଳୁ ସେ ଗଛ ପାଖକୁ ଗଲା । ପାଣି ଦି’ କଳସୀ ଆଣି ମୂଳରେ ଢାଳିଲା । ବରଗଛକୁ ହାତରେ ଆଉଁସିବାକୁ ଗଲାବେଳେ କ’ଣ ଉଞ୍ଚ ଉଞ୍ଚ ମାଲୁମ ହେଲା । ସେ ଆଖି ତରାଟି ଦେଖିଲା । ବହୁତ କୁଆଁ ଉଠିଛି । ସେ ଜିଭ କାମୁଡ଼ି ପକାଇଲା । ଏଇକ୍ଷିଣାତ ସେ କୁଆଁକୁ ଭାଙ୍ଗି ଦେଇଥାନ୍ତା ? ସେଦିନ ତା’ ଆନନ୍ଦ କହିଲେ ନ ସରେ । ମହାଦେବଙ୍କ ମୁଣ୍ଡ ଉପରେ ଦି’ଟା ପାଚିଲା କଦଳୀ, ଗୋଟାଏ ତମ୍ବା ପଇସା ଚଢ଼େଇବାକୁ ବ୍ରାହ୍ମଣକୁ ଦେଇ ଆସିଲା ।

 

ଦି’ମାସ ଛାଡ଼ି କଳକୁ ସେ ଧାନ ନେଇକରି ଗଲା । ତା’ ସାଙ୍ଗରେ ଧାନ ବିକି ସାଉଁଟିଆ ଆସିଲାବେଳେ ଦିଅଣାର ବରା ଗୁଲୁଗୁଲା ତା’ ଛୁଆଙ୍କପାଇଁ କାନିରେ ବାନ୍ଧିଲା । ସାଉଁଟିଆ ସାଙ୍ଗରେ ଆସୁ ଆସୁ ତା’ ମନ କ’ଣ ହେଇଗଲା । ସେ ପୁଣି ବଜାରକୁ ଫେରିଲା । ରୁଷ ଅଫିସ୍‍ରୁ ଦଶଣାର ସରକାରୀ ଖତ କିଣି କାନିରେ ବାନ୍ଧି ଫେରିଲା । କିମିତି ଖତ ଦେବ ସେ ଦଶଥର ପଚାରି ଆସିଥିଲା । ଗଛ ଚାରିପାଖ ଖୋଳି ସେ ଖତ ଦେଲା । ଖତ ଦେଇସାରି ସେ ଗଛର ଡାଳ ହାତରେ ଚିପିଲା । ଦୁଇ ହାତରେ ଗଛ ଦୁଇଟାର ଗଣ୍ଡିକୁ ମାପିଲା । ସରକାରୀ ଖତ ଦେଲେ ଗଛ ଖୁବ୍‌ ମୋଟା ହେବ । ସେ ଆଖି ବୁଜି ଭାବିଲା, ତା’ ଗଛର ଗଣ୍ଡି କେତେନା କେତେ ମୋଟା ହୋଇଯିବ । ଠାକୁରାଣୀଗଛ ଗଣ୍ଡିଠୁଁ ଢେର୍ ମୋଟା । ସେ ହସି ହସି ଗଛକୁ କୁଣ୍ଢାଇ ପକାଇଲା । ପଦ୍ମନାଭ ଶୋଇ ଶୋଇ ଅତୀତ କଥା ଭାବିଯାଉଥିଲା । ଉପରକୁ ଚାହିଁଲା । ଚାରିଆଡ଼େ ବର ଡାଳ–ଓସ୍ତଗଛ ବରଗଛର ଘେରା ଭିତରେ ଠିଆ ହୋଇଛି । ଖଣ୍ଡେ ଦିଖଣ୍ଡ ବରଡ଼ାଳ ଓସ୍ତର କେନା ଭିତରେ ପଶି ସେ ପଟକୁ ଲମ୍ବି ଯାଇଛି । ଦୁଇଟା ଗଛ ଆଉ ଛନ୍ଦାଛନ୍ଦି ହେଇ ଉପରକୁ ଉଠୁଛନ୍ତି । ପାଖ ଗାଁରୁ ବାଣଟେ ଫୁଟିଲା–ବାଜା ବାଜି ଉଠିଲା । କାହାର ବାହାଘର ହେଉଛି–ଦିଅଁମଙ୍ଗୁଳା ପାଇଁ ବାହାରୁଛନ୍ତି ବୋଧହୁଏ । ପଦ୍ମନାଭର ବାହାଘର କଥା ମନେ ପଡ଼ିଗଲା । ଗଛ ଖୁବ୍‌ ମାତବର ହୋଇ ବଢ଼ି ଯାଉଥାଏ । ପୁରୋହିତ ଗୋସେଇଁ ଦିନେ ଆସି କହିଲେ–‘‘ଗଛରେ ଫଳ ହୋଇଗଲେ ବୃଥା ହୋଇଗଲା । ଆଉ ପୁଣ୍ୟ ନାହିଁ । ତୋ ଗଛ ଯେମିତି ବଢ଼ୁଛନ୍ତି ଶୀଘ୍ର ଫଳିଯିବେରେ । ଶୀଘ୍ର ବାହାଘର କରିପକା । ଏଇ ମାସ ଭିତରେ ନ କଲେ ଆଉ ଲଗନ ନାହିଁ ।’’ ସତକଥା, ତା’ ମନରେ ଦକ ଆସିଲା । ନରଣପୁରରେ ଏତିକି ବଡ଼ ଗଛ ଫଳିଗଲାଣି, ସେ ଦେଖି ଆସିଛି । କ’ଣ କରିବ ? ସେ ତ ଆଗରୁ ଜାଣି ନଥିଲା । ତା’ ଜୀବନରେ ଏଇ ଗୋଟିଏ ବୋଲି କାମ । ଭଲ କରି କରିବ । ପାଞ୍ଚ ଜଣ ତା’ ଦୁଆରେ ପତର ପକେଇବେ । ରାତିରେ ଯାଇଁ ବାକ୍‌ସ ଅଣ୍ଡାଳିଲା । ଦିକୋଡ଼ି ଟଙ୍କା ହୁଏ କି ନହୁଏ । ଶେଷକୁ ଭାବି ଭାବି ଠିକ୍‌ କଲା । ଜମି ଦିମାଣ ଅଛି କ’ଣ ହେବ ? ଦି’ପା ଜମି ସେ ବିକି ଦେଲା । ତା’ପରେ ହାତକୁ ଟଙ୍କା ଆସିଲା ପରେ ସେ ଲାଗି ପଡ଼ିଲା । ପୁରୋହିତ ପାଖରୁ ତାଲିକା ନେଇ ଆସି ଜିନିଷ ଯୋଗାଡ଼ରେ ଲାଗି ପଡ଼ିଲା । ଏକା କାମକୁ ପାରିବନି ବୋଲି କୁହାବୋଲା କରି ପିଉସୀକୁ ଘରକୁ ଆଣିଲା । ଭଉଣୀ ଭିଣେଇ ପାଖକୁ ବେଉରା ପଠାଇଲା । ଏଇତ ତା’ର ଗୋଟିଏ ବୋଲି କାମ । ପାଞ୍ଚଜଣକୁ ଖୋଜିବନି ଲୋଡ଼ିବନି କିମିତି ? ଗାଁର ପୁରୁଖା ପୁରୁଖା ଲୋକଙ୍କୁ ଡାକି ପାଞ୍ଚକଥା ପଚାରି ବୁଝି ନେଉଥାଏ । ବାହାଘର ଆଗ ଦିନ ରାତିରୁ ତା’ର ନିଦ ନଥାଏ । ସକାଳୁ ଗାଧୋଇପଡ଼ି ଦିଅଁ ଦର୍ଶନ କରି ଆସି ଓପାସ ରହିଲା । ବାହାଘର ଆରମ୍ଭ ହୋଇଗଲା । ଭଲ ତେଲିଙ୍ଗୀ ବାଜା ଦେଖି ବରାଦ କରିଥାଏ । ତା’ ଭଉଣୀ ଏ କଥା ଦେଖି କାହିଁକି ଚିଡ଼୍ ଚିଡ଼୍ ହେଉଥାଏ । ଗାଁରେ କିଏ କିଏବି ହସୁଥିଲେ । ସେଥିରେ ତା’ର କ’ଣ ଅଛି । ତା’ପରେ ବାହାଘର ବାଜା ବସିବନି ? ସୋଲରେ ମୁକୁଟ ଭଲ ହେବନି ବୋଲି ଫୁଲରେ ମୁକୁଟ ବରାଦ କରିଥାଏ । ଭଲ ଗଜରା ଫୁଲ ହାର ଆଣି ପାଣିଛିଞ୍ଚି ରାତିରୁ ରଖିଥାଏ, ବରଗଛ ଓସ୍ତଗଛ ଡାଳରେ ଫୁଲହାର ଝୁଲେଇ ଦେଲା । ଗଛମୂଳରେ ବେଦୀ କରି ଝୋଟି ପକାଇଥାଏ । ବରଗଛ କନିଆ, ଓସ୍ତଗଛ ବର ବାହାଘର କଲା । କଳା ସୁନେଲି ଗାର ଟଣା କାଚ ଆଠପଟ ଆଣିଥିଲା । ନାଲି ଶଙ୍ଖା ଚାରିପଟବି କିଣିଥିଲା । ବରଗଛ ତଳ କେନାରେ ଝୁଲାଇ ଦେଲା । ବରଗଛ ପାଇଁ ନାଲିରଙ୍ଗର ଆଲପକା ଶାଢ଼ି ଖଣ୍ଡେ ଆଣି କେଉଁ ଦିନରୁ ପେଟରାରେ ରଖିଥିଲା । ଗଛରେ ବେଢ଼ାଇ ଦେଲା । ଓସ୍ତଗଛ ଡାହିରେ ପତଳା ଚଉଡ଼ା ଧଡ଼ିବାଲା ଧୋତିଖଣ୍ଡେ ବାନ୍ଧି ଦେଲା । ପୁରୋହିତ ମନ୍ତ୍ର ପଢ଼ୁଥାନ୍ତି । ସେ ବରଣ କରି ଓସ୍ତଗଛର ତଳ ଚେରକୁ ଧୋଇଦେଲା । ବରର ତ ଗୋଡ଼ ଧୋଇବାକୁ ହେବ । ପିଢ଼ା ଖଣ୍ଡକ ହଳଦି ବୋଳା ହେଇ ନଥିଲା ବୋଲି ଭଣ୍ଡାରୁଣୀ ଉପରେ ଭାରି ଚିଡ଼ିଲା, ହାତଗଣ୍ଠି ପଡ଼ିଲା । ବରଡ଼ାଳ ଓସ୍ତଡ଼ାଳକୁ ପୁରୋହିତ ମନ୍ତ୍ର ପଢ଼ି ବାନ୍ଧିଦେଲା । ତା’ ଆଖିରେ ଆଉ ଲୁହ ଜାଗା ଧରିଲା ନାହିଁ, ଗାଲ ବୁଡ଼ାଇ ତଳକୁ ବୋହିଚାଲିଲା । ସେ କଥା କହି ପାରୁ ନଥାଏ । ଖାଲି ଗଛଡ଼ାଳ ଦୁଇଟାକୁ ଧରି ଭୋ ଭୋ କାନ୍ଦି ଉଠୁଥାଏ । ସେ ଲୁହ ପୋଛି ପୁରୋହିତଙ୍କ ଗୋଡ଼ ତଳେ ପଡ଼ିଲା ।

 

ବାହାଘର ହେବ, ବହୁତ ଦିନ ହେଇଗଲାଣି । ଗଛ ତା’ର ଖୁବ୍‌ ବଡ଼ ହୋଇଗଲାଣି । ସେ ବି ଖୁବ୍‌ ବୁଢ଼ା ହେଇଗଲାଣି । ଆଜିକାଲି ସେତେବେଳେ ପାରେ ସେତେବେଳେ ସେ ଆସି ଗଛମୂଳ ପିଣ୍ଡିରେ ଶୁଏ । ଭଲ କିଛି ଘଟିଲେ ସେ ଧାଇଁ ଆସେ । ମନ୍ଦ ଘଟିଲେବି ସେ ନ ଆସି ରହିପାରେନା । ଆଉ ତା’ର କିଏ ଅଛି ? କାହାକୁ କହିବ ସେ । ଅସୁନ୍ଦର । ତାକୁ ସମସ୍ତେ ଥଟ୍ଟା କରନ୍ତି । ସେ ପାଗଳ । ସମସ୍ତେ ତାଳି ପିଟନ୍ତି । ଯେଉଁ ମଣିଷଙ୍କ ସାଙ୍ଗରେ ସେ ମିଶିଛି, ସେମାନେ କଥା କହନ୍ତି । ସେ କଥାରେ ଦରଦ ନଥାଏ । ଖାଲି ବିଦ୍ରୂପ ଥାଏ । ଏ ଗଛ ଦୁଇଟାଙ୍କ ପାଖରେ ସେ ତା’ର ଦୁଃଖସୁଖ ସବୁ କହେ । ଗଛ କଥା କହନ୍ତିନି ସତ ତାକୁ ଜଣାଯାଏ ଗଛର ପ୍ରତି ଡାଳ ପତରରୁ ଯେମିତି ସହାନୁଭୂତି ଝରି ପଡ଼ୁଛି । ସେଦିନ ନିଧି ସାମଲ ତାକୁ ମାଇଲା । ତା’ ମୁଣ୍ଡକୁ ପିତ ଚଢ଼ିଗଲା । ତାକୁ ପିଟି ସାବାଡ଼ କରିବ ବୋଲି ଠିକ୍‌ କରି ଗଛମୂଳକୁ ଆସିଲା । ଦେଖିଲା ପାଣ ସାହି ରତନା ବରଗଛର ବଡ଼ ଡାହିଟେ ହାଣି ପକାଇଛି । ଗୋରୁଙ୍କୁ ଡାଳରୁ ପତରଗୁଡ଼ାକ ଖାଇବାକୁ ଦେଇ ଗଛମୂଳ ଛାଇରେ ଶୋଇଛି । ତେଣୁତ ରାଗି କରି ସେ ଆସିଥିଲା । ରତନାକୁ ପିଟିବାକୁ ଧଉଡ଼ିଲା । ରତନା ଡରରେ କୁଆଡ଼େ ନ ଯାଇ ଗଛମୂଳେ ବସି ଥରୁଥାଏ । ସେ ଗଛ ଉପରକୁ ଚାହିଁଲା । ଗଛରୁ ଡାଳ ହଣା ଯାଇଛି । ଗଛର ଦିହ କାଟି ଦିଆହେଇଛି । ତେବେବି ରତନା ତା’ ଛାଇରେ ଶୋଇଛି । ରତନାଠୁ ଗଛର ଛାଇ ଛଡ଼େଇ ନେଇନି । ତା’ ମନ ବଦଳିଗଲା । ସେ ରତନାକୁ ବହୁତ ବୁଝେଇଲା । ନିଧି ସାମଲକୁ ମାରିବ କ’ଣ ଓଲଟି ତା’ ପୁଅକୁ ବାଡ଼ିରୁ ପିଜୁଳି ଦିଅଣ୍ଡା ଦେଇ ଆସିଲା । ଥରେ ତା’ ପାକଲା ଧାନକିଆରିରେ ଗାଈଆଳ ଟୋକାଏ ଗୋରୁ ପୂରାଇ ଦେଲେ । ସେଦିନ ଦୁଇ ତିନିଙ୍କୁ ଚାପଡ଼ ଗୋଟାଏ ଲେଖାଏଁ ଦେଲା । ତା’ପରେ ଛୁଆଗୁଡ଼ାକ ମେଣ୍ଟ ବାନ୍ଧି ଗୋଡ଼ାଇଲେ । କିଛି ନ ପାଇ ସେ ଧାଇଁ ଆସି ଓସ୍ତଗଛ ଉପରକୁ ଚଢ଼ିଗଲା । ଯାଇ ଉପର ଡାଳରେ ବସିଲା । ପିଲାଏବି ଚଢ଼ିପାରିଲେ ନାହିଁ । ଟେକା ମାଇଲେ ଯେ ଉପରକୁ ଯାଇ ପାରିଲାନାହିଁ । ଗଛଲାଗି ସେ ଦିନ ସେ ରକ୍ଷା ପାଇଗଲା । ସେଦିନ ଭଉଣୀ ମଲା ବୋଲି ସେ ଖବର ପାଇଲା । ଗୋଟିଏ ବୋଲି ଭଉଣୀ ଥିଲା, ସେ ବି ଚାଲିଗଲା । ଦୁଃଖରେ ତା’ ଛାତି ଫାଟିଗଲା । କାହାକୁ କିଛି ନ କହି ଗଛମୂଳକୁ ଆସିଲା । ବେଦୀ ଉପରେ ଶୋଇପଡ଼ି ଗଛକୁ ଚାହିଁ କାନ୍ଦିଲା । ଗଛରୁ ଶିରି ଶିରି ଥଣ୍ଡା ପବନ ବାଜି ତା’ ଆଖି ଲାଗି ଆସିଲା । ସେ ସବୁ ଭୁଲି ଶୋଇ ପଡ଼ିଲା ।

 

ପଦ୍ମନାଭ କେତେ ନା କେତେ କଥା ଭାବି ଯାଉଥାଏ । ଭାବୁ ଭାବୁ ତା’ ଆଖିରେ ଲୁହ ଖେଳି ହୋଇଗଲା । ଏଇ ଗଛ ଦୁଇଟାଙ୍କ କଥା ସେ ସବୁବେଳେ ଭାବିଛି । ୟାଙ୍କରିପାଇଁ ସେ ହସିଛି । ସେ କାନ୍ଦିଛି । ଏହି ହସକାନ୍ଦ ଭିତର ଦେଇ ତା’ର ସାରା ଜୀବନଟାକୁ ସେ ଉପଭୋଗ କରିଛି । ତା’ର କେହିନାହିଁ ଦୁନିଆରେ । କିନ୍ତୁ ସେ ଯେମିତି ତା’ର ଅତି ଆପଣାର ଗଛପାଇଁ ସବୁବେଳେ ବ୍ୟସ୍ତ ରହିଛି । ତାକୁ ସମସ୍ତେ ପାଗଳ କହନ୍ତି । ଗଛଟା ପାଇଁ କାନ୍ଦୁଛି ବୋଲି ଥଟ୍ଟା କରନ୍ତି । ଗଛପାଇଁ କାନ୍ଦିଲେ ସେ କେବଳ ଶାନ୍ତି ପାଏ ।

 

ପଦ୍ମନାଭ ଗଛମୂଳରେ ଶୋଇ ରହିଥିଲା । ଚାରି ଜଣ ହାଟୁଆ ଆସି କାନ୍ଧରୁ ବୁକୁଚା ଓହ୍ଲାଇ ଦମ୍‌ ମାଇଲେ । ଗାମୁଛାରେ ବିଞ୍ଚି ହେଉ ହେଉ ଜଣେ କହିଲା–‘‘ଧନ୍ୟ ଧନ୍ୟ, ଏ ଗଛ ଯିଏ ଲଗେଇଛି, ଏଠି ବସିଲେ ମଣିଷର ପ୍ରାଣ ପଶି ଯାଉଛି ।’’ ଆର ଜଣକ ଗୁଆକାତିରେ ଗୁଆ ଭାଙ୍ଗୁ ଭାଙ୍ଗୁ ଗୁଣ୍ଡି ଟିକିଏ ପାଟିରେ ପକାଇ ଛେପ ଛାଟି କହିଲା–‘‘ଗଛ ଦୁଇଟା କି ବାଗରେ ହୋଇଛନ୍ତି, ସତେ ଯେମିତି କିଏ ଚିତ୍ର କରି ଆଙ୍କିଛି–କେଡ଼େ ସୁନ୍ଦର ସତେ ମୁଁ ?’’ ପଦ୍ମନାଭ ଷେଣ୍ଢା ଟେକି ଅନେଇଲା । ଆଉ ଜଣେ ଫାଟିଗଲା ବର ଫଳଟେ ଦେଖି କହିଲା–‘‘ଏଇ ମଞ୍ଜିରୁ ଏଇ ତରୁ–ଦେଖି ହସିଲେ ରାଜା କୁରୁ ।’’ କେଡ଼େ ଛୋଟ ମଞ୍ଜିରୁ କେଡ଼େ ଗଛ ହୋଇପାରୁଛି । କଲେ ସବୁ ହୁଏ । ଅସଲ ହେଉଛି ମନ । ପଦ୍ମନାଭ ଫଳଟେ ଆଣି ଚିପି ଦେଲା । ଛୋଟ ମଞ୍ଜି ମେଞ୍ଚେ ବାହାରି ପଡ଼ିଲା । ସେ ଖୁବ୍‌ ଜୋରରେ ହସି ପକାଇଲା । ଏତେ ଛୋଟ ମଞ୍ଜିରୁ ସେ ଏଡ଼େ ବଡ଼ ଗଛ କରିଛି । ବାହାମୂଳ ତା’ର ଚେଇଁ ଉଠିଲା । ବାଟୋଇ ଚାରି ଜଣ ତାଟକା ହୋଇ ଚାହିଁଲେ । ଚତୁର୍ଥ ଜଣକ କହିଲା–‘‘ଜାଣନା କି ଏଇ ପାଗଳା ପରା ଏ ଗଛ ଲଗାଇଛି । ସବୁବେଳେ କି ଖରା କି ବର୍ଷା ଏଇଠି ଆସି ପଡ଼ିଥିବ ।’’ ପ୍ରଥମ ଜଣକ–କହିଲା ‘‘ହଁ ଭାଇ, କାହା ହାତରେ କ’ଣ ହେଉଛି କିଏ କହିବ । କାହାର ସୁନା ଛୁଇଁଲେ ମାଟି ତ, କାହାର ମାଟି ଛୁଇଁଲେ ସୁନା । ଏଇ ଗାଁ ଚନ୍ଦ୍ରଶେଖରବାବୁଙ୍କୁ ଦେଖୁନ । କେଡ଼େ ବଡ଼ ବିଦ୍ଵାନ ଲୋକ । ବଡ଼ ପୁଅ ଦିପଟି ହୋଇଛି । ନାଁ ବିକାଶୁଛି । ସାନ ପୁଅପାଇଁ ବାପା ଯେତେ ଚେରେଷ୍ଟା କରିଛି କୁହନା, କୁହନା । ପାଠ ପଢ଼ିଲାନି । ଶେଷକୁ ଚୋରିକରି କାଲି ଜେଲ ଗଲା । ବଅଁଶର ନାଁ ପକେଇଲା ।’’

 

ପଦ୍ମନାଭ କାନ ଡେରି ସବୁ ଶୁଣୁଥିଲା । ସେ ଆଖି ଖୋଲି ଭଲ କରି ଗଛକୁ ଚାହିଁଲା । ମଝିରେ ମଝିରେ ଗଛ ଉପରେ ଖରା ଝୋଟି ଦେଲା ଭଳି ଛାଟି ହୋଇ ପଡ଼ିଛି । ଓସ୍ତ ପତର ଖରାରେ ଚିକ୍‌ ଚିକ୍‌ କରି ଉଠିଲା । ପବନ ଜୋରରେ ବହିଗଲା । ଗଛର ପତ୍ର ସବୁ ଗୋଟେ ଆଡ଼କୁ ଆଉଜି ଯାଉଛି । ଦେଖି ଦେଖି ଆଖି ତା’ର ପୂରି ଉଠିଲା । ସେ ତଳକୁ ଚାହିଁଲା । ସାଗୁଆ ରଙ୍ଗର ଘାସ ଉପରେ ଲାଲ ବରଫଳ ସାଧବବୋହୂ, ପୋକଭଳି ବିଛେଇ ହୋଇ ପଡ଼ିଛି । ସେ ଆଖି ବୁଜିଲା । ଓଠରୁ ତା’ର ହସ ଝରି ଆସୁଥିଲା । ଚନ୍ଦ୍ରଶେଖରବାବୁଙ୍କ ପୁଅ ଚୋରି କରିଛି, ଜେଲ ଯାଇଛି, ଦିପଟିଠୁଁ ବଡ଼ ହୋଇନି–ଚନ୍ଦ୍ରଶେଖରବାବୁ ଷଣ୍ଢ ଆଗରୁ ତାକୁ ଟେକି ନେଇଥିଲେ....ସେ ଷଣ୍ଢ ଆଗରୁ ଗଛକୁ ଆଣିଥିଲା–ତା’ ଗଛ ବଡ଼ ହୋଇଛି–ଛାଇ ଦେଇଛି–ସେଠି ଚଢ଼େଇ ବସା କରିଛି । ଆଃ...ପଦ୍ମନାଭକୁ ନିଦ ମାଡ଼ି ଆସୁଥିଲା । ସେ ଦେଖୁଥିଲା ଗଛର ଅଗ ତା’ର ସରଗକୁ ଛୁଇଁଛି...ଗଛର ଗଣ୍ଡି ଠାକୁରାଣୀ ଗଛଠୁଁ ଢେର୍ ମୋଟା...ବର କନ୍ୟା ଦୁଇ ଜଣଙ୍କର...

☆☆☆

 

ମୁକ୍ତି

ଡକ୍ଟର ରାଧାନାଥ ରଥ

 

ଅନାମ ପ୍ରତିଦିନ ପରି ଆଜି ମଧ୍ୟ ତା’ର ଏକବଳଦିଆ ମଇଳାପାଣି ବୁହା ଗାଡ଼ି ଉପରେ ବସିପଡ଼ି ସକାଳୁ ରଜାବଗିଚା ରାସ୍ତାରେ–ଦିନ ଦିନ ଧରି ବହୁବର୍ଷ ହେଲା ସେହି ରାସ୍ତାରେ ସେହିପରି ସକାଳେ ସକାଳେ ତା’ର ଗାଡ଼ି ସେହିପରି କେଁକଟର ଶବ୍ଦ କରି ଚାଲିଥାଏ । ଗୋଟାଏ ପରେ ଗୋଟାଏ ପାଞ୍ଚ ଛଅଟା ବଳଦ ତା’ ଆଖି ଆଗରେ ତା’ ପାଞ୍ଚଣ ବାଡ଼ି ଖାଇ ଖାଇ ସେହିପରି ମଇଳା ପାଣି ବୋହି ବୋହି ମଲେଣି । ସବୁ ବଳଦ ସମାନ । ଓଜର ନାହିଁ, ଆପତ୍ତି ନାହିଁ, ଦୁଃଖ ନାହିଁ ସୁଖ ନାହିଁ–ରକ୍ତମାଂସଧାରୀ କଳଚାଳିତ ଯନ୍ତ୍ର ଯେପରି । ସେମାନଙ୍କର ବୈଶିଷ୍ଟ୍ୟହୀନ ଜୀବନରେ ଯେପରି କୌଣସି ପରିବର୍ତ୍ତନ ନାହିଁ । ଅନାମର କାମରେ ମଧ୍ୟ କୌଣସି ନୂତନତା ନାହିଁ । ସେଦିନ ବଳଦର ଯେପରି ଚଞ୍ଚଳ ଯିବାର ଆଗ୍ରହ ନଥିଲା, ଅନାମର ମଧ୍ୟ କାମକୁ ଯିବାର ସ୍ପୃହା ନଥିଲା । ବୁଢ଼ାହଡ଼ାଟି ନେନ୍ଦେରା ବୋହିଥିବା ଆଖି ଦୁଇଟି ଅଧା ବୁଜି ବୁଜି କ’ଣ ସ୍ଵପ୍ନ ଦେଖୁଥିଲା କେଜାଣି–ଅନାମର ଜାଣିବାର ଉପାୟ ନାହିଁ–ଇଚ୍ଛାବି ନାହିଁ । ଏ ବିଷୟରେ ମୁଣ୍ଡ ଘୂରାଇବାର ଆଗ୍ରହ ପୃଥିବୀରେ ବୋଧହୁଏ କାହାରି ନାହିଁ ।.....

 

ଅନାମର ଭାବନାର ଆଜି ଆଦି ଅନ୍ତ ନାହିଁ । ସେପରି କିଛି ନୂତନ ଭାବନା ନହେଲେବି ତା’ର ଆଜିର ଭାବନା ବଡ଼ ଗଭୀର ଓ ବଡ଼ କରୁଣ । ପ୍ରତିଦିନର ସେହି ଏକ ତିକ୍ତ ବିଷାଦଭରା ଭାବନା–ଭାତ । ଭୋକିଲା ପିଲାଗୁଡ଼ିକ ଗନ୍ଧିଆ, ଗୋବରା, ମାଳି, ନେତ ଆଉ କଳି ଖୋରଣୀ ତା’ ସ୍ତ୍ରୀ ଗେଲି ଆଜିବି ସେଇ ଭାବନା; ତା’ ଛଡ଼ା ଆଜି ଆଉ ଗୋଟିଏ ଅଧିକ ବିଷାଦମୟ ଭାବନା–ଦୁଇବର୍ଷର ଜରୁଆ ଝିଅ ନେତର ଔଷଧ–ଯାହା ନେଇ ଆଜି ଭୋରରୁ ସ୍ତ୍ରୀ ସହିତ ଲାଗି ଯାଇଛି ତା’ର ପଟେ କଳି–ଖୁବ୍‌ ବଡ଼ ଧରଣର କଳି–ମାଡ଼ ପିଟାପିଟି–ସ୍ତ୍ରୀର ମୁଣ୍ଡ ଆବୁ ହୋଇ ଯାଇଛି । ଗାଲରେ ଅନାମ ହାତରେ ପାଞ୍ଚ ଅଙ୍ଗୁଠି ରକ୍ତରେ ଆଙ୍କି ହୋଇ ଯାଇଛି । ରାଗରେ ସେ ହାଣ୍ଡିକୁଣ୍ଡେଇ ବାଡ଼େଇ ଦେଇଛି । ଗନ୍ଧିଆ, ଗୋବରା, ମାଳିକୁବି ଚାପଡ଼େ ବିଧେ ବାଜି ଯାଇଛି, ହୁଲସ୍ତୁଲ ପାଟି, କାନ୍ଦଣା ଭିତରୁ ଦୌଡ଼ି ଚାଲି ଆସିଛି ସେ ଗାଡ଼ି ଧରି । କିନ୍ତୁ ସମସ୍ତଙ୍କର କାନ୍ଦଣା ଭିତରୁ ଜରରେ ଥରୁଥିବା ନେତର କରୁଣ କାନ୍ଦଣା ବର୍ତ୍ତମାନ ସୁଦ୍ଧା ତା’ର ଛାତି ଭିତରଟାକୁ ଓଲଟପାଲଟ କରିଦେଉଛି । ଆଠଦିନ ହେଲା ନେତକୁ ଜର । ଖାଇବାକୁ ନାହିଁ–ଓଷଦ ଟୋପାଏ ଦେଇ ପାରିନାହିଁ । ଡାକ୍ତରଖାନାରେ ଓଳିଏ କାଳ ଠିଆ ହୋଇ ହୋଇ ଯେଉଁ ଟୋପାକ ଓଷଧ ପାଇଥିଲା ସେଥିରେ କିଛି ହେଲା ନାହିଁ । ପଇସା ନହେଲେ କୌଣସି ଡାକ୍ତରର ଓଷଦ କାଟୁ କରେନା ବୋଲି ତା’ର ଧାରଣା ହୋଇଗଲାଣି । ତା’ ଛଡ଼ା ଜରରେ ଥରୁଥିବା ପିଲାଟିକୁ ଧରି କେତେଘଣ୍ଟା ଠିଆ ହେବ ଡାକ୍ତରଖାନାରେ । ରାସ୍ତାର ମଇଳା ପାଣିବୁହାଳି ମେହେନ୍ତର ସେ–ଓଡ଼ିଶାର ବିରାଟ ଡାକ୍ତରଖାନାରେ–ଯା ଆଗରେ ଗଣ୍ଡା ଗଣ୍ଡା ଗାଡ଼ି ମଟର ଠିଆ ହୋଇଥାଏ, ଶହ ଶହ ବାବୁଭାୟା ଯିବା ଆସିବା କରୁଥାନ୍ତି, ସେଠି ତା’ପରି ରାସ୍ତାଲୋକର ସ୍ଥାନ କେଉଁଠି ? ତା’ର ପିଲାର ଦାମ୍‌ କେତେ ଯେ ଡାକ୍ତରମାନେ ବ୍ୟସ୍ତ ହୋଇ ତା’ ଛୁଆକୁ ଦେଖିବେ । ତା’ ନେତ କ’ଣ ସତେ ଆଉ ବଞ୍ଚିବ ?–ଏହି ଗୋଟିଏ କଥା ତା’ ମନରେ ବାରବାର ଆସି ଯାଉଛି । କାଲି ନେତ ମା’ କେତେ କାକୁତି ମିନତି କଲା ତା’ ଖାଉନ୍ଦଙ୍କ ଆଗରେ, ତା’ର ଆସନ୍ତାମାସ ଦରମାରୁ ଆଗତୁରା ଟଙ୍କା ଦୁଇଟାପାଇଁ–ତା’ ମିନତି କେହି ଶୁଣିଲେ ନାହିଁ । ସେ ଚାରିଦିନ ହେଲା କାମକୁ ଯାଇପାରି ନଥିଲା । ନେତପାଇଁ ତେଣୁ ତାକୁ କାମ କରିବାପାଇଁ ଏକାବେଳକେ ବନ୍ଦ କରିଦିଆଯାଇଛି–ଆଉ ଆଗତୁରା ଟଙ୍କା ମାଗିବା କଥା ଶୁଣି ବାବୁ, ମା’, ଚାକର ସମସ୍ତେ ପାଟି କରି ଉଠିଲେ । ମା’ କହିଲେ–ଆଜିକାଲି ଏ ଛୋଟଲୋକଗୁଡ଼ାକର ବଡ଼ ଦିମାକ ବଢ଼ିଗଲାଣି । କାମ ନ କରି ଟଙ୍କା ମାଗିବାକୁ ଟିକିଏବି ଲାଜ ଲାଗୁନାହିଁ–ଯା, ଯା, ତୋର ଆଉ କାମକୁ ଆସିବା ଦରକାର ନାହିଁ । ଭାତ ଫୋପାଡ଼ିଲେ ବହୁତ କୁକୁର ଦଉଡ଼ି ଆସିବେ–ତୋତେ ଏତେ ଖୋସାମତ କାହିଁକି ? ବାବୁ ତାଙ୍କର ଗଧିଆ ବାଘପରି ବିରାଟ ଆଲସେସିୟାନ୍‌ କୁକୁରକୁ ଗେଲ କରୁକରୁ କହିଲେ, ଦିଅଁ ବାହାର କର ଏଟାକୁ, ଆଉ ଜଣକୁ ରଖ–ବଡ଼ ଦୁଇରାଣ କଲାଣି ଟଙ୍କା ଟଙ୍କା ବୋଲି । ନେତମା ରାତି ଦିଘଡ଼ି ପର୍ଯ୍ୟନ୍ତ ବସି ବସି ଶେଷରେ ଖାଲି ହାତରେ ଫେରି ଆସିଲା ଘରକୁ । ଅନାମ ନେତକୁ କାନ୍ଧରେ ପକାଇ ବୁଲୁବୁଲୁ, ସବୁ ଶୁଣିଲା, କିଛି କହିଲା ନାହିଁ–କହିବାର ବା ତା’ର କ’ଣ ଅଛି । ନିଜେ ବହୁତ କହିପୋଛି ଦୋକାନରୁ ଚାରି ପଇସାର ବାର୍ଲି ଆଣି ନେତକୁ ଦେଲା, ଆଉ ସମସ୍ତେ ଉପାସରେ ଶୋଇଲେ । କିନ୍ତୁ ଭୋକିଲା ପିଲେ ଶୋଉଛନ୍ତି କେତେକ । କାଁଭାଁ କରି ରାତିସାରା ବିରକ୍ତ କଲେ । ଭାତ ବଦଳରେ କିଏ ଚାପଡ଼େ କିଏ ଗୋଇଠେ ଖାଇ କାନ୍ଦି କାନ୍ଦି ହାଲିଆ ହୋଇ ଭୋରବେଳକୁ ଶୋଇ ପଡ଼ିଲେ ।

 

ଭୋରରେ କାମକୁ ଯିବାକୁ ଅନାମ ଉଠିଲା । କାମକୁ ନ ଯାଇ ବା ଘରେ କରିବ କ’ଣ-? ତା’ ସ୍ତ୍ରୀ ଆସି ତା’ ପାଖରେ ଠିଆ ହେଲା–ଅନାମ ତାକୁ ଦେଖିଲା, କିନ୍ତୁ ନ ଦେଖିଲାପରି ଘରୁ ବାହାରି ଆସୁଥିଲା । ଗେଲି କହିଲା ‘‘ଦେଖ, ଆଜି କିଛି ଟଙ୍କା ନହେଲେ ଆମେ ସବୁ ନଈରେ ବୁଡ଼ି ମରିବୁ’’ ନିଃସହାୟ ଅନାମ ଗେଲିର ଏକଥା ଶୁଣି ରାଗରେ ଜଳିଗଲା । କହିଲା, ‘‘ଯା ତୋ ବାପଘରୁ ଟଙ୍କା ନେଇଆ ।’’ ହେଲେ ମଧ୍ୟ ତା’ ବାପଘର ସହିତ କିଛି ସମ୍ପର୍କ ନଥିଲେ ମଧ୍ୟ ସ୍ଵାମୀଠାରୁ ବାପଘରର ଅପମାନ ସହି ପାରନ୍ତି ନାହିଁ । ଗେଲି ଗର୍ଜ୍ଜି ଉଠିଲା ।’’ ପିଲାକୁ ପୋଷିବାର ତ ବଳ ନାହିଁ । ଆଉ ମରଦପଣିଆ ଦେଖେଇ ମୋତେ ମୋ ବାପଘରୁ ଧରି ଆଣିଥିଲୁ କିଆଁରେ ମାଗିଖିଆ ଝାଡ଼ୁଦାର ଘରର ପିଲା ।’’

 

ପୁରୁଷ ପକ୍ଷରେ ମଧ୍ୟ ୟାଠୁ ବଳି ବଡ଼ ଅପମାନ ଆଉ କ’ଣ ହୋଇପାରେ ? ଅନାମ ଏକଥା ଶୁଣି ଆଉ ସହିପାରିଲା ନାହିଁ–ପେଟ ଭିତରେ ଜଳୁଥିବା କ୍ଷୁଧାଗ୍ନି କ୍ରୋଧାଗ୍ନିରେ ପରିଣତ ହୋଇ ଦେହସାରା ଯେପରି ଜାଳି ଦେଇଗଲା । ସାରା ଦୁନିଆ ପ୍ରତି ଯେତେ କ୍ରୋଧ ଯେତେ ହିଂସା–ପିଲାଙ୍କ ପାଇଁ ଯେତେ ମାୟାମମତା, ଯେତେ ଦୁଃଖ ସବୁ ମିଶି ତା’ର କ୍ରୋଧାଗ୍ନିକୁ ଆହୁରି ଉଦ୍ଦୀପିତ କରି ପକାଇଲା । ଆଗରେ ଯାହା ପାଇଲା ତାକୁ ଆଘାତ କଲା–ବିଜୁଳି, ବନ୍ୟା, ଭୂମିକମ୍ପର ଯେପରି ଧ୍ଵଂସ କରିବାରେ ବାଛବିଚାର ନାହିଁ, ତା’ର ମନର ଅଗ୍ନ୍ୟୁତ୍ପାତର ସେହିପରି କୌଣସି ବାଛବିଚାର ରହିଲା ନାହିଁ । ଅଳ୍ପ ସମୟ ଭିତରେ ଗୋଟିଏ ପାରିବାରିକ ଝଡ଼ ସୃଷ୍ଟି କରି ସେ ଚାଲିଲା ତା’ର ଗାଡ଼ି ଧରି । କିଛି ସମୟ ପରେ ସେ ବଡ଼ ଦୁର୍ବଳତା ଅନୁଭବ କଲା । ଝଡ଼, ବନ୍ୟା ପରେ ସାରା ଦୁନିଆ ଯେପରି ଅତି କରୁଣ ଓ ଶ୍ରୀହୀନ ଦେଖାଯାଏ ତା’ର ସାରା ଜୀବନ ତା’ ଆଗରେ ସେପରି ନୀରସ ଓ ବେଦନାମୟ ଦେଖାଗଲା ।

 

ଗାଡ଼ିରେ ବସି ଢୋଳୋଉ ଢୋଳୋଉ ହଠାତ୍‌ ଗାଡ଼ିରେ କେଁକଟର ଶବ୍ଦ ବହୁ ଅତୀତର କେତୋଟି ଅନୁଭୂତିକୁ ପିନ୍‌ କଣ୍ଟା ପରି ଫୋଡ଼ି ଦେଇଗଲା । ପନ୍ଦରବର୍ଷ ତଳର କଥା–ଦିନ ବାରଟାବେଳକୁ ଖାନନଗର ରାସ୍ତାରେ ଯେତେବେଳେ ତା’ ଗାଡ଼ି ଚାଲିଥାଏ, ରାସ୍ତା ଗଛମୂଳେ ଦେଖାହୁଏ ଗେଲି ସହିତ । ସେତେବେଳେ ଗେଲିର ବୟସ ପନ୍ଦର । ମଇଳା ବୋଝ ତଳେ ରଖି ଦେଇ ସେ ଯେପରି ତାକୁ ଅପେକ୍ଷା କରି ବସିଥାଏ–ଅନାମ ଥଟ୍ଟା କରି କହେ, ‘କିଲୋ ଗେଲି, କାହାକୁ ଚାହିଁ ବସିଛୁମ ! ଗେଲି କହେ ମଲା ମୋର, ମୁଁ କାହିଁକି କାପାଇଁ ବସିବିମ, ମୋ ଅଣ୍ଟା କଟକଟ ହୋଇଯିବାରୁ ଟିକିଏ ବସି ଦମ୍ ମାରୁଛିନା ।’’ ଗେଲି ମିଛ କହେ–ଅନାମ ସେ କଥା ବୁଝେ; ଗେଲି ମଧ୍ୟ ଚାହେଁ ଯେ ଅନାମ ବୁଝୁ । କେତେ ଥଟାତାମସା ହୁଅନ୍ତି–ଗେଲିର ମଇଳା ବୋଝ ଅନାମ ତା’ ଗାଡ଼ି ଉପରେ ଥୋଇ ଦେଇଯାଏ । ଗେଲିର ଗେଲବସର କଥା, ଖିଲିଖିଲିଆ ଯଉବନିଆ ହସ, ଉଞ୍ଚା ଉଞ୍ଚା ମାଂସଳ ଛାତି ଅନାମକୁ ପାଗଳ କରିଦିଏ । ଅନାମର କଳା ମଚମଚ ମୁହଁ, ତମ୍ବାତାର ପରି ଫୁଲି ଉଠିଥିବା ଶିରା ଓ ଟାଣ ଟାଣ ମାଂସପେଶୀଗୁଡ଼ାକ ଗେଲିର ଯୌବନକୁ ରସ ପୋଖରୀର ପାଣିକୁ ଦମକାଏ ପବନ ପରି ଥରାଇ ଦେଇଯାଏ । ଅନାମର ହାତ ଗେଲି ଦେହରେ ଲାଗିଲେ ଗେଲିର ମୁହଁ ଦେହ ତାତି ଯାଏଁ–ସତେ ଯେପରି ତା’ର ନରମ ଦେହ ସେଠି ତରଳିଯିବ । ପାଚିଲା ଡହ ଡହ ଆମ୍ବ ଦେଖିଲେ ବୁଭୁକ୍ଷୁ ଯେପରି ଏକା ନିଃଶ୍ୱାସରେ ତା’ର ରସ ଚିପୁଡ଼ି ଶୋଷି ଦେବାକୁ ଚାହେଁ, ଅନାମ ମଧ୍ୟ ଗେଲିକୁ ଛୁଇଁ ଚାପିଧରି ଏକ ନିଃଶ୍ୱାସରେ ନିଃଶେଷ କରିଦେବାକୁ ଇଚ୍ଛା ହୁଏ । ମୋଟାମୋଟି ଦୁଇଜଣ ଦୁଇଜଣଙ୍କୁ ପ୍ରାଣ ଦେଇ ଚାହିଁଥିଲେ ଓ ବିନା ବାଧାବିଘ୍ନରେ ଘର କରି ରହିଲେ । ଖୁବ୍‌ ଆନନ୍ଦରେ ଘର–ସଂସାର ଚଳିଲା । ସେହି ଆନନ୍ଦ ଦିନଗୁଡ଼ିକର ମଧୁର ସ୍ମୃତି–ଗେଲିର ଗେଲବସରିଆ କଥା ଓ ମିଠାଳିଆ ଗାଳି ଗୁଜବ ସବୁ ଉପେନ୍ଦ୍ର ଭଞ୍ଜ ଓ ରବୀନ୍ଦ୍ରନାଥଙ୍କ କବିତାର ଭାଷା ଭିତରେ ଦେଇ ଅନାମର କାନରେ ଆସି ବାଜିଲା ନାହିଁ ସତ–ମନୁଷ୍ୟର ଚିର ସନାତନ ଆଦିମ ଭାବନାର ରଙ୍ଗିନ ଆଲୋକରେ ଅନାମର ମନଗଗନ କିଛି ସମୟପାଇଁ ରଞ୍ଜିତ ହେଇ ଉଠିଲା । କିନ୍ତୁ ଚେରାପୁଞ୍ଜି ଜଙ୍ଗଲର ନିଗଡ଼ ଜଙ୍ଗଲ ଭିତରେ ଅହରହ ଝଡ଼ ବର୍ଷାର ଖେଳ ପରି ତା’ର ଗହନ ମନ ଭିତରେ ଦୁଃଖ, ଦୈନ୍ୟ, ଭୋକ ଉପାସ, ରୋଗ ବଇରାଗ କଳିତକରାଳର ଅବିଶ୍ରାନ୍ତ ଖେଳ ଚାଲିଥିଲାବେଳେ ପନ୍ଦରବର୍ଷ ତଳର ସୁଖସ୍ମୃତିର ରଙ୍ଗିନ ବାଦଲ କେତେ ସମୟ ବା ରହିପାରେ ? ବର୍ତ୍ତମାନ ସୁଦ୍ଧା ସେ ଗେଲିକୁ ଭଲପାଏ–ତା’ର ପିଲାମାନଙ୍କୁ ଭଲପାଏ । ସେମାନଙ୍କର ଦୁଃଖ ଦେଖିଲେ ତା’ ପ୍ରାଣ କାନ୍ଦିଉଠେ–ବେଶୀ ଦୁଃଖ ହେଲେ ମଦ ପିଏ–ମଦ ପିଇ ଗେଲି ମାରେ, ଗାଳି ଦିଏ, ପରେ ସେଥିପାଇଁ ଦୁଃଖ କରେ, ପିଲାକୁ କୋଳରେ ବସାଏ, ଆଉ କେବେ ନିଶାପାଣି ଛୁଇଁବ ନାହିଁ ବୋଲି ଗେଲିର ଦିହ ଛୁଇଁ ନିୟମ କରେ-। ବହୁତ ଦିନ ଧରି ମଦ ଖାଇବା ଛାଡ଼ିଦିଏ । କିନ୍ତୁ ଦିନେ ଦିନେ ଅବଶ୍ୟ ଭୁଲିଯାଏ–ସେଟା କିନ୍ତୁ ତା’ର ଦୋଷ ନୁହେଁ–ଦୋଷ ତା’ର ଦୁର୍ଦ୍ଦିନଭରା ଜୀବନର ।

 

ଆଜି ଯାହା ହୋଇଗଲା ତା’ ଜୀବନରେ ଏପରି କେବେ ହୋଇ ନଥିଲା–ମଦ ନିଶାରେ ସେ କେତେଥର ଗେଲିକୁ ନ ମାରିଛି ତା’ ନୁହେଁ; କିନ୍ତୁ ପୂରା ଚେତନା ଥାଇ ସେ କେଭେ ଏପରି କରି ନଥିଲା–କାହିଁକି ଏପରି ହେଲାଭାବି ପାରିଲା ନାହିଁ, ମୁଣ୍ଡ ଭିତରଟା ଭାରି ଭାରି–ଭାବନାଗୁଡ଼ାକ ଗୋଳମାଳିଆ ହୋଇଗଲା । ଗାଡ଼ି ଅନ୍ୟ ରକମ ଶବ୍ଦ କରି ଆଉ ଗୋଟିଏ ଗଳିରେ ପଶିଲା । ବଳଦଟି ତା’ର ଗତାନୁଗତିକ ରାସ୍ତା ଜାଣେ ଏବଂ ଜାଣେ ବୋଧହୁଏ ଅନାମ ମନର ଅବସ୍ଥା । ଅନେକ ସମୟରେ ମଣିଷ ପଶୁପରି କଷ୍ଟ ପାଇଲେ ପଶୁହିଁ ତାକୁ ସହାନୁଭୂତି ଦେଖାଏ–ମଣିଷ ପାରେନା । ଅନାମର ବଳଦଟି ଯେପରି ଦୁଃଖୀ ଅନାମ ଠିକ୍‌ ସେହିପରି ଦୁଃଖୀ–ବଞ୍ଚି ରହିବା ଅଟେ ସେମାନଙ୍କ ପକ୍ଷରେ ଦୁଃଖ । ମୃତ୍ୟୁହିଁ ଏକମାତ୍ର ଦୁଃଖ ଯନ୍ତ୍ରଣାହୀନ ଅବ୍ୟାହତି-

 

ଅନାମ କଳ ପରି ମଇଳା ପାଣି ବାଲଟି ବାଲଟି ଆଣି ଗାଡ଼ିରେ ଭର୍ତ୍ତି କଲା । ମଇଳାଗାତର ଦୁର୍ଗନ୍ଧ ପାଣି ଭିତରୁ ଗେଲିର ଓ ନେତର ଲୁହଭରା ମୁହଁ ଉଙ୍କି ମାରିଲା । ପାଣି ଉଠାଇବାକୁ ଟିକିଏ ଡେରି ହେଲା । ଠିଆହୋଇ ଚାହିଁଲା । କଅଁଳିଆ ନୂଆ ପତର ଭରି ହୋଇଥିବା ଝାଉଁଳା କଣି ପରି କାନ୍ଧ ଉପରକୁ ଝାଉଁଳି ପଡ଼ିଥିବା ନେତର ନୀରସ ମୁହଁଟି ତା’ର ପେଟ ଭିତରଟାକୁ ଯେପରି ତରଳାଇ ଦେଇଗଲା । ଗୋଟାଏ ପ୍ରକାର ଅନିର୍ଦ୍ଦିଷ୍ଟ ଆଶଙ୍କାରେ ମେରୁଦଣ୍ଡ ଭିତରେ ବରଫର ଛୁଞ୍ଚିଟାଏ ଯେପରି ଫୋଡ଼ି ଦେଇଗଲା–ଛାତି, ପେଟ, ସବୁ ଯେପରି ତରଳି ବାହାରକୁ ବୋହିଯିବ–ଅଟକାଇବାର ଶକ୍ତି ତା’ର ନାହିଁ । ଦୁଇ ତିନି ମିନିଟ୍‌ ପରେ ପୁଣି ଠିକ୍‌ ହୋଇଗଲା । ହାତ ବାଲଟି ଉଠାଇଲା–ଗୋଡ଼ ଆଗକୁ ଆଗକୁ ଚାଲିଲା–ତା’ପରେ ବଳଦବି ଯନ୍ତ୍ରପରି ଆଗକୁ ଚାଲିଲା, ପୁଣି ମଇଳା ଖାତ ପାଖରେ ଠିଆହୋଇ ଟିକିଏ ଢୋଳେଇ ପଡ଼େ । ଅନାମର ହାତଗୋଡ଼ ପୁଣି କାମ କରି ଯାଆନ୍ତି–ତା’ପରେ ପୁଣି ବଳଦ ଆଗେଇ ଚାଲେ.....

 

ଆଜି ଭୋରରୁ ରାସ୍ତାରେ କେତେ ଝାଞ୍ଜ, ମୃଦଙ୍ଗ, ବାଜୁଛି–ଗୀତ ଶୁଣାଯାଉଛି । ସ୍ଵାଧୀନତା ଦିବସ ଲାଗି ସହର କୋଳାହଳମୟ–ଜାତୀୟ ପତକା ଚାରିଆଡ଼େ ଉଡ଼ୁଛି, ବକ୍ତୃତା ହେଉଛି, ଟ୍ରକ୍‍ରେ ବୋଝେଇ ହୋଇ ଲୋକସଭା ପଡ଼ିଆକୁ ନିଆ ହେଉଛନ୍ତି–ଅନାମର କିନ୍ତୁ ସେଥିପ୍ରତି ନଜର ନାହିଁ । ଏହାର ତାତ୍ପର୍ଯ୍ୟ ବୁଝିବାର ତା’ର ଶକ୍ତି ନାହିଁ କି ଆଗ୍ରହ ମଧ୍ୟ ନାହିଁ । ତା’ ଜୀବନରେ କାଲି ଆଜି ଭିତରେ ତ କିଛି ପ୍ରଭେଦ ନାହିଁ–ସ୍ଵାଧୀନତା ବା ସ୍ଵାଧୀନତାର ମୂଲ୍ୟ ତା’ ଜୀବନରେ କେତେ ? ବର୍ଷ ବର୍ଷ ଧରି ତା’ର ସେହି ମଇଳାପାଣିଭରା ବଳଦ ଗାଡ଼ି ଢୋଳେଇ ଢୋଳେଇ କେଁକଟର, କେଁକଟର କରି ତା’ର ସେହି ବୈଶିଷ୍ଟ୍ୟହୀନ ଜୀବନ ପଥରେ ଚାଲିଛି । କେଁକଟର ଶବ୍ଦଟା ଯେପରି ତା’ର ପ୍ରାଣର ଚିହ୍ନ । ବଳଦ ଜୀବନର ମୁମୂର୍ଷୁ ଆର୍ତ୍ତନାଦ–କେଁକଟର ଶବ୍ଦ ବନ୍ଦ ହୋଇଗଲେ କେହି ବଞ୍ଚିବେ ନାହିଁ–ସେ ନାହିଁ, ବଳଦ ନାହିଁ କି ତା’ର ପିଲାପିଲି, ସ୍ତ୍ରୀ କାହାରି ଲେଶମାତ୍ର ଅସ୍ଥିତ୍ଵ ରହିବ ନାହିଁ । ଅନନ୍ତ କାଳର ସୀମାହୀନ ରାସ୍ତାରେ ଏଇ ଟିକକ ଶବ୍ଦହିଁ ଅନାମର ସବୁ କିଛି–ଯେଉଁଦିନ ବନ୍ଦ ହୋଇଯିବ, ସେଦିନ ତା’ର ଜୀବନର ପୂର୍ଣ୍ଣଚ୍ଛେଦ–ଆଉ ଗୋଟିଏ ଜୀବନର ସୁର ଠିକ୍‌ ସେହିପରି ଆରମ୍ଭ ହୋଇପାରେ–ତେବେ ଅନନ୍ତ କାଳ ବୁକୁରେ ବିଷାଦଭରା ଏହି ସ୍ପନ୍ଦନଟିର ମୂଲ୍ୟ କ’ଣ ? ଅନିର୍ଦ୍ଦିଷ୍ଟ ରାସ୍ତାରେ ତା’ପରି ନିଃସହାୟ ଅବସ୍ଥାରେ ଚାଲିବାର ଅର୍ଥ କ’ଣ ? ଅନାମ ଦାର୍ଶନିକ ନହେଲେ ମଧ୍ୟ ତା’ ମନରେ ଓ ତା’ର ବଳଦ ଭିତରେ ଏହି ପ୍ରଶ୍ନଟି ଯେ ଶବ୍ଦହୀନ ଭାଷାରେ ଉଠୁ ନଥିବ ତା’ କିଏ କହିବ ?...

 

ଅନାମ ଗାଡ଼ିରେ ପ୍ରତିଦିନ ପରି ମଇଳା ପାଣି ଭର୍ତ୍ତି କଲା–କିନ୍ତୁ ଦୀର୍ଘରାସ୍ତା ଦେଇ ଖାନନଗର ଆଡ଼େ ଯିବାର ତା’ର ଯେପରି ଆଉ ସ୍ପୃହା ନଥିଲା । ବଳଦଟି ଅନାମର ମନକଥା ବୋଧହୁଏ ବୁଝିପାରି ରାସ୍ତା ପାଖ ଗୋଟିଏ ଗଛମୂଳେ ଆସି ଠିଆ ହୋଇ ବିଶ୍ରାମ ନେବାକୁ ଚାହିଁଲା । ଅନାମ ଗାଡ଼ିକୁ ଆଉଜି ଘୁମେଇ ପଡ଼ିଲା । ବଳଦଟି ମାଛି ଓଡ଼ାଉ ଓଡ଼ାଉ ଠିଆଠିଆରେ ଢୋଳେଇ ପଡ଼ିଲା । ଗାଡ଼ିର କେଁକଟର ଶବ୍ଦ ବନ୍ଦ ହେଲା । ଅନାମ ଜୀବନରେ ଯେପରିକି ଗୋଟିଏ ଫାଙ୍କ ପାଇଲା–ମନୁଷ୍ୟର ଅବଜ୍ଞା, ଜୀବନର ଅବସାଦ, ସାମାଜିକ ଅତ୍ୟାଚାର ପ୍ରଭୃତି ଜାଗ୍ରତ ଜୀବନର ତିକ୍ତ ଅନୁଭୂତି ଉପରେ ନିଦ୍ରାର କୃଷ୍ଣ ପରଦା ଘୋଡ଼ାଇ ହୋଇ ପଡ଼ିଲା । ବଞ୍ଚି ରହିବାର ତିକ୍ତତା ଅପେକ୍ଷା ସ୍ପନ୍ଦନହୀନ ମୃତ୍ୟୁର ସ୍ପର୍ଶହୀନ ଶୂନ୍ୟତା କ’ଣ ବାଞ୍ଛନୀୟ ନୁହେଁ ?

 

ଏହିପରି କେତେ ସମୟ ଗଲା ଅନାମ ଜାଣେନା । ଘଣ୍ଟ, କରତାଳ, ମୃଦଙ୍ଗ ଶବ୍ଦରେ ହଠାତ୍ ଯେପରି ସେ ମହାଶୂନ୍ୟତା ଭିତରୁ କଟକର ନାଲି ଧୂଳି ରାସ୍ତାରେ ଆସି କଚାଡ଼ି ହୋଇପଡ଼ିଲା । ଅନାମ ଗୋଳମାଳ ଭିତରେ ନିଜର ଅବସ୍ଥିତି ବିଷୟରେ ହଠାତ୍‌ କିଛି ବୁଝିପାରିଲା ନାହିଁ । ଆଖିର ଭାରି ପରଦା ଏତେ ଶୀଘ୍ର ଉଠେଇବାକୁ ଯେପରି କିଏ ନାରାଜ । ଦୁନିଆର କଳରବର ବାହାରେ ଅନନ୍ତ ଶୂନ୍ୟତା ଭିତରୁ ଆସି ଜୀବନ ବଜାରରେ ତଥାକଥିତ ସଭ୍ୟ କଳାବେପାରୀଙ୍କ ହୃଦୟହୀନ କାରବାର ଦେଖିବାର ଆଗ୍ରହ ତା’ର ଯେପରି ନଥିଲା । ତଥାପି ଆଖି ଖୋଲି ଚାହିଁଲା–ଦେଖିଲା ରାସ୍ତା ଆରପାଖେ ଦେଉଳ ଆଗରେ ବହୁ ଲୋକ–ଘଣ୍ଟା ଓ ମୃଦଙ୍ଗର ଗୋଳମାଳିଆ ଶବ୍ଦ ଶୁଣା ଯାଉଥାଏ । ଆନନ୍ଦ କୋଳାହଳ ମଧ୍ୟରେ ଜୀବନର ବିରାଟ ଚଞ୍ଚଳତା । ବୋଧହୁଏ ସେ ସେହିପରି ପଡ଼ି ରହିଥାନ୍ତା–ଏ ଚଞ୍ଚଳତା ତା’ ଜୀବନକୁ ଟିକିଏ ହେଲେ ସ୍ପର୍ଶ କରିପାରୁ ନଥିଲା, କିନ୍ତୁ ହଠାତ୍‌ ଜଣେ ବାବୁ ଆସି ତା’ ବେକରେ ଗୋଟିଏ ଫୁଲମାଳ ପକାଇ ଦେଇ ତା’ ହାତଧରି ଟିକିଏ ଟାଣିଦେଲେ । ସେ କିଛି ବୁଝି ନ ପାରି ଚମକି ଠିଆହୋଇ ପଡ଼ିଲା । ଏ କ’ଣ ! ତା’ ବେକରେ ଫୁଲମାଳ କାହିଁକି ? ସେ କ’ଣ କଟକର ଧୂଳି ରାସ୍ତାରେ ତା’ ମଇଳାପାଣି ଗାଡ଼ି ପାଖରେ ଠିଆ ହୋଇ ନାହିଁକି ? ସେ କ’ଣ ମୃତ୍ୟୁର ଆରପାରିରେ ? ତାହାହେଲେ ସେଠିବି କ’ଣ ଧଳା ଧଉଳିଆ ବାବୁମାନେ ତାକୁ ଉପହାସ ଓ ଅତ୍ୟାଚାର କରିବାପାଇଁ ହାଜର ! ତା’ପରେ ଆସି ଜଣେ ବାବୁ ପଚାରିଲେ ‘‘ତୁମ ନାଁ କ’ଣ’’?

 

ଅନାମ ସେ ଜଣେ ବାବୁଙ୍କ ମୁହଁକୁ ଖାଲି ଚାହିଁଲା । ତା’ ବଳଦ ଗାଡ଼ି ଚକର ଗଡ଼ଗଡ଼ ଶବ୍ଦପରି ତା’ କାନ ପାଖରେ ଘୂରି ବୁଲିଲା ପୁଣି ସେହି ପ୍ରଶ୍ନ ‘‘ତୁମ ନାଁ କ’ଣ ?’’ ଅନାମ ନାଁ କହିଲା-। ତା’ପରେ ଆଉ କେତେଜଣ ବାବୁ ଆସି ତାକୁ ଘେରିଗଲେ । କିଏ ପେଣ୍ଟ୍ କୋଟ୍ ପିନ୍ଧିଛି ତ କିଏ ଆଣ୍ଠୁଯାଏ ସରୁ ଖଦଡ଼ର ପଞ୍ଜାବି ପିନ୍ଧିଛି । କିଏ ଫିନ୍‌ ଫିନ୍‌ କୁଞ୍ଚକୁ ଧୋତି ଓ ଗିଲିକସ ପଞ୍ଜାବି ପିନ୍ଧିଛି ତ କିଏ ମୋଗଲ ବାଦଶାହଙ୍କ ପରି ଧୋବ ଫରଫର ଅଚକନ ଉପରେ ସିଲ୍କ ଶେର୍‍ଓ୍ୟାନି ପିନ୍ଧି ମୁଣ୍ଡରେ ଖଦଡ଼ ଟୋପି ପିନ୍ଧିଛି । ଏହିପରି କେତେ ବାବୁ କଟକର ସବୁ ସଭା ସମିତିରେ ଓଜସ୍ଵିନୀ ଭାଷାରେ ବକ୍ତୃତା କରୁଥିବା, କାଠଯୋଡ଼ି, ମହାନଦୀକୂଳରେ ହାଓ୍ୟା ଖାଇବାପାଇଁ ବୁଲୁଥିବା ବା ସ୍କୁଲ୍–କଲେଜ ଝିଅଙ୍କ ରିକ୍ସା ପଛରେ ଗୁଣୁଗୁଣୁ ହୋଇ ଗୀତ ଗାଇ ଚାଲିଥିବା କଟକ ବାବୁମାନଙ୍କ ଭିତରୁ କେତେଜଣ । ସେମାନଙ୍କ ଭିତରୁ ଜଣେ କହିଲେ, ‘‘ଅନାମ ଚାଲ, ଆଜିପରା ସ୍ଵାଧୀନତା ଦିବସ–ଆଜି ଏହି ଠାକୁରାଣୀଙ୍କ ମନ୍ଦିରରେ ହରିଜନମାନଙ୍କର ପ୍ରବେଶ । ଆଜିଠାରୁ ତୁମ୍ଭେମାନେ ଆଉ ଅସ୍ପୃଶ୍ୟ ହୋଇ ରହିବ ନାହିଁ,’’ ଇତ୍ୟାଦି । ତା’ପରେ ଆଉ ଜଣେ ବାବୁ ଆସି ତାକୁ ଟାଣି ଟାଣି ମନ୍ଦିର ଆଡ଼କୁ ନେଇଗଲେ । ତା’ ଆଗରେ ପଛରେ ବହୁତ ବାବୁ ଚାଲିଥାନ୍ତି–ସେହି ବାବୁମାନେ ଯେଉଁମାନେ କି ଗରିବକୁ ଘୃଣା କରନ୍ତି–ସାଇକଲ୍‌ ମଟରରେ ଗଲାବେଳେ ରାସ୍ତାରୁ ଟିକିଏ ଆଡ଼େଇ ନହେଲେ ବ୍ରୁଟ୍ ବୋଲି କହନ୍ତି; କିନ୍ତୁ ସ୍ଵାଧୀନତା ଦିବସ ଦିନ ହରିଜନପଡ଼ାରେ ସଫେଇ କରି ଫଟୋ ଉଠାନ୍ତି–ଘରକୁ ଯାଇ ଲୁଗା ବଦଳନ୍ତି; ବ୍ରାହ୍ମଣ ହୋଇଥିଲେ ନୂଆ ପଇତା ଲଗାନ୍ତି–ଆଜିବି ସେମାନେ ମନ୍ଦିର ପ୍ରବେଶ ପାଲାରେ ତାଳ ପକାଉଛନ୍ତି । ବହୁ ଫଟୋଗ୍ରାଫର, ଖବରକାଗଜ ପ୍ରତିନିଧି, ମନ୍ତ୍ରୀ, ପୋଲିସ୍ ବେଢ଼ି ରହିଛନ୍ତି ।

 

ଅନାମର ଭାବନାର କିଛି କହିବାର ଅବସର ନଥିଲା, ତାକୁ ଟାଣି ଟାଣି ଏକାବେଳକେ ମନ୍ଦିର ଭିତରେ ନେଇ ହାଜର କରାହେଲା । ତା’ରି ପରି ଆଉ ଦଶବାର ଜଣ ମଳିମୁଣ୍ଡିଆ ଭୋକିଲା ମେହେନ୍ତର ଫୁଲ ମାଳ ପକାଇ ଠିଆ ହୋଇଛନ୍ତି–ବଳି ପଡ଼ିବା ପୂର୍ବରୁ ବୋଦାର ଯେପରି ଫୁଲମାଳ ବେକରେ ପକାଇବା ନ ପକାଇବାର ସ୍ଵାଧୀନତା ନଥାଏ, ଏମାନଙ୍କର ମଧ୍ୟ ସେହି ଅବସ୍ଥା । ଅନାମ ଏମାନଙ୍କଠାରୁ ଚେହେରାରେ ଅଲଗା ! ଅନ୍ୟ ସମସ୍ତେ ଦେଖିବାକୁ ରୋଗା–ହାଡ଼ ଉପରେ ନିଜ ନିଜର ଚମଡ଼ାଟିକୁ ଯେପରି କୌଣସିମତେ ଟାଣି ରଖିବାକୁ ଚେଷ୍ଟା କରୁଛନ୍ତି । ତେଣେ ଦାନ୍ତଗୁଡ଼ିକୁ ଘୋଡ଼ାଇବାକୁ ଯଥେଷ୍ଟ ଚମ ନାହିଁ । ଡାକ୍ତରଖାନାରେ ଥିବା ନରକଙ୍କାଳକୁ ଗୋଟିଏ ଛୋଟିଆ ଏବଂ ପୁରୁଣା ପତଳା ଚମରେ ବାନ୍ଧି ରଖିବାକୁ ଚେଷ୍ଟା କଲେ ଯେପରି ଦେଖାଯାଆନ୍ତି । ବର୍ଷ ବର୍ଷ ଧରି ମନୁଷ୍ୟର ଆଇନସିଦ୍ଧ ସାମାଜିକ ନିର୍ଯାତନା ଦେଖି ଦେଖି ଆଖିଗୁଡ଼ାକ ଯେପରି ଘୃଣା ଓ ଦୁଃଖରେ ଭିତରକୁ ଭିତରକୁ ପଶିଯିବାରେ ବସିଛନ୍ତି । ବାସ୍ତବ ଜୀବନ ଅପେକ୍ଷା ମୃତ୍ୟୁର ରହସ୍ୟ ଭେଦ କରିବାରେ ଯେପରି ଏମାନଙ୍କ ଅଦମ୍ୟ ଆଗ୍ରହ । ଅନାମ କିନ୍ତୁ ଶକ୍ତ ଦୁଃଖ, ଶତ ନିର୍ଯାତନା ଭିତରେ ରହି ମଧ୍ୟ ତା’ର ମାଂସଳ ଓ ବଳିଷ୍ଠ ଦେହଟିକୁ ଆଗପରି ରଖିପାରିଛି । ଚାରିହାତ ଉଚ୍ଚ ଦେହ–ପିଚୁରାସ୍ତା ପରି କଳା ଓ ଶକ୍ତ ଛାତିଟା ମୁଠୁଣିଏ ଚଉଡ଼ା । ହାତ ଦୁଇଟାର ମାଂସପେଶୀ ଲୁହାପରି ଟାଣ–ପିଲାଦିନେ ବହୁ ଦଣ୍ଡବୈଠକ କରି ତା’ ଦେହଟିକୁ ମୂର୍ତ୍ତି ଗଢ଼ିଲା ପରି ଗଢ଼ିଛି । ମୋଟାମୋଟି ବିଜ୍ଞାପନରେ ବାହାରିଥିବା ଔଷଧ ଖାଇଲା ପରି ମଣିଷର ଛବିପରି ତା’ ଦେହର ଆକୃତିଟି ।

 

ସେ ଆସିଲା ପରେ ତା’ର ଜଣାଶୁଣା ମେହେନ୍ତରମାନେ ତା’ପାଖରେ ଆସି ଠିଆହେଲେ । ସମସ୍ତଙ୍କୁ ଏକାସାଙ୍ଗରେ ଦେଖିଲେ ମନେହୁଏ ଏ ସମସ୍ତେ ଯେପରି ନିଜ ନିଜ ଦେହରୁ ରକ୍ତ ଚିପୁଡ଼ି ଅନାମ ଦେହରେ ନେଇ ଠୁଳ କରିଛନ୍ତି–ଦୁର୍ଯୋଧନର ପ୍ରତିଶୋଧ ପାଇଁ ଶକୁନିର ସମସ୍ତ ପରିବାର ଅନାହାରରେ ମରି କେବଳ ଶକୁନିକୁ ବଞ୍ଚାଇ ରଖିଲାପରି, ଏ ସମସ୍ତେ ନଖାଇ ନପିଇ ଯେପରି ଅନାମକୁ କେବଳ ଖୁଆଇ ପିଆଇ ରଖିଛନ୍ତି । ସେମାନଙ୍କର ଶୋଷଣକାରୀ ସମାଜର ପ୍ରତିଶୋଧ ନେବାପାଇଁ ।

 

କିଛି ସମୟ ପରେ ଜଣେ କେହି ବିଶିଷ୍ଟ ଲୋକ ଆସିବାରୁ ସମସ୍ତେ ରାସ୍ତା ଛାଡ଼ିଦେଲେ-। ଅନାମ ଦେଖିଲା ମନ୍ଦିର ପ୍ରାଙ୍ଗଣରେ ତା’ର ପୂର୍ବପରିଚିତ ବାବୁ, ଯା ଘରେ ତା’ ସ୍ତ୍ରୀ କାମକରି ମାସକୁ ଆଠଟଙ୍କା ଦରମା ପାଏ । କୁଞ୍ଚକରା ହୋଇଥିବା ଶାନ୍ତିନିକେତନ ଜରିଧୋତି, ଫିନ୍‌ ଫିନ୍‌ ସିଲ୍କ ପଞ୍ଜାବି ପିନ୍ଧି ବେକରେ ପାଟଚାଦର ପକାଇ ତା’ ସ୍ତ୍ରୀର ଖାଉନ୍ଦ ସେଠି ଆସି ପହଞ୍ଚିଲେ । ସେ ଜଣେ ବିଖ୍ୟାତ ପଣ୍ଡିତ ବ୍ରାହ୍ମଣ ଓ ଜନସେବୀ ନେତାମଧ୍ୟ । ଆଗକାଳର ଜଣେ ଧନୀ ଜମିଦାର ଓ ଦେବାନ ବାହାଦୁର–ଆଧୁନିକ ଯୁଗର ପଦ୍ମବିଭୂଷଣ ଓ ସହରର ସେ ଜଣେ ବିଶିଷ୍ଟ ବ୍ୟବସାୟୀ-। ହଜାର ହଜାର ଟଙ୍କା ସାମାଜିକ ଅନୁଷ୍ଠାନ ପାଇଁ ଚାନ୍ଦା ଦେବା କଥା ଖବରକାଗଜରେ ବାହାରେ–ଅବଶ୍ୟ ଅନେକ ଦୁଷ୍ଟ ଲୋକେ ବୋଧହୁଏ ଈର୍ଷାପରବଶ ହୋଇ କହିଥାଆନ୍ତି ଯେ କିଳାପୋତେଇରେ ଯେତିକି ଟଙ୍କା ହୁଏ ତା’ର ଏକଷଷ୍ଠାଂଶ ସେ ସମ୍ପତ୍ତି ଦାନ ହିସାବରେ କୁଆଡ଼େ ବାଣ୍ଟି ଦିଅନ୍ତି । କିନ୍ତୁ ସରକାରୀ ଗୋଇନ୍ଦା ବିଭାଗ ଆଜିଯାଏଁ କୌଣସି ପ୍ରମାଣ ପାଇ ନଥିବାରୁ ଏ ପ୍ରକାର ଅଭିଯୋଗରେ ବୋଧହୁଏ କୌଣସି ସତ୍ୟତା ନାହିଁ । ମୋଟାମୋଟି ସହରରେ ଉପରମହଲରେ ତାଙ୍କର ଖୁବ୍‌ ଖ୍ୟାତି ଏବଂ ପ୍ରତିପତ୍ତି ଅଛି । ତାଙ୍କର ମନ୍ତ୍ରୀମଣ୍ଡଳରେ ଯୋଗ ଦେବାର କଥାବି ବହୁବାର ଶୁଣାଯାଉଛି । ତାଙ୍କର ପୌରୋହିତ୍ୟରେ ଆଜି ମନ୍ଦିରରେ ହରିଜନ ପଶିବାର କଥା । ସେ ହସି ହସି ମନ୍ଦିରରେ ପ୍ରବେଶ କଲେ–ବହୁ କ୍ୟାମେରା କ୍ଳିଂ କ୍ଳିଂ କରି ଉଠିଲା-। ଘଣ୍ଟ ମର୍ଦ୍ଦଳ ଆହୁରି ଜୋରରେ ବାଜିଲା । ସବୁ ହରିଜନଙ୍କୁ ମେଣ୍ଢାପଲ ପରି ମନ୍ଦିର ଭିତରକୁ ନିଆହେଲା । ପ୍ରଧାନ ଅତିଥି ନିଜେ ଫୁଲ ଚନ୍ଦନ ଦେଇ ହରିଜନମାନଙ୍କୁ ସ୍ଵାଗତ କରିବାପାଇଁ ଠିଆ ହୋଇଥାନ୍ତି ଠାକୁରାଣୀଙ୍କ ପାଖରେ । ଠାକୁରାଣୀଙ୍କ ଆଗରେ ବଡ଼ ଥାଳିରେ ଥାଳିଏ ରସଗୋଲା, ଲଡ଼ୁ, କଦଳୀ ଥୁଆ ହୋଇଥାଏ ଭୋଗପାଇଁ ।

 

ଅନାମ ମନ୍ଦିର ଭିତରେ ପଶିଯାଇ ଠାକୁରାଣୀ ଓ ତାଙ୍କ ଆଗରେ ଠିଆ ହୋଇଥିବା ତା’ ସ୍ତ୍ରୀ ଗେଲିର ଖାଉନ୍ଦଙ୍କୁ ଦେଖିଲାକ୍ଷଣି ତା’ ଦେହ ଭିତରେ ଗୋଟିଏ ଶିହରଣ ଆସିଗଲା । ଗେଲିର ମିନତିଭରା ମୁହଁଟି ତା’ର ମନେ ପଡ଼ିଗଲା । ସେ କିପରି ଏ ବାବୁଙ୍କ ବାରି ଦୁଆରରୁ ଦୁଇଘଣ୍ଟା କାଳ ବସି ବସି ନିରାଶରେ ଫେରି ଆସିଥିଲା ମନେ ପଡ଼ିଗଲା–ନେତର କରୁଣ ଆଖି ଦୁଇଟି ତା’ ଆଖି ଆଗରେ ଭାସି ଉଠିଲା–ହୁଏତ ତା’ର ଆଦରର ନେତଟି ଏତେବେଳଯାଏଁ ଆଉ ଜୀବନରେ ନାହିଁ, ଆଉ କିଛି ଭାବିପାରିଲା ନାହିଁ।.....ହଠାତ୍ ତା’ ଆଖି ଠାକୁରାଣୀଙ୍କ ଆଖିରେ ଯାଇ ପଡ଼ିଲା । ଠାକୁରାଣୀଙ୍କର ସୁନାଆଖି ଦୁଇଟା ଆଲୁଅରେ ଦପ୍‌ଦପ୍‌ ହୋଇ ଜଳି ଉଠଛି । ହାତରେ ଥିବା ସୁନାଖଣ୍ଡାରୁ ଝିକ୍‌ ଝିକ୍‌ ହୋଇ ଅଗ୍ନିକଣା ଛୁଟୁଛି । ସିନ୍ଦୂର ଜର ଜର ଲାଲ କପାଳ ଓ ଲାଲ ଜିଭରୁ ଯେପରି ରକ୍ତଧାର ଝରିପଡ଼ୁଛି–ହିଂସାର ତୀବ୍ର ପଶୁଶକ୍ତି ପଥର ମୂର୍ତ୍ତି ବିଦୀର୍ଣ୍ଣ କରି ମହିଷାସୁରର କରାଳ ଆଖିରୁ ରାକ୍ଷସୀ କ୍ଷୁଧା ଚିତ୍କାର କରି ଉଠୁଛି, ଧୂପର ଗନ୍ଧ ଓ ରକ୍ତ ମନ୍ଦାରର ରକ୍ତିମ ଆଭା ଗୋଟିଏ ଅଭୂତପୂର୍ବ ଉନ୍ମାଦନା ସଷ୍ଟି କରୁଛି । କ୍ରମେ ରକ୍ତିମାର ଠାକୁରାଣୀ ଓ କୃଷ୍ଣ ମହିଷାସୁରର ସାରା ଦେହରୁ ଅଗ୍ନିକଣା ବିଛୁରିତ ହୋଇ ଅନାମର କଳା ମୁଗୁନି ପଥରପରି ଦେହର ପ୍ରତ୍ୟେକ ଲୋମକୂପ ଭିତର ଦେଇ ତା’ର ଦେହଟାକୁ ପୋଡ଼ି ପକାଇଲା । ତା’ ରକ୍ତ ଲାଲ ଟହଟହ ତରଳ ଲୁହାପରି ଶିରାପ୍ରଶିରା ଦେଇ ଛୁଟିବାକୁ ଲାଗିଲା । ଠାକୁରାଣୀ, ମହିଷାସୁର ଓ ତା’ର ଦେହ ଭିତରେ ଆଉ କିଛି ତଫାତ୍‌ ରହିଲା ନାହିଁ । ହିଂସାର ପ୍ରଚଣ୍ଡ ଦାବାନଳ ଚାରିଆଡ଼େ ଜଳି ଉଠିଲା–କ୍ରମେ କ୍ରମେ ଅନାମ ଦେଖିଲା ପୃଥିବୀସାରା ଅଗ୍ନିର ପ୍ରଖର ଶିଖା ଘୋଟିଲା ସେହି ଲାଲ ଶିଖା ଭିତରୁ ହଠାତ୍‌ ମୁଖ୍ୟ ଅତିଥି ଚନ୍ଦନ ଧରି ଅନାମ ଆଗରେ ଠିଆହେଲେ । ଅନାମ ଦେଖି ପାରିଲା ସେହି ଲାଲ ଆଲୋକ ଭିତରେ ଗେଲିର ଖାଉନ୍ଦ ଚନ୍ଦନ ଦେବ ବାହାନାରେ ତା’ର ନେତିର ବେଳକୁ ମୋଡ଼ୁଛନ୍ତି–ନେତି ଚିତ୍କାର କରି ଉଠୁଛି–ଗେଲି ଦଉଡ଼ୁଛି–ତା’ର ବେକକୁ ମଧ୍ୟ ସେ ମୋଡ଼ୁଛନ୍ତି । ସେମାନଙ୍କର ରକ୍ତ ଝରଝର ହୋଇ ଠାକୁରାଣୀଙ୍କ ଜିଭରେ ଆସିପଡ଼ୁଛି–ବାବୁମାନେ ହସୁଛନ୍ତି । ଲାଲ ଶିଖା ଆହୁରି ବେଶୀ ରକ୍ତରଞ୍ଜିତ ହୋଇ ଉଠିଲା । ଶକ୍ତିରୂପିଣୀ ଠାକୁରାଣୀଙ୍କର ଅସୀମ ଶକ୍ତିରେ ବଳୀୟାନ ଅନାମ ହାତର ଇସ୍ପାତ ମାଂସପେଶୀ ଗେଲିର ଖାଉନ୍ଦଙ୍କର ଗଳା ଚିପି ଧରିଲା । ସେ ଗଁଗଁ ଶବ୍ଦ କରି ଉଠିଲେ । ଗେଲି ହସି ଉଠିଲା । ନେତି ଉଠି ବସିଲା–ଗନ୍ଧିଆ ମାଳ ହସି ଉଠିଲେ । ତା’ ପାଖରେ ଠିଆ ହୋଇଥିବା ଅସ୍ଥିକଙ୍କାଳ ସବୁ ହସି ଉଠିଲେ । ଖାନନଗରର ସବୁ ଭୋକିଲା ପ୍ରେତ ତାଳି ମାରି ନାଚିଲେ–ଅନାମ ଶୁଣିଲା ଚାରିଆଡ଼େ ଖାଲି ହସ, ଆନନ୍ଦର ହସ, ତୃପ୍ତିର ହସ, ମୁକ୍ତିର ହସ, ଠାକୁରାଣୀର ହସ, ମହିଷାସୁରର ହସ । ଅନାମ ଆକାଶ କମ୍ପାଇ ହସିଲା–ସେ ହସରେ କଟକର ବାବୁମାନେ, ଫଟୋଗ୍ରାଫର, ଖବରକାଗଜ ରିପୋର୍ଟରମାନେ, ଘଣ୍ଟ କରତାଳି ବଜାଳିମାନେ, ମନ୍ତ୍ରୀ ଓ ପୁଲିସମାନେ, ସମସ୍ତେ କୁଆଡ଼େ ମିଳାଇ ଗଲେ ଶତାବ୍ଦୀର କଳଙ୍କିତ ଦୁଃସ୍ଵପ୍ନ ପରି... ।

 

ବହୁ ସମୟ ପରେ ଅନାମର ହସ କମି ଆସିଲା । ଲାଲ ଆଲୋକ କ୍ରମେ ମଳିନ ହୋଇ ଆସିଲା । ଜୀବନର ନୂତନ ପ୍ରଭାତର ସ୍ନିଗ୍ଧ ନୀଳିମା ତା’ ଆଗରେ ନୂତନ ଦୁନିଆର ପରଦା ଟାଣି ଆଣିଲା–ଶିବଙ୍କର ପ୍ରଳୟଙ୍କରୀ ତାଣ୍ଡବ ନୃତ୍ୟ ପରେ ପାର୍ବତୀଙ୍କର କୋମଳ ସ୍ପର୍ଶ ପରି ନୂତନ ଆଲୋକ ଓ ମୁକ୍ତ ବାୟୁର ସ୍ନିଗ୍ଧ ଶୀତଳ ସ୍ପର୍ଶରେ ତା’ର ମାଂସପେଶୀ ନରମ ହୋଇ ଆସିଲା–ନରକପୁରୀର ହିଂସ୍ର ଦାନବ ପୃଥିବୀର ମଣିଷରେ ପରିଣତ ହେଲା । ସେ ଆସ୍ତେ ଆସ୍ତେ ଆଖି ମେଲାଇ ନୂତନ ଦୁନିଆକୁ ଚାହିଁ ଦେଖିଲା–ଆଗରେ ମୋଟା ମୋଟା ଲୁହା ରେଲିଂ–କଠିନ ଇସ୍ପାତର ବାଡ଼–ଆଖି ବୁଜି ହୋଇ ଆସିଲା । ପୁଣି ଦେଖିଲା, ନୂତନ ଆଲୋକରେ ଉଦ୍ଭାସିତ ସାରା ଜୀବଜଗତ ତା’ ସହିତ ଲାଗି ଲାଗି ଠିଆ ହୋଇଛନ୍ତି । ଲୁହା ବାଡ଼ର ଆରପାଖେ ଗେଲିର ଖାଉନ୍ଦ ଓ ତାଙ୍କପରି କେତେକଙ୍କ ହାତରେ ମୋଟା ମୋଟା ଲୁହା ବେଡ଼ି–ଅନାମ ପୁଣି ହସି ଉଠିଲା ‘‘ଗେଲି, ନେତ, ଗନ୍ଧିଆ, ମାଳ ସମସ୍ତେ ଆସ–ଆମ ଗାଁର ସମସ୍ତେ ଆସ, ଆଜି ଆଉ ଆମର ଭୟ ନାହିଁ । ଆମେ ସମସ୍ତେ ମୁକ୍ତ–ଶତ ଶତାବ୍ଦୀର ସମସ୍ତ ଶୋଷଣକାରୀ ଆଜି ବନ୍ଦୀ–ଦେଖ, ସେମାନେ ସମସ୍ତେ ବନ୍ଦୀ ।’’

☆☆☆

 

ଶେଷ ବସନ୍ତର ଚିଠି

ମନୋଜ ଦାସ

 

ଛୋଟ ସହରଟି ଅପେକ୍ଷାକୃତ ଜନବିରଳ ପଶ୍ଚିମପ୍ରାନ୍ତରେ କେତେଗୋଟି ଆଧୁନିକ ଧରଣର ଘର–ଆକାଶ ରଙ୍ଗର, ବିସ୍କୁଟ୍ ରଙ୍ଗର, କଦବା ସବୁଜ ଅଙ୍ଗୁର ଭଳି ଟହଟହ ସ୍ଵଚ୍ଛ ଓ ଲୋଭନୀୟ ।

 

ଏଇ କଲୋନିର ଶେଷ ପ୍ରାନ୍ତରେ ଯେଉଁ ଦୁଇ ମହଲା ଘରଟି ସଯତ୍ନ ବର୍ଦ୍ଧିତ ଫଳପୁଷ୍ପର ଗଛଲତା ଗହନରୁ ସେଇଟି ଦୂରକୁ ଦେଖାଯାଏ ଗୋଟିଏ ନୀଡ଼ ଭଳି ।

 

ନୀଡ଼ ଭିତରୁ ଯିମିତି ବିହଙ୍ଗ ଶାବକଟିଏ ଆଖି ତୋଳି ଅନାଏ, ଠିକ୍‌ ସିମିତି ଦ୍ଵିତଳର ବାରନ୍ଦାର କେତୋଟି ପତ୍ରପୁଷ୍ପୋଚ୍ଛଳ ଟବ୍‌ ଭିତରୁ ଟିକି ଝିଅଟିଏ ରେଲିଂ ଉପରେ ଭରା ଦେଇ ଅନାଇ ରହିଥାଏ ରାଜପଥର ଦୃଶ୍ୟମାନ ସୀମା ପର୍ଯ୍ୟନ୍ତ ।

 

ସେ ପଥରେ ଦୈନିକ ଯାଏଁ କେତେ ଯାନବାହନ, କେତେ କିସମର । ଟିକି ଝିଅର ନିର୍ନିମେଷ ଦୃଷ୍ଟିକୁ ନିମିଷକେ ପାଇଁ ମଧ୍ୟ ସେମାନଙ୍କର ତୈଳାକ୍ତ ଗତିଶୀଳ ଦ୍ୟୁତି ଚମକାଇ ଦେଇପାରେ ନାହିଁ । ସେ ପଥରେ ଯାଏଁ ଡ୍ରମ୍ ପିଟି ପିଟି, ସୁଲଳିତ ବଂଶୀ ବଜାଇ ବଜାଇ, ସିନେମାର ମନ୍ଥର ବିଜ୍ଞାପନ ଗାଡ଼ି । ଦୈନିକ ସାଢ଼େ ଦଶଟାରେ ଦୁଇଟି ସାଇକେଲରେ ଲଗାଲଗି ହୋଇ କୌଣସି ଅଫିସ୍ ଉଦ୍ଦେଶ୍ୟରେ ଯୁବକଟିଏ ଓ ଯୁବତୀଟିଏ ଯାଉ ଯାଉ ଏପରି ଆଚରଣ କରୁଥାନ୍ତି ଯେ, ସେଥିରେ ତଳେ ଫାଟକ ଆଗରେ ଟୁଲ୍ ପକାଇ ବସି ନିଶ ଆଉଁସାଆଉଁସି କରି ମହାକାଳ ଅତିକ୍ରମ କରି ଚାଲିଥିବା ଦରୁଆନଟି କୃତ୍ରିମ ଭାବରେ କାଶି ଉଠେ; କଦାଚିତ୍‌ ଫେରିଲାବାଲା କିଶୋରଟିଏ ହୁଇସିଲ୍ ମାରି ଦିଏ । ସେ ପଥରେ ପୁଣି ଜଣେ ଜଟାଜୂଟଧାରୀ, ବିଭୂତି–ବିମଣ୍ଡିତ ନିରାସକ୍ତ ପୁରୁଷ ବଶୀକରଣ, ଗ୍ରହଶାନ୍ତି ପ୍ରଭୃତି ସ୍ଵପ୍ନଲବ୍‌ଧ ଅବ୍ୟର୍ଥ କବଚ, ଚେରମୂଳି ଇତ୍ୟାଦି ଧରି ବିଦଗ୍‌ଧ ମାନବତାର ସେବାର୍ଥେ ପ୍ରାୟଶଃ ଯିବାଆସିବା କରନ୍ତି । ଟିକି ଝିଅଟିର ସୁଦୂରପ୍ରସାରୀ ଦୃଷ୍ଟି କିନ୍ତୁ କେଉଁଥିରେ ହେଲେବି ଚହଲି ଯାଏଁ ନାହିଁ ।

 

ପଥରେ ବିପରୀତ ଦିଗରେ, ଅଦୂରର ଯେଉଁ କ୍ଷୁଦ୍ର ହୋଟେଲରେ ଦୁଇ ମହଲାରେ ଏକମାତ୍ର କୋଠରୀଟି ଭଡ଼ା ନେଇ ମୁଁ ରହିଥାଏ, ସେଠାରେ ସେଇ ଟିକି ଝିଅଟିକୁ ଦୀର୍ଘସମୟ ଧରି ଅବଲୋକନ କରିବାଟା ମୋର ନିଃସଙ୍ଗ ଜୀବନ ଏକ ପ୍ରୀତିକର ଅଭ୍ୟାସରେ ପରିଣତ ହୋଇ ଯାଇଥିଲା । ସରକାରୀ କଲେଜରୁ ଅବସର ଗ୍ରହଣ କରିବାପରେହିଁ ମୁଁ ସେଠାକୁ ସମ୍ପ୍ରତି ଏକ ପ୍ରାଇଭେଟ୍‌ ସନ୍ଧ୍ୟା କଲେଜର ଇଂରାଜୀ ଅଧ୍ୟାପକରୂପେ ନିଯୁକ୍ତି ପାଇ ଆସିଥିଲି । ଲ୍ୟାଙ୍ଗଲ୍ୟାଣ୍ଡଠୁଁ ଏଲିଆଟ୍‌ ପର୍ଯ୍ୟନ୍ତ ବହୁ ପ୍ରସ୍ତୁତି ଜୀବନବ୍ୟାପୀ କରିଛି । ଅତଏବ ମଧ୍ୟେ ମଧ୍ୟେ ପିଲାଙ୍କର ଖାତା ସଂଶୋଧନ କରିବା ଛଡ଼ା ଏଣିକି ପଢ଼ାପଢ଼ି କରିବାର ବା ଆଉ କିଛି କରିବାର ପ୍ରବୃତ୍ତି ନଥିଲା ।

 

ଦିବସବ୍ୟାପୀ ଅନେକ ଅଳସ ମୁହୂର୍ତ୍ତ ଧରି ମୁଁ ମୋ କୋଠରୀର ବାତାୟନ ଭିତରୁ ଝିଅଟିକୁ ଅନାଇ ରହୁଥିଲି । ମଧ୍ୟେ ମଧ୍ୟେ ପରିବାରର ପରିଚାରିକା ଭଳି ବୋଧ ହେଉଥିବା ଜଣେ ମହିଳା ଆସି ତାକୁ ସସ୍ନେହରେ ଭିତରକୁ ଡାକି ନେଉଥିଲେ । କିନ୍ତୁ ସକାଳ ପ୍ରାୟ ଆଠଟା ପରେ ଓ ଉପରଓଳି ତିନିଟା ପରେ ଝିଅଟି ପ୍ରତିଥର ଦୁଇ ତିନି ଘଣ୍ଟା ଲେଖାଏଁ ସେଇଠି ଯେପରି ନିଶ୍ଚଳ ହୋଇ ରହିବ, ସେଥିପାଇଁ କିଏ ଯେପରି ତାକୁ ମନ୍ତ୍ରମୋହିତ କରି ଦେଇଥିଲା । ଥରେ ଥରେ ତା’ର ସେଇ ଏକାନ୍ତ କମନୀୟ ବଦନକୁ ଟିକିଏ ଅଧିକ ନିରୀକ୍ଷଣ କରି ଦେଖିବା ସକାଶେ ମୋର ଇଚ୍ଛା ପ୍ରବଳ ହେଲେ ମୁଁ ମୋର କୋଠରୀ ସମ୍ମୁଖର କ୍ଷୁଦ୍ର ବାରଣ୍ଡାକୁ ବାହାରି ଯାଉଥିଲି । ଝିଅଟି ମୋ ଆଡ଼କୁ ମଧ୍ୟେ ମଧ୍ୟେ ଅନାଉଥାଏ । ଦୂରତ୍ଵ ତଥା ମୋର ବାର୍ଦ୍ଧକ୍ୟ ପୀଡ଼ିତ ଦୃଷ୍ଟିର ମଳିନତା ସତ୍ତ୍ୱେ ମୁଁ ଦେଖୁଥିଲି ବରଂ କୁହାଯାଇପାରେ ଯେ ଅନୁଭବ କରୁଥିଲି, ଝିଅଟିର ନୟନଯୁଗଳ ବଡ଼ ଉଦାସ-। ତଥାପି ସେହି ଔଦାସ୍ୟ ତଳେ ଚାପି ହୋଇ ରହିଥିଲା ଯେଉଁ ସ୍ଫୁର୍ତ୍ତି ସ୍ଫୁଲିଙ୍ଗ, ତାହା ଥରେ ଥରେ ସୀମିତ ତା’ର ପରିପାର୍ଶ୍ଵକୁ ଝଲସାଇ ଦେଉଥିଲା–ଥରେ ଥରେ, ଯେତେବେଳେ ଛୋଟ ପକ୍ଷୀଟିଏ ଫୁଲକୁଣ୍ଡ ସବୁ ଭିତର ଦେଇ ଡେଇଁ ଡେଇଁ ତା’ ସମ୍ମୁଖକୁ ଚାଲିଆସୁଥିଲା, ଅଥବା ଯେତେବେଳେ ପାର୍ଶ୍ଵବର୍ତ୍ତୀ ଘରର ପାଳିତ ପାତିମାଙ୍କଡ଼ଟି ଜଞ୍ଜିରରୁ କୌଣସି ପ୍ରକାରେ ମୁକୁଳି ଆସି ସେହି ବାରଣ୍ଡାରେ ବସୁଥିଲା ଓ ସେ ରୂପ ଦର୍ଶନେ ଶଙ୍ଖୀ ବିଲେଇଟିଏ କ୍ରମାଗତ ଭାବରେ ଫୁଲିବାକୁ ଲାଗୁଥିଲା ।

 

କିନ୍ତୁ ସେ ସ୍ଫୁଲିଙ୍ଗର ସ୍ଫୁରଣ ହେଉଥିଲା ମୁହୂର୍ତ୍ତକ ସକାଶେ । ମୁଁ ଯେତେ ଆଗ୍ରହରେ ଝିଅଟିର ଆଚରଣରେ ଏଇ ବିରଳ ବ୍ୟତିକ୍ରମକୁ ଅପେକ୍ଷା କରୁଥାଏ ନା କାହିଁକି, ମୋ ଉପରେ ଆଖି ପଡ଼ିଲେ ସେ ପୁଣି ତା’ର ବିଷଣ୍ଣ ଏକାଗ୍ରତା ଭିତରେ ନିମଜ୍ଜିତ ହୋଇଯାଏ; ଲେଉଟିଯାଏ ଏକ ସୁଦୂର ପୃଥିବୀକୁ ଯା’ର ଏକମାତ୍ର ବାସିନ୍ଦା ସେ ନିଜେ । ଛାତ୍ର ଅବସ୍ଥାରେ, ତଥା ଅଧ୍ୟାପକ–ଜୀବନର ପ୍ରଥମ ପର୍ଯ୍ୟାୟରେ ମୁଁ ବରଂ ବିଭିନ୍ନ ସୌଖୀନ ଅଭିନୟ ଅନୁଷ୍ଠାନର ସର୍ବଦା ହାସ୍ୟରସାତ୍ମକ ଭୂମିକାରେ ଅବତୀର୍ଣ୍ଣ ହେଉଥିଲି । ଅନ୍ୟ ଭିତରେ ମଜାର ଉଦ୍ରେକ କରିବାଟା ଥିଲା ଦୁର୍ଭାଗ୍ୟ ବା ସୌଭାଗ୍ୟକ୍ରମେ ମୋ ଚେହେରାର ଜନ୍ମଗତ ବିଶେଷତ୍ଵ । ଅଥଚ ଝିଅଟି ମୋତେ ଦେଖି କିପରି ପାତିମାଙ୍କଡ଼ ସାନ୍ନିଧ୍ୟରୁ ଲାଭ କରିଥିବା ପ୍ରସନ୍ନତା ଟିକକ ହରାଇ ବସିପାରେ, ତାହା ମୋତେ କେବଳ ବିସ୍ମିତ ନୁହେଁ, ହତାଶ ମଧ୍ୟ କରୁଥିଲା । ଭାବୁଥିଲି, ବାର୍ଦ୍ଧକ୍ୟ ବୋଧହୁଏ ମୋ ଚେହେରାରେ ଆଣିଦେଇଛି ଅନାହୂତ ଗାମ୍ଭୀର୍ଯ୍ୟ ।

 

ଦିନ ସାଢ଼େ ଦଶରୁ ଏଗାରଟା ଭିତରେ ସାଇକେଲ ଚଢ଼ି, ଖାକି ପରିଚ୍ଛଦରେ ରାଜପଥର ବଙ୍କିମ ସୀମାରେ ଯେଉଁ ବ୍ୟକ୍ତିଟି ଆବିର୍ଭୂତ ହୁଏ, ତାକୁହିଁ ଦୁଇ ତିନି ଘଣ୍ଟା ଧରି ଝିଅଟି ଅପେକ୍ଷା କରିଥାଏ । ପୋଷ୍ଟ୍‍ମ୍ୟାନ୍‍ଟି ବିଭିନ୍ନ ଘର ଆଗରେ ଦ୍ଵିଚକ୍ରରୁ ଅବତରଣ କରି ଚିଠି ବଣ୍ଟାବାଣ୍ଟି କରି ଯେତେବେଳେ ସେଇ ଦୁଇ ମହଲା ପାଖକୁ ଆସେ, ସେତେବେଳେ ଝିଅଟି ପ୍ରାୟ ଶ୍ଵାସରୁଦ୍ଧ ଉତ୍କଣ୍ଠା ନେଇ ବାରଣ୍ଡାରେ ଲୁହା ବାଡ଼ ଉପରୁ ଝୁଲିପଡ଼ି ପ୍ରଶ୍ନ କରେ, ‘ମୋପାଇଁ ଚିଠି ଅଛି ? ମୋ ନାମ ରୀନା !’ ପୋଷ୍ଟ୍‍ମ୍ୟାନ୍‌ଟି ଈଷତ୍ ନାସ୍ତିସୂଚକ ହାତ ହଲାଇ ଚାଲିଥାଏ । ତା’ପରେ ଏକଲମ୍ବା ଦୀର୍ଘନିଃଶ୍ଵାସ ଛାଡ଼ି ଝିଅଟି ତା’ର ଗତିପଥକୁ କେଇ

 

ମୁହୂର୍ତ୍ତ ଅନାଇ ରହି ଘର ଭିତରକୁ ଧୀରେ ଧୀରେ ଅପସରି ଯାଏଁ । ସେ ଦୃଶ୍ୟ ମୋତେବି କିମିତି ଉଦାସ କରିଦିଏ; ଯଦିଓ ଟିକିଝିଅଟି କାହାଠୁଁ ଚିଠିର ଅପେକ୍ଷା କରି ରହିଛି, ସେ ବିଷୟରେ ମୁଁ କିଛିହିଁ ଜାଣେନା । ସେ ଭିତରକୁ ଚାଲିଯିବାକୁ ଉଦ୍ୟତ ହେଲେ ମୁଁ ବି ମୋ କୋଠରୀ ଭିତରକୁ ଚାଲି ଆସୁଥିଲି ।

 

ଉତ୍କଣ୍ଠିତ ପ୍ରତୀକ୍ଷା ଓ ଅବଶେଷରେ ହତାଶ ଦୀର୍ଘନିଃଶ୍ଵାସରେ ଏଇ ଏକହିଁ ଦୃଶ୍ୟ ପୁନରାୟ ଅପରାହ୍ନରେ ଦେଖିବାକୁ ପଡ଼ୁଥିଲା । ପ୍ରାୟ ତିନିଟାବେଳଠୁଁ ଝିଅଟି ଆସି ଛିଡ଼ା ହୋଇ ରହୁଥିଲା–ସାଢ଼େ ଚାରିଟାବେଳକୁ ପୋଷ୍ଟ୍‍ମ୍ୟାନ୍‌ ସେ ଅଞ୍ଚଳ ପରିକ୍ରମା ଶେଷ କରି ଚାଲିଯିବା ପରେ ଘର ଭିତରକୁ ପଶିଯାଉଥିଲା; ଆଉ ମୁଁ ବି ଚାଲିଆସୁଥିଲି । ହଁ–ବାରଣ୍ଡାରେ ଦୀର୍ଘସମୟ ଛିଡ଼ା ହୋଇ ରାଜପଥକୁ ଅନାଇବା ମୋରବି କ୍ରମେ ଏକ ନିୟମିତ ଅଭ୍ୟାସରେ ପରିଣତ ହୋଇ ଯାଇଥିଲା । କହିବା ବାହୁଲ୍ୟ, ଚିଠିପାଇଁ ମୋର ଅପେକ୍ଷା ନଥିଲା । ସେ ସବୁ ଆସୁଥିଲା କଲେଜ ଠିକଣାରେ । ଏଇ ଅଭ୍ୟାସ ପଛରେ ରହିଥିଲା ଟିକି ଝିଅକୁ ବାରମ୍ବାର ଦେଖିବାର ସୁତୀବ୍ର ଆକାଂକ୍ଷା । ଝିଅଟି ମଧ୍ୟ କ୍ରମେ ଅଧିକରୁ ଅଧିକ ସମୟ ମୋ ଆଡ଼କୁ ଅନାଇ ରହିବାରେ ଅଭ୍ୟସ୍ତ ହୋଇ ପଡ଼ିଥିଲା । ଥରେ ଥରେ ମୋର ମନେ ହେଉଥିଲା, ଯିମିତି ସେ ମୋତେ କିଛି ପଚାରିବାକୁ ଚାହେଁ; ଅଥଚ ତା’ର ସହଜାତ ସମ୍ଭ୍ରମବୋଧ ତାକୁ ବାଧା ଦେଉଛି । ସେ ଯାହାହେଉ, କ୍ରମେ ବୟସ ଓ ଅପରିଚୟର ସମସ୍ତ ବ୍ୟବଧାନ ସତ୍ତ୍ୱେ ଆମେ ଦୁହେଁ ପରସ୍ପର ଘନିଷ୍ଠ ହୋଇ ଉଠିଥିଲୁ ବୋଲି ମୋର ହୃଦ୍‌ବୋଧ ହେଉଥିଲା । ଆମ ଭିତରେ ଯିମିତି ଗଢ଼ି ଉଠୁଥିଲା ଏକ ନିର୍ବାକ୍ ମମତା ଓ ସହାନୁଭୂତିର ବନ୍ଧନ ।

 

ବେଶ୍‌ କିଛିଦିନ ଏହିପରି ଗଡ଼ି ଚାଲିଯିବା ଉତ୍ତାରୁ ଦିନକର ନିସ୍ତବ୍‌ଧ ଅପରାହ୍‍ଣରେ ମୋର କୋଠରୀର ଦ୍ଵାର ସେପଟେ ଜଣେ କେହି ମୃଦୁ ସଙ୍କେତ ଦେବାରୁ ମୁଁ କବାଟ ଖୋଲି ଦେଇ ଦେଖେ ତ ସେହି ସମ୍ମୁଖସ୍ଥ ଦ୍ଵିତଳ ହର୍ମ୍ୟର ଅଧିକ ଅତିକାୟ ଦରୁଆନଟି ସସଙ୍କୋଚେ ଦଣ୍ଡାୟମାନ-। ତା’ ମୁହଁରେ ସପ୍ରତିଭ ସ୍ମିତ ହସ ଦେଖି ମୁଁ ଅନୁଭବ କଲି ଲୋକଟିର ହିଂସ୍ର–ଦର୍ଶନ ନିଶ ହଳକହିଁ ତା’ର ସମୁଦାୟ ଚରିତ୍ର ନୁହେଁ । ମୁଁ ତାକୁ ଭିତରକୁ ଡାକିନେଲି । ସେ ମୋ ହାତକୁ ଖଣ୍ଡିଏ ଲଫାଫା ବଢ଼ାଇଦେଲା । ତହିଁ ଉପରେ ଠିକଣା ଲେଖାଥିଲା, ‘‘ରୀନା, କେଆର୍‌ ଅଫ୍‌....’’ ଇତ୍ୟାଦି-। ମୁଁ ଜିଜ୍ଞାସୁ ନୟନରେ ଦରୁଆନ ଆଡ଼କୁ ଅନାଇଲେ ସୁଦ୍ଧା ନୀରବ ସ୍ମିତହସ ବ୍ୟତିରେକ ଆଉ କିଛି ସାହାଯ୍ୟ ତାହାଠାରୁ ଆପାତତଃ ପାଇଲି ନାହିଁ । ଲଫାଫାଟିଏ ଖୋଲା ଥିଲା । ତହିଁ ମଧ୍ୟରୁ ନୀଳରଙ୍ଗର କାଗଜଟି ବାହାର କରି ଅଗତ୍ୟା ପଢ଼ିବାକୁ ଲାଗିଲି ।

 

ଛୋଟ ଚିଠିଟିଏ ଲେଖାହୋଇଛି ଦୁରାନ୍ତର ଏକ ହସପିଟାଲରୁ । ବୁଝିଲି ରୀନା ନିକଟକୁ ପ୍ରବାସରୁ ତା’ର ଜନନୀ ଲେଖିଛନ୍ତି ।

 

‘‘ରୀନା,

 

ତୁ ଯଦି ମୋର ଏ ଚିଠି ଖଣ୍ଡକ ପଢ଼ିପାରିବୁ ତେବେ ମୋର ଅକ୍ଷର ଲେଖି ଜାଣିବା ସାର୍ଥକ ହେବ ବୋଲି ଜାଣିବି । ତୁ ମୋପାଇଁ କେତେ ମନ ଖରାପ କରୁଥିବୁ । ଏଠାରେ ମୋତେ ଆଉ ବେଶି ଦିନ ରହିବାକୁ ପଡ଼ିବ ନାହିଁ ବୋଲି ଡାକ୍ତରମାନେ କହୁଛନ୍ତି । ତେବେ ଯେତିକି ଦିନ ରହିବି, ତୁ ସୁନା ପିଲାଟି, ମୋତେ ମୋଟେ ଝୁରିହେବୁ ନାହିଁ ।

 

ତୁ ଫୁଲ ତୋଳିବାକୁ କେତେ ଭଲ ପାଉ । ତୁ ଫୁଲକୁ ଭଲପାଉ ବୋଲି ମୁଁ ଫୁଲକୁ ଭଲ ପାଉଥିଲି । ଏଠାରେ ମୋ ଶେଯକଡ଼ର ଝରକା ସେପଟେ ସୁନ୍ଦର ବଗିଚାଟିଏ ଅଛି । ଆଜି ବଗିଚାଟି ଭାରି ଭଲ ଦେଖାଯାଉଛି । ବୋଧହୁଏ ବସନ୍ତଋତୁ ଆସିଗଲାଣି । ଆମ ବଗିଚାରେ କେତେ ଫୁଲ ଫୁଟିଥିବ । ତୁ ଏଥର ଆୟା ସହିତ ଫୁଲ ତୋଳିବୁ । ଆଗାମୀ ବସନ୍ତବେଳକୁ ପୁଣି ମୁଁ କାଖରେ ଧରି ତୋତେ ବଗିଚାଯାକ ବୁଲାଇବି । ଉଚ୍ଚ ଡାଳମାନଙ୍କରୁ ହାତ ବଢ଼ାଇ ତୁ ଫୁଲ ତୋଳିବୁ ।

 

ମୁଁ ସବୁବେଳେ ତୋ କଥା ଭାବୁଛି । ତୋର ଯେଉଁ କେତେଖଣ୍ଡି ଫୋଟୋ ମୋ ନିକଟରେ ଥିଲା, ସେଗୁଡ଼ିକ ତ ସବୁବେଳେ ଦେଖୁଛି । କିନ୍ତୁ ତୋ ବାପା ଲେଖିଥିଲେ, ତୁ କୁଆଡ଼େ ଅଭିମାନରେ ଆଉ ଫୋଟୋ ଉଠାଇବାକୁ ଦେଉନାହୁଁ ! ସୁନା ପିଲାଟି, ତୋର ଆଉ କେତେଖଣ୍ଡି ନୂଆ ଫୋଟୋ ଯିମିତି ମୁଁ ଅତି ଶୀଘ୍ର ପାଏ । ବଦଳରେ ମୁଁ ତୋ ପାଖକୁ ପ୍ରତି ସାତଦିନରେ ଖଣ୍ଡିଏ ଖଣ୍ଡିଏ ଚିଠି ଲେଖୁଥିବି । ଅଭିମାନ କରିବୁ ନାହୁଁ.......।’’

 

ଚିଠିଟିର ତାରିଖରୁ ବୁଝିଲି, ତାହା ପ୍ରାୟ ତିନିମାସ ତଳେ ଲେଖାହୋଇଛି । ପ୍ରତିଶ୍ରୁତି ଅନୁସାରେ ସେ ଚିଠିର ପରବର୍ତ୍ତୀ ଏଗାର ଖଣ୍ଡି ଚିଠିରୁ ଖଣ୍ଡିଏ ମଧ୍ୟ ସେ ରୀନାର ହସ୍ତଗତ ହୋଇନାହିଁ, ତାହାର ସାକ୍ଷୀ ମୁଁ ସ୍ଵୟଂ ।

 

ପଢ଼ିସାରି ଦରୁଆନ ମୁହଁକୁ ଅନାଇଲି । ସେହି ଦାନବ ଜାତୀୟ ମଣିଷଟିର ଆଖି ସେତେବେଳେ ଅଶ୍ରୁ ସଜଳ । ମୋର ବୁଝିବାକୁ ଅସୁବିଧା ହେଲାନାହିଁ । ରୀନା ତା’ର ଜନନୀଠାରୁ ଆଉ କେବେବି ଚିଠି ପାଇବ ନାହିଁ । ଡାକ୍ତରମାନେ ଠିକ୍‌ କହିଥିଲେ । ରୀନାର ଜନନୀଙ୍କୁ ବେଶି ଦିନ ସେ ଆରୋଗ୍ୟ ନିକେତନରେ ରହିବାକୁ ପଡ଼ି ନଥିଲା । ରୀନାର ପିତା ବିଭବଶାଳୀ ବ୍ୟବସାୟୀ । କିନ୍ତୁ ବିତ୍ତଲବ୍‌ଧ ସମସ୍ତ ଆୟୋଜନ ଚିଠିପାଇଁ ରୀନାର ବ୍ୟାକୁଳ ପ୍ରତୀକ୍ଷାକୁ ପ୍ରତିହତ କରିପାରିନାହିଁ ।

 

ସବୁ ବୁଝିଲି; କିନ୍ତୁ ବୁଝିପାରିଲି ନାହିଁ ମୋ ପାଖକୁ ବା କାହିଁକି ସେ ଦରୁଆନଟି ଚିଠି ଖଣ୍ଡିକ ନେଇଆସିଛି, କିଏ ପଠାଇଛି । ପ୍ରକୃତିସ୍ଥ ହୋଇ ଦରୁଆନ ମୋତେ ବୁଝାଇଦେଲା: ରୀନା ସବୁଦିନେ ମୋତେ ମୋ ବସାର ବାରଣ୍ଡାରେ ତାହାରି ଭଳି ପ୍ରତୀକ୍ଷାରତ ଥିବାର ଦେଖେ ଏବଂ ଏ କଥା ମଧ୍ୟ ଦେଖେ ଯେ, ମୋ ମା’ ପାଖରୁ ମୋ ନିକଟକୁ କେବେ ଚିଠି ଆସେ ନାହିଁ । ସେ ମୋପାଇଁ ବଡ଼ ଦୁଃଖ ପାଏ । କିନ୍ତୁ କ’ଣ ବା କରିବ ? ଶେଷକୁ ତା’ ମାଆ ପାଖରୁ ପାଇଥିବା ଏକମାତ୍ର ଚିଠିକୁ ସେ ମୋତେ ଦେଇଦେବା ନିମନ୍ତେ ସିଦ୍ଧାନ୍ତ କରିଥିଲା ।

 

ଅର୍ଦ୍ଧଶତାବ୍ଦୀ ତଳେ ମୁଁ ମୋର ମାଆକୁ ହରାଇଥିଲି । ବୟସ ଓ ଅଭିଜ୍ଞତାର ପାଷାଣସ୍ତୂପ ଭିତରେ ପୋତିହୋଇ ପଡ଼ିଥିବା ସେହି ବେଦନା ତଥା କୈଶୋର କାଳର କଳ୍ପନାରେ, ସ୍ଵପ୍ନରେ ତାକୁ ଫେରିପାଇବାର କେତେକେତେ ବିଗତ କ୍ଷଣିକ ପୁଲକ–ସେ ସବୁର ସମନ୍ଵୟପ୍ରସୂତ ଏକ ଶିହରଣ ବିଦ୍ୟୁତ୍‌ ଭଳି ମୋ ଭିତରେ ଚମକିଗଲା ।

 

ଅଜ୍ଞାତସାରରେ ଚିତ୍କାର କରିଉଠିଲି, ‘‘ରୀନା ! ଟିକି ମାଆଟି ମୋର !’’

☆☆☆

 

ଉଜାଣି ସୁଅ

ଶ୍ରୀ ଦୁର୍ଗାମାଧବ ମିଶ୍ର

 

ଖାକି ହାଫ୍‌ପ୍ୟାଣ୍ଟ ଆଉ ଧଳା ହାପ୍‌ସାର୍ଟ ପିନ୍ଧି ଭଙ୍ଗା ସାଇକେଲ୍‌ରେ ଛୁଟିଛନ୍ତି ପ୍ରଭାକରବାବୁ । ଏ ସେହି ପ୍ରଭାକରବାବୁ, ଯେ କି ମଟରଗାଡ଼ି ଛଡ଼ା କେବେ ବାହାରେ କେଉଁଠିକି ଯିବାର କେହି ଦେଖି ନଥିଲେ । କୋଠିରୁ ଅଫିସ୍‌ ଏକ ଫର୍ଲଙ୍ଗ ରାସ୍ତା, ସେତକ ଆସିବାକୁ ମଧ୍ୟ ଗାଡ଼ି ଦରକାର । ତା’ ନହେଲେ ଅଫିସ୍‍ର ଚପରାସି ସନ୍ତ୍ରସ୍ତ ହୋଇ ଦଉଡ଼ି ଆସିବ କିପରି ଦରଜା ଖୋଲିବାକୁ ? ଗୋଟିଏ ବିଷୟରେ ସତର ଥର ଲେଖାଏଁ ସେ ନିଜ କୋଠରୀକୁ ଅଧସ୍ତନ କର୍ମଚାରୀମାନଙ୍କୁ ଡକାଇ ପଠାନ୍ତି । ଅଧ ଡଜନ୍ ଚୌକି ପଡ଼ିଥିଲେ ମଧ୍ୟ ସେମାନଙ୍କୁ ବସିବାକୁ କହନ୍ତି ନାହିଁ । ସେମାନେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇଥାଆନ୍ତି ।

 

ତମମାନଙ୍କଦ୍ଵାରା କିଛି ହେବ ନାହିଁ ! ବୁଝିଲ ? ବରଂ ତୁମେ ଚାକିରି ବାକିରି ଛାଡ଼ି ହଳ କର । କିମ୍ବା, ମୁଁ ବୁଝିପାରୁନାହିଁ ପ୍ରତି ମାସ ପହିଲାରେ କିମିତି ତୁମେ ତୁମ ଦରମାତକ ନେଇ ଯାଉଛି । ଦିନେ ହେଲେବି ନିଜକୁ ପଚାରୁନ, ଏ ଦରମା ପାଇବାକୁ ମୁଁ ହକ୍‌ଦାର କି ? ମୁଁ କ’ଣ କାମ କରିଛି ଏ ମାସରେ ଏତେଟଙ୍କା ପାଇବାପାଇଁ ?

 

ଅଥବା, ଯେତେ ଯେଉଁଠି ଅକର୍ମଣ୍ୟ ଲୋକ ସବୁ ଆସି ଏଇଠି ହାଜର ହୋଇଛ । ରହ, ତୁମକୁ ସବୁ ଦେଖି ଦେଉଛି ।

 

ବିଚାର କର୍ମଚାରୀଙ୍କ ପିଳେହି ପାଣି । ପ୍ରଭାକରବାବୁ ଗରଜିଲା ମେଘ ନୁହନ୍ତି । ସେ ଯାହା କହନ୍ତି, ତାହା କରନ୍ତି ।

 

ତଟସ୍ଥ ହୋଇ କେତେକ କର୍ମଚାରୀ ବେହୋସ ହୋଇଯାଆନ୍ତି । କେତେକ ଛୋଟପିଲା ପରି କାନ୍ଦିବାକୁ ଆରମ୍ଭ କରିଦିଅନ୍ତି । ଏ ଦୁଇ ଶ୍ରେଣୀର ଲୋକଙ୍କୁ ପ୍ରଭାକରବାବୁଙ୍କର ଭାରି ଘୃଣା । ସୌଜନ୍ୟ ରକ୍ଷା ଦୃଷ୍ଟିରୁ କିଛି କହନ୍ତି ନାହିଁ ସତ; କିନ୍ତୁ ତାଙ୍କର ଇଚ୍ଛା ହୁଏ, ଏମାନଙ୍କୁ ଦି’ ଗୋଇଠା ଦିଅନ୍ତେ ।

 

ପ୍ରଭାକରବାବୁ କିନ୍ତୁ ଅବସର ଗ୍ରହଣ କଲେ । ଗ୍ରହଣ କରିସାରିଲେ ମଧ୍ୟ, କର୍ମଚାରୀମାନଙ୍କ ଗୋପନୀୟ ଚରିତ୍ର–ପଞ୍ଜିକାଗୁଡ଼ିକ ଲେଖିଲେ ନାହିଁ । କାରଣ ସେତକ ଲେଖିଦେଲେ ଆଉ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ମିଳିବ ନାହିଁ । ଡରି ଡରି କର୍ମଚାରୀମାନେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନାରେ ପୋତି ପକାଇଲେ । ଅନେକ ଦାମୀ ଉପହାର ମିଳିଲା । ଅବସର ଗ୍ରହଣ ପରେ ଗୋପନୀୟ ପଞ୍ଜିକାତକ ଲେଖିବାପାଇଁ ଛ’ମାସ ଲାଗିଲା । ସେ ଛଅମାସ ତାଙ୍କ ଖାତିର କୌଣସି ଗୁଣରେ କମିଲା ନାହିଁ ।

 

କିନ୍ତୁ ସରକାରଙ୍କର କଡ଼ା ତାଗିଦା ପାଇ ତାଙ୍କୁ ଚରିତ୍ର ପଞ୍ଜିକାତକ ଦାଖଲ କରିବାକୁ ପଡ଼ିଲା । ନହେଲେ, ପେନ୍‌ସନ୍‌ ତିଆରିରେ ବିଳମ୍ବ ହେବ ବୋଲି ଧମକ ଆସିଲା । ସେତକ ଦାଖଲ କରିବା ପୂର୍ବରୁ ଅଧସ୍ତନ କର୍ମଚାରୀମାନଙ୍କର ସହଯୋଗରେ ନିଜର ପୁରୁଣା ଗାଡ଼ିଟିକୁ ନୂଆଗାଡ଼ିଠାରୁ ଅଧିକ ଦାମ୍‌ରେ ବିକ୍ରି କରିଦେଲେ, ସରକାରୀ ଘର ଛାଡ଼ି ସହରରେ ଭଡ଼ା ଦେଇଥିବା ଦ୍ଵିତଳ ପ୍ରାସାଦକୁ ଉଠିଆସିଲେ । ଫୋନ୍‌ କଟିଗଲା ।

 

‘‘ବୁଝିଲ ଚନ୍ଦ୍ରମା, (ଚନ୍ଦ୍ରମା ତାଙ୍କ ସ୍ତ୍ରୀ) ଆଜି ମୋର ପ୍ରକୃତ ମୃତ୍ୟୁ ହୋଇଗଲା ।’’ ତା’ପରେ ସେ ଛୋଟପିଲାଙ୍କ ପରି କାନ୍ଦିବାକୁ ଲାଗିଲେ ।

 

ଚନ୍ଦ୍ରମା ବିବାହ ଦିନଠାରୁ ଏ ଅଦ୍ଭୁତ ଲୋକଟିକୁ ଚିହ୍ନିପାରି ନଥିଲେ । ଆଜି ବା ଚିହ୍ନିବେ କିପରି ? ସେ କେବଳ ତାଙ୍କ ଆଖିରୁ ଲୁହ ପୋଛି ଦେଲେ ।

 

ଏବେ ମଧ୍ୟ ଦି’ଟୋପା ଲୁହ ତାଙ୍କ ଆଖି କଣରେ ଜକେଇ ଆସିଲା ସଦ୍ୟ କ୍ଷତରୁ ବକଳା ଛାଡ଼ିଗଲା ପରି । ସେ ଅସ୍ଥିର ହୋଇ ଉଠିଲେ । ମାର୍କିନ କନାର ରୁମାଲଟା କାଢ଼ି ଆଖିରେ ବୁଲେଇ ନେଲେ ସେ ।

 

ସେପ୍‌ଟେମ୍ବର ମାସର ଉତ୍ତପ୍ତ ମଧ୍ୟାହ୍ନରେ ପ୍ରଭାକରବାବୁ ଚାଲିଛନ୍ତି । ସାଇକେଲ ଚଢ଼ିବାର ଅଭ୍ୟାସ ନାହିଁ । କଲେଜରେ ପଢ଼ିଲାବେଳେ ଯେତିକି ସାଇକେଲ ଚଢ଼ୁଥିଲେ ସେତିକି । ଏ ମଧ୍ୟରେ ଦୀର୍ଘ ପଇଁତିରିଶବର୍ଷର ବ୍ୟବଧାନ ।

 

ନିଜ ଅଫିସ୍ ସାମନାରେ ସାଇକେଲ୍‌ର ଗତିକୁ ଶିଥିଳ କଲେ ପ୍ରଭାକରବାବୁ । ଧୀରେ ଧୀରେ ଓହ୍ଲାଇ ପଡ଼ିଲେ ସେ । ତାଙ୍କ ହାତରୁ ସାଇକେଲଟା ନେଇଯିବା ପାଇଁ କେହି ଆଗେଇ ଆସିଲେ ନାହିଁ । ପୋର୍ଟିକୋ ପାଖରେ ସାଇକେଲଟି ଡେରି ଦେଇ ଉପରମହଲା ଉଠି ଯାଉଥିଲେ ସେ ।

 

…….କ’ଣ ସଦାଶିବ; ସବୁ ଭଲ ?

 

ନିଜର ପୁରାତନ ଚପରାସି ସଦାଶିବକୁ ସମ୍ଭାଷଣ କରିବାକୁ ପଡ଼ିଲା ତାଙ୍କୁ ।

 

……ହଁ, ଆଜ୍ଞା ।

 

(ମୋତେ ଘରର ସବୁ କାମ କରାଇ ମନବୋଧ ହୋଇ ନଥିଲା ଯେ ରିଟାୟାର୍‌ର ଦିଦିନ ପୂର୍ବରୁ କୋଡ଼ିଏ ଟଙ୍କା ଜରିମାନା ଓ ଦିଦିନର ଦରମାକୁ ବନ୍ଦ କରିଥିଲେନା ।)

 

ସେ ମୁହଁ ଫେରାଇ ଚାଲିଗଲା ।

 

ନିଜ ଅଫିସ୍ ରୁମ୍‌କୁ ପଶି ଯାଉଥିଲେ ସେ । କିନ୍ତୁ କବାଟ ଯେ ବନ୍ଦ ।

 

–କିରେ, ସାହେବ ନାହାନ୍ତି ?

 

–ଅଛନ୍ତି ଆଜ୍ଞା, ବିଶ୍ରାମ କରୁଛନ୍ତି; ତିନିଟାବେଳକୁ ଉଠିବେ ।

 

ଘଡ଼ିକୁ ଅନେଇଲେ ପ୍ରଭାକରବାବୁ । ଗୋଟିଏ ବାଜିଛି । ତିନିଟା ପର୍ଯ୍ୟନ୍ତ ବିଶ୍ରାମ କରିବେ ଶୋଭେଶ । ଲୋକଟା ସତରେ ଅଳସୁଆ, ନିକମା । ମୋ’ର ତା’ ବିଷୟରେ ଗୁପ୍ତ ଚରିତ୍ର ପଞ୍ଜିକାରେ ଏତକ ଲେଖିବା ଉଚିତ ଥିଲା । ମୁଁ ତ ଭୁଲ କରିଛି । ନହେଲେ, ସେ କ’ଣ...ଛାଡ଼ ।

 

–ଆଚ୍ଛା, ବଡ଼ବାବୁ କାହାନ୍ତି ?

 

–ଅଛନ୍ତି, ତାଙ୍କ ସିଟ୍‌ରେ । ସଦାଶିବ ତାଙ୍କ ସହିତ ଯେତେ ସଂକ୍ଷିପ୍ତ ସମ୍ଭବ ସେତିକି କଥା କହୁଛି । ବଡ଼ବାବୁଙ୍କ ପାଖକୁ ଯିବେ କି ? ପାଞ୍ଚ ମିନିଟ୍‌ ଚୁପ୍‌ ହୋଇ ଛିଡ଼ା ହୋଇଗଲେ ପ୍ରଭାକରବାବୁ । ଯାହାକୁ ଦିନକୁ ସତରଥର ସେ ନିଜ ପାଖକୁ ଡକାଉଥିଲେ, ତା’ରି ପାଖକୁ ଯିବାକୁ ପଡ଼ିବ ?

 

କିନ୍ତୁ ଉପାୟ କ’ଣ ? ଗରଜ ଯେ ତାଙ୍କରି । ଆଜିକୁ ବର୍ଷେ ହେବ ପେନ୍‌ସନ୍ କାଗଜ ଏ ଅଫିସ୍‍ରୁ ଯାଉ ନାହିଁ ।

 

–କ’ଣ ବଡ଼ବାବୁ ଭଲ ଅଛନ୍ତି ?

 

ହଁ ସେଇମିତି ମୁହଁଟାକୁ ଆମ୍ବିଳା କରି ଦେଇ ବଡ଼ବାବୁ କହିଲେ,

 

–ବସନ୍ତୁ ସାର୍‌, ବସନ୍ତୁ ।

 

ଆରେହେ ସଦାଶିବ, ଚଉକିଟାଏ ଆଣରେ.....ଚୌକି ଖଣ୍ଡେ ହେଲେ କ’ଣ ଅଛି ? ଆପଣଙ୍କୁ ସାର୍‌ କହୁ ନଥିଲି, କିଏ ଭଦ୍ରଲୋକ ଆସିଲେ ଗଲେ, ଚୌକି ଖଣ୍ଡେ ବସିବାକୁ ନାହିଁ । ଆପଣ ତ ମନାକଲେ, ‘‘ଚୌକି କ’ଣ ହେବ ? ଯେ ଆସିବ ସେ ଠିଆଠିଆ କଥା ହୋଇ ଚାଲିଗଲେ ସମୟ ନଷ୍ଟ ହେବ ନାହିଁ ।’’

 

କହନ୍ତୁ ସାର୍, କ’ଣ ହେଲା କହନ୍ତୁ ।

 

ବଡ଼ବାବୁ ବସିଥିଲେ ଓ ପ୍ରଭାକରବାରୁ ଠିଆ ହୋଇଥିଲେ । ସଦାଶିବ ଚଉକି ଆଣୁ ନଥିଲା ।

 

–ବଡ଼ବାବୁ । ମୋ ପେନ୍‌ସନ୍ କାଗଜଟା....

 

–ସାର୍‌ । ମୋ ପାଖରେ କ’ଣ କିଛି ହେଳା କେବେ ଆପଣ ଦେଖିଛନ୍ତି ? (ପ୍ରତିବର୍ଷ ଛଅଟା ସେନ୍‌ସର, ୧୫ ଦିନ ବିନା ଦରମା ଛୁଟି, ଦୁଇ ତିନିଟା ପ୍ରୋସିଡ଼ିଙ୍ଗ)–ସବୁ କରି ଦେଇଛି । ଏବେ ଯାଞ୍ଚ ହେଉଛି । ଆଉ କେତେଦିନ ଲାଗିବ ? ବର୍ଷେ ତ ପୂରିଲା ? ତଥାପି ଚଉକି ଆସି ନାହିଁ । ବଡ଼ବାବୁ ବସିଛନ୍ତି । ପ୍ରଭାକରବାବୁ ଠିଆ ହୋଇଛନ୍ତି ।–ହୋଇଯିବ ସାର୍‌, ହୋଇଯିବ ।

 

ବଡ଼ବାବୁଙ୍କ ମୁହଁ ହସରେ ଆମୋଦିତ । ଏତେ ତରତର ହେଲେ କିମିତି ହେବ ? ସେ ତା’ର ଡିଉ କୋର୍ସରେ ମାନେ ନିର୍ଦ୍ଧାରିତ ସମୟ ଭିତର ହେବ । ତେବେ ନିଶ୍ଚୟ ହେବ । (ଏ ପ୍ରଭାକରବାବୁଙ୍କ ଭାଷା । ସମସ୍ତଙ୍କୁ ସେ ଏହା କହି ଥାଆନ୍ତି ।)

 

ପ୍ରଭାକରବାବୁ କ୍ରୋଧାନ୍ଧ ହୋଇଗଲେ ।

 

–ବଡ଼ବାବୁ, ଆପଣ ଏମିତି କ’ଣ କହୁଛନ୍ତି ? ଗର୍ଜି ଉଠିଲେ ସେ । ଭାଦ୍ରବର ଚାଇଁ ଚାଇଁ ଖରା ତାଙ୍କର ମୁଣ୍ଡ ଭିତରେ

 

ତାଣ୍ଡବ ସଷ୍ଟି କରୁଥିଲା ।

 

ବଡ଼ବାବୁ ମୃଦୁ ହସିଲେ ।

 

–ସାର୍‌, ଆପଣଙ୍କର ଶରୀର ବୋଧହୁଏ ଅସୁସ୍ଥ । ଟିକିଏ ବସନ୍ତୁ....ଆରେ ଏ ସଦାଶିବ-। କୁଆଡ଼େ ଗଲା ଚଣ୍ଡାଳଟା । (ଏ ମଧ୍ୟ ପ୍ରଭାକରବାବୁଙ୍କ ଭାଷା)

 

–ଆପଣ ମୋତେ ବିଦ୍ରୂପ କରୁଛନ୍ତି ବଡ଼ବାବୁ । ମୁଁ ଏଇକ୍ଷଣି ଶୋଭେଶକୁ କହୁଛି–

 

ଶୋଭେଶ.......ଶୋଭେଶ.....

 

ଦଉଡ଼ିଲେ ପ୍ରଭାକରବାବୁ । ମତ୍ତହସ୍ତୀ ପରି କବାଟକୁ ବଜ୍ରମୁଷ୍ଟିରେ ପ୍ରହାର କଲେ ସେ-

 

–କିଏ ? କିଏ ସେ ?

 

–ମୁଁ ପ୍ରଭାକର, ଶୋଭେଶ ।

 

–ଓଃ, ଆଚ୍ଛା, ଟିକିଏ ଅପେକ୍ଷା କରନ୍ତୁ ।

 

ପ୍ରାୟ ପୂର୍ଣ୍ଣ ପନ୍ଦର ମିନିଟ୍‌ ଅପେକ୍ଷା କରିବାକୁ ପଡ଼ିଲା ପ୍ରଭାକରବାବୁଙ୍କୁ । ପନ୍ଦର ମିନିଟ୍‌ ତାଙ୍କୁ ପନ୍ଦରଟି ଯୁଗପରି ଲାଗିଲା ଯିମିତି । ନିଜର କୋଠରୀ, ତାଙ୍କରି ସମୟରେ ସେ ଲଗାଇଥିଲେ ଫ୍ଲସ କବାଟ । ସେ ଯେଉଁ ପରଦା କିଣିଥିଲେ । ସେ ସିମିତି ଝୁଲୁଛି । ସେଇ ବକ୍ସର ସେହି ଜାଗାରେ ଅଛି । କିନ୍ତୁ ନାମଫଳକରେ ପ୍ରଭାକର ଦାସ ପରିବର୍ତ୍ତେ ଲେଖା ହୋଇଛି ଶୋଭେଶ ସାମନ୍ତସିଂହାର ।

 

ସେତିକିରେ–

 

ଧଡ଼୍‍କିନା କବାଟ ଖୋଲିଲା । ସମ୍ପୂର୍ଣ୍ଣ ନୁହେଁ ଅଧା । ଆଲୁଳାୟିତ କେଶ ଶୋଭେଶ, ବିରକ୍ତିରେ ଭ୍ରୂ ତା’ର କୁଞ୍ଚିତ ।

 

କବାଟ ଭିତରୁ ଉଙ୍କି ମାରି ଶୋଭେଶ କହିଲା ‘‘କ’ଣ ହେଲା ? ଏତେ ପାଟି କାହିଁକି ?’’

 

–ଶୋଭେଶ ମୁଁ ଭିତରକୁ ଯିବି, ସବୁ କହିବି । ଶୁଣୁଛୁ ଶୋଭେଶ୍‌ ତୋ’ ବଡ଼ବାବୁ ମୋତେ ଅପମାନ କରିଛି....ପୋ ପେନ୍‌ସନ୍.....ତାଙ୍କୁ ଭିତରକୁ ଯିବାକୁ ଦେଲା ନାହିଁ ଶୋଭେଶ ।

 

–ଆପଣଙ୍କର ଯାହା କମ୍ପ୍‍ଲେନ ମାନେ ଅଭିଯୋଗ ଅଛି ଲେଖିକରି ଦିଅନ୍ତୁ । ମୁଁ ଏ ମୌଖିକ ଆପତ୍ତି ଶୁଣିବାକୁ ପ୍ରସ୍ତୁତ ନୁହେଁ (ଏ ପ୍ରଭାକରବାବୁଙ୍କ ଭାଷା) । ଆଉ ଆପଣଙ୍କର ପେନ୍‍ସନ୍ କଥା ମୁଁ ବୁଝିବି । ଯାଆନ୍ତୁ ।

 

ଧଡ଼୍‍କିନା କବାଟଟା ବନ୍ଦ ହୋଇଗଲା ପ୍ରଭାକରବାବୁଙ୍କ ମୁହଁ ଉପରେ । ଆଉ ଭିତରୁ ଶୁଭିଲା ହସର ଗୋଟାଏ ଲହରୀ.... ଏଁ, ଏ ହସ ତ ପରିଚିତ । ଏ ତ ସୁଜାତାର ହସ । ସେହି ସୁଜାତା, ଯାହାକୁ ସେ ଟାଇପିଷ୍ଟ ଚାକିରି ଦେଇଥିଲେ । ତେବେ ସୁଜାତା ଆଉ ଶୋଭେଶ୍‌.....ନା, ନା......ମୁଣ୍ଡ ଭିତର ଗୋଳମାଳ ହୋଇଗଲା ପ୍ରଭାକରବାବୁଙ୍କର । ଅସଂଖ୍ୟ ହାତୁଡ଼ି ମାଡ଼ ଭିତରେ ସେମିତି ସ୍ତବ୍ଧ ହୋଇ ଯାଉଥିଲେ ସେ ।

 

ଫେରିଯିବାକୁ ସେ ପାଦ ବଢ଼ାଇଲେ; କିନ୍ତୁ ପ୍ରଥମ ପାଦ ଉଠାଇ ପକାଇଲାବେଳକୁ ଯେମିତି ଭୂମିକମ୍ପ ହେଲା । ସେ ପାଦ ଆଉ ତଳେ ପଡ଼ିପାରିଲା ନାହିଁ । କଦଳୀଗଛ କାଟିଲା ପରି ସେ ସେଠାରେ ଭୂଲୁଣ୍ଠିତ ହୋଇଗଲେ ।

 

ସଦାଶିବ ଆଉ ବଡ଼ବାବୁ ଦଉଡ଼ି ଆସିଲେ; କିନ୍ତୁ କେହି ହେଲେ ଆଶ୍ରୟ ଦେବାକୁ ହାତ ବଢ଼େଇ ଦେଲେ ନାହିଁ ।

 

ତାଙ୍କ ଅଫିସ୍ ଘର ଭିତରୁ ହସର ଅଫୁରନ୍ତ ଜୁଆର ସେଇମିତି ଛୁଟୁଥିଲା ।

☆☆☆

 

ଅନ୍ଧାର

ଚନ୍ଦ୍ରଶେଖର ରଥ

 

ବୁଢ଼ା ହେଲେ ସୁଦ୍ଧା ଆମର କୋକୁଆଭୟ ଯାଏ ନାହିଁ । ଏଣୁ ଅନ୍ଧାରରେ ଆଖି ବୁଜି ଘୋଡ଼ାଘୋଡ଼ି ହୋଇ ଶୋଇଯିବା ଆମର ଗୋଟାଏ ଦୁର୍ଲଙ୍ଘ୍ୟ ପ୍ରବୃତ୍ତି । କମ୍ବଳ ଭିତରେ ମିଟିମିଟି ଅନେଇ ବରଂ ପଡ଼ି ରହୁ, କିନ୍ତୁ ଖୋଲାଖୋଲି ଅନ୍ଧାରକୁ ଗ୍ରହଣ କରି ବିଚରଣ କରିପାରୁନା, କାରଣ ଆମେ ନିଶାଚର ନୋହୁ । ଆମେ ଅନ୍ଧାରକୁ ଡରୁ, ତାକୁ ଘୃଣାକରୁ, ତାକୁ ନାଶ କରିବାକୁ ସବିତା ମଣ୍ଡଳରେ ଥିବା ଜ୍ୟୋତିଷ୍ମାନ୍‌ ପୁରୁଷଙ୍କୁ ଆବାହନ କରୁ । ଆମେ ସବୁ କୁଆଡ଼େ ଆଲୋକର ସନ୍ତାନ । ଏଣୁ ଅନ୍ଧାରକୁ ଜୟ କରିବା ଓ ତାକୁ ଦୂର କରିବା ଆମର ସହଜ ତ କର୍ତ୍ତବ୍ୟ-!

 

କିନ୍ତୁ ଆଲୁଅକୁ ନିଜର ବୋଲି ଯେତେ ଜାବୁଡ଼ି ଧରିଲେ ମଧ୍ୟ ସେ ଅନିବାର୍ଯ୍ୟ ଭାବରେ ପଶ୍ଚିମରେ ନିଶ୍ଚୟ ବୁଡ଼ିଯାଏ ଏବଂ ସେମିତି ଅନିବାର୍ଯ୍ୟ ଭାବରେ ଅନ୍ଧାର ମାଡ଼ି ଆସେ । ସେ ଦୁହେଁ କାହିଁ କେଉଁ ଅନନ୍ତ କାଳରୁ ଗୋଡ଼ିଆ ଗୋଡ଼େଇ ହୋଇ କେହି କାହାକୁ ଛୁଇଁ ପାରନ୍ତିନାହିଁ, ଟପି ପାରି ନାହାନ୍ତି । ଆମେ ଚାହିଁଲେ ସେ ଅନ୍ଧାରକୁ ରୋକି ଦେବୁ, ଏମନ୍ତ ନୁହେଁ । ଗୋଲାକାର ପୃଥିବୀ

 

ତା’ ମେରୁଦଣ୍ଡରେ ବୁଲୁଥିବା ପର୍ଯ୍ୟନ୍ତ ଏବଂ ସୂର୍ଯ୍ୟପିଣ୍ଡଟି ନ ଲିଭି ଜଳୁଥିବା ପର୍ଯ୍ୟନ୍ତ ଆଲୁଅ ଯେତିକି ପରିମାଣରେ ସତ୍ୟ ଏବଂ ଅନିବାର୍ଯ୍ୟ ଅନ୍ଧାର ମଧ୍ୟ ସେତିକି ପରିମାଣରେ ସତ୍ୟ ଏବଂ ଅନିବାର୍ଯ୍ୟ ।

 

କୌଣସି ଏକ ଆଦିମ ନିସ୍ତରଙ୍ଗ ଅନ୍ଧାରରୁ ମୁଁ ବୋଧହୁଏ ଆଲୁଅର ଜନ୍ମ । ସେ ଏକ ବିଦ୍ରୋହ, ଏକ ଉଦ୍‌ବର୍ତ୍ତନ । ଏଣୁ ତା’ର ଦୁର୍ଭେଦ୍ୟ ବ୍ୟୁହ ଭିତରକୁ ତାକୁ ଫେରେଇ ନେବାପାଇଁ ଅନ୍ଧାର ତା’ପଛରେ ଗୋଡ଼େଇ ଚାଲିଛି । ପଳାତକ ଆଲୁଅ ଅମାନିଆ ଶିଶୁ ପରି ହସରେ ଫାଟି ପଡ଼ୁଛି, ବୁଣି ହୋଇଯାଉଛି । ସେଇ ପରିମାଣରେ ଝରିଯାଉଛି, ସରିଯାଉଛି । ଶେଷରେ ଏ ସନ୍ତାନଟି ସେଇ ଆଦିମ ଜନୟିତ୍ରୀର କୋଡ଼ ଭିତରେହିଁ ବିଲୟ ଭଜିବ । ଅନନ୍ତ ଆକାଶର ଅସଂଖ୍ୟ ଆଲୋକ ବିନ୍ଦୁ ଲିଭିଯିବେ । ନିସ୍ତରଙ୍ଗ ଅନ୍ଧାର ପୁଣି ଘାଲେଇ ଶୋଇଯିବ ଅନନ୍ତ କାଳପାଇଁ !

 

ଏ ସବୁ ନ ଜାଣି ମଧ୍ୟ ପିଲାଟିଦିନୁ ଆମେ ଅନ୍ଧାରକୁ ଡରୁ କାରଣ ତା’ ଭିତରେ ସବୁ ସମ୍ଭବ । ସୃଷ୍ଟି ଆରମ୍ଭରେ ଯେମିତି କେବଳ ଗୁଡ଼ିଏ ଉପାଦାନ ଥିଲା; କିନ୍ତୁ ବସ୍ତୁ ନଥିଲା, ଏଣୁ ଯେକୌଣସି ବସ୍ତୁର ସମ୍ଭାବନାହିଁ ଥିଲା । ସେମିତି ରାତିର ଅନିଶ୍ଚିତତା । ସେଇଟା ଖୁଣ୍ଟ ନ ହୋଇ ମଣିଷ ହୋଇପାରେ, ଘୋଡ଼ା ନ ହୋଇ ଗାଡ଼ି ହୋଇପାରେ ! ସେତିକିବେଳେ ଡାହାଣୀ, ଚିରଗୁଣୀ, ମଲାମଷିଣଙ୍କ ପ୍ରେତ, ଯକ୍ଷ, ରକ୍ଷ, ପିଶାଚ ସବୁ ଫିଟି ଆସନ୍ତି; କଳ୍ପନା କରୁ କରୁ ସେ ଆସି ଠିଆହୋଇ ଯାଆନ୍ତି । ଆମେ କିନ୍ତୁ ଚାହୁଁନା ଏମିତି ରୋକ୍‍ଠୋକ୍ କଥା । ଏଣୁ କିଛି ନ ଭାବି ହୁଏତ ଶୋଇଯାଉ । ଭୟ ଆମର ଅତି ଆଦିମ ମୌଳିକ ପ୍ରବୃତ୍ତି ।

 

ଆମେ ଅନ୍ଧାରକୁ ଡରୁ ସତ କିନ୍ତୁ ସତ୍ୟକୁ ମଧ୍ୟ ଡରୁ । ତାକୁ ଅନେକ ପ୍ରକାର ଆବରଣରେ ଘୋଡ଼େଇ ମୁଖା ପିନ୍ଧେଇ ରଖିଥାଉ । ଏ ବିରାଟ ରଙ୍ଗମଞ୍ଚରେ ସୂର୍ଯ୍ୟଦୀପ ଅହରହ ଜଳୁଥାଏ । ଆମେ ତା’ ଆଲୁଅରେ ଚମତ୍କାର ଅଭିନୟ କରୁ । ଅନେକ ବେଶପୋଷାକ, ଛଇଛଟକାଇ ଅଟାଟୋପ ହାକିମ, ଅମଲା, ମନ୍ତ୍ରୀ, ସନ୍ତ୍ରୀଆଦିଙ୍କର ବିଭିନ୍ନ ଭାବଭଙ୍ଗୀର ପରିପାଟି ! ଜଣେ ଏକାଧିକ ଭୂମିକାରେ ଅଭିନୟ କରି କରି କ୍ଳାନ୍ତ ହୋଇ ପଡ଼ନ୍ତି । ସଙ୍ଗୀତ, ସାହିତ୍ୟ, ସଭାସମିତି ଓ କଳାବିଜ୍ଞାନର ବିଭିନ୍ନ ଭୂମିକାରେ କୋଟି କୋଟି ଅଭିନେତା ଏ ରଙ୍ଗମଞ୍ଚରେ ନାଚି ଯାଆନ୍ତି । ସୂର୍ଯ୍ୟଦୀପ ମଧ୍ୟ କ୍ଳାନ୍ତ ହୋଇଯାଏ, ତା’ର ଅପଲକ ଆଖି ବୁଜି ହୋଇଯାଏ । ୟା’ ପରେ ଆସେ ଅନ୍ଧାର ସମସ୍ତଙ୍କୁ ଘୋଡ଼େଇ ଦେଲାପରି, ସମସ୍ତଙ୍କୁ ପରସ୍ପରଠାରୁ ଲୁଚେଇ ଦେଲାପରି ଗୋଟିଏ ଆବରଣ । ଏଇଟା ପ୍ରେକ୍ଷାଳୟ । ଏଇଠି ସବୁ ଅଭିନେତା ଲାଜ ଛାଡ଼ି ମୁଖା ଫିଟେଇ ପକାନ୍ତି । କିଏ ଖାଲି ପୋଛେ କିଏ ବିଡ଼ି ଟାଣେ । ରାମଲୀଳାର ହନୁମାନ ତା’ ଲାଙ୍ଗୁଡ଼ ଖସେଇ ଥୋଇଦିଏ ।

 

ଅନ୍ଧାରରେ ସମସ୍ତେ ତାଙ୍କ ମୌଳିକ ସତ୍ତାକୁ ଫେରି ଆସନ୍ତି । କିଛି ଲୁଚେଇବାରେ ବା ଘୋଡ଼େଇବାରେ ପ୍ରୟୋଜନ ନଥାଏ । ଅଭିନୟ ନ କରି ଖୁବ୍‌ ନିବିଡ଼ ଭାବରେ ମଣିଷ ବଞ୍ଚେ ଏଇ ଅନ୍ଧାରରେ । ତାକୁ ଅନେକ ଉଶ୍ଵାସ ଲାଗେ, ସ୍ଵାଭାବିକ ଲାଗେ ଏବଂ ହସମାଡ଼େ କେମିତି ଏ ନିରାଟ ସତଗୁଡ଼ାକୁ ଅଶ୍ଳୀଳ କହି ସେ ଘୋଡ଼େଇ ପକାଉଥିଲା ଗୋଟାଏ ସାମାଜିକ ଆଲୁଅର କୋଳାହଳ ଭିତରେ । ଏଇ ଅନାବୃତ ନିଛକ ମୁହୂର୍ତ୍ତଗୁଡ଼ାକ ଜୀବନର ମୌଳିକ ଉପାଦାନରେ ସମୃଦ୍ଧ, ବଞ୍ଚିବାର ସଭ୍ୟତାର ମଙ୍ଗ ପର୍ଯ୍ୟନ୍ତ ଭରପୂର । ଆଲୁଅଠାରୁ ଅନ୍ଧାର ବେଶୀ ସତ, ବେଶୀ ଘନିଷ୍ଠ, ବେଶୀ ଆପଣାର । ଆମେ ଅନ୍ଧାରକୁ ହୁଏତ ଭୟ କରୁନା । ଆମେ ତାକୁ ଭଲ ପାଉ । ମନେମନେ ଝୁରୁଥାଉ । ଅଭିନୟର ଭିଡ଼ାଓଟରା ଭିତରେ ମଧ୍ୟ ଅନ୍ଧାରକୁ ଲୋଡ଼ୁଥାଉ । ଆଲୁଅ ଭଳି ଅନ୍ଧାର ଏତେ ନିକର୍ମ ନୁହେଁ । ସେ ଖିନ୍‌ଭିନ୍‌ ସବୁ ଖୋଲି ଦେଖାଏ ନାହିଁ । ଘୋଡ଼େଇ ପକାଏ, ନିବିଡ଼ ଭାବରେ ଅନୁଭବ କରିବାକୁ ସୁଯୋଗ ଦିଏ । ଆମ ଭିତରେ ଯଦି ଆଲୁଅର ଉପନିବେଶ କିଛି ଦିଶେ ସେ ସବୁ ଯାଯାବର ସଂସ୍ଥା । ତା’ର ନୂଆ ବାସିନ୍ଦା ସବୁ ଶ୍ୱେତାଙ୍ଗ ଶାସକ-। କିନ୍ତୁ ଭିଟାମାଟିକୁ ଲାଗି ଯେତେସବୁ ମଳିଛିଆ ଛାଇଭଳି ନୀରବରେ ପହଁରି ଯାଉଛନ୍ତି ଯାହାଙ୍କୁ ଗଣି ହୁଏନାହିଁ, ବାରି ହୁଏନାହିଁ, ଯେଉଁମାନେ ସେଇ ମାଟିଭଳି ପୁରୁଣା । ସେମାନେ ସବୁ ଆମର-! ଆମ ଭିତରେ ଆଲୁଅ ପଶିଗଲେ, ଆମେ ଗଛମୂଳେ, ବୁଦାମୂଳେ ଲୁଚିଯାଉ । ସେ ଓହରିଗଲେ, ଆମେ ପରସ୍ପରର ଗନ୍ଧ ବାରି ପାଖେଇ ଆସୁ । ପ୍ରାଚୀନ ଅନ୍ଧାରର ସନ୍ତାନ ଆମେ । ଅନ୍ଧାର ଆମର ଜାୟା ଓ ଜନନୀ । ତାକୁ ଭୟ କରିବା ଏକ କୁସଂସ୍କାର ।

 

ନିଃସଙ୍କୋଚ ଅନ୍ଧାର ଭିତରେ ଆମେ ସମସ୍ତେ ଗୋଟିଏ ଗୋଟିଏ ଦ୍ଵିପଦ ପ୍ରାଣୀ । ଆମେ ଚାରିଆଡ଼େ ଆମର ଅସଂଖ୍ୟ ଲୋମଶ ପୂର୍ବପୁରୁଷଙ୍କ ଉଷୁମ ଆମେ ସେଇଠି ଅନୁଭବ କରୁ, ଆମକୁ କିଛି ହୁଏତ ଦିଶେ ନାହିଁ; କିନ୍ତୁ ସବୁ ଅନୁଭବ କରିହୁଏ । ଚମତଳକୁ ସବୁ ଅନ୍ଧାର । ସେଇ ଖୋଳ ଭିତରେ ଆମର ଅଜସ୍ର ନାଡ଼ି ସ୍ପନ୍ଦିତ ହୁଅନ୍ତି, ଖାଦ୍ୟ ପରିପାକ ହୁଏ–ପ୍ରାଣବାୟୁ ଯାତାୟାତ କରେ । ଏଣୁ ଅନ୍ଧାରରେହିଁ ବୁକୁ ଦୂରୁଦୂରୁ ହେବା ଆମେ ଅନୁଭବ କରୁ, ଜଠରରେ ନିବିଡ଼ ତାତି ଅନୁଭବ କରୁ ।

 

ଆଲୁଅରେ ଦୃଷ୍ଟି ଫେରିଆସେ, ବ୍ୟବଧାନ ଫେରିଆସେ । ଦୃଷ୍ଟିରେ ଦୂରତା ଅନିବାର୍ଯ୍ୟ-। କିନ୍ତୁ ସ୍ପର୍ଶରେ ବ୍ୟବଧାନ ନାହିଁ, ଦୂରତା ନାହିଁ । ତୃତୀୟ ସତ୍ତାର ସମ୍ଭାବନା ନାହିଁ ! ସ୍ପର୍ଶ ଆଉ ଏକପ୍ରକାର ଦୃଷ୍ଟି । ପ୍ରତି ଲୋମକୂପରେ ସହସ୍ରକ୍ଷ ପରି ଉତ୍ତାପକୁ ପିଇ ହୁଏ, ଶିହରଣକୁ ଶୋଷି ହୁଏ । ଆଲୁଅ ଲିଭିଗଲେ ଆଖି ହଜିଯାଏ ସତ, କିନ୍ତୁ ଆଉ ଚାରିଟା ଇନ୍ଦ୍ରିୟ ମନକୁ ମିଶେଇ ମାତି ଉଠନ୍ତି । ଅନ୍ଧାରରେ ଗୁଞ୍ଜରଣ ବେଶୀ ସଙ୍ଗୀତମୟ, ସ୍ଵାଦ, ଗନ୍ଧରେ ଆହୁରି ଅନେକ ମାଦକତା-। ଅନ୍ଧାର ସବୁ ସାଉଁଟି ଆଣେ, କେନ୍ଦ୍ରୀଭୂତ କରିଦିଏ, ଗହୀରକୁ ଟାଣିନିଏ ! ଆଲୋକ ବିକ୍ଷିପ୍ତ କରିଦିଏ; ବିସ୍ତୃତ ବିକେନ୍ଦ୍ରିତ କରିଦିଏ । ଆଲୋକ ଅପେକ୍ଷା ଅନ୍ଧାର ବେଶୀ ଜୀବନ ଧର୍ମୀ, ବେଶୀ ବାସ୍ତବ ।

 

ବାସ୍ତବ ହେବା କିଛି ଲାଜ କଥା ନୁହେଁ । ନିଜେ ଯାହା, ତାକୁ ସହଜ ଭାବରେ ଖୋଲାଖୋଲି ମାନିନେବା ମିଥ୍ୟା ମଧ୍ୟ ନୁହେଁ । ତାକୁ ମିଥ୍ୟା ବୋଲି କହିଦେଇ ପରିହାର କରିଦେବା କିଛି ଖେଳଘର ମଧ୍ୟ ନୁହେଁ । ପ୍ଲାଟୋ କହିଲା ଭଳି, ଆମେସବୁ ଅନ୍ଧାରର ଗୁମ୍ଫା ଭିତରେ ବନ୍ଦା ଥାଉ । ଆମ ଭିତରୁ ଜଣେ ଫିଟିଯାଇ ଆଲୋକର ସନ୍ଧାନ କରେ । ସେହିଭଳି ‘ପ୍ରମିଥିସ୍‌’ମାନଙ୍କୁ କେହି ଅସ୍ଵୀକାର କରୁନାହିଁ କାରଣ ମୂଳତଃ ଆଲୋକକୁ କେହି ଅସ୍ଵୀକାର କରୁନାହିଁ କିନ୍ତୁ ଯେତେବେଳେ ସେଇ ଆଲୋକ ସନ୍ଧାନୀମାନେ ଆସି ଅନ୍ଧାର ରାଜ୍ୟରେ ବିପ୍ଳବର ସୂତ୍ରପାତ କରନ୍ତି ଆମକୁ ଟିକିଏ ହସ ମାଡ଼େ । ଆସାମର ଚା’ ବଗିଚାରେ ଚାରିମାସ କାଟି ଆସିବା ପରେ ଓଡ଼ିଆ କୁଲିସର୍ଦ୍ଦାର ଘରେ ଆସି ହିନ୍ଦୀ କହେ; ଭାନ କରେ ଯେ ସେ ଆଉ ଓଡ଼ିଆ ନୁହେଁ ଏଠିକାର ଭାଷା ତା’ର ଆଉ ପଇଟୁ ନାହିଁ ! ଉଷା, ଅଗ୍ନି ବା ସବିତା ମାଧ୍ୟମରେ ବହୁବାର ଆଲୋକର ଆବାହନ କଲେ ସୁଦ୍ଧା ମଣିଷର ମୌଳିକ ସତ୍ୟ ବିଷୟରେ ବେଦ ନୀରବ ନୁହେଁ । ପୁରାଣର ବିଶ୍ଵାମିତ୍ର ବହୁ ତପସ୍ୟା ପରେ ମଧ୍ୟ ମେନକା ପାଖରେ ସମସ୍ତ ଆବରଣ ତଳେ ଲୁଚି ରହିଥିବା ନିଜର ଅନାବୃତ ସତ୍ତାକୁ ସ୍ଵୀକାର କରନ୍ତି ।

 

ସେମାନେ କହିବା ଅନୁସାରେ ଏ ସତ୍ତାଟି କୁଆଡ଼େ ଆମର ଜାନ୍ତବ ପରମ୍ପରା ଏବଂ ସେଥିପାଇଁ ଆମକୁ ଲଜ୍ଜିତ ହେବା ଉଚିତ । ଲଜ୍ଜିତ ହେବାକୁ ଆମର ଆପତ୍ତି ନାହିଁ । କିନ୍ତୁ କାହିଁକି ଏବଂ କାହା ପାଖରେ ? ଯଦି ସବୁଠାରେ ଏଇ ଜନ୍ତୁଟିହିଁ ଅନିବାର୍ଯ୍ୟ ସତ୍ୟ, ତା’ପାଇଁ ଲାଜ୍ଜ କରିବାର ପ୍ରୟୋଜନ କାହିଁ ? ଉଲଙ୍ଗ ରାଜ୍ୟରେ ତ’ ପରିଧେୟର କିଛି ଅର୍ଥ ନାହିଁ ଏବଂ ଅର୍ଥ ନାହିଁ ସେପରି କୌଣସି ଅଭିନୟର । କିନ୍ତୁ ଜୀବନରେ ଅସଂଖ୍ୟ କ୍ଷୁଧା ଏବଂ ସେଗୁଡ଼ିକ ଖୁବ୍‌ ସ୍ଵାଭାବିକ-। ସେଗୁଡ଼ିକୁ ଲିଭେଇ ହୁଏନାହିଁ, ହୁଏତ ସନ୍ତୁଷ୍ଟ ମଧ୍ୟ କରି ହୁଏନାହିଁ । ତା’ ବୋଲି ସେମାନଙ୍କୁ କମ୍ବଳ ଘୋଡ଼େଇ ଦେଇ ଉପରେ ସଫେଇ ଦେଖେଇ ହେବା ମିଥ୍ୟାଚାର । ଯେତେ ଡାଳପତ୍ର କାଟିଲେ ମଧ୍ୟ ଉଦ୍ଭିଦ ମରିଯାଏନାହିଁ । ତା’ର ଉଲଙ୍ଗ ଚେରଗୁଡ଼ିକ ଅନ୍ଧାର ମାଟି ଭିତରେ ମୁହଁ ବୁଡ଼େଇ ପ୍ରାଣରସ ଟାଣୁଥାନ୍ତି । ପୁଣି ଶାଖା ମେଲିଯାଏ, ପତ୍ରକଢ଼ ଉତ୍ତାରି ଆସନ୍ତି । ଚେର ଲଗାତ୍ ଭିଡ଼ି ଫୋପାଡ଼ି ଦେଲେ ଯେଉଁ ମାଟିପିଣ୍ଡଟିକୁ ସେ ସହସ୍ର ପୁର ଗୁଡ଼େଇ ଧରି ରଖିଥିଲା ସେ ନିରାଧାର ଖସି ପଡ଼ିବ । ଜୀବନର ସମସ୍ତ କ୍ଷୁଧା ନିର୍ବାପିତ ହୋଇଗଲେ କେବଳ ନିସ୍ପନ୍ଦ ହୋଇ ପଡ଼ିରହିଯିବ । ଜ୍ଵଳନର କ୍ରିୟାରହିଁ ଯଦି ଜୀବନ ହୁଏ ତେବେ କ୍ଷୁଧା ନଥାଇ ବଞ୍ଚିବା ସମ୍ଭବ ନୁହେଁ-। ବଞ୍ଚିବାକୁ ହେଲେ ଜନ୍ତୁଟିହିଁ ବଞ୍ଚେ । ତା’ ଉପରେ ଯେତେ ରଙ୍ଗମଡ଼ାଇ ଯେତେ ମୁଖା ଖଞ୍ଜିଲେ ମଧ୍ୟ ସେ ନିର୍ଭୁଲ ଭାବରେ ସେଇ ଜନ୍ତୁ ।

 

ଅନ୍ଧାର ଏଇ ଆଦିମ ଜନ୍ତୁଟିକୁ ହୁଗାଳି ଦିଏ । ଦିନ ଆଲୁଅରେ ଯେଉଁ ଜଞ୍ଜିରରେ ସେ ବନ୍ଧା ପଡ଼ିଥିଲା, ରାତିରେ ସେଇଟା ଫିଟିଯାଏ ଏବଂ ଫିଟିଯାଏ ବୋଲି ରକ୍ଷା ହୋଇଯାଏ । ନାରୀ ଏବଂ ପୁରୁଷ ନିରାବରଣ ପରସ୍ପରକୁ ସ୍ଵୀକାର କରନ୍ତି । ସୃଷ୍ଟିର ଆଦିମ ଅନୁଶାସନ ଜାରି ରହେ । ନଚେତ୍‌ କେବଳ ଅଭିନୟ ଏବଂ ମିଛିମିଛିକା ଖେଳ ଭିତରେ ଜୀବନ ସରିଯାଆନ୍ତା । ଜରାୟୁରେ ଅମାପ ଅନ୍ଧାର ଏବଂ ମୃତ୍ୟୁର ଅନ୍ଧାର ଅପରିସୀମ । ଏ ଦୁଇଟି ବାହୁ ବେଢ଼ା ଭିତରେ ମଣିଷର ଚପଳତା, ଆଲୁଅ ଅନ୍ଧାରର ଲୁଚକାଳି ଭିତରେ ସରିଯାଏ । ଅନ୍ଧାରରୁ ଆସି ଅନ୍ଧାର ଭିତରେ ଆମେ ପୁଣି ପଶିଯାଉ । ରଙ୍ଗମଞ୍ଚର ଉଭୟ ପାଖେ ଅନ୍ଧାର । କେବଳ ଏ ପାଖରୁ ସେ ପାଖକୁ ଯିବା କଥା !

 

ଆଲୁଅ ନିଜେ ଗୋଟିଏ ବିଦ୍ରୋହର ଶୋଭାଯାତ୍ରା । ସେପରି ଆଲୁଅ ପଛରେ ଗୋଡ଼େଇବା ମଧ୍ୟ ଗୋଟିଏ ଦିଗ–ବାଉଳା ବିଦ୍ରୋହ । ଆମର ଗୋଟାଏ ପ୍ରକାର ଅଭ୍ୟାସ ହୋଇଗଲାଣି ଆଲୁଅକୁ ଦେଖି ବିଭୋର ହୋଇଯିବା । ଉଷା ସୁନ୍ଦର, ସୂର୍ଯ୍ୟ ସୁନ୍ଦର; ଉଦ୍ଭିଦ, ମଣିଷ, ଫୁଲ, କଢ଼ ଏବଂ ମଣିଷ ଛୁଆ ଏ ସବୁ ସୁନ୍ଦର । ଦିନବେଳେ ମମତାର ଫୁଲ କିଆରି ଯେତେ ବଢ଼ିଯାଏ, ବିସ୍ତୃତ ହୋଇଯାଏ, ଆମକୁ ଯେତେ ଦମ୍ଭ ଲାଗେ, ସେତେ ଖୁସି ଲାଗେ । ଆଲୋକପାଇଁ ଆମ ଭିତରେ ଅନେକ ଓକିଲାତି ! ଏଣେ କିନ୍ତୁ ଅନ୍ଧାରର ଆକର୍ଷଣ ଅନିବାର୍ଯ୍ୟ । ଅନ୍ୟ ଜନ୍ତୁ ଅପେକ୍ଷା ଆମେ ବେଶୀ ଦେଖୁ, ବେଶୀ ବୁଝୁ । ଆମ ବୁଦ୍ଧିର ଫାଟକ ଅନେକ ପ୍ରଶସ୍ତ । ଏଣୁ ଆମ ଭିତରକୁ ଅନେକ ପରିମାଣରେ ଆଲୁଅର ଅନୁପ୍ରବେଶ ହୁଏ, ଉପନିବେଶ ସବୁ ପ୍ରତିଷ୍ଠିତ ହୁଏ । ଆମେ ଦୁଇଭାଗ ହୋଇଯାଉ । ଦୁଇଭାଗ ଛାଡ଼ି ଶହେଭାଗ ହେଲେ ମଧ୍ୟ ଆପତ୍ତି ନଥିଲା । କିନ୍ତୁ ସେଇ ପରିମାଣରେ ଶଠତା ଆମ ଭିତରକୁ ପଶି ଆସେ । ପଶିଆସେ ଦ୍ଵନ୍ଦ୍ୱ ଏବଂ ସଂଶୟ । ଆମେ ପ୍ରକୃତରେ ଆଲୁଅର ନା ଅନ୍ଧାରର, ଏ ବିଷୟରେ ସନ୍ଦେହ ଆସିଯାଏ । କଥିତ ଅଛି ଯେ ଜଣେ ଦାର୍ଶନିକ ଏକଦା ସ୍ଵପ୍ନ ଦେଖିଲେ ସେ ଏକ ପ୍ରଜାପତି । ତା’ପରେ ତାଙ୍କର ସମସ୍ୟା ହେଲା ଜାଣିବାକୁ ଯେ ସେ ପ୍ରଜାପତି ହୋଇ ମଣିଷ ହେବାର ସ୍ଵପ୍ନ ଦେଖୁଛନ୍ତି ନା ମଣିଷ ହୋଇ ପ୍ରଜାପତି ହେବାର ସ୍ଵପ୍ନ ଦେଖୁଛନ୍ତି । ସମାଧାନର ପନ୍ଥା ଖୋଜି ଖୋଜି ସେ ହୁଏତ ଚାଲିଯାଇଥିବେ । ଆମର ପ୍ରାୟ ସେଇ ସମସ୍ୟା । ଏ ଦୋଭାଷୀ ମୁଲକରେ ଆମେ କାହାର ? ଅନ୍ଧାରର ନା ଆଲୁଅର ? ପଞ୍ଝେ ଆପୋସବାଲା କହନ୍ତି ଆମେ ଉଭୟର । ଆଉ ପଞ୍ଝେ ବିରକ୍ତ ହୋଇ କହନ୍ତି ଆମେ କାହାରି ନୋହୁ । ଏମିତି ଟଣାଓଟରା ଭିତରେ କିନ୍ତୁ ସ୍ଵୀକାର କରିବାକୁ ପଡ଼େ ଯେ ଆମେ ଆଲୁଅରେ ଯାହା ଅନ୍ଧାରରେ ତାହା ନୋହୁ ଏବଂ ଅନ୍ଧାରରେ ଯାହା ଆଲୁଅରେ ତାହା ନୋହୁଁ । ଆମେ ଗୋଟାକରେ ବଞ୍ଚୁ ଏବଂ ଅନ୍ୟଟିରେ ଅଭିନୟ କରୁ । କିନ୍ତୁ ଏତେ ତନ୍ମୟ ତଦ୍‌ଗତ ଭାବରେ ଅଭିନୟ କରୁ ସେ ଏ ଅଭିନୟହିଁ ସତ୍ୟ ଏବଂ ବଞ୍ଚିବା ଏକ ଅଭିନୟ ବୋଲି ମନେ ହୁଏ-

 

ଅନ୍ଧାର ସ୍ଥିର ସମୁଦ୍ର ପରି ଗୋଟାଏ ସ୍ଥିତି–ଅକଳନୀୟ, ନିଷ୍ପନ୍ଦ, ପ୍ରାଚୀନ । ଆଲୁଅ ଏକ ବିସ୍ଫୋରଣ, ଦୁର୍ଦ୍ଦମନୀୟ, ଛନ୍ଦମୟ, ଗତିଶୀଳ ଏଣୁ ନୂତନ ! ଅବିଚଳିତ ଅନ୍ଧକାରହିଁ ପ୍ରକୃତିରୁପା କାଳରାତ୍ରି । ତା’ର ନିଷ୍ପନ୍ଦ ଜଠରରୁ ଗ୍ରହ, ଚନ୍ଦ୍ର, ତାରା ବୀଜକୋଷରୁ ଅଙ୍କୁର ପରି ଜନ୍ମ ହୁଅନ୍ତି, ଜନ୍ମ ହୁଅନ୍ତି ଏ ଉଦ୍ଭିଦ, ପଶୁ ପକ୍ଷୀ ଏବଂ ମଣିଷ । ସେ ଆଦି ଜନୟିତ୍ରୀ ଜଗଦ୍ଧାତ୍ରୀ । ତା’ରି କୋଳରେ ସବିତା ସ୍ପନ୍ଦିତ ହୁଅନ୍ତି । ପ୍ରାଣ ସ୍ପନ୍ଦିତ ହୁଏ, ଜୀବନର ଅଭିବୃଦ୍ଧି ହୁଏ, ଜୀବ ବହୁଗୁଣିତ ହୁଏ ! ସେ ଅଖିଳ ବ୍ରହ୍ମାଣ୍ଡର ଏକମାତ୍ର ଜାୟା ! ତା’ର ନିଷ୍ପନ୍ଦ ଶୀତଳ ଜଠରରେ ସୂର୍ଯ୍ୟ ନିର୍ବାପିତ ହୁଏ, ସୃଷ୍ଟି ସମାହିତ ହୁଏ, ଗତି ସ୍ତମ୍ଭିତ ହୁଏ, ବିଲୟ ହୁଏ ଚେତନାର ସ୍ଫୁରଣ ! ସେ କାଳରାତ୍ରି, ବିଶ୍ଵବ୍ରହ୍ମାଣ୍ଡର ଶୀତଳ, ସମାଧି–ଗର୍ଭ !

 

ଆଲୁଅ ଗୋଟିଏ ବିନ୍ଦୁ, ଗୋଟିଏ ରେଖା, ଗୋଟିଏ ପ୍ରବାହ । ସେ ଏକକୁ ବହୁଧା ବିଭକ୍ତ କରେ । ନିଜେ ଦିଶେ ନାହିଁ କିନ୍ତୁ ସମସ୍ତଙ୍କୁ ଦେଖାଏ । ଅନ୍ଧାର ଏକ ସ୍ଥିତି–ଏକ ସମାଧି । ତା’ ଭିତରେ ସବୁ ପୁଣି ଏକୀଭୂତ ହୁଅନ୍ତି । ସେ ହିଁ ପ୍ରତ୍ୟୟ ଆଣି ଦିଏ ‘‘ନେହ ନାନାସ୍ତି କିଞ୍ଚନ’’ ।–ସେ ସମସ୍ତଙ୍କୁ ଲୁଚେଇ ଦିଏ, ପ୍ରତ୍ୟେକକୁ ଏକାକୀ କରିଦିଏ । ବାହାରର ସମସ୍ତ ଗ୍ରହ, ଚନ୍ଦ୍ର, ତାରା ଓ ପୃଥିବୀ ମନରାଜ୍ୟ ଭିତରକୁ ଚାଲିଆସନ୍ତି । ଅନ୍ଧାରରେ ଆମେ ଜଗତ୍‌କୁ ଧାରଣ କରୁ, ଏଣୁ ଆଲୁଅକୁ ମଧ୍ୟ ଧାରଣ କରୁ, କିନ୍ତୁ ଆମ ଭିତରେ ଗୋଟିଏ ଖୋଇ ଅଛି । ସେ ଆମକୁ ଏକାକୀ ରହିବାକୁ ଦିଏ ନାହିଁ । ଆମେ ଆଉ ଜଣକୁ ଖୋଜୁ ! ସମଗ୍ର ସତ୍ତା ଅନ୍ଧାରରେ ବୁଡ଼ିଯାଏ, ବୁଡ଼ିଯିବାକୁ ସୁଖ ପାଏ, କାରଣ ତା’ର ଉପାଦାନହିଁ ଅନ୍ଧାର । କିନ୍ତୁ ଏଇ ଗୋଟିଏ ମାତ୍ର ଚଞ୍ଚଳ ବିନ୍ଦୁ ଆମ ଭିତରେ ବିଦ୍ରୋହ କରେ, ଉଚ୍ଚାଟର ଢେଉ ଢୋଳେ ଏବଂ ସେଇ ବିନ୍ଦୁଟିହିଁ ବୋଧହୁଏ ଆଲୋକର କେନ୍ଦ୍ର, ତା’ର ମୂଳ ଉପନିବେଶ ! ଆମେ ଆଲୋଡ଼ିତ ହେଉ, ବହୁଧା ବିଭକ୍ତ, ସମ୍ପର୍କିତ ହେବାକୁ କାମନା କରୁ ଏବଂ ଆଲୁଅରେହିଁ ଏ ବିଭାଜନ ସମ୍ଭବ । ଏଣୁ ବହୁରୂପା ସମଷ୍ଟିକୁ ଭଲ ପାଇବାକୁ ଯାଇ ଆଲୁଅର ପୃଷ୍ଠଭୂମିଟାକୁ ଭଲ ପାଇଯାଉ, ବ୍ୟକ୍ତିଟିକୁ ଭଲ ପାଇବାକୁ ଯାଇ ତା’ ଘର ଛାଡ଼ି, ଆମ୍ବଗଛ ଆଦିକୁ ଭଲ ପାଇଲା ପରି । ବୋଧହୁଏ ଏ ଭଲପାଇବା ହେତୁରୁହିଁ ବ୍ୟକ୍ତିଟି ବିସ୍ତୃତ ହୋଇ ପ୍ରତିଫଳିତ ହୁଏ । ପାଖଆଖ ବସ୍ତୁ ମଧ୍ୟ ତା’ର ଚୁମ୍ବକର ଟାଣ ପାଇ ନିଜେ ଟାଣନ୍ତି । ସେଇଭଳି ଆଲୁଅ । ସେଥିରେ ଆମେ ସଂସାରକୁ ଦେଖୁ, ସଂସାରକୁ ଭଲ ପାଉ ଏବଂ ସେଇ କ୍ରମରେ ଆଲୁଅକୁ ମଧ୍ୟ ଭଲ ପାଇଯାଉ !

 

ଆମେ ସୂର୍ଯ୍ୟବଂଶୀ ନୋହୁ । ଆଲୁଅ ଆମର ମୌଳିକ ଉପଦାନ ନୁହେଁ । ଆମେ ଶହେରେ ଅନେଶତ କେବଳ ଅନ୍ଧାର । ବାକି ଯେଉଁ ‘ଏକ’ଟି ଆମେ ବୁଝିପାରୁନାହୁଁ ତାକୁ ମଧ୍ୟ ଆଲୁଅ କହିବା ସହଜ ନୁହେଁ । ଜରାୟୁରୁ ଜରାୟୁକୁ ଆମର ଅନିବାର୍ଯ୍ୟ ଗତି ଏବଂ ପରିଶେଷରେ ଏକାକାର ଅଭିନ୍ନ ଅନ୍ଧାରହିଁ ଏକମାତ୍ର ସତ୍ୟ ।

☆☆☆

 

ଲେଖକ ପରିଚିତି

ଫକୀରମୋହନ ସେନାପତି

 

ଓଡ଼ିଆ ସାହିତ୍ୟର ବ୍ୟାସକବି ଫକୀରମୋହନ ସେନାପତି ୧୮୪୩ ଖ୍ରୀଷ୍ଟାବ୍ଦରେ ବାଲେଶ୍ଵରରେ ଜନ୍ମଗ୍ରହଣ କରିଥିଲେ । ଅନୁକୂଳ ପରିବେଶ ନଥିବାରୁ ସେ ସେକାଳର ଉଚ୍ଚଶିକ୍ଷା ଲାଭ କରିବାର ଗୌରବରୁ ବଞ୍ଚିତ ହୋଇଥିଲେ । ବାଧ୍ୟହୋଇ ସ୍ଵଳ୍ପ ବେତନରେ ନିମକ୍‌ମାହାଲରେ ଚାକିରି ଜୀବନ ଆରମ୍ଭ କରିଥିଲେ । କିଛିକାଳ ଶିକ୍ଷକତା ମଧ୍ୟ କରିଥିଲେ । କିନ୍ତୁ ଓଡ଼ିଆ ସାହିତ୍ୟର ଏହି ମହାନ୍ ତପସ୍ଵୀଙ୍କୁ ଲୁଚାଇ ରଖିବ କିଏ ? ସେ ନିଜର ପ୍ରତିଭାର ପରିଚୟ ପ୍ରଦାନ କରି ତତ୍‌କାଳୀନ ବହୁ ଗଡ଼ଜାତର ବିଖ୍ୟାତ ଦେବାନ ଏବଂ ମେନେଜର ଭାବରେ ନିଜର ଦକ୍ଷ ଶାସନ ପରିଚାଳନାର ପରିଚୟ ପ୍ରଦାନ କରିଥିଲେ । ସେ ପ୍ରଥମ କାଳରେ ପ୍ରାଚୀନ ପୁରାଣର ଅନୁବାଦ, କିଛି କବିତା ଓ କାବ୍ୟ ରଚନାରେ ଧ୍ୟାନ ଦେଇଥିଲେହେଁ ସେ ହେଲେ ଓଡ଼ିଆ ସାହିତ୍ୟର ପ୍ରମୁଖ କଥାକାର । ତାଙ୍କର ଗଳ୍ପ ଓ ଉପନ୍ୟାସ ସର୍ବଗୁଣମୟୀ ସୌନ୍ଦର୍ଯ୍ୟରେ ରସାଣିତ । ତାଙ୍କର ଉପନ୍ୟାସଗୁଡ଼ିକ ହେଲା–ପ୍ରାୟଶ୍ଚିତ୍ତ, ମାମୁ, ଛମାଣ ଆଠଗୁଣ୍ଠ, ଲଛମା ଓ ଗଳ୍ପ ସଂକଳନ ହେଲା ଗଳ୍ପସଳ୍ପ ।

 

ଗୋଦାବରୀଶ ମହାପାତ୍ର

 

ଏହି ଶକ୍ତିଶାଳୀ କଥାଶିଳ୍ପୀ ୧୮୯୮ ଖ୍ରୀଷ୍ଟାବ୍ଦରେ ବାଣପୁରରେ ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ନିଆଁଖୁଣ୍ଟାର ସଂପାଦକ ହିସାବରେ ସେ ଦୀର୍ଘକାଳ ଯାବତ୍ ଓଡ଼ିଶାର ସାମାଜିକ କ୍ଷେତ୍ରରେ ଏକ ଶକ୍ତିଶାଳୀ ଅନୁଷ୍ଠାନ ଥିଲେ । ସେ ଥିଲେ ଏକ ଧାରରେ ଜଣେ କଥାକାର, ଔପନ୍ୟାସିକ, କବି ଏବଂ ବିଶିଷ୍ଟ, ଅନୁବାଦକ । ଟଲଷ୍ଟୟଙ୍କର ଗଳ୍ପମାଳା ଓଡ଼ିଆରେ ଅନୁବାଦ କରି ସେ ଯଶସ୍ୱୀ ହୋଇଛନ୍ତି । ମେର କର୍ଲିଂଙ୍କର ଭେଡ଼େଣ୍ଟାର ଅନୁବାଦ କରିଛନ୍ତି ‘ରକ୍ତପାତ୍‌’ ନାମରେ । ତାଙ୍କର ଜ୍ଵାଳାମୟୀ ଜାତୀୟତାଧର୍ମ କବିତା ଓଡ଼ିଆ ସମାଜରେ ଗଭୀର ପ୍ରେରଣା ସୃଷ୍ଟି କରିଥାଏ । ‘ଉଠ କଙ୍କାଳ’ କବିତା । ଏହାର ଉଦାହରଣ । ‘କଣ୍ଟା ଓ ଫୁଲ’ କବିତା ପୁସ୍ତକପାଇଁ ସେ ଭାରତୀୟ ସାହିତ୍ୟ ଏକଡ଼େମୀ ପୁରସ୍କାର ଲାଭ କରିଥିଲେ । ଜଣେ ଶକ୍ତିଶାଳୀ ସମାଜଧର୍ମୀ ଲେଖକ ହିସାବରେ ସେ ସୁପରିଚିତ ।

 

କାଳିନ୍ଦୀଚରଣ ପାଣିଗ୍ରାହୀ

 

ସବୁଜ ଆନ୍ଦୋଳନର ଅନ୍ୟତମ ପ୍ରଭାବଶାଳୀ ସାରଥି ଶ୍ରୀ କାଳିନ୍ଦୀଚରଣ ପାଣିଗ୍ରାହୀ । ୧୯୦୧ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ । ସେ ରେଭେନ୍‌ସା କଲେଜରେ ଅଧ୍ୟୟନ କାଳରେ ସବୁଜ ସାହିତ୍ୟ ସମିତି ଗଠନ କରି ନିଜର ସବୁଜ ସାହିତ୍ୟ ବନ୍ଧୁମାନଙ୍କ ସହଯୋଗରେ ସାହିତ୍ୟରେ ଏକ ବୈପ୍ଳବିକ ପରିବର୍ତ୍ତନ ପାଇଁ ପରୀକ୍ଷା ଚଳାଇଥିଲେ । ତାଙ୍କ ରଚିତ ‘‘ମାଟିର ମଣିଷ’’ ଉପନ୍ୟାସ ଏକଦା ଓଡ଼ିଶାରେ ଚହଳ ସୃଷ୍ଟି କରିଥିଲା । ‘ମାଟିର ମଣିଷ’ ପରେ ସେ ଲେଖିଲେ ‘ଲୁହାର ମଣିଷ’ ଓ ‘‘ଆଜିର ମଣିଷ’’ । ତାଙ୍କର ଆଉ ଦୁଇଗୋଟି ଉଲ୍ଲେଖଯୋଗ୍ୟ ଉପନ୍ୟାସ ହେଉଛି ‘ମୁକ୍ତାଗଡ଼ର କ୍ଷୁଧା ଓ ଅମରଚିତା’ । ପ୍ରଥମ କାଳରେ ଗଳ୍ପ ସଂକଳନ ହେଲା ‘ଦ୍ଵାଦଶୀ’ । ଏହା ବ୍ୟତୀତ ତାଙ୍କର ଅନେକ ପ୍ରବନ୍ଧ ସଂକଳନ, ସମାଲୋଚନା, କବିତା ଓ ଗଳ୍ପ ସଂକଳନ ଏବଂ ନାଟକ ମଧ୍ୟ ଅଛି । ସାହିତ୍ୟର ବିଭିନ୍ନ ବିଭାଗରେ ସେ ଲେଖନୀଚାଳନା କରି ଯଶସ୍ୱୀ ହୋଇଅଛନ୍ତି । ଯେଉଁ କେତେଜଣ ଓଡ଼ିଆ ସାହିତ୍ୟର ସାଧକ ସର୍ବଭାରତୀୟ ସ୍ତରରେ ପ୍ରତିଷ୍ଠିତ, ଶ୍ରୀଯୁକ୍ତ କାଳିନ୍ଦୀଚରଣ ପାଣିଗ୍ରାହୀ ସେମାନଙ୍କ ମଧ୍ୟରେ ଅନ୍ୟତମ ।

 

ସଚ୍ଚିଦାନନ୍ଦ ରାଉତରାୟ

 

‘ବାଜିରାଉତ’ର କବିଙ୍କୁ ଓଡ଼ିଶାରେ କିଏ ଅବା ନ ଜାଣେ । ସେ ଜଣେ ଶକ୍ତିଶାଳୀ, କବି, ଗାଳ୍ପିକ ଓ ଔପନ୍ୟାସିକ ମଧ୍ୟ । ବର୍ତ୍ତମାନ ସାହିତ୍ୟ ସମାଲୋଚନାରେ ହାତ ଦେଇ କବି ଯଶସ୍ୱୀ ହୋଇଛନ୍ତି । ପ୍ରଥମ କାଳରେ ପଲ୍ଲୀଶ୍ରୀ, ପୂର୍ଣ୍ଣିମା, ‘ବାଜିରାଉତ’ରେ ଯେଉଁ କବି ପ୍ରତିଭାର ସ୍ଫୁରଣ ହୋଇଥିଲା, ପାଣ୍ଡୁଲିପି, କବିତା ୧୯୬୨ ଇତ୍ୟାଦି କାବ୍ୟଗ୍ରନ୍ଥଗୁଡ଼ିକରେ ସେହି କବି ପ୍ରତିଭାର ପୁଷ୍କଳ ପ୍ରକାଶ ସମ୍ଭବ ହୋଇଅଛି । କବିତା ୧୯୬୨ ପାଇଁ ସେ ଭାରତୀୟ ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଥିଲେ । ତାଙ୍କର ଅନେକଗୁଡ଼ିଏ ଗଳ୍ପ ସଂକଳନ ଅଛି । ଆଧୁନିକ କବି ହିସାବରେ ସେ ଅତ୍ୟନ୍ତ ସ୍ଵନାମଧନ୍ୟ । କ୍ଷୁଦ୍ରଗଳ୍ପ ରଚନାରେ ତାଙ୍କର ମୌଳିକତା ଅନନ୍ୟସାଧାରଣ ।

 

ସୁରେନ୍ଦ୍ର ମହାନ୍ତି

 

ଏହି ସାହିତ୍ୟ ସ୍ରଷ୍ଟା ଓ ବିଶିଷ୍ଟ ବ୍ୟବସ୍ଥାପକ ଓଡ଼ିଆ ସାହିତ୍ୟରେ ଜଣେ ଅପ୍ରତିଦ୍ଵନ୍ଦ୍ୱୀ କଥାଶିଳ୍ପୀ । ସେ ଏକାଧାରରେ ଜଣେ ଗାଳ୍ପିକ, ଔପନ୍ୟାସିକ, ସମାଲୋଚକ, ଐତିହାସିକ ଏବଂ ସାମ୍ବାଦିକ । ଓଡ଼ିଆ ସାହିତ୍ୟର ଆଦିପର୍ବ ଓ ମଧ୍ୟପର୍ବରେ ତାଙ୍କର ସାହିତ୍ୟିକ ବିଶ୍ଳେଷଣ ପାଠକ ସମାଜର ଆଦରର ସାମଗ୍ରୀ । ‘‘ଫକୀରମୋହନ ସାହିତ୍ୟ ସମୀକ୍ଷା’’ ପାଇଁ ଅଳ୍ପକାଳ ମଧ୍ୟରେ ସେ ସୁଧୀ ପାଠକ ସମାଜର ଦୃଷ୍ଟି ଆକର୍ଷଣ କରିପାରିଥିଲେ । ‘‘ନୀଳଶୈଳ’’ ଉପନ୍ୟାସ ରଚନା କରି ସେ ଭାରତୀୟ ସାହିତ୍ୟ ଏକାଡ଼େମୀଦ୍ଵାରା ପୁରସ୍କୃତ ହୋଇଥିଲେ । ତାଙ୍କର ଗଳ୍ପଗୁଡ଼ିକ ଅତ୍ୟନ୍ତ ମନନଶୀଳ ଏବଂ ଆଧୁନିକତାର ସ୍ଵାଦରେ ପରିପୂର୍ଣ୍ଣ । ତାଙ୍କର ଅନେକଗୁଡ଼ିଏ ଗଳ୍ପ ସଂକଳନ ପ୍ରକାଶିତ ହୋଇଅଛି । ତେବେ ଉପନ୍ୟାସ ଅପେକ୍ଷା କ୍ଷୁଦ୍ରଗଳ୍ପରେ ସୁରେନ୍ଦ୍ର ମହାନ୍ତିଙ୍କର ମୌଳିକ ପ୍ରତିଭାର ସ୍ଵାକ୍ଷର ଅଧିକ ଉପଲବ୍ଧି ହୋଇଥାଏ ।

 

ଗୋପୀନାଥ ମହାନ୍ତି

 

ଜ୍ଞାନପୀଠ ପୁରସ୍କାର ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଶାର ସାମ୍ପ୍ରତିକକାଳର ପ୍ରମୁଖ କଥାଶିଳ୍ପୀ ଶ୍ରୀ ଗୋପୀନାଥ ମହାନ୍ତି ସମସ୍ତଙ୍କ ନିକଟରେ ଅତ୍ୟନ୍ତ ସୁପରିଚିତ । ଜଣେ ଶକ୍ତିଶାଳୀ ଔପନ୍ୟାସିକ ହିସାବରେ ସେ ବନ୍ଦନୀୟ ହେଲେହେଁ ତାଙ୍କର କ୍ଷୁଦ୍ରଗଳ୍ପ ମଧ୍ୟ ଓଡ଼ିଆ ସାହିତ୍ୟରେ ନୂତନ ଅଧ୍ୟାୟ ସୃଷ୍ଟି କରିଅଛି । ତାଙ୍କର ପ୍ରତ୍ୟେକଟି ଗଳ୍ପ ଜୀବନଧର୍ମୀ ଏବଂ ଅଦ୍ଭୁତ ଭାବରେ ଶକ୍ତିଶାଳୀ । ତାଙ୍କପରି ଜଣେ ନିଷ୍କପଟ ଶିଳ୍ପୀ କ୍ୱଚିତ ଦେଖିବାକୁ ମିଳନ୍ତି । ଏହି ମହାନ୍ ଶିଳ୍ପୀ ୧୯୧୪ ଖ୍ରୀଷ୍ଟାବ୍ଦରେ କଟକ ଜିଲ୍ଲାର ନାଗବାଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ! ଆଜୀବନ ଉଚ୍ଚ ସରକାରୀ ଦାୟିତ୍ଵରେ ଥିଲେହେଁ ତାଙ୍କର ଆନ୍ତରିକ ସାହିତ୍ୟ ସାଧନା ଅଭିନନ୍ଦନୀୟ ।

 

କିଶୋରୀଚରଣ ଦାସ

 

ଜଣେ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ । କର୍ତ୍ତବ୍ୟର ଅନୁରୋଧରେ ବିଭିନ୍ନ ଦେଶ ବିଦେଶରେ ଅବସ୍ଥାନ କରୁଥିଲେହେଁ ତାଙ୍କର ଓଡ଼ିଆ ସାହିତ୍ୟ ପ୍ରୀତି ନିରବଚ୍ଛିନ୍ନ ଭାବରେ ଅବ୍ୟାହତ ରହିଅଛି । ଜୀବନର ବହୁରଙ୍ଗୀ ଅନୁଭୂତି ଗଳ୍ପ ମାଧ୍ୟମରେ ରୂପାୟିତ କରିବାରେ ସେ ଜଣେ ସଫଳ କଳାକାର । ତାଙ୍କର ଏକାଧିକ ଗଳ୍ପ ସଂକଳନ ପ୍ରକାଶିତ ଏବଂ ପ୍ରଶଂସିତ । ସାଂପ୍ରତିକ କାଳର ଓଡ଼ିଆ କ୍ଷୁଦ୍ରଗଳ୍ପ ସାହିତ୍ୟରେ ତାଙ୍କର ଏକ ସ୍ଵତନ୍ତ୍ର ସ୍ଥାନ ରହିଅଛି ।

 

ଅଚ୍ୟୁତାନନ୍ଦ ପତି

 

ପ୍ରାୟ ତିନିଗୋଟି ଦଶକ ଧରି ନିରବଚ୍ଛିନ୍ନ ଭାବରେ ଓଡ଼ିଆ ସାହିତ୍ୟର ଏହି ନୀରଳସ କର୍ମୀ କ୍ଷୁଦ୍ରଗଳ୍ପ ରଚନା କରି ଆସୁଅଛନ୍ତି । ଓଡ଼ିଶାର ଯେକୌଣସି ଆଭିଜାତ୍ୟ ସମ୍ପନ୍ନ ସାହିତ୍ୟ ପତ୍ରିକାରେ ତାଙ୍କର ଗଳ୍ପ ପ୍ରକାଶିତ ହୋଇଥାଏ । ଏପରି ଜୀବନଧର୍ମୀ ବାସ୍ତବତାଧର୍ମୀ ସଫଳ ଗଳ୍ପ ରଚନା ଆମ୍ଭେମାନେ କ୍ୱଚିତ ପାଠ କରିଥାଉ । ତାଙ୍କର ଗଳ୍ପଗୁଡ଼ିକରେ ପାଣ୍ଡିତ୍ୟର ଅଟୋପ ନାହିଁ, ବହୁ ପାଠିତାର ଅହଂକାର ନାହିଁ, କୃତ୍ରିମତାର ମାୟାଜାଲ ନାହିଁ । ସ୍ଵାଭାବିକ ଜଣେ ସାର୍ଥକ କଳାକାର । ତାଙ୍କର ଗଳ୍ପଗୁଡ଼ିକ ରସୋତ୍ତୀର୍ଣ୍ଣ ଓ ପ୍ରଭାବଶାଳୀ ।

 

ଡକ୍ଟର ରାଧାନାଥ ରଥ

 

ଜଣେ ପ୍ରଗତିଶୀଳ ଓ ଲୋକପ୍ରିୟ ଅଧ୍ୟାପକ ଭାବରେ ଡକ୍ଟର ରାଧାନାଥ ରଥ ବୁଦ୍ଧିଜୀବୀ ମହଲରେ ଅତ୍ୟନ୍ତ ଜଣାଶୁଣା । ତାଙ୍କ ଲିଖିତ ‘ପ୍ରଗତି’ ପୁସ୍ତକ ପାଠକ ମନରେ ଗଭୀର ରେଖାପାତ କରିଥାଏ । ସେ ପ୍ରାବନ୍ଧିକ ଭାବରେ ସୁପରିଚିତର ହେଲେହେଁ ସାମୟିକ ପତ୍ରପତ୍ରିକାରେ ବେଳେବେଳେ କ୍ଷୁଦ୍ରଗଳ୍ପ ମଧ୍ୟରେ ଲେଖକଙ୍କର ମାନବଧର୍ମୀ ସମ୍ବେଦନଶୀଳତା ଏବଂ କ୍ରାନ୍ତିକାରୀ ଆଭିମୁଖ୍ୟ ଅତ୍ୟନ୍ତ ଉପଭୋଗ୍ୟ ।

 

ମନୋଜ ଦାସ

 

‘ମନୋଜ ଦାସଙ୍କ କଥା ଓ କାହାଣୀ’ ପ୍ରକାଶିତ ହୋଇସାରିଛି । ଏତେ ଅଳ୍ପକାଳ ମଧ୍ୟରେ ସାହିତ୍ୟ କ୍ଷେତ୍ରରେ ଯଶ ଏବଂ ସ୍ଵୀକୃତି ଲାଭ କରିବା କେବଳ ତାଙ୍କରି ଭାଗ୍ୟରେ ସମ୍ଭବ ହୋଇଅଛି । ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀଦ୍ଵାରା ସ୍ଵୀକୃତ ଏବଂ ସମ୍ମାନିତ । ତାଙ୍କର ଅନେକ ଗଳ୍ପ ଇଂରାଜୀ ଭାଷାରେ ଅନୁଦିତ ହୋଇ ଆନ୍ତର୍ଜାତିକ ପ୍ରଶଂସା ଲାଭ କରିଅଛି । ତାଙ୍କପରି ବହୁଳ ପ୍ରଚାରିତ ଲେଖକ ଓଡ଼ିଆ ସାହିତ୍ୟରେ ଖୁବ୍‌ ଅଳ୍ପ ଅଛନ୍ତି ବୋଲି ସ୍ଵୀକାର କରିବାକୁ ହେବ । ସେ ଜଣେ ଶକ୍ତିଶାଳୀ କ୍ଷୁଦ୍ରଗଳ୍ପ ଲେଖକ । ଏକଦା ‘ଦିଗନ୍ତ’ ସାହିତ୍ୟପତ୍ରିକା ସମ୍ପାଦନ କରି ସେ ଖୁବ୍‌ ଖ୍ୟାତି ଅର୍ଜନ କରିଥିଲେ ।

 

ଦୁର୍ଗାମାଧବ ମିଶ୍ର

 

ସ୍ଵାଧୀନତା ପରବର୍ତ୍ତୀ କାଳର ଅନ୍ୟତମ ଗଳ୍ପ ଲେଖକ ହିସାବରେ ଦୁର୍ଗାମାଧବ ମିଶ୍ର ଜଣେ କୃତି ଶିଳ୍ପୀ । ଉଚ୍ଚ ଦାୟିତ୍ଵ ସମ୍ପନ୍ନ ରାଜକର୍ମଚାରୀ ଭାବରେ କାର୍ଯ୍ୟରତ ଥିଲେହେଁ ସେ ଗଳ୍ପ ରଚନା କରି ଓଡ଼ିଆ ସାହିତ୍ୟର ସେବା କରି ଆସୁଛନ୍ତି । ସେ ମଧ୍ୟ ଜଣେ କବି । ତେବେ କବିତା ଅପେକ୍ଷା ଗଳ୍ପ ସୃଷ୍ଟିରେ ତାଙ୍କର ସ୍ଵୀକୃତି ଅଧିକ ବନ୍ଦନୀୟ ।

 

ଚନ୍ଦ୍ରଶେଖର ରଥ

 

ଯନ୍ତ୍ରାରୂଢ଼, ମନଅରଣ୍ୟ ପ୍ରଭୃତିର ଲେଖକ ଶ୍ରୀ ଚନ୍ଦ୍ରଶେଖର ରଥ ସମସ୍ତଙ୍କ ନିକଟରେ ସୁପରିଚିତ । ତାଙ୍କର ଗଦ୍ୟ ଶୈଳୀ ଅଭିନବ । ଗୋପାଳଚନ୍ଦ୍ର ପ୍ରହରାଜଙ୍କୁ ଅନୁକରଣ କରି ବହୁକାଳ ପରେ ଲେଖକ ଏକ ନୂତନ ସ୍ଵାଦର ଗଦ୍ୟ ଲେଖା ପ୍ରଚଳନ କରାଇ ସୁଧୀପାଠକ ସମାଜର ଦୃଷ୍ଟି ଆକର୍ଷଣ କରିପାରି ଅଛନ୍ତି । ସେ ଜଣେ ବିଶିଷ୍ଟ ପ୍ରାବନ୍ଧିକ ଓ ଗଳ୍ପ ଲେଖକ । ତାଙ୍କର ବିଶେଷଣଧର୍ମୀ ଅନୁଚିନ୍ତା ଅତ୍ୟନ୍ତ ଅଭିନନ୍ଦନୀୟ ।

Image